ପୁରୀ ବଡ଼ ଦାଣ୍ଡରେ କେଉଁ ଭବ୍ୟ ଓ ନିଆରା ବିବାହରେ ରାଜ୍ୟପାଳ ଭାଗନେଲେ ଜାଣନ୍ତି?

ଏକ ଟାଟା ଏସି ମିନି ଟ୍ରକରେ ଆସିଥିବା ବର ନନ୍ଦୀ ମହାରାଜଙ୍କ ସହ କନ୍ୟା ନନ୍ଦିନୀଙ୍କ ବିବାହ ସମ୍ପୂର୍ଣ ବୈଦିକ ରୀତିରେ କରାଯାଇଥିଲା । ଶ୍ରୀଗୁଣ୍ଡିଚ଼ା ମନ୍ଦିର ସାମନାରୁ ରୋଶଣି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଶତାଧିକ ସାଧୁ ସନ୍ଥ ଭାଗନେଇଥିଲେ ।

ପୁରୀ ବଡ଼ ଦାଣ୍ଡରେ କେଉଁ ଭବ୍ୟ ଓ ନିଆରା ବିବାହରେ ରାଜ୍ୟପାଳ ଭାଗନେଲେ ଜାଣନ୍ତି?
ବରଯାତ୍ରୀ ବାଦ୍ୟ ଓ ଗୀତ ମଧ୍ୟରେ ଶ୍ରୀମନ୍ଦିର ଆଡ଼େ ଯାଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀକ୍ଷେତ୍ରର ଶରଧାବାଲିରେ କୌଣସି ଧନାଢ୍ୟ ପରିବାରର ବିବାହ ଆୟୋଜନ ଠାରୁ କମ୍‌ ନ ଥିଲା ଏହି ବିବାହ ଉତ୍ସବ । ଶଙ୍ଖ ଧ୍ୱନି ଓ ସଂକୀର୍ତ୍ତନ ସହିତ ପାଇକ ଆଖଡ଼ା ଓ ଆଦିବାସୀ ନୃତ୍ୟରେ ପ୍ରକମ୍ପତି ହୋଇଥିଲା ବଡ଼ ଦାଣ୍ଡ । ପାଞ୍ଚ ଶହରୁ ଅଧିକ ବର ଯାତ୍ରୀଙ୍କ ଭିତରେ ଅନେକ ସାଧୁସନ୍ଥ ଓ ସ୍ୱୟଂ ରାଜ୍ୟପାଳ ଗଣେଶୀ ଲାଲ ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଆଶିର୍ବାଦ ଦେଇଥିଲେ । ତେବେ କିଏ ବାହା ହେଉଥିଲେ କାହାକୁ?

ବୈଦିକ ରୀତିରେ ଅଗ୍ନିକୁ ସାକ୍ଷୀ ରଖି ହାତଗଣ୍ଠି ପକାଇ ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଯୁଗଳ ଥିଲେ ବୃଷଭ ଅର୍ଥାତ୍‌ ଷଣ୍ଢ ନନ୍ଦୀ ଓ ଗୋମାତା ଅର୍ଥାତ ଗାଈ ସୌରଭୀ ବା ନନ୍ଦିନୀ । ଶ୍ରୀଗୁଣ୍ଡିଚ଼ା ମନ୍ଦିର ସାମନାରୁ ରୋଶଣି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ବରଯାତ୍ରୀ ଓ ନିମନ୍ତ୍ରିତ ଅତିଥିମାନଙ୍କୁ ୧୫ରୁ ୨୦ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଇଥିଲା । ବାସ୍ତବରେ ଏହି ନିଆରା ବିବାହୋତ୍ସବ ଥିଲା ଖୁବ୍‌ ଭବ୍ୟ ।

ସକାଳୁ ହଳଦୀ ପାଣିରେ ନନ୍ଦୀଶ୍ୱର ଷଣ୍ଢକୁ ସ୍ନାନ କରାଇ ଆଶ୍ରମରୁ ଏକ ଗାଡ଼ିରେ ପୁରୀ ଆଣି ଶରଧାବାଲିରେ ଭବ୍ୟ କାର୍ଯ୍ୟକ୍ରମରେ ବିବାହ ଉତ୍ସବ କରାଯାଇଥିଲା । ଗୋମାତା ଓ ଗୋବଂଶର ସୁରକ୍ଷା ପାଇଁ ଏଭଳି କାର୍ଯ୍ୟକ୍ରମର କରାଯାଇଥିଲା । ଏ ସବୁ ପଛରେ ମୂଳ ଉଦ୍ଦେଶ୍ୟ ଥିଲା ପୃଥିବୀରେ ଶାନ୍ତି ଓ ମୈତ୍ରୀ ଜାରି ରଖିବା । ଗତ ଶନିବାର ଆୟୋଜିତ ଏହି ଉତ୍ସବ ଦ୍ୱାରା ଗୋବଂଶର ସୁରକ୍ଷାକୁ ନେଇ ଜନସଚ଼େତନତା ଜାଗ୍ରତ କରିବାର ପ୍ରୟାସ ଆଉ ପାଦେ ଆଗକୁ ଯାଇଥିଲା ।

‘‘ମଣିଷଙ୍କର ଯେଭଳି ବିବାହ ଉତ୍ସବ ହୋଇଥାଏ ସେହି ପରମ୍ପରାରେ ଆଶ୍ରମରେ ଲାଳନ ପାଳନ କରି ବଡ଼ କରାଯାଇଥିବା ନନ୍ଦୀଶ୍ୱର ବା ଶଙ୍କରଲାଲ ଷଣ୍ଢଙ୍କର ବିବାହ ଉତ୍ସବ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ କ୍ରିୟା ଯୋଗ ଆଶ୍ରମରେ ଥିବା ଗୋ ମାତା ନନ୍ଦୀନି ବା ସୌରଭୀଙ୍କ ସହ ବିବାହ କରାଇବା ପାଇଁ ଆଶ୍ରମ ପକ୍ଷରୁ ସହଯୋଗ କରାଯାଇଥିଲା,’’ କହିଛନ୍ତି ପୁରୀ ସୂର୍ଯ୍ୟାୟନ ଗୋ ଆଶ୍ରମର ମୁଖ୍ୟ ତଥା କାର୍ଯ୍ୟକ୍ରମର ଆୟୋଜକ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ।

ବିବାହୋତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ (ବାମ) ଉପସ୍ଥିତ ଅଛନ୍ତି ।


ସକାଳେ ପ୍ରଥମେ ଷଣ୍ଢ ନନ୍ଦୀ ମହାରାଜଙ୍କ ବ୍ରତୋପନୟନ କରାଯାଇଥିଲା । ତା’ପରେ ବରଯାତ୍ରୀ ଦଳ ଦୁଲୁଦୁଲି, ଧୁଡୁକି ଓ ଶିଙ୍ଗବାଜା ପରି ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ସେଠାରୁ ଫେରିବା ପରେ କର୍ମକାଣ୍ଡ ଅନୁସାରେ ବାହାଘର କରାଯାଇଥିଲା । ଏକ ଟାଟା ଏସି ଗାଡ଼ିରେ ଆସିଥିବା ବର ନନ୍ଦୀଙ୍କର ବାଟବରଣ କରାଯାଇଥିଲା  । ସେହି ଗାଡ଼ି ଉପରେ ରହିଥିଲେ ବର ନନ୍ଦୀ ଓ ତଳେ ରହିଥିଲେ କନ୍ୟା ନନ୍ଦୀନି ବା ସୌରଭୀ  । ବରଣମାଳା ପଡ଼ିବା ପରେ ସିନ୍ଦୂର ପିନ୍ଧା ଯାଇଥିଲା ।

ବିବାହ ବେଦୀ ନିକଟରେ ବୃଷଭ ନନ୍ଦୀ ମହାରାଜ ପାରମ୍ପରିକ ବୈଦିକ ରୀତିରେ ଗୋମାତା ସୌରଭୀଙ୍କ ହାତ ଧରିଥିଲେ । ଅଗ୍ନିଙ୍କୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ବିବାହ ବନ୍ଦନରେ ବାନ୍ଧି ହୋଇଥିଲେ  । ବୈଦିକ ରୀତିରେ କର୍ମ ସମ୍ପନ୍ନ ହେବା ପରେ ଗୋ ଆଶ୍ରମର ମୁଖ୍ୟ ସୂର୍ଯ୍ୟନାରାୟଣ ଦାଶ ନିଜ ସମୁଦି କନ୍ୟା ପକ୍ଷ କ୍ରିୟାଯୋଗ ଆଶ୍ରମର ମହାରାଜ ପ୍ରଜ୍ଞାନନନ୍ଦଜୀଙ୍କ ଠାରୁ ଭେଟି ଗ୍ରହଣ କରିଥିଲେ ।

‘‘ସମ୍ପୂର୍ଣ ବୈଦିକ ପରମ୍ପରାରେ ଏହି ବିବାହ କାର୍ଯ୍ୟକ୍ରମ କରାଯାଇଥିଲା,’’କହିଛନ୍ତି ବିବାହ କର୍ମ ସମ୍ପନ୍ନ କରାଇଥିବା ପୁରୋହିତ ପ୍ରଦୀପ୍ତ କୁମାର ଆଚ଼ାର୍ଯ୍ୟ ।

ପୂର୍ବରୁ ହିନ୍ଦୁମାନଙ୍କର ଘରେ ଘରେ ଗୋ ମାତାଙ୍କ ସେବା ସହିତ ଗୋ ବଂଶର ସୁରକ୍ଷା ପାଇଁ ଏ ଭଳି ବିବାହ ଉତ୍ସବର ଆୟୋଜନ କରିବାର ବିଧି ଥିଲା ବୋଲି କହିଛନ୍ତି ସୂର୍ଯ୍ୟନାରାୟଣ ଦାଶ । ‘‘ଗୋ ମାତାଙ୍କ ପାଳନ ଦ୍ୱାରା ପାଳନକର୍ତା କ୍ଷୀର, ଦହି ଓ ଘିଅ ଆଦି ଦୁଗ୍ଧଜାତୀୟ ପଦାର୍ଥ ପାଉଥିଲା । ହେଲେ ବର୍ତ୍ତମାନ ପରମ୍ପରାକୁ ଆଧୁନିକତାରେ ଘୋଡ଼ାଇ ଆମେ ପ୍ରକୃତିର ବିନାଶ କରୁଛୁ । ଗୋ ମାତାଙ୍କ ବଂଶର ରକ୍ଷା ପାଇଁ ଆମେ ନିଜ ଦାୟିତ୍ୱ ଭୁଲିଯାଉଛୁ । ଏହା ଭାରି ଚ଼ିନ୍ତାଜନକ ସ୍ଥିତି,’’ ଦାଶ ।

‘‘ଗୋ ମାତା ହେଉଛନ୍ତି ସକଳ ଶକ୍ତିର ଆଧାର । ତାଙ୍କ ଦେହରେ ୩୩ କୋଟି ଦେବତାଙ୍କ ଆସ୍ଥାନ ରହିଛି । ତେଣୁ ସେମାନଙ୍କ ସୁରକ୍ଷା ହେଲେ ପ୍ରକୃତି ମାତାଙ୍କ ସୁରକ୍ଷା ହେବ । ଏହି ବାର୍ତ୍ତା ନେଇ ଏହି ବିବାହ ଉତ୍ସବର ଆୟୋଜନ କରାଯାଇଥିଲା । ଗୋ ମାତାଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ବୃଦ୍ଧିଇଲେ ଲୋକଙ୍କ ଭିତରେ ଆଧ୍ୟାତ୍ମିକ ଚ଼େତନା ବଢ଼ିବ । ସ୍ଥୁଳ ରୂପରେ ଦେଖିଲେ ସୃଷ୍ଟିର ଜନକ ଗୋ ମାତା ଧରିତ୍ରୀ ଓ ବୃଷଭ ହେଉଛନ୍ତି ଧର୍ମର ପ୍ରତୀକ । ଗୋ ଭକ୍ତି ଦ୍ୱାରା ସମସ୍ତେ ରାଷ୍ଟ୍ର ଗଠନରେ ସାମିଲ ହେଇପାରିବେ । ଗୋ ସମ୍ପଦ ପ୍ରତି ସଚ଼େତନତା ବୃଦ୍ଧି ପାଇବା ସହ ପୁନଃଜାଗରଣ ସୃଷ୍ଟି ହେବ,’’ କହିଛନ୍ତି  କ୍ରିୟାଯୋଗ ଆଶ୍ରମର ମୁଖ୍ୟ ପ୍ରଜ୍ଞାନନନ୍ଦଜୀ ମହାରାଜ ।

ଗାଡ଼ିରେ ଅଛନ୍ତି ବର ନନ୍ଦୀ ମହାରାଜ ।


ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଗଣେଶୀ ଲାଲ କହିଥିଲେ ଯେ ଭୂମଣ୍ଡଳରେ ଗୋ ମାତା ହିଁ ସବୁ ଅନର୍ଥକୁ ନାଶ କରି ବ୍ରହ୍ଣଲୋକ ସୃଷ୍ଟି କରନ୍ତି । ‘‘ଅସୁରୀୟ ଶକ୍ତି ଦୂର କରିବା ପାଇଁ ଗୋ ସେବା ଓ ଗୋ ମାତାଙ୍କ ସୁରକ୍ଷା ଜରୁରୀ । ଗାଈକୁ ଯିଏ ପଶୁ ମନେକରେ ସେ ନିଜେ ହିଁ ସମାଜରେ ପଶୁ । ଗୋ ମାତା ଓ ଧରିତ୍ରୀ ଉଭୟଙ୍କର ସନ୍ତାନ ଆମେ ମନୁଷ୍ୟ । ସେମାନେ ଆମକୁ ଶକ୍ତି ପ୍ରଦାନ କରିଥାନ୍ତି । ଗୋମାତାଙ୍କ ସେବା କରିବା ଆମେ ସମସ୍ତେ ଅନୁପ୍ରାଣିତ ହେବା ଉଚ଼ିତ,’’ କହିଥିଲେ ଲାଲ ।

ଷଣ୍ଢଙ୍କ ବ୍ରତୋପନୟନ ଓ ବିବାହ ମହୋତ୍ସବରେ ଯୋଗଦେଇ ଶତାଧିକ ସାଧୁସନ୍ଥ ନବ ଦମ୍ପତିଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ । ଶେଷରେ ବରପକ୍ଷ ଓ କନ୍ୟାପକ୍ଷଙ୍କୁ ଖିରି ପୁରୀ ସହ ସୁସ୍ୱାଦୁ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଇଥିଲା । ଏ ଭଳି ବିବାହ ମହୋତ୍ସବ ଏକ ନିଆରା ଆଦର୍ଶ ସୃଷ୍ଟି କରିଥିଲା ।
First published: March 5, 2020, 1:08 PM IST
corona virus btn
corona virus btn
Loading