ୟେସ୍‌ ବ୍ୟାଙ୍କରେ ଜଗା ଟଙ୍କାକୁ ନେଇ ଅର୍ଥ ବିଭାଗ ଦୋଷ ଲଦିଲା ଶ୍ରୀମନ୍ଦିର ପ୍ରଶାସନ ଉପରେ

ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ୟେସ ବ୍ୟାଙ୍କ ଭଳି କୌଣସି ଘରୋଇ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ରଖିବା ନିଷ୍ପତ୍ତି କେବଳ ଶ୍ରୀମନ୍ଦିର ପରିଚାଳନା କମିଟିର । ୟେସ ବ୍ୟାଙ୍କ ସର୍ବାଧିକ ୮.୬୧ ପ୍ରତିଶତ ସୁଧହାରର ପ୍ରତିଶୃତି ଦେଇଥିଲା ।

ୟେସ୍‌ ବ୍ୟାଙ୍କରେ ଜଗା ଟଙ୍କାକୁ ନେଇ ଅର୍ଥ ବିଭାଗ ଦୋଷ ଲଦିଲା ଶ୍ରୀମନ୍ଦିର ପ୍ରଶାସନ ଉପରେ
ମହାପ୍ରଭୁ ଜଗନ୍ନାଥ, ନିରଞ୍ଜନ ପୁଜାରୀ ଓ ୟେସ୍‌ ବ୍ୟାଙ୍କ୍‌: ସ୍ଥିତିରେ ନାହିଁ ପାରଦର୍ଶିତା
  • News18 Odia
  • Last Updated: March 13, 2020, 12:41 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଘରୋଇ ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଅର୍ଥ ଜମା ପ୍ରସଙ୍ଗରେ ଦୋଷ ଝାଡିଦେଲା ଅର୍ଥ ବିଭାଗ  । ତା’ର ଯୁକ୍ତି ଯେ ୟେସ ବ୍ୟାଙ୍କ ଭଳି କୌଣସି ଘରୋଇ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ନିଷ୍ପତ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ଥିଲା, ଆଉ ରାଜ୍ୟ ସରକାର ସେଥିରେ ହସ୍ତକ୍ଷେପ କରନ୍ତି ନାହିଁ ।

ତେବେ ଏହି ୟେସ ବ୍ୟାଙ୍କ ଘଟଣାର ବହୁ ପୂର୍ବରୁ କୌଣସି ବି ବ୍ୟାଙ୍କରେ ସରକାରୀ ଅର୍ଥ ଜମା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ବିଭାଗ ପରାମର୍ଶ ଦେଇଥିଲା  ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ  ନିରଞ୍ଜନ ପୂଜାରୀ । ତେବେ ଜଗା ଟଙ୍କା ଫେରିବା ନେଇ ଉଦ୍ୟମ ଜାରି ରହିଥିବା କହିଛନ୍ତି ସେ ।

ୟେସ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ନିଷ୍ପତ୍ତି ପ୍ରଶ୍ନକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗି ରହିଥିବା ବେଳେ ବୁଧବାର ମଧ୍ୟ ଏହି ପ୍ରସଙ୍ଗରେ ଅଚଳ ହୋଇଥିଲା ବିଧାନ ସଭା କାର୍ଯ୍ୟ । ଗୁରୁବାର ଏହି ଘଟଣାରେ ଏବେ ନିଜ ଉପରୁ ଦୋଷ ଝାଡି ଦେବାର ପ୍ରୟାସ କରୁଥିବା ପ୍ରତୀତ ହୋଇଥିଲେ ରାଜ୍ୟ ସରକାର । ଗୃହରେ ବିବୃତି ଦେଇ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ: ‘‘ୟେସ ବ୍ୟାଙ୍କ ଭଳି କୌଣସି ଘରୋଇ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ନିଷ୍ପତ୍ତି କେବଳ ଶ୍ରୀମନ୍ଦିର ପରିଚାଳନା କମିଟିର । ନିୟମ ଅନୁସାରେ ରାଜ୍ୟ ସରକାର ସେଥିରେ ହସ୍ତକ୍ଷେପ କରନ୍ତି ନାହିଁ ।’’

ସେ ଆହୁରି କହିଥିଲେ ଯେ ମିଳିଥିବା ତଥ୍ୟ ଅନୁସାରେ ଶ୍ରୀମନ୍ଦିର ଜମା ରାଶି ପାଇଁ ୧୨ଟି ସରକାରୀ ସ୍ବିକୃତୀପ୍ରାପ୍ତ ବ୍ୟାଙ୍କଠାରୁ ପ୍ରସ୍ତାବ ଆହ୍ବାନ କରାଯାଇଥିବା ବେଳେ ସେ ଭିତରେ ୟେସ ବ୍ୟାଙ୍କ ଥିଲା ଓ ଏହି ବ୍ୟାଙ୍କ ନିଜ କୋଟେସନରେ ସର୍ବାଧିକ ୮.୬୧ ପ୍ରତିଶତ ସୁଧହାର ଉଲ୍ଲେଖ କରିଥିଲା । ସେ ଦୃଷ୍ଟିରୁ ଏହି ବ୍ୟାଙ୍କରେ ବର୍ଷକ ପାଇଁ ୫୪୫ କୋଟି ଜମା ରଖିବାକୁ ନିଷ୍ପତ୍ତି ହୋଇଥିଲା । ତା’ଛଡା ଚଳିତ ମାସ ୫ ତାରିଖ ପୂର୍ବରୁ ୟେସ ବ୍ୟାଙ୍କର ସ୍ଥିତି ନେଇ କୌଣସି ସରକାରୀ ନିର୍ଦ୍ଦେଶନାମା ନ ଥିବାରୁ ଏହି ସମସ୍ୟା ଉପୁଜିଲା ।

‘‘ଏହି ଘଟଣା ପୂର୍ବରୁ କୌଣସି ବି ବ୍ୟାଙ୍କରେ ସରକାରୀ ଅର୍ଥ ଜମା ପୂର୍ବରୁ ସତର୍କତା କରିବାକୁ ସମସ୍ତ ବିଭାଗକୁ ଗତ ଅକ୍ଟବୋର ମାସରେ ପରାମର୍ଶ ଦିଆଯାଇଥିଲା । ଏହାକୁ ନେଇ ସେ ସମୟରେ ଆପତ୍ତି ଉଠାଇଥିଲେ ରିଜର୍ଭ ବ୍ୟାଙ୍କର ତତ୍‌କାଳୀନ ଅଧିକାରୀ । ଏସବୁ ସତ୍ତ୍ବେ ଜମା ଜଗା ଟଙ୍କା ଫେରିବା ଉଦ୍ୟମ ଜାରି ରହିଛି,’’ କହିଛନ୍ତି ଅର୍ଥ ମନ୍ତ୍ରୀ ।

ତାଙ୍କ ବିବୃତ୍ତି ଠିକ୍‌ ନୁହେଁ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି ଅଭିଯୋଗ କହିଛନ୍ତି: ‘‘ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ଜଟିଳ ବୋଲି ଜାଣିବା ସତ୍ତ୍ବେ କାହା ନିଷ୍ପତ୍ତିକ୍ରମେ ଏଭଳି ଏକ ଘରୋଇ ବ୍ୟାଙ୍କରେ ଏତେ ପରିମାଣର ଟଙ୍କା ଜମା କରାଯିବାକୁ ନିଷ୍ପତ୍ତି ହୋଇଥିଲା ତାହା ବଡ ପ୍ରଶ୍ନବାଚୀ  । ୨୦୧୯ ଜୁଲାଇ ମାସରେ ୟେସ ବ୍ୟାକଙ୍କୁ ତାଲିକାଭୁକ୍ତ ବ୍ୟାଙ୍କର ମାନ୍ୟତା ମିଳିବାର ପ୍ରାୟ ୩ ମାସ ପୂର୍ବରୁ କେମିତି ଏହି ବ୍ୟାଙ୍କରେ ଏତେ ପରିମାଣର ଟଙ୍କା ରଖାଗଲା? ଡିଲ୍‌ ଅର୍ଥରେ ତତ୍‌କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଓ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ବିଜୟ ସାହୁ ୟୁରୋପ ଗସ୍ତ  କରିଥିବା ଅଭିଯୋଗ ହେଉଛି ।  ଏସବୁର ସିବିଆଇ ତଦନ୍ତ ହେବା ଦରକାର ।’’

କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମୁଖ୍ୟ ମନ୍ତ୍ରୀ ଏହି ମାମଲା ଉପରେ ଗୃହରେ କିମ୍ବା ଗୃହ ବାହାରେ ବିବୃତି ରଖିବା ଦରକାର ବୋଲି କହିଥିଲେ । ‘‘ଗୃହ କମିଟି ଦ୍ବାରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ମୁଖ୍ୟମନ୍ତ୍ରୀ  । ନହେଲେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରୁ ଲୋକଙ୍କ ଭରସା ତୁଟିଯିବ,’’ କହିଥିଲେ ମିଶ୍ର ।

ତେବେ ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଏ ସବୁ ଅଭିଯୋଗ ମିଥ୍ୟା ଓ କପୋଳ କଳ୍ପିତ ।  ତତ୍‌କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମଧ୍ଯ ଏହି ଅଭିଯୋଗ ଆଧାରବିହୀନ ବୋଲି କହିଛନ୍ତି ।
First published: March 13, 2020, 12:41 AM IST