News 18 Odia Digital
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନା ୫ଟି ଯୋଗୁଁ ପୂରା ପ୍ରଶାସନକୁ ଚ଼ଳଚଞ୍ଚଳ ରହିବାକୁ ପଡ଼ୁଛି । ଏହି ଯୋଜନା ଅନ୍ତର୍ଗତ ସରକାର ରାଜ୍ୟର କେତେକ ପ୍ରମୁଖ ବିଷୟ ଉପରେ ଗୁରୁତ୍ବ ଦେଇ କାର୍ଯ୍ୟାରମ୍ଭ କରିଛନ୍ତି । ତେବେ ଏହା ଭିତରେ ସରକାର ଏକ ନିଆରା ରେକର୍ଡ ପ୍ରତିଷ୍ଠା କରିଛନ୍ତି । ତାହା ହେଲା ୩୯ଟି ବିଭାଗ ଓ ୩୦ଟି ଜିଲ୍ଲାରେ ଗୃପ-ଏ ଠାରୁ ଆରମ୍ଭ କରି ଗୃପ-ଡି ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩,୧୬୬ ଜଣ କର୍ମଚାରୀଙ୍କୁ ଗୋଟିଏ ସପ୍ତାହରେ ପଦୋନ୍ନତି ଦେଇଛନ୍ତି ।
ପୂର୍ବରୁ ନିମ୍ନ ଏବଂ ମଧ୍ୟମ ବର୍ଗର କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ଅନେକ ଅସୁବିଧା ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ଏଥିରେ କ୍ଷୋଭ ପ୍ରକାଶ କରିଥିଲେ । ତେଣୁ ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ଦେବା ପାଇଁ ୨୧ରେ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଡିସେମ୍ବର ୨୪ରୁ ୩୧ ପର୍ଯ୍ୟନ୍ତ ଗୃପ-ଏର ୮୫୨ଜଣଙ୍କୁ ପଦୋନ୍ନତି ଦିଆଯାଇଥିବାବେଳେ ଗୃପ-ବିରେ ୫୨୭ଜଣ, ଗୃପ-ସିରେ ୧୪୯୬ଜଣଙ୍କୁ ଏବଂ ଗୃପ-ଡିରେ ୨୯୧ଜଣଙ୍କୁ ପଦୋନ୍ନତି ଦେଇଥିଲେ ।
ରାଜ୍ୟ ସରକାର ୨୦୧୯ ବର୍ଷରେ ବିଭିନ୍ନ ବର୍ଗରେ ସର୍ବମୋଟ ୯୭୬୬ ଜଣଙ୍କୁ ପଦୋନ୍ନତି ଦେଇଥିବାବେଳେ ଡିସେମ୍ବର ମାସକୁ ମିଶାଇଲେ ୧୨, ୯୩୨ଜଣ କର୍ମଚାରୀ ପଦୋନ୍ନତି ପାଇଥିବା ଜଣାପଡ଼ିଛି । କେବଳ ଜିଲ୍ଲାସ୍ତରରେ ୩୧୩୯ ଜଣ ପଦୋନ୍ନତି ପାଇଥିଲେ ।
ଯଦି ଏହି ସଂଖ୍ୟାକୁ ବିଭାଗ ସ୍ତରରେ ବିଚାର କରିବା ତାହାଲେ ସ୍ବରାଷ୍ଟ୍ର ବିଭାଗର ସର୍ବାଧିକ ୨୩୩୦, କୃଷି ଓ କୃଷକ ସଶକ୍ତୀକରଣ ବିଭାଗରୁ ୧୩୦୭ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ୧୨୫୧ ଜଣ ପଦୋନ୍ନତି ପାଇଛନ୍ତି । ଏହି ସଂଖ୍ୟା ଯଦି ଜିଲ୍ଲା ସ୍ତରରେ ବିଚାର କରାଯାଏ ତାହାଲେ କଟକ ଜିଲ୍ଲା ୭୪୮ଜଣଙ୍କ ସହ ପ୍ରଥମ ସ୍ଥାନରେ ରହିଥିବାବେଳେ ୨୧୮ଜଣଙ୍କ ସହ ମୟୁରଭଞ୍ଜ ଦ୍ବିତୀୟ ଏବଂ ୧୯୪ଜଣଙ୍କ ସହ ଗଞ୍ଜାମ ତୃତୀୟ ସ୍ଥାନରେ ରହିଛି ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।