ରାଜ୍ୟ ଉପରେ ଋଣ ବୋଝ ବଢ଼ି ଚ଼ାଲିଛି, ହେଲେ ଖଣି ନିଲାମି ଯୋଗୁଁ ପରିଶୋଧ କରିବାରେ ସୁବିଧା ହେବ

ରାଜ୍ୟ ସରକାରଙ୍କ ଉପରେ ୨୦୧୯ ଡ଼ିସେମ୍ବର ଶେଷ ସୁଦ୍ଧା ୮୪ ହଜାର ୬୭୬ କୋଟି ଟଙ୍କା ଋଣ ଥିବା ବେଳେ ୨୦୨୦-୨୧ ଶେଷ ସୁଦ୍ଧା ଏହା ଲକ୍ଷେ ୧୩ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଇଛି । କିନ୍ତୁ ଋଣ କେତେ ହେବ ତାହା ସରକାରଙ୍କ ଖର୍ଚ୍ଚ ଉପରେ ନିର୍ଭର କରିବ ।

ରାଜ୍ୟ ଉପରେ ଋଣ ବୋଝ ବଢ଼ି ଚ଼ାଲିଛି, ହେଲେ ଖଣି ନିଲାମି ଯୋଗୁଁ ପରିଶୋଧ କରିବାରେ ସୁବିଧା ହେବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 22, 2020, 3:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟ ସରକାରଙ୍କ ଉପରେ ଋଣ ବୋଝ ବଢ଼ିଚ଼ାଲିଛି । ଗତ ଡ଼ିସେମ୍ବର ୩୧ ତାରିଖ ସୁଦ୍ଧା ଏହି ଋଣ ପରିମାଣ ପ୍ରାୟ ୮୫ ହଜାର କୋଟି ଟଙ୍କା ହୋଇଥିବା ବେଳେ ଯଦି ଖର୍ଚ୍ଚ ପରିମାଣ ବଢ଼େ ତାହେଲେ ୨୦୨୦-୨୧ ଶେଷକୁ ଏହି ପରିମାଣ ଏକ ଲକ୍ଷ ୧୩ ହଜାର କୋଟି ହୋଇଯାଇପାରେ ।

ଚ଼ଳିତ ବର୍ଷ ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ ହୋଇଥିବା ବେଳେ ପ୍ରାୟ ୨୫ ହଜାର କୋଟି ଟଙ୍କା ଋଣ କରିବାକୁ ଲକ୍ଷ ରଖିଛନ୍ତି ସରକାର । ଗୋଟେ ପଟେ ଋଣ ବଢ଼ୁଥିବା ବେଳେ ଋଣ ପରିଶୋଧ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି ।

୨୦୨୦-୨୧ରେ ରାଜ୍ୟ ସରକାରଙ୍କ ବଜେଟ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ଛୁଇଁଛି । ସରକାରଙ୍କ ହିସାବରେ ଏହି ଦେଢ଼ ଲକ୍ଷ ମଧ୍ୟରୁ ପ୍ରାୟ ଏକ ଲକ୍ଷ ୨୪ ହଜାର ୩୦୦ କୋଟି ଟଙ୍କା ରାଜସ୍ୱ ବାବଦକୁ ମିଳିବ ଏବଂ ଋଣ କରି ୨୫ ହଜାର ୭ ଶହ କୋଟି ଟଙ୍କା  ସରକାର ଆଣିବେ । ବଜେଟରେ ବ୍ୟୟବରାଦ ହୋଇଥିବା ଅର୍ଥ ମଧ୍ୟରୁ ପ୍ରାୟ ୭ ହଜାର ୬ ଶହ କୋଟି ଟଙ୍କା ଋଣ ପରିଶୋଧ କରିବେ ସରକାର । ତେଣୁ ଚ଼ଳିତ ବର୍ଷ ପ୍ରାୟ 17 ହଜାର 878 କୋଟ ଟଙ୍କା ନେଟ୍‌ ଋଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

ମୋଟାମୋଟି ଭାବେ ସ୍ଥିତିକୁ ଦେଖିଲେ ରାଜ୍ୟ ସରକାରଙ୍କ ଉପରେ ୨୦୧୯ ଡ଼ିସେମ୍ବର ଶେଷ ସୁଦ୍ଧା ୮୪ ହଜାର ୬୭୬ କୋଟି ଟଙ୍କା ଋଣ ଥିବା ବେଳେ ୨୦୨୦-୨୧ ଶେଷ ସୁଦ୍ଧା ଏହା ଲକ୍ଷେ ୧୩ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଇଛି । କିନ୍ତୁ ଋଣ କେତେ ହେବ ତାହା ସରକାରଙ୍କ ଖର୍ଚ୍ଚ ଉପରେ ନିର୍ଭର କରିବ ।

‘‘ସରକାର ଯେତିକି ଋଣ କରିବାକୁ ଲକ୍ଷ ରଖିଥାନ୍ତି ସାଧାରଣତଃ ସେତିକି ହୋଇ ନ ଥାଏ । ୨୦୧୯-୨୦ ବର୍ଷରେ ପ୍ରାୟ ଏକ ଲକ୍ଷ ୬ ହଜାର କୋଟି ଟଙ୍କା ଋଣ ଛୁଇଁବ ବୋଲି ଆଶା କରାଯାଉଥିବା ବେଳେ ଡ଼େସେମ୍ବର ସୁଦ୍ଧା ୮୪ ହଜାର ୬୭୬ କୋଟି ଋଣ ଅଛି । ତେଣୁ ଏଫ୍‌.ଆର୍‌.ବି.ଏମ୍‌. ନିୟମ ଅନୁସାରେ  ଓଡ଼ିଶା ସରକାରଙ୍କ ଋଣ ପରିମାଣ ବହୁତ କମ ରହିଛି,’’ କହିଛନ୍ତି ଅର୍ଥ ସଚ଼ିବ ଅଶୋକ ମୀଣା ।

୨୦୧୯ ଡ଼ିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ୧୮,୪୯୭ ଟଙ୍କା ରହିଛି । ଏତେ ପରିମାଣରେ ଋଣ ବୋଝ ରହିଥିବା ବେଳେ ସରକାର ପୁନର୍ବାର ଋଣ କରିବା ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି । ମାତ୍ର ଅର୍ଥନୈତିକ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ ସୁଦ୍ଧା ଋଣ ବୋଝକୁ ନେଇ କୌଣସି ଆଲାର୍ମିଂ ପରିସ୍ଥିତି ନାହିଁ ।

ଚ଼ାଟାର୍ଡ଼ ଆକାଉଣ୍ଟାଣ୍ଟ ରାଜୀବ ସାହୁ କହିଛନ୍ତି: ‘‘ଏଫ୍‌.ଆର୍‌.ବି.ଏମ୍‌. ନିୟମ ଅନୁସାରେ ରାଜ୍ୟର ମୋଟ ଘରୋଇ ଉତ୍ପାଦର ୨୫ ପ୍ରତିଶତ ଋଣ କରିପାରିବେ ସରକାର । କିନ୍ତୁ ୨୦୨୦-୨୧ ସୁଦ୍ଧା ଏହାର ପରିମାଣ ୧୯ ପ୍ରତିଶତ ଭିତରେ ରହିଛି । ତେଣୁ ଅଧିକ ଋଣ ଉଠାଇବାରେ କିଛି ଅସୁବିଧା ହେବନି । ତେବେ ଋଣ ବାବଦକୁ ଉଠାଯାଉଥିବା ଅର୍ଥ ସରକାର ପ୍ରାଶାସନିକ ଖର୍ଚ୍ଚ ବଦଳରେ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ କରିବା ଆବଶ୍ୟକ, ଯାହା ଆଗକୁ ଋଣ ପରିଶୋଧ କରିବାରେ ସହାୟକ ହେବ । ଏହା ବାଦ୍‌ ପୂର୍ବରୁ ଖଣି ନିଲାମି ପ୍ରକ୍ରିୟାରେ କୌଣସି ଅର୍ଥ ମିଳୁ ନ ଥିବା ବେଳେ ନୂଆ ନିୟମ ଅନୁସାରେ ଖଣି ନିଲାମି ପ୍ରକ୍ରିୟାରେ ଆଗକୁ ଏ ବାବଦରେ ଅର୍ଥ ପାଇବେ ସରକାର । ସେ ଅର୍ଥ ସରକାର ଋଣ ବାବଦରେ  ବି ପରିଶୋଧ କରିପାରିବେ ।’’

‘‘ପୂର୍ବରୁ ସରକାର ଯେତିକି ଋଣ ପାଇଁ ଟାର୍ଗେଟ କରିଛନ୍ତି ସେତିକି ଋଣ କରିନାହାନ୍ତି । ତେଣୁ ବର୍ତ୍ତମାନ ଯେତିକି ଋଣ ଅଛି ତାହା ରାଜ୍ୟ ସରକାର ଶୁଝିପାରିବା ସ୍ଥିତିରେ ଅଛନ୍ତି। ତେଣୁ ଆଗକୁ ଋଣ ପରିଶୋଧ କରିବା ପାଇଁ ସରକାରଙ୍କ ଆଗରେ କୌଣସି ଅସୁବିଧା ରହିବ ନାହିଁ,’’ କହିଛନ୍ତି ଅର୍ଥନୈତିକ ସମୀକ୍ଷକ ଦିଲ୍ଲୀପ ବିଶୋଇ ।

ତାଙ୍କ ମତରେ ସରକାର କରୁଥିବା ଋଣ ରାଶି ଯଦି ଉନ୍ନୟନମୂଳକ କାର୍ଯ୍ୟରେ ଲାଗୁଛି ଓ ଫେରସ୍ତ ମଧ୍ୟ ଆସୁଛି ତେବେ ଋଣ କରିବାରେ କିଛି ଅସୁବିଧା ନାହିଁ । ‘‘ସରକାର ଦୀର୍ଘମିଆଦୀ ଋଣ କରୁଥିବାରୁ  ଭବିଷ୍ୟତରେ ଉନ୍ନୟନମୂଳକ କାର୍ଯ୍ୟରୁ ଫେରସ୍ତ ଆସୁଥିବା ଅର୍ଥରେ ଋଣ ପରିଶୋଧ କରିପାରିବେ । ସେହିପରି ପୂର୍ବରୁ ଖଣି ନିଲାମି ପ୍ରକ୍ରିୟାରେ କୗଣସି ଅର୍ଥ ମିଳୁନଥିବା ବେଳେ ଆଗକୁ ଏ ବାବଦରେ ଅର୍ଥ ପାଇବେ ସରକାର, ଯାହା ଋଣ ପରିଶୋଧରେ ବି ସହାୟକ ହେବ,’’ କହିଛନ୍ତି ବିଶୋଇ ।

ତା’ ଛଡ଼ା ଚ଼ଳିତ ବର୍ଷ ସରପ୍ଳସ୍‌ ବଜେଟ ହୋଇଥିବାରୁ ସରକାର ପାଖାପାଖି ୯ ହଜାର କୋଟି ଟଙ୍କାର ବଳକା ରାଜସ୍ବ ପାଇପାରନ୍ତି, ଯାହା ଋଣ ପରିଶୋଧରେ ସହାୟକ ହେବ ବୋଲି କହିଛନ୍ତି ଅର୍ଥଶାସ୍ତ୍ରୀମାନେ ।

ଗୋଟିଏ ପଟେ ଋଣ ବଢ଼ିଚାଲିଥିବା ବେଳେ ସେହି ପରିମାଣରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ ମଧ୍ୟ ବଢ଼ୁଛି । ତେଣୁ ସରକାରଙ୍କ ପାଇଁ ସେଭଳି କିଛି ଚ଼ିନ୍ତା ନାହିଁ । କିନ୍ତୁ ଋଣ ବୋଝରୁ ବର୍ତ୍ତିବାକୁ ହେଲେ ସରକାରଙ୍କୁ ପ୍ରାଶାସନିକ ଖର୍ଚ୍ଚ ବଦଳରେ ଭିତ୍ତିଭୂମି ସୁଧାରିବା ଉପରେ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି ।
First published: February 22, 2020, 3:12 PM IST