ହାତୀ ମୃତ୍ୟୁ ମାମଲା; ସାକ୍ଷୀ ତୁରାମ ପୂର୍ତ୍ତିଙ୍କ ଆତ୍ମହତ୍ୟାକୁ ନେଇ ଚିନ୍ତା ପ୍ରକଟ କଲେ ହାଇକୋର୍ଟ

ଶିମିଳିପାଳ ହାତୀ ଶିକାର ମାମଲାର ଏକ ମାତ୍ର ସାକ୍ଷୀ ଥିବା ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କ ଆତ୍ମହତ୍ୟା ମାମଲାକୁ ନେଇ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି କୋର୍ଟ।

ଓଡ଼ିଶା ହାଇକୋର୍ଟ

ଓଡ଼ିଶା ହାଇକୋର୍ଟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: ହାତୀ ମୃତ୍ୟୁ ମାମଲା ନେଇ ହାଇକୋର୍ଟରେ ଗୁରୁବାର ଦିନ ଶୁଣାଣି ହୋଇଥିଲା। ଏହି ଶୁଣାଣି ସମୟରେ ଶିମିଳିପାଳ ହାତୀ ଶିକାର ମାମଲାର ଏକ ମାତ୍ର ସାକ୍ଷୀ ଥିବା ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କ ଆତ୍ମହତ୍ୟା ମାମଲାକୁ ନେଇ କୋର୍ଟ ଚିନ୍ତା ପ୍ରକଟ କରିବା ସହ ସେହି ମାମଲାର ତଦନ୍ତକୁ ଯଥାଶୀଘ୍ର ଶେଷ କରି ଚାର୍ଜସିଟ୍ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଶୁଣାଣି ସମୟରେ ହାତୀ ମୃତ୍ୟୁ ନେଇ CCF ମନୋଜ ନାୟାରଙ୍କ ପକ୍ଷରୁ କୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଏହି ସତ୍ୟପାଠ ଅନୁଯାୟୀ ରାଜ୍ୟରେ ୧୪ଟି ହାତୀ କରିଡର ଚିହ୍ନଟ କରାଯାଇଥିବା ଉଲ୍ଲେଖ ରହିଛି। ତେବେ "ଜନ ସୁରକ୍ଷା ଗଜରକ୍ଷା ଯୋଜନା" ଅଧୀନରେ ୧୧୭୭ଟି ଗ୍ରାମ ପାଇଁ ୫୪୫୭ ଜଣ ଗଜ ସାଥି ରହିଛନ୍ତି ଏବଂ ମଣିଷ ଓ ହାତୀଙ୍କ ମଧ୍ୟରେ ସଂଘର୍ଷକୁ ରୋକିବା ପାଇଁ ଏହି ଯୋଜନା ଲାଗୁ କରାଯାଇଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଏହା ବ୍ୟତୀତ ବିଦ୍ୟୁତ୍ ଜନିତ ମୃତ୍ୟୁ ରୋକିବା ପାଇଁ ୨୩୫୪ କିମି ଅଞ୍ଚଳରେ ସୁରକ୍ଷା କେବୁଲ୍ ଲଗାଯାଇଛି। ଏହା ବ୍ୟତୀତ ୧୯ଟି ଡିଭିଜନର ୩୨ଟି ରେଞ୍ଜରେ ସର୍ବାଧିକ ହାତୀ ମଣିଷ ଲଢ଼େଇ ହେଉଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହାତୀମାନେ ବିଚରଣ କରୁଥିବା ଜଙ୍ଗଲଗୁଡ଼ିକରେ ୩୪ଟି ଜଳାଶୟ ସୃଷ୍ଟି କରାଯାଇଥିବା ବେଳେ ୨୬ ଜଳାଶୟର ପୁନରୁଦ୍ଧାର କରାଯାଇଛି। ଏହା ସହ ୪୧ଟି ସ୍ଥାନରେ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ୧ ଲକ୍ଷ ବାଉଁଶ ଚାରାରୋପଣ କରାଯାଇଛି ବୋଲି ସତ୍ୟପାଠ ଉଲ୍ଲେଖ କରିଛନ୍ତି CCF।
ଏହ ଶୁଣାଣି ସମୟରେ ଜଙ୍ଗଲଗୁଡ଼ିକରେ ହାତୀମାନେ ଘୋର ଖାଦ୍ୟାଭାବର ଶିକାର ହେଉଥିବା କଥା କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପିତ ହେବା ସହ ହାତୀମାନଙ୍କ ଖାଦ୍ୟ ସଙ୍କଟକୁ ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଦିଗରେ ମଧ୍ୟ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଆସନ୍ତା ଜାନୁଆରୀ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ହାତୀଙ୍କ ସୁରକ୍ଷା ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ହାତୀ ମୃତ୍ୟୁ ହାର କମୁ ନାହିଁ। ଏହି ହାତୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟ ଗୁରୁତ୍ୱର ନେଇଛନ୍ତି। ହାତୀ ଶିକାର ଘଟଣାରେ ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ହା‌ଇକୋର୍ଟ ପୂର୍ବରୁ ଅସନ୍ତୋଷବ୍ୟକ୍ତ କରିଥିଲେ। ମାମଲାରେ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍ ୱାଇଲ୍‌ଡ ଲାଇଫ୍‌) ଦାଖଲ କରିଥିବା ସତ୍ୟପାଠରେ ଗତ ୫ ବର୍ଷରେ ହାତୀ ଶିକାର ନେଇ ୧୪ଟି ମାମଲା ରୁଜୁ ହୋଇଥିବା ଦର୍ଶାଯାଇଥିଲା। ଏଥିରୁ ମାତ୍ର ଗୋଟିଏ ମାମଲାରେ ଅଦାଲତରେ ଟ୍ରାଏଲ ଆରମ୍ଭ ହୋଇଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା। ଏହି ପ୍ରସଙ୍ଗକୁ ନେଇ ରୁଜୁ ମାମଲା ଗୁଡିକର ଅଗ୍ରଗତି ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ ପୂର୍ବରୁ କହିଥିଲେ।

ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ଏହି ସବୁ ମାମଲାରେ ଗିରଫ ଅଭିଯୁକ୍ତମାନେ ଏବେ ଜେଲରେ ଅଛନ୍ତି ବା ଜାମିନ ପାଇଛନ୍ତି ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। କିନ୍ତୁ ଅଭିଯୁକ୍ତଙ୍କ ଜାମିନ ପ୍ରସଙ୍ଗରେ ରାଜ୍ୟ ସରକାର ଜବାବ ରଖି ପାରି ନଥିଲେ। ଏଥି ସହିତ ଗୁଳିମାଡରେ ହାତୀ ମୃତ୍ୟୁ ମାମଲାରେ ବେଆଇନ ବନ୍ଧୁକ ବ୍ୟବହାର ହେଉଥିଲେ ମଧ୍ୟ ଆର୍ମସ୍ ଆକ୍ଟରେ କାହିଁକି ଗୋଟିଏ ବି ମାମଲା ରୁଜୁ ହୋଇ ନାହିଁ ସେ ନେଇ ମଧ୍ୟ ବନ ବିଭାଗ ତରଫରୁ କୌଣସି ସନ୍ତୋଷଜନକ ଜବାବ ମିଳିନଥିଲା। ଏଭଳି ସ୍ଥିତିରେ ହାଇକୋର୍ଟ କହିଥିଲେ ଯେ ରାଜ୍ୟରେ ବିଗତ କିଛି ଦିନରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ ବିଷୟ। ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନିଆଯିବା ଉଚିତ୍। ବହୁ କ୍ଷେତ୍ରରେ ବନ୍ଧୁକ ଗୁଳିରେ ହାତୀ ମୃତାହତ ହେଉଥିବା ଦେଖା ଯାଉଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଆର୍ମସ୍ ଆକ୍ଟ କିନ୍ତୁ ମାମଲାରେ ପ୍ରୟୋଗ କରାଯାଉ ନାହିଁ ବୋଲି ହାଇକୋର୍ଟ କହିଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅଗଷ୍ଟ ୬ରେ ପିସିସିଏଫଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଗଲା ୫ ବର୍ଷରେ ଆଠଗଡ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବୌଦ୍ଧ, ଘୁମୁସର (ଉତରା) ଡିଭିଜନରେ ବେଆଇନ ହାତୀ ଶିକାର କରାଯାଇଥିବା ଦର୍ଶାଯାଇଥିଲା। ୨୦୧୮ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ଜୁଲାଇ ୨୫ରେ ହାଇକୋର୍ଟ ଏ ସମ୍ପର୍କିତ ମାମଲାର ଶୁଣାଣି କରି ପିସିସିଏଫଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ୫ ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବା ପାଇଁ ହାଇକୋର୍ଟ କହିଥିଲେ। ହାତୀ ଶିକାର ଘଟଣାର ସ୍ଥାନ/ଅଞ୍ଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥା ଏତଲା ପଞ୍ଜିକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ, କେଉଁ ଅଦାଲତରେ ମାମଲା ବିଚାରାଧୀନ ରହିଛି, ଟ୍ରାଏଲର ଷ୍ଟାଟସ୍, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ। ୱାଇଲ୍ଡ ଲାଇଫ କ୍ରାଇମ ସେଲ୍ ପ୍ରସଙ୍ଗରେ ମଧ୍ୟ ତଥ୍ୟ ଦେବାକୁ ହାଇକୋର୍ଟ କହିଥିଲେ।
Published by:Lipina Das
First published: