ରାଜ୍ୟରେ ଆଉ ରହିବନି କଚ୍ଚା ଘର; ୩ ବର୍ଷ ଭିତରେ ସବୁ କଚ୍ଚା ଘରକୁ ପକ୍କା କରିବେ ସରକାର

ଆଗାମୀ ତିନି ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ପକ୍କା ଘର ନିର୍ମାଣ କରିବାକୁ ତିଆରି ହୋଇଥିବା ଏହି ଯୋଜନା ମାର୍ଚ୍ଚ ୫ରେ ବିଜୁ ବାବୁଙ୍କ ଜୟନ୍ତୀରୁ ଶୁଭାରମ୍ଭ ହୋଇପାରେ । ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ନବୀନ ପଟ୍ଟନାୟକ ସରକାରଙ୍କ ୨୦ ବର୍ଷର ସଫଳତାକୁ ସାରା ରାଜ୍ୟରେ ପହଞ୍ଚାଇବ ବିଜେଡି ।

ରାଜ୍ୟରେ ଆଉ ରହିବନି କଚ୍ଚା ଘର; ୩ ବର୍ଷ ଭିତରେ ସବୁ କଚ୍ଚା ଘରକୁ ପକ୍କା କରିବେ ସରକାର
ବିଜୁ ପକ୍କା ଘର ଯୋଜନାରେ ନିର୍ମିତ ଏକ ଘର ସାମନାରେ ଜଣେ ହିତାଧିକାରୀ
  • News18 Odia
  • Last Updated: February 8, 2020, 10:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଓଡ଼ିଶାରେ ଆଉ ରହିବ ନାହିଁ କଚ୍ଚା ଘର । ଆସନ୍ତା ତିନି ବର୍ଷ ଭିତରେ ଏବେ କଚ୍ଚା ଘରେ ରହୁଥିବା ଲୋକଙ୍କ ଘରକୁ ପକ୍କା କରିବେ ରାଜ୍ୟ ସରକାର । ଏହି ତିନି ବର୍ଷରେ ୨୦ ଲକ୍ଷ ପକ୍କା ଘର ନିର୍ମାଣ କରିବାକୁ ସରକାରୀ ସ୍ତରରେ ହୋଇଛି ନିଷ୍ପତ୍ତି ।

‘‘ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଗୋଟିଏ ଯୋଜନା କରିବାକୁ ଯାଉଛନ୍ତି, ଯାହା ବଳରେ ଯେଉଁ ହିତାଧିକାରୀମାନେ ଘର ପାଇବାକୁ ଯୋଗ୍ୟ କିନ୍ତୁ ଘର ପାଇପାରୁ ନାହାନ୍ତି ସେମାନଙ୍କୁ ସମସ୍ତଙ୍କୁ ଘର ଯୋଗାଇ ଦେବାକୁ ଆମେ ପଦକ୍ଷେପ ନେବାକୁ ଯାଉଛୁ । ସମସ୍ତଙ୍କୁ ଘର ଯୋଗାଇ ଦିଆଯିବ । ଆସନ୍ତା ତିନି ବର୍ଷ ଭିତରେ କୌଣସି ବ୍ୟକ୍ତି ଘର ପାଇବାରୁ ବଞ୍ଚିତ ହେବେ ନାହିଁ,’’ କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ।

ମାର୍ଚ୍ଚ ୫ରେ ବିଜୁ ବାବୁ ଜୟନ୍ତୀରୁ ଏହି ଯୋଜନାର ଶୁଭାରମ୍ଭ ହେବ ବୋଲି ଜଣାପଡିଛି । ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ନବୀନ ପଟ୍ଟନାୟକ ସରକାରଙ୍କ ୨୦ ବର୍ଷର ଯାତ୍ରାରେ ମିଳିଥିବା ସଫଳତାକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବ ବିଜୁ ଜନତା ଦଳ । ସେତିକି ବେଳେ ଏହି ଯୋଜନାର ଘୋଷଣା କରି ଦଳ କିଛି ମାଇଲେଜ ନେବାକୁ ଚାହୁଁଥିବା ଜଣାପଡିଛି ।

୨୦୧୮-୧୯ ବଜେଟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କା ଘର ଯୋଜନା ପାଇଁ ୫,୩୬୬ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ଏପ୍ରିଲ ୧, ୨୦୧୯ ସୁଦ୍ଧା ସେଥିରୁ ଖର୍ଚ୍ଚ ହୋଇଥିଲା 4,୮୨୧ କୋଟି ଟଙ୍କା । ୨୦୧୪ ମସିହାରୁ ୨୦୧୯ ଏପ୍ରିଲ ୧ ତାରିଖ ଯାଏ ରାଜ୍ୟରେ ମୋଟ ୪ ଲକ୍ଷ ୬୩ ହଜାର ୭୬୭ଟି ଗୃହ ନିର୍ମାଣ ଶେଷ ହୋଇଛି । ଏହି ଯୋଜନାରେ ପ୍ରତି ହିତାଧିକାରୀଙ୍କୁ ଘର ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ମିଳିଥାଏ ।

ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା


ସରକାରଙ୍କ ଆଗାମୀ ତିନି ବର୍ଷରେ ୨୦ ଲକ୍ଷ ଘର ଘୋଷଣାକୁ ବିରୋଧୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଉଭୟ ବିଜେପି ଓ କଂଗ୍ରେସ ଏହି ଯୋଜନାରେ ଖୁଣ ଖୋଜି ଦେଖେଇବା ଆରମ୍ଭ କରିଛନ୍ତି ।

‘‘ଏ ଯୋଜନାରେ ନୂଆ କଣ ଅଛି? ପୂର୍ବରୁ ପ୍ରଧାନମନ୍ତ୍ରୀ ୨୦୨୨ ଭିତରେ ସମସ୍ତଙ୍କ ମୁଣ୍ଡ ଉପରେ ଛାତ ହେବ ବୋଲି ଘୋଷଣା କରିସାରିଛନ୍ତି । ପର ପଇସାରେ ରାଜ୍ୟ ସରକାର ମଙ୍ଗଳବାର କରିବା ଛାଡ଼ନ୍ତୁ । ହିତାଧିକାରୀ ଚ଼ୟନରେ ରାଜନୈତିକ ଫାଇଦା ପାଇବା ପାଇଁ ଯେଉଁ ଚଞ୍ଚକତା ହେଉଛି, ପ୍ରଥମେ ତାକୁ ବନ୍ଦ କରନ୍ତୁ ନଚେତ ବିଜେପି ରାଜରାସ୍ତାକୁ ଉହ୍ଲାଇବ,’’ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।

ବରିଷ୍ଠ କଂଗ୍ରେସ ନେତା  ଜୟଦେବ ଜେନା କହିଛନ୍ତି: ‘‘ଏସ୍‌.ଇ.ସି.ସି. ତାଲିକାର ହିତାଧିକାରୀଙ୍କୁ ଘର ନ ଦେଇ ଅନ୍ୟାନ୍ୟ ତାଲିକାରେ ଥିବା ଲୋକଙ୍କୁ ଘର ଦିଆଯାଉଛି । ଲୋକଙ୍କୁ ଘର ବାଣ୍ଟିବାରେ ଦଳୀୟ ରାଜନୀତି କରୁଛି ବିଜେଡି’’ ।

ବାତ୍ୟା ଫନି ପରେ ରାଜ୍ୟ ସରକାର ପ୍ରଥମେ ୨୭ ଲକ୍ଷ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଥିଲେ । ଏହି ତାଲିକାରେ ଚଞ୍ଚକତା ଥିବା ବିରୋଧୀ  ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁନର୍ବାର ସର୍ଭେ ହୋଇ ଏହା ୧୪ ଲକ୍ଷରେ ପହଞ୍ଚି ଥିଲା । ତେବେ ସବୁ ଠୁ ବଡ଼ କଥା ହେଉଛି ଯୋଗ୍ୟ ହିତାଧିକାରୀଙ୍କୁ ଚ଼ିହ୍ନଟ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଘର ଯୋଗେଇ ଦେବେ ତ ସରକାର? ଏହି ଯୋଜନାରେ କେନ୍ଦ୍ର ୬୦ ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ବାକି ୪୦ ପ୍ରତିଶତ ଦେଇଥାଏ ।
First published: February 8, 2020, 10:52 PM IST