କ୍ରିକେଟରେ ‘ଜୟ ହୋ’: ତିନି ବର୍ଷ ପରେ ରଣଜୀ ଟ୍ରଫିର କ୍ବାଟର ଫାଇନାଲକୁ ପ୍ରବେଶ କଲା ଓଡିଶା

ଏମିତି ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଚ଼ାଲିଲେ ଓଡ଼ିଶାର ଖେଳାଳିମାନେ ଆଇ.ପି.ଏଲ୍. ଓ ଜାତୀୟ ଦଳର ଚ଼ୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାର ସୁଯୋଗ ନିଶ୍ଚିତ ପାଇବେ । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା କ୍ୱାଟରଫାଇନାଲ୍‌ ମ୍ୟାଚରେ ଓଡ଼ିଶାକୁ କଡ଼ା ମୁକାବିଲାର ସାମନା କରିବାକୁ ପଡ଼ିବ ।

କ୍ରିକେଟରେ ‘ଜୟ ହୋ’: ତିନି ବର୍ଷ ପରେ ରଣଜୀ ଟ୍ରଫିର କ୍ବାଟର ଫାଇନାଲକୁ ପ୍ରବେଶ କଲା ଓଡିଶା
ଝାଡ଼ଖଣ୍ଡ ସହ ମ୍ୟାଚ଼ ଡ୍ର ରହିବା ପରେ ଖୁସିରେ ଓଡ଼ିଶା ଟିମ୍‌
  • News18 Odia
  • Last Updated: February 15, 2020, 6:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ରଣଜୀ ଟ୍ରଫିର କ୍ବାଟର ଫାଇନାଲକୁ ପ୍ରବେଶ କରିଛି ଓଡିଶା । ଶନିବାର ଦିନ ବାରବାଟୀ ଷ୍ଟାଡିୟମରେ ଚ଼ାଲିଥିବା ଝାଡ଼ଖଣ୍ଡ ବିପକ୍ଷରେ ମ୍ୟାଚକୁ ଟିମ ଓଡିଶା ଡ୍ର ରଖିବା ସହ ତିନି ପଏଣ୍ଟ ପାଇ କ୍ବାଟର ଫାଇନାଲକୁ ଉନ୍ନୀତ ହୋଇଛି । ଏହି ମ୍ୟାଚରେ ଦଳର ଖେଳାଳିମାନେ ଉଭୟ ବ୍ୟାଟିଂ ଓ ବୋଲିଂରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ ।

ପ୍ରଥମ ଇନିଂସରେ ଓଡିଶା ବ୍ୟାଟିଂ କରି ଦେବାଶିଷ ସାମନ୍ତାରାୟଙ୍କ ଲଢୁଆ ୧୫୬ ରନ ବଳରେ ଝାଡ଼ଖଣ୍ଡ ଆଗରେ ୪୩୬ ରନର ବିଜୟ ଲକ୍ଷ ରଖିଥିଲା । ଜବାବରେ ଝାଡ଼ଖଣ୍ଡ ଦଳ ୩୫୬ ରନ କରି ଅଲ ଆଉଟ ହୋଇଯାଇଥିଲା । ଏହା ପରେ ବ୍ୟାଟିଂ କରି ଦ୍ବିତୀୟ ଇନିଂସରେ ଅଧିନାୟକ ସୁଭ୍ରାଶୁଂ ସେନାପତିଙ୍କ ଶତକ ସହ ଓଡିଶା ପାଳି ଘୋଷଣା କରିଥିଲା ।

ଗୃପ୍‌ ସିର ପ୍ରଥମ ଟିମ୍‌ ଭାବେ ଜାମ୍ମୁ ଓ କଶ୍ମୀର ଟିମ୍‌ କ୍ବାଟର ଫାଇନାଲକୁ ପ୍ରବେଶ କରିସାରିଥିବା ବେଳେ ମୋଟ ୩୮ ପଏଣ୍ଟ ସହ ଓଡିଶା ଦ୍ବିତୀୟ ଟିମ ଭାବେ କ୍ବାଟର ଫାଇନାଲକୁ ପ୍ରବେଶ କରିଛି । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା କ୍ୱାଟରଫାଇନାଲ୍‌ ମ୍ୟାଚରେ ଦେଶର ସର୍ବ ଶ୍ରେଷ୍ଠ ଟିମଗୁଡିକ ସହ ସେମିଫାଇନାଲକୁ ପ୍ରବେଶ କରିବା ପାଇଁ ଓଡିଶାର କଡ଼ା ମୁକାବିଲା ହେବ ।

“କ୍ବାଟର ଫାଇନାଲକୁ ପ୍ରବେଶ କଲୁ ଏହା ନିଶ୍ଚୟ ଭଲ କଥା । କିନ୍ତୁ ମୁଁ ଅଧିନାୟକ ଭାବେରେ ମୋ ଟିମର ଖେଳାଳିମାନଙ୍କ ଠାରୁ ଆଉ କିଛି ଅଧିକ ଆଶା କରୁଛି । ଭଲ ପ୍ରଦର୍ଶନ ଜାରି ରଖିଲେ ଆମେ ସେମିଫାଇନ ଓ ଫାଇନାଲକୁ ପ୍ରବେଶ କରି ପାରିବୁ,” କହିଛନ୍ତି ଓଡିଶା ରଣଜୀ ଟିମର ଅଧିନାୟକ ଶୁଭ୍ରାଶୁଂ ସେନାପତି ।

ଓଡ଼ିଶାର ଦେବାଶିଷ ସାମନ୍ତାରାୟ, ବିପ୍ଳବ ସାମନ୍ତରାୟ, ଶୁଭ୍ରାଶୁଂ ସେନାପତି, ରାଜେଶ ଧୁପର ଓ ଗୋବିନ୍ଦ ପ୍ରାଧାନଙ୍କ ଭଳି ବ୍ୟାଟ୍ସମ୍ୟାନ ଏହି ସିଜନରେ ଭଲ ପ୍ରଦର୍ଶନ କରି ଆସିଛନ୍ତି । ସେହିପରି ଭେଟରାନ୍ ବୋଲର ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ଓ ଦେବବ୍ରତ ପ୍ରଧାନଙ୍କ ମଧ୍ୟ ଚମତ୍କାର ବୋଲିଂ କରି ଟିମର ବିଜୟ ପଥକୁ ପରିସ୍କାର କରି ଚାଳିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲର୍‌ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ତେଣୁ ଆଗକୁ ଟିକେ ଅଧିକ ପରିଶ୍ରମ କଲେ ଓଡିଶା ପାଇଁ ଫାଇନାଲକୁ ପ୍ରବେଶ କରିବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି ।

ଆଗକୁ ହେବାକୁ ଥିବା ମ୍ୟାଚରେ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିଲେ ଓଡ଼ିଶା ଟିମ ଫାଇନାଲକୁ ପ୍ରବେଶ କରିବା ସହ ଖେଳାଳିମାନେ ଆଇପିଏଲ ଓ ଜାତୀୟ ଦଳର ଚ଼ୟନକର୍ତ୍ତାଙ୍କୁ ଦୃଷ୍ଟି ମଧ୍ୟ ଆକର୍ଷଣ କରି ପାରିବେ ।

“ଏହି ସିଜନରେ ଓଡିଶାର ବୋଲରମାନେ ଅଧିକାଂଶ ମ୍ୟାଚରେ ବିପକ୍ଷ ଟିମର ୨୦ଟି ୱିକେଟ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଏହା ସେମାନଙ୍କ ଦକ୍ଷତାକୁ ପ୍ରତିପାଦିତ କରିବା ସହ ଦଳକୁ କ୍ବାଟର ଫାଇନାଲ ପର୍ଯ୍ୟନ୍ତ ଆଣିବାରେ ସଫଳ ହୋଇଛି । ଏହା ବ୍ୟତୀତ ଓଡିଶା ଟିମ ଚ଼ଳିତ ସିଜନରେ ଗୃପ-ସି’ରେ ଖେଳୁଥିବା ବେଳେ ଆସନ୍ତା ସିଜନରେ ଗୃପ-ଏ ଓ ବିରେ ଖେଳିବାକୁ ସୁଯୋଗ ପାଇବ,” କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ ।
First published: February 15, 2020, 6:36 PM IST
corona virus btn
corona virus btn
Loading