ଅଜେଶ ମଲିକ | News18 Odia Digital
ଭୁବନେଶ୍ବର: ଏଣିକି ହାତ ପାହାନ୍ତାରେ ମିଳିବ ଜାତିଗତ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର । ଏସବୁ ପାଇଁ ଆଉ ବାରମ୍ବାର ସରକାରୀ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଘରେ ବସି ଅନଲାଇନ୍ରେ ଆବେଦନ କରିବା ସହ ଡ଼ାଉନଲୋଡ଼୍ ବି କରିପାରିବେ ଲୋକେ । ମୋବାଇଲ ଆପ୍ ଜରିଆରେ ଖଜଣା ଦାଖଲ କରିବା ପରେ ପାଉତି ବି ମିଳିବ ଲୋକଙ୍କୁ।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କଡ଼ଫରେନ୍ସିଂ ଜରିଆରେ ପାଉତି ଆପ ଓ ଇ-ସାର୍ଟିଫିକେଟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
edistrict.odisha.gov.in ମାଧ୍ୟମରେ ଯେ କୌଣସି ସ୍ଥାନରୁ ଅନଲାଇନ୍ରେ ଆବେଦନ କରିପାରିବେ ଜନସାଧାରଣ । ଭିନ୍ନ ଭିନ୍ନ ପ୍ରମାଣ ପତ୍ର ପାଇଁ ଏଣିକି ଆଉ କୌଣସି ଦେୟ ବି ଦେବାକୁ ପଡ଼ିବ ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି ।
କେବଳ ସେତିକି ନୁହେଁ । ବାସ ସ୍ଥାନ ଓ ଆାୟ ପ୍ରମାଣପତ୍ର ସ୍ବଘୋଷିତ ତଥ୍ୟ ଉପରେ ପ୍ରଦାନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । 5T କାର୍ଯ୍ୟକ୍ରମ ଜରିଆରେ ପ୍ରଶାସନକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଏହି ସବୁ ବ୍ୟବସ୍ଥା ଗ୍ରହଣ କରିଛନ୍ତି ସରକାର ।
ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବା କୁହାଯାଇଛି । ଆଗାମୀ ଦିନରେ ଅନ୍ୟ ପ୍ରମାଣପାତ୍ରର ସୁବିଧା ମଧ୍ୟ ଏହି ବ୍ୟବସ୍ଥାରେ ସାମିଲ କରାଯିକୁ ଲକ୍ଷ ରଖାଯାଇଛି ।
ସେହିପରି ସରକାରୀ କର୍ମଚ଼ାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପ୍ରାପ୍ୟ ପାଇବା ପାଇଁ ଉତ୍ତରାଧିକାରୀ ପ୍ରମାଣପତ୍ରର ଆବଶ୍ୟକତା ରହିବ ନାହିଁ ବୋଲି ମଧ୍ୟ ଏହି ବୈଠକରେ ନିଷ୍ପତି ହୋଇଛି । କର୍ମଚାରୀଙ୍କ ସର୍ଭିସ ବୁକ ଅନୁଯାୟୀ ସେମାନଙ୍କ ଉତ୍ତରାଧିକାରୀ ସମସ୍ତ ସୁବିଧା ପାଇବେ ବୋଲି କୁହାଯାଇଛି ।
‘‘ଏ ସମସ୍ତ ପ୍ରମାଣପତ୍ର ପାଇବା ଲୋକଙ୍କର ଅଧିକାର । ତେଣୁ ଏହି ସବୁ ପ୍ରମାଣପତ୍ର ପାଇଁ ଲୋକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବନାହିଁ । ଏହା ସହିତ ସଲଭେନ୍ସି ସାର୍ଟିଫିକେଟ୍ ବ୍ୟବସ୍ଥାର ମଧ୍ୟ ଉଚ୍ଛେଦ କରାଯାଇଛି । ଲୋକଙ୍କ ଦୈନନ୍ଦିନ ଜୀବନରେ ଅଧିକ ସହଜତା ଆଣିବା ପାଇଁ ସମସ୍ତ ସରକାରୀ ସେବା ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ୟମ ଜାରି ରହିଛି । ଏହି ସବୁ ପଦକ୍ଷେପ ସାଧାରଣ ଲୋକଙ୍କ ଜୀବନରେ ଏକ ବୗପ୍ଳବିକ ପରିବର୍ତନ ଆଣିବ,’’ ପାଉତି ଆପ୍ ଓ ଇ-ସାର୍ଟିଫିକେଟ୍ର ଶୁଭାରମ୍ଭ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚ଼ାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି: ‘‘ଏହି ବ୍ୟବସ୍ଥା ପରେ ଉଭୟ ଜନସାଧାରଣ ଓ ସରକାରୀ କର୍ମଚ଼ାରୀଙ୍କର ସମୟ ବଞ୍ଚିବ । ଏହି ସମୟରେ ସେମାନେ ଅନ୍ୟ କାର୍ଯ୍ୟରେ ନିଜକୁ ସାମିଲ କରିପାରିବେ । ଯେଉଁ ଲୋକଙ୍କ ନିକଟରେ ମୋବାଇଲ ଉପଲବ୍ଧ ନାହିଁ କିମ୍ବା ସୁବିଧା ନେବାରେ ସେମାନେ ଅସମର୍ଥ, ସେମାନେ ପୂର୍ବ ଭଳି ଜନ ସେବା କେନ୍ଦ୍ରରୁ ଏସବୁ ସୁବିଧାର ଲାଭ ଉଠାଇପାରିବେ । ଏହା ଦ୍ବାରା ରାଜସ୍ବ ପ୍ରଶାସନ ବିଭାଗ ଅଧିକ ଲୋକାଭୀମୂଖୀ ହୋଇପାରିବ ।’’
‘‘5T କାର୍ଯ୍ୟକ୍ରମ ଲୋକଙ୍କ ଦୈନନ୍ଦିନ ଚ଼ଳଣୀରେ ବହୁତ ସୁବିଧା ଆଣିପାରିଛି । ଦେଶରେ ଏଭଳି ସୁବିଧା ବର୍ତ୍ତମାନ ସୁଦ୍ଧା କୌଣସି ରାଜ୍ୟରେ ଉପଲବ୍ଧ ନାହିଁ,’’ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀ ।
ମାତ୍ର ଚ଼ାରି ମାସ ମଧ୍ୟରେ ଏହି ଉଦ୍ୟମର ପରିକଳ୍ପନା କରାଯିବା ସହିତ କାର୍ଯ୍ୟକାରୀ କରାଯାଇଥିବାରୁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ପ୍ରଶଂସା କରିଥିଲେ 5T ସଚିବ ଭି.କେ. ପାଣ୍ଡିଆନ୍ । ଭବିଷ୍ୟତରେ ବିବାହ ପ୍ରମାଣପତ୍ର ସହିତ ଅନ୍ୟ ସୁବିଧା କିପରି ଲୋକେ ସହଜରେ ପାଇପାରିବେ ସେ ସଂପର୍କରେ ମତାମତ ଦେବା ପାଇଁ ଜିଲ୍ଲାପାଳ ଓ ଅନ୍ୟ କର୍ମଚାରୀ ମାନଙ୍କୁ ସେ ଆହ୍ବାନ କରିଥିଲେ ।
ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଲିସ ମହାନିର୍ଦେଶକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଭିଡ଼ିଓ କନ୍ଫେରେନ୍ସିଂରେ ଜିଲ୍ଲାପାଳମାନେ ମଧ୍ୟ ଉପସ୍ଥିତ ଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।