ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ
News18 Odia Digital
ଭୁବନେଶ୍ୱର: ୨୦୧୯କୁ ବିଦାୟ ଦେଇ ରାଜ୍ୟବାସୀ ୨୦୨୦କୁ ସ୍ବାଗତ କରିଥିବା ବେଳେ ସରକାରଙ୍କ ଆଗରେ ମଧ୍ୟ ଅନେକ ଆହ୍ବାନ ଛିଡ଼ା କରିଛି ନୂଆ ବର୍ଷ । ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ଯେତିକି ସଂକଳ୍ପ ବି ସେତିକି । ମାର୍ଚ୍ଚ ସୁଦ୍ଧା ସବୁ ବିଭାଗରେ ‘ମୋ’ ସରକାର’ରେ ସାମିଲ ହେଉଥିବାରୁ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ସରକାରଙ୍କ ପାଇଁ ଏବେ ବଡ଼ ଚ଼୍ୟାଲେଞ୍ଜ ।
ଲୋକଙ୍କ ନିକଟରେ ପ୍ରଶାସନକୁ ପହଞ୍ଚାଇବାକୁ ସରକାରୀ କଳ ନୂଆ ବର୍ଷରେ ସଂକଳ୍ପ ନେଇଛି । ପୁରୀ ଓ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ କରିବା ସହ ବିଭିନ୍ନ ମାନଦଣ୍ଡରେ ଶୀର୍ଷ ୩ରେ ପହଞ୍ଚାଇବାକୁ ସଂକଳ୍ପ ନେଇଛନ୍ତି ସରକାର ।
ସରକାରଙ୍କ ଏଜେଣ୍ଡା ୨୦୨୦
ପ୍ରଶାସନକୁ ଲୋକାଭୀମୁଖୀ କରିବା ସହ ଅଧିକ କ୍ରୀୟାଶୀଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ବିଭିନ୍ନ ମାନଦଣ୍ଡରେ ରାଜ୍ୟର ମାନ୍ୟତା ବୃଦ୍ଧି କରିବା ସହ ଅନୁନ୍ନତ ଅଞ୍ଚଳରେ ପ୍ରାଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସରକାର ଲକ୍ଷ ରଖିଛନ୍ତି ।
‘‘ରାଜ୍ୟ ସରକାର ଏକ ଲୋକାଭୀମୁଖୀ ସରକାର ଭାବେ ପରିଚୟ ଲାଭ କରିଛି । ସବୁ ମାନକରେ ଓଡ଼ିଶାର ରାଙ୍କ୍ ବଢ଼ି ଚାଲିଥିବା ବେଳେ ନୀତି ଆୟୋଗ ଏସ୍ଡ଼ିଜି ରାଙ୍କ୍ରେ ମଧ୍ୟ ୮ ପଏଣ୍ଟ୍ ଉପରକୁ ଉଠିଛି । ଚ଼ଳିତ ବର୍ଷ ଶୀର୍ଷ ୩ ରାଙ୍କ୍ ଭିତରେ ରହିବା ଆମର ଲକ୍ଷ,’’ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ସେହିପରି ଉନ୍ନୟନ କମିଶନର ସୁରେଶ ମହାପାତ୍ର କହିଛନ୍ତି ପୁରୀ ଓ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ସୗନ୍ଦର୍ଯ୍ୟକରଣ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଚ ।
‘‘ସରକାରଙ୍କ ଏହି ବୃହତ ସ୍କିମକୁ ପୂର୍ଣରୂପ ଦେବା ସହ ଅନୁନ୍ନତ ଅଞ୍ଚଳରେ ସରକାରୀ ଯୋଜନା ପହଞ୍ଚାଇବା ଆମର ପ୍ରାଥମିକତା । ସ୍ବାଭିମାନ ଅଞ୍ଚଳ ମାଲକାନାଗିରି ଓ କୁଟିଆ ପରି ଅନୁନ୍ନତ ଅଞ୍ଚଳରେ ସରକାରୀ ସେବା ପହଞ୍ଚାଇବା ଆମ ପ୍ରାଥମିକତା,’’ କହିଛନ୍ତି ମହାପାତ୍ର ।
୨୦୨୦ରେ ଗ୍ରାମୀଣ ଉନ୍ନୟନ ବିଭାଗ ଆଗରେ ମଧ୍ୟ ରହିଛି ଅନେକ ଆହ୍ବାନ । ୧୦୦ରୁ ଅଧିକ ଲୋକ ଥିବା ଜନବସତିକୁ ରାସ୍ତା ସଂଯୋଗୀକରଣ ସହ ଆନ୍ତଃବ୍ଳକ, ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ସଂଯୋଗୀକରଣ ଉପରେ ବିଭାଗ ଗୁରୁତ୍ବ ଦେଉଥିବା କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ।
‘‘ତା’ ଛଡ଼ା ବିପର୍ଯ୍ୟୟ ପରିଚ଼ାଳନା କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି କିପରି ଲୋକଙ୍କୁ ଅଧିକ ସୁରକ୍ଷିତ ରଖାଯାଇପାରିବ ତା’ ଉପରେ ବିଭାଗ ଗୁରୁତ୍ବ ଦେଉଛି,’’ କହିଛନ୍ତି ଜେନା ।
ସେହିପରି ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ୧ ନମ୍ବର କରିବା ସହ ୨୦୨୨ ସୁଦ୍ଧା ବାର୍ଷିକ ପର୍ଯ୍ୟଟକ ଆଗମନ ସଂଖ୍ୟା ଅଢ଼େଇ କୋଟି କରିବାକୁ ଲକ୍ଷ ନେଇ ବିଭାଗ କାମ କରୁଛି ବୋଲି କହିଛନ୍ତି ପର୍ଯ୍ୟଟନ ସଚି଼ବ ବିଶାଳ ଦେବ । ‘‘ପୂର୍ବ ନିଷ୍ପତି ଅନୁସାରେ ୧୭ଟି ସ୍ଥାନରେ ସିନ୍ଥେଟିକ ଟର୍ଫ୍ ବିଛାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଚ଼ଳିତ ବର୍ଷ କାର୍ଯ୍ୟ ଶେଷ କରିବା ସହ ୪ଟି ସ୍ପୋଟ୍ସ କଳ୍ପେକ୍ସ ନିର୍ମାଣର ଲକ୍ଷ ରଖିଛି ବିଭାଗ,’’ କହିଛନ୍ତି ଦେବ ।
ନିଜ ନିଜ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ । ମୁଣ୍ଡ ଉପରେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଥିବାରୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ । ପରୀକ୍ଷା ଆରମ୍ଭରୁ ଫଳ ପ୍ରକାଶ ଯାଏ ସଂପୂର୍ଣ ବ୍ୟବସ୍ଥାକୁ ତୃଟି ଶୂନ୍ୟ କରିବା ସହ ଜିରୋ ଫେଲ ମିଶନକୁ ବିଭାଗ ଗୁରୁତ୍ବ ଦେଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାସ ।
୨୦୧୯ରେ ବିବାଦରେ ଥିବା କୃଷି ବିଭାଗକୁ ୨୦୨୦ରେ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ ରଖିଛି ବିଭାଗ । କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଚ଼ାଷୀଙ୍କ ଆୟ ବୃଦ୍ଧି ସହ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବାହର କରି ଚ଼ାଷୀଙ୍କୁ ସ୍ବାବଲମ୍ବୀ କରିବାକୁ ବିଭାଗ ଲକ୍ଷ ରଖିଛି ।
ପଞ୍ଚାୟତି ରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଦଳ ଆଗରେ ଅନେକ ଆହ୍ବାନ ରହିଛି । କିନ୍ତୁ ଗ୍ରାମାଞ୍ଚଳରୁ ସହରାଞ୍ଚଳ ସମସ୍ତଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ବିଭାଗ ସଂକଳ୍ପବଦ୍ଧ । ଏହି ଲକ୍ଷ ନେଇ ବିଭାଗ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବିଭାଗକୁ ରାଜ୍ୟବାସୀଙ୍କ ସମର୍ଥନ ଆବଶ୍ୟକ ।
ଅନ୍ୟ ପଟେ ନୂଆ ବର୍ଷ ଲାଗି ଦିନ ତମାମ ଲୋକସେବା ଭବନ ଚ଼ଳଚ଼ଞ୍ଚଳ ରହିଥିଲା । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନବ ବର୍ଷ ଦିବସ ପାଳୁ ନ ଥିଲେ ବି ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠୁ ମନ୍ତ୍ରୀଙ୍କ କରିଡ଼ର ସବୁଠି ଲାଗିଥିଲା ଗହଳି । ଏପରିକି ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ସହ ବରିଷ୍ଠ ଅଧିକାରୀଙ୍କ ଚ଼୍ୟାମ୍ବରକୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ବରିଷ୍ଠ ଅଧିକାରୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିବା ସହ ଫଟୋ ମଧ୍ୟ ଉଠାଇଥିଲେ ସହକର୍ମୀମାନେ ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।