ମହିଳା ଶିଳ୍ପୋଦ୍ୟୋଗୀ ମେଳାର ସଫଳତା ପରେ ଆରମ୍ଭ ହେଲା ଓଡ଼ିଶାର ଭବିଷ୍ୟତ ଉଦ୍ୟୋଗୀ କର୍ମଶାଳା

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟୋକ୍ତା ସୁକୃତି ପଟ୍ଟନାୟକ କହିଛନ୍ତି ଯେ ପ୍ରତିଟି ମାଆ ହେଉଛନ୍ତି ଜଣେ ଜଣେ ଶିଳ୍ପୋଦ୍ୟୋଗୀ। ମହିଳାମାନେ ଶିଳ୍ପୋଦ୍ୟୋଗୀ ହେଲେ ଏହାର ପ୍ରଭାବ ପିଲାମାନଙ୍କ ଉପରେ ପଡ଼ିଥାଏ।

ମହିଳା ଶିଳ୍ପୋଦ୍ୟୋଗୀ ମେଳାର ସଫଳତା ପରେ ଆରମ୍ଭ ହେଲା ଓଡ଼ିଶାର ଭବିଷ୍ୟତ ଉଦ୍ୟୋଗୀ କର୍ମଶାଳା

ମହିଳା ଶିଳ୍ପୋଦ୍ୟୋଗୀ ମେଳାର ସଫଳତା ପରେ ଆରମ୍ଭ ହେଲା ଓଡ଼ିଶାର ଭବିଷ୍ୟତ ଉଦ୍ୟୋଗୀ କର୍ମଶାଳା

  • Share this:
News18 Odia Digitial

ଭୁବନେଶ୍ବର: ଭୁବନେଶ୍ୱରରେ ଆରମ୍ଭ ହେଲା ‘ଭବିଷ୍ୟତ ଉଦ୍ୟୋଗୀ କର୍ମଶାଳା’। ଇଣ୍ଡିଆନ ଚାମ୍ବର ଅଫ କମର୍ସ ମହିଳା ଉଦ୍ୟୋଗୀ ସଙ୍ଗଠନ ଓ ଲିଟିଲ୍ ରିଡ଼ର କ୍ଲବର ମିଳିତ ସହଯୋଗରେ ଏଭଳି ଏକ ଅଭିନବ ଭବିଷ୍ୟତ ଉଦ୍ୟୋଗୀ କର୍ମଶାଳା ଆରମ୍ଭ କରାଯାଇଛି। ମୋଟ ୧୦ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କର୍ମଶାଳାରେ ଭବିଷ୍ୟତର ସଫଳ ଉଦ୍ୟୋଗୀମାନଙ୍କୁ ଗଢ଼ି ତୋଳିବା ପାଇଁ ଏବେଠାରୁ ପ୍ରୋତ୍ସାହନ ଦିଆଯିବ।

ଏଥିରେ ୧୨ ବର୍ଷରୁ ଅଧିକ ବୟସର ଯୁବ ଉଦ୍ୟୋଗୀମାନଙ୍କୁ ଏବେ ଠାରୁ ପ୍ରୋତ୍ସାହିତ କରାଯିବା ସହିତ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଏହା ଏକ ଅଭିନବ ଓ ସମୟୋପଯୋଗୀ କର୍ମଶାଳା ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଯେ ପିଲାମାନେ ପାଠ ପଢ଼ିବା ସହିତ ଆଗକୁ ଆତ୍ମନିର୍ଭରଶୀଳ ହେବା ଏକାନ୍ତ ଆବଶ୍ୟକ।

ଏହାଦ୍ୱାରା ଭବିଷ୍ୟତର କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ବିଶେଷ କରି ଓଡ଼ିଶା ଭଳି ରାଜ୍ୟରେ ଆଗକୁ ଯେଭଳି ଅଧିକରୁ ଅଧିକ ଶିଳ୍ପୋଦ୍ୟୋଗୀ ତିଆରି ହୋଇପାରିବେ ତାହା ହେଉଛି ସମୟର ସବୁଠାରୁ ବଡ଼ ଆହ୍ୱାନ। ସେହି କାରଣରୁ ଏବେଠାରୁ ପ୍ରସ୍ତୁତିର ଆବଶ୍ୟକତା ରହିଛି। ଏହି କାର୍ଯ୍ୟକ୍ରମରେ ଲିଟିଲି ରିଡ଼ର କ୍ଲବର ପ୍ରତିଷ୍ଠାତା କପିଳା ନାଗପାଳ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ସେ କହିଥିଲେ ପ୍ରତ୍ୟେକ ଶିଶୁ ଭିତରେ ଅନ୍ତର୍ନିହିତ ପ୍ରତିଭା ରହିଛି। ସେସବୁର ସଦୁପଯୋଗ ରହିବା ଆବଶ୍ୟକ। ଯଦି ପିଲାମାନଙ୍କୁ ଆରମ୍ଭରୁ ଶିଳ୍ପୋଦ୍ୟୋଗୀ ଭାବେ ଗଢ଼ି ତୋଳିବାକୁ ପ୍ରୟାସ କରାଯାଏ, ତେବେ ଭବିଷ୍ୟତରେ ସେମାନେ ଜଣେ ଜଣେ ସଫଳ ଶିଳ୍ପୋଦ୍ୟୋଗୀ ହୋଇପାରିବେ।

ସେଥିପାଇଁ ଏଭଳି ଏକ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ଏହି ୧୦ ଦିନିଆ କର୍ମଶାଳାରେ ପିଲାମାନଙ୍କ ଭିତରେ ଥିବା ଆଗ୍ରହକୁ ପରୀକ୍ଷା କରିବା ପାଇଁ ବିଶେଷ ଯତ୍ନ ନିଆଯିବ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିନେତ୍ରୀ ଅର୍ଚ୍ଚିତା ସାହୁ କହିଥିଲେ, ‘‘ପିଲାବେଳୁ ନିଜେ ଜଣେ ଶିଳ୍ପୋଦ୍ୟୋଗୀ ହେବା ପାଇଁ ତାଙ୍କର ଆଗ୍ରହ ଥିଲା। କିନ୍ତୁ ପ୍ରୋତ୍ସାହନ ତଥା ସୁଯୋଗ ଅଭାବରୁ ନିଜର ଏହି ଭାବନାକୁ ସେ ସଫଳ ଭାବେ ଗଢ଼ି ପାରି ନ ଥିଲେ। ଏବେ ଏହି ପିଲାମାନେ ଯେଭଳି ଅଧିକରୁ ଅଧିକ ସଫଳ ହେବା ପାଇଁ ପ୍ରୋତ୍ସାହନ ପାଉଛନ୍ତି ତାହା ବାସ୍ତବିକ ସମୟୋପଯୋଗୀ।’’ ସେଥିପାଇଁ ଆୟୋଜକମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

ସାଧାରଣତଃ ବ୍ୟବସାୟିକ ପରିବାରରେ ପିଲାବେଳୁ ଅନେକଙ୍କୁ ଏହି ମହଲ ମିଳିଥାଏ, ଯାହାଦ୍ୱାରା ସେମାନେ ଆଗକୁ ଉତ୍ସାହର ସହ ବଢ଼ିଥାନ୍ତି। କିନ୍ତୁ ସେମାନଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ଓ ବ୍ୟବସାୟିକ କ୍ଷେତ୍ରରେ ସଫଳ ହୋଇଥିବା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରଶିକ୍ଷିତ କରାଇବା ଉଦ୍ୟମ ପ୍ରଶଂସନୀୟ।

ନିଜ ଅଭିଜ୍ଞତାରୁ ସେ କହିଛନ୍ତି ଯେ ୨୦୧୩ ମସିହାରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। କିନ୍ତୁ ଅଧିକ ପ୍ରଫେସନାଲ ହେବା ପାଇଁ ଯାହା ପ୍ରଶିକ୍ଷଣର ଆବଶ୍ୟକତା ରହିଛି ସେସବୁ ଉପଲବ୍ଧ ନ ଥିଲା।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟୋକ୍ତା ସୁକୃତି ପଟ୍ଟନାୟକ କହିଛନ୍ତି ଯେ ପ୍ରତିଟି ମାଆ ହେଉଛନ୍ତି ଜଣେ ଜଣେ ଶିଳ୍ପୋଦ୍ୟୋଗୀ। ମହିଳାମାନେ ଶିଳ୍ପୋଦ୍ୟୋଗୀ ହେଲେ ଏହାର ପ୍ରଭାବ ପିଲାମାନଙ୍କ ଉପରେ ପଡ଼ିଥାଏ।

ନିକଟରେ ଆଇସିସିର ସହଯୋଗରେ ସଫଳ ଭାବେ ଆୟୋଜିତ ହୋଇଯାଇଛି ମହିଳା ଶିଳ୍ପୋଦ୍ୟୋଗୀ ମେଳା। ଏହା ବାସ୍ତବରେ ଶିଳ୍ପୋଦ୍ୟୋଗ ଆଗକୁ ବଢ଼ିବାରେ ଏକ ବଡ଼ ପଦକ୍ଷେପ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଶିଶୁ ଉଦ୍ୟୋଗୀ କର୍ମଶାଳା। ଆଗକୁ ସାରା ରାଜ୍ୟରେ ଏହା ନୂଆ ଅଧ୍ୟାୟ ସୃଷ୍ଟି କରିବ।

ଏହି କାର୍ଯ୍ୟକ୍ରମରେ କେବଳ ପିଲାମାନଙ୍କୁ ନୁହେଁ ସବୁ ବୟସର ଓ ବର୍ଗର ଲୋକଙ୍କୁ ଜଣେ ଶିଳ୍ପୋଦ୍ୟୋଗୀ ହେବା ପାଇଁ ପ୍ରୋତ୍ସାହନ ମିଳିପାରିବ। ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଏକ୍ସପର୍ଟମାନେ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ମୋଟିଭେସନ କରାଇବେ। କାରଣ ଶିଳ୍ପୋଦ୍ୟୋଗରେ ଆଗକୁ ବଢ଼ିବା ପାଇଁ ପାଦେ ପାଦେ ପ୍ରତିଯୋଗିତା ରହିଛି। ସେସବୁ ପ୍ରତିଯୋଗିତାକୁ ସଫଳତାର ସହ ପାରି ହେବା ବାସ୍ତବିକ କଷ୍ଟକର। ଏଭଳି ସମୟକୁ ସାମ୍ନା କରିବା ପାଇଁ ଏହି କର୍ମଶାଳା ସହାୟକ ହେବ ବୋଲି କହିଛନ୍ତି ସୁକୃତି ପଟ୍ଟନାୟକ।
Published by:Lipina Das
First published: