ରେଳ ବଜେଟରେ ଓଡ଼ିଶାକୁ ମିଳିଲା ୪,୩୭୩ କୋଟି ଟଙ୍କା; ଶାସକ ଦଳ ବିଜେଡି ଅସନ୍ତୁଷ୍ଟ

ରେଳ ପାଇଁ ଓଡିଶାକୁ ଯେତିକି ମିଳିଛି ତା’ ଠାରୁ ରାଜ୍ୟ ସରକାର ଅଧିକ ଅନୁଦାନ ମାଗିଥିଲେ ବୋଲି କହିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଏହି ରେଳ ବଜେଟ ଓ ଅନୁଦାନ ଦ୍ବାରା ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ଼ ହେବ ଓ ଯାତ୍ରୀ ସୁବିଧା ଆହୁରି ବଢ଼ିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରେଳ ବଜେଟରେ ଓଡ଼ିଶାକୁ ମିଳିଲା ୪,୩୭୩ କୋଟି ଟଙ୍କା; ଶାସକ ଦଳ ବିଜେଡି ଅସନ୍ତୁଷ୍ଟ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: February 6, 2020, 1:28 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏଥର ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୪,୩୭୩ କୋଟି ଟଙ୍କା । ପୂର୍ବତଟ ରେଳବାଇକୁ ୨୦୨୦-୨୧ରେ ମିଳିଥିବା ୫,୮୬୫ କୋଟି ଟଙ୍କାରୁ ଓଡ଼ିଶାକୁ ମିଳିଛି ୪,୩୭୩ କୋଟି ଟଙ୍କା । ଏହାକୁ ନେଇ ରାଜ୍ୟର ଶାସକ ଦଳ ବିଜେଡି ଅସନ୍ତୋଷ ପ୍ରକାଶ କରିଛି ।

ଅନୁଗୁଳ-ସୁକିନ୍ଦା ୯୮.୭ କିମି ନୂଆ ରେଳପଥ ପାଇଁ ୪୫୦ କୋଟି ଟଙ୍କା ଓ ହରିଦାସପୁର-ପାରାଦୀପ ୮୨ କିମି ନୂଆ ଲାଇନ୍‌ ପାଇଁ ୧୦୦ କୋଟି ଟଙ୍କା ଆବଣ୍ଟିତ ହୋଇଛି । ସେହିପରି ଖୋର୍ଦ୍ଧା-ବଲାଙ୍ଗିର ୨୮୯ କିମି ନୂଆ ଲାଇନ୍‌ ପାଇଁ ୫୨୦ କୋଟି ଟଙ୍କା, ତାଳଚେର-ବିମଳାଗଡ଼ ୧୫୪ କିମି ନୂଆ ଲାଇନ୍‌ ପାଇଁ ୧୪୦ କୋଟି ଟଙ୍କା ଓ ଜୟପୁର-ମାଲକାନଗିରି ୧୩୦ କିମି ନୂଆ ଲାଇନ୍‌ ପାଇଁ ୩୩ କୋଟି ଟଙ୍କା ମିଳିଛି ।

ସମ୍ବଲପୁର-ତାଳଚେର ରେଳ ଲାଇନର ଦୋହରୀକରଣ ପାଇଁ ୨୯୨ କୋଟି ଟଙ୍କା, ସମ୍ବଲପୁର-ଟିଟିଲାଗଡ଼ ରେଳ ଲାଇନ୍‌ ଦୋହରୀକରଣ ପାଇଁ ୩୮୨ କୋଟି ଟଙ୍କା, ଓ ଟିଟିଲାଗଡ଼‌-ବିଜୟନଗରମ୍‌ ତୃତୀୟ ରେଳ ଲାଇନ୍‌ ପାଇଁ ୩୮୦ କୋଟି ଟଙ୍କା ଦିଆଯାଇଛି ।

ବୁଡ଼ାପଙ୍କ-ସାଲେଗାଁଓ ତୃତୀୟ ଓ ଚତୁର୍ଥ ରେଳ ଲାଇନ୍‌ ପାଇଁ ୨୦୫ କୋଟି ଟଙ୍କା, କୋରାପୁଟ-ସିଙ୍ଗାପୁର ରୋଡ୍‌ ଲାଇନ୍‌ ଦୋହରୀକରଣ ପାଇଁ ୨୦୧ କୋଟି ଟଙ୍କା ଏବଂ ଜଗଦଳପୁର-କୋରାପୁଟ ୧୧୦ କିମି ଦୋହରୀକରଣ ପାଇଁ ୧୩୦ କୋଟି ଟଙ୍କା, କୋଟ୍ଟଭାଲସା-କୋରାପୁଟ ୧୮୯ କିମି ଦୋହରୀକରଣ ପାଇଁ ୧୯୬ କୋଟି ଟଙ୍କା ମିଳିଛି ।

ରାୟପୁର-ଟିଟିଲାଗଡ଼ ୨୦୩ କିମି ଲାଇନ୍‌ ଦୋହରୀକରଣ ପାଇଁ ୧୪୬ କୋଟି ଟଙ୍କା ଏବଂ ଝାରସୁଗୁଡ଼ା-ବିଳାସପୁର ୨୦୬ କିମି ଚତୁର୍ଥ ରେଳ ଲାଇନ୍ ପାଇଁ ୨୮୦ କୋଟି ଟଙ୍କା ଦିଆଯାଇଛି ।  ସେହିପରି ଓଡ଼ିଶାରେ ରେଳ ବିଦ୍ୟୁତକରଣ ପାଇଁ ୧୮୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

‘‘ରେଳ ପାଇଁ ଓଡିଶାକୁ ଯେତିକି ମିଳିଛି ତା’ ଠାରୁ ଆମେ ଅଧିକ ଅନୁଦାନ ମାଗିଥିଲୁ l  ବଜେଟ ପୂର୍ବରୁ ରେଲୱେ ପାଇଁ ମୁଖ୍ୟ ମନ୍ତ୍ରୀ ବହୁ ପ୍ରସ୍ତାବ ଦେଇଥିଲେ l  ପୂର୍ବରୁ ରେଳ ପାଇଁ ସ୍ଵତନ୍ତ୍ର ବଜେଟ କରାଯାଉଥିଲା l ହେଲେ ଏବେ ତାହା କରା ନ ଯାଇ ସାଧାରଣ ବଜେଟରେ ରେଳ ବଜେଟ ଆଗତ କରାଯାଉଛି । ସେଥିପାଇଁ ସେଥିରେ କିଛି ସ୍ୱତନ୍ତ୍ର ପ୍ରୋଜେକ୍ଟ ରହୁନାହିଁ,’’ କହିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ସେ ପୁଣି କହିଛନ୍ତି ଯେ ଯେତେବେଳେ ରେଳ ପାଇଁ ଅର୍ଥ ମିଳୁଛି ସେତେବେଳେ ରେଳ ବିଭାଗ ଓ କେନ୍ଦ୍ର ସରକାର ଟଙ୍କାକୁ ଖର୍ଚ୍ଚ କରିପାରୁନାହାନ୍ତି l ‘‘ଏହା ଫଳରେ ଓଡିଶାକୁ ସେହି ଅନୁଦାନରେ ଲାଭ ମିଳିପାରୁନାହିଁ l ଯେଉଁ ସବୁ କାମ ରେଲୱେରେ ଅଧା ଅଧୁରା ରହିଛି ତାକୁ ତୁରନ୍ତ ସାରିବାକୁ ଆମେ ନିବେଦନ କରୁଛୁ,’’ କହିଛନ୍ତି ଆଚାର୍ଯ୍ୟ ।

କିନ୍ତୁ ଏହି ଆରୋପକୁ ଖଣ୍ଡନ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ସେ କହିଛନ୍ତି ଯେ ୟୁପିଏ ସରକାର ତୁଳନାରେ ରାଜ୍ୟକୁ ରେଳବାଇ କ୍ଷେତ୍ରରେ ଅଧିକ ଅନୁଦାନ ମିଳୁଛି ।

‘‘ସମ୍ବଲପୁରରୁ ଗୋପାଳପୁର ଭାୟା କନ୍ଧମାଳ ଦେଇ ଗୋଟିଏ ବି ରେଳପଥ ଯାଇନାହିଁ । ଏଥି ପାଇଁ ଏହି ବଜେଟରେ ହୋଇଛି ବ୍ୟୟବରାଦ । ରେଳ ଓଭରବ୍ରିଜ ଓ ଇଲେକ୍ଟ୍ରିଫିକେସନ ଆଦି ପାଇଁ ଯେତିକି ଅନୁଦାନ ମିଳିଛି, ଅତୀତରେ କେବେ ମିଳି ନ ଥିଲା । ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ଅଛି,’’ କହିଛନ୍ତି ପୂଜାରୀ ।

ରେଳ ବଜେଟରେ ଓଡ଼ିଶା ପାଇଁ ୪,୩୭୩ କୋଟିର ବ୍ୟୟ ବରାଦ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ରେଳ ବଜେଟ ଓ ଅନୁଦାନ ଦ୍ବାରା ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ଼ ହେବ ଓ ଯାତ୍ରୀ ସୁବିଧା ଆହୁରି ବଢ଼ିବ ବୋଲି ସେ କହିଛନ୍ତି ।

‘‘ସମ୍ବଲପୁର-ଗୋପାଳପୁର ଲାଇନ ପାଇଁ ୨,୯୫୭ କୋଟି ଟଙ୍କା ମଞ୍ଜୁର ହୋଇଥିବାରୁ ଏହା ଜନଜାତି ଅଞ୍ଚଳର ଅର୍ଥନୀତିକୁ ସମୃଦ୍ଧ କରିବ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ପୂର୍ବ ଭାରତର ବିକାଶକୁ ଅଧିକ ଗୁରୁତ୍ବ ଦେଉଛନ୍ତି,’’ କହିଛନ୍ତି ପ୍ରଧାନ ।
First published: February 6, 2020, 1:28 AM IST
corona virus btn
corona virus btn
Loading