ଏଃ, କି ଧନୀ! ଅଭୟକାନ୍ତଙ୍କ ପୁଅ ଆକାଶ ନାଁରେ ଭୁବନେଶ୍ୱରର ବ୍ୟାଙ୍କରେ ୮ କୋଟି ୪୦ ଲକ୍ଷ ଟଙ୍କା ଠାବ
ଭିଜିଲାନ୍ସ ବିଭାଗ କହିଛି ବନ ଅଧିକାରୀ ଅଭୟକାନ୍ତ ଓ ତାଙ୍କ ପୁଅ ପୁଣେରେ ବିଳାସପୂର୍ଣ୍ଣ ବଙ୍ଗଳା ଓ ଫାର୍ମ ହାଉସ୍ ଭଡ଼ାରେ ନେବା ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଚାଟାର୍ଡ଼ ଫ୍ଲାଇଟ ପାଇଁ ବାପପୁଅ ଖର୍ଚ୍ଚ କରିଥିବା ୩ କୋଟି ଟଙ୍କାର ବିଲ୍ ଜବତ ହୋଇଛି ।

ଅଭୟକାନ୍ତ ପାଠକ (ଡାହାଣ) ଓ ତାଙ୍କ ପୁଅ ଆକାଶ ପାଠକ
- News18 Odia
- Last Updated: November 26, 2020, 11:59 PM IST
କଟକ: ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ଧନ କୁବେର ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ପୋତା ଧନର ପେଡ଼ି ଧୀରେ ଧୀରେ ଖୋଲିବା ଆରମ୍ଭ କରିଛି । ଦୁଇ ଦିନ ଧରି ଯାଞ୍ଚ କରୁଥବା ଭିଜିଲାନ୍ସ ଗୁରୁବାର ଦିନ ସରକାରୀଭାବେ ତାଙ୍କର ଅମାପ ସମ୍ପତ୍ତି ବାବଦରେ ତଥ୍ୟ ପ୍ରଦାନ କରିଛି । କିନ୍ତୁ ଏହା ପ୍ରାରମ୍ଭିକ ତଥ୍ୟ । ପରେ ତାଙ୍କର ଆହୁରି ଅନେକ ସମ୍ପତ୍ତି ଭାବଦରେ ସୂଚନା ମିଳିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ଭିଜିଲାନ୍ସ ପକ୍ଷରୁ ଏକ ପ୍ରେସ ଇସ୍ତାହାର ଜରିଆରେ ଦିଆଯାଇଥିବା ସୂଚନା ମୁତାବକ ଗୁରୁବାର ରାତି ସୁଦ୍ଧା ଓଡ଼ିଶାର ଅତିରିକ୍ତ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ (APCCF) ଭାବେ କାର୍ଯ୍ୟ କରୁଥିବା ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ନାଁରେ କୋଟି କୋଟି ଟଙ୍କା ଓ ସମ୍ପତ୍ତି ଥିବା ସନ୍ଧାନ ମିଳିଛି । ପିତା ଓ ପୁତ୍ରଙ୍କ ଘରୁ ୬୦ ଲକ୍ଷ ଟଙ୍କା ନଗଦ ଜବତ ହେବା ସହିତ ୮୦୦ ଗ୍ରାମ ସୁନା ଅଳଙ୍କାର ବି ଠାବ ହୋଇଛି । ଏହା ବ୍ୟତିତ ୨୩ ଲକ୍ଷ ଟଙ୍କା ବ୍ୟୟରେ କିଣା ଯାଇଥିବା ସୁନା ଅଳଙ୍କାର ବି ଜବତ ହୋଇଛି ।
ଏହା ବି ପଢ଼ନ୍ତୁ | ପତି କେତେ ଦରମା ପାଉଛନ୍ତି ତାହା ଜାଣିବାର ଅଧିକାର ପ୍ରତ୍ୟେକ ପତ୍ନୀଙ୍କର ଅଛି; ଆଇନ ଅଧିକାର ଦେଇଛି

ଏକ ଚାଟାର୍ଡ଼ ଫ୍ଲାଇଟରେ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ
ଆକାଶଙ୍କ ନାଁରେ ଥିବା ଗୋଟିଏ ମର୍ସିଡେସ୍ କାର୍, ଗୋଟିଏ ବିଏମଡବ୍ଲୁ କାର୍ ଓ ଗୋଟିଏ ଟାଟା ହାରିୟର କାର୍ ବି ଥିବା ଠାବ କରାଯାଇଛି । ସେ ସୌଖିନ ଗାଡ଼ିକୁ ଭଡାରେ ନେଇ ଚଳାଉଥିବା ବାବଦରେ ମଧ୍ୟ ଭିଜିଲାନ୍ସ ପ୍ରମାଣ ପାଇଛି । ପୁଣେରେଥିବା ଭଡ଼ା ଘରେ ସର୍ଚ୍ଚ କରିବା ପରେ ସେଠାରୁ ଦୁଇଟି ମର୍ସିଡେସ୍ କାର୍ ମଧ୍ୟ ମଳିଛି, ଯାହାକୁ ଭଡ଼ା ସୂତ୍ରରେ ଆଣି ବ୍ୟବହାର କରାଯାଉଥିଲା । ଏହି ଦାମି ଗାଡ଼ିର ଭଡ଼ା ବାବଦକୁ ୨୫ ଲକ୍ଷ ଟଙ୍କା ବି ଦିଆଯାଇଛି ।
ଏହା ବି ପଢ଼ନ୍ତୁ | Jioର ଧାଁସୁ ପ୍ଲାନ୍: ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ୨୪ GB ଡାଟା, ମାଗଣା କଲିଂ ଓ ଅନେକ ସୁବିଧା ପାଆନ୍ତୁ
ପୁଣେରେ ଅଭୟକାନ୍ତ ଓ ପୁଅ ଆକାଶ ବିଳାସପୂର୍ଣ୍ଣ ବଙ୍ଗଳା ଓ ଫାର୍ମ ହାଉସ୍ ଭଡ଼ାରେ ନେବା ପାଇଁ ପାଖାପାଖି ଏକ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ମୁମ୍ବାଇର ହେଟେଲ ତାଜ୍ ମହଲ ପ୍ୟାଲେସକୁ ସେମାନେ ଦେଇଥିବା ୯୦ ଲକ୍ଷରୁ ଅଧିକ ଟଙ୍କା ବିଲ୍ ସହିତ ରାଜସ୍ଥାନର ଉଦୟପୁରରେ ଥିବା ତାଜ୍ ଲେକ୍ ପ୍ୟାଲେସ୍ ହୋଟେଲକୁ ଦିଆଯାଇଥିବା ୨୦ ଲକ୍ଷ ଟଙ୍କାର ଅଗ୍ରୀମ ରସିଦ୍ ମଧ୍ୟ ଭିଜିଲାନ୍ସ ହାତରେ ଲାଗିଛି ।
ବାପ ଓ ପୁଅଙ୍କ ବିଦେଶ ଭ୍ରମଣ ଓ ଚାଟାର୍ଡ଼ ଫ୍ଲାଇଟରେ ଦେଶର ବିଭିନ୍ନ ସ୍ଥାନୁକୁ ଯିବାର ପ୍ରମାଣ ମଧ୍ୟ ପାଇଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ସେମାନେ ନିୟମିତ ଭାବେ ମାଲେସିଆ, ହଙ୍କକଙ୍ଗ, ୟୁ.କେ., ଆରବ ଏମିରେଟସ୍ ଓ ମାଳଦ୍ୱୀପ ଭଳି ଦେଶକୁ ଗସ୍ତ କରୁଥିଲେ । ଦେଶ ଭିତରେ ପୁଣେ, ଭୁବନେଶ୍ବର, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର ଓ ଦିଲ୍ଲୀ ଭଳି ସହରକୁ ବି ଚାଟାର୍ଡ଼ ବିମାନରେ ଗ୍ରସ୍ତ କରୁଥିଲେ । କେବଳ ଚାଟାର୍ଡ଼ ଫ୍ଲାଇଟ ବାବଦରେ ବାପ ଓ ପୁଅ ଖର୍ଚ୍ଚ କରିଥିବା ୩ କୋଟି ଟଙ୍କାର ବିଲ୍ ମଧ୍ୟ ଭିଜିଲାନ୍ସ ଜବତ କରିଛି ।
ଏହା ବି ପଢ଼ନ୍ତୁ | ଭୋଜପୁରୀ ଅଭିନେତ୍ରୀ ମୋନାଲିସା ବଲିଉଡ ଅଭିନେତ୍ରୀମାନଙ୍କୁ ଟକ୍କର୍ ଦେବାକୁ ପ୍ରସ୍ତୁତ ଲାଗୁଛନ୍ତି
ଅଭୟକାନ୍ତ ପାଠକଙ୍କ ଆୟବର୍ହିଭୁତ ସମ୍ପତ୍ତି ବାବଦରେ ସୂଚନା ପାଇଁ ରାଜ୍ୟ ଭିଜିଲାନ୍ସ ନିଜ ଇତିହାସର ସବୁ ଠାରୁ ବଡ଼ ଅପରେସନ ଚଳାଇଛି । ଭୁବନେଶ୍ବରର ପାଞ୍ଚଟି ସ୍ଥାନ ସମେତ ଦେଶର ମୋଟ ସାତଟି ସ୍ଥାନରେ ୧୫୦ ଶହ ଅଫିସରଙ୍କୁ ନେଇ ବୁଧବାର ଭୋରୁ ଏହି ରେଡ କରାଯାଉଛି ।
ରେଡ୍ ପାଇଁ ପୁଣେ ଓ ମୁମ୍ବାଇ ଯାଇଥିବା ଟିମ୍ ଭିଜିଲାନ୍ସ ମୁଖ୍ୟାଳୟକୁ ଗୁରୁବାର ସକାଳେ ଫେରିଥିବା ବେଳେ ବିହାର ଯାଇଥିବା ଟିମ୍ ଶୁକ୍ରବାର ଦିନ ଫେରିବ ବୋଲି ଭିଜିଲାନ୍ସ ମୁଖ୍ୟାଳୟରୁ ସୂତ୍ରରୁ ଜଣା ପଡ଼ିଛି । ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ କହିଛନ୍ତି ଯେ ତଦନ୍ତ ଚାଲିଛି ଓ ଦିନେ ବା ଦୁଇ ଦିନ ମଧ୍ୟରେ ଶେଷ ହୋଇପାରେ ।
ଭିଜିଲାନ୍ସ ମୁଖ୍ୟାଳୟରୁ ମିଳିଥିବା ସୁଚନା ମୁତାବକ ଶୁକ୍ରବାର କଟକ ଠାରେ ଏକ ସାମ୍ବାଦିକ ସମ୍ମଳନୀ କରି ବିଭାଗ ପୂରା ଘଟଣାକ୍ରମ ଓ ତଦନ୍ତରୁ ମିଳିଥିବା ପୂର୍ଣ୍ଣାଙ୍ଗ ତଥ୍ୟ ବାବଦରେ ସୂଚନା ଦେବ ।