News18 Odia Digital
ଭୁବନେଶ୍ବର: ଆଜି ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି ବସ ଡ୍ରାଇଭର। ଡ୍ରାଇଭରଙ୍କ (Drivers) ୧୦ ଦଫା ଦାବିକୁ ରାଜ୍ୟ ସରକାର (State Government) ପୂରଣ କରିନଥିବାରୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଡାକରା ଦେଇଛି ଡ୍ରାଇଭର ସଙ୍ଘ (Drivers union)। ହେଲେ ବର୍ତ୍ତମାନ ଏହି ଆନ୍ଦୋଳନରେ ହନ୍ତସନ୍ତ ହୋଇଛନ୍ତି ସାଧରଣ ଲୋକ।
ବସ ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ଅଟୋ ଡ୍ରାଇଭର ଆକାଶ ଛୁଆଁ କରିଛନ୍ତି ନିଜ ଭଡ଼ା। ଗୋଟିଏ କିଲୋମିଟରକୁ ନେଇଛନ୍ତି ୧୦୦ ଟଙ୍କା।
ପାହୁଣ୍ଡେ ବାଟକୁ ୫ ଟଙ୍କା ନୁହେଁ, ୧୦୦ ଟଙ୍କା। ପଠାଣି ସାମନ୍ତ ପ୍ଲାନେଟରୀୟମରୁ ଆପୋଲୋ ହସ୍ପିଟାଲ। ୧୫୦୦ ରୁ ୨୦୦୦ ମିଟରର ରାସ୍ତା। ଏତିକି ବାଟକୁ ୧୦୦ ଟଙ୍କା ମାଗୁଛନ୍ତି ଅଟୋ ଡ୍ରାଇଭର।
ପାଖରେ ଅଛି ସ୍ବାସ୍ଥ୍ୟ କାର୍ଡ଼। ଗରିବ ଲୋକ କରିବେ କଣ ବାଧ୍ୟ ହୋଇ ଚାଲି ଚାଲି ଗଲେ ହସ୍ପିଟାଲ। ସୁନ୍ଦରଗଡ ର ଦୀନବନ୍ଧୁ ଓରାମ ଓ ତାଙ୍କ ପତ୍ନୀ ଜୟନ୍ତୀ ଓରାମ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଜୟନ୍ତୀ ଅସୁସ୍ଥ ଥିବାରୁ ଆଜି ଆସିଥିଲେ ଆପୋଲୋ। କିନ୍ତୁ କଣ ହେବ ଆକାଶ ଛୁଆଁ ଭଡ଼ା ଶୁଣି ହାତରେ ଲଗେଜ୍, କାନ୍ଧରେ ବ୍ୟାଗ୍ ପକାଇ ଚାଲି ଚାଲି ଗଲେ ହସ୍ପିଟାଲ।
ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିଶୃଙ୍ଖଳକାରୀଙ୍କୁ ଚେତାବନୀ ଦେଇଛି ପୋଲିସ। ଟ୍ବିନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଗାଡ଼ି ଡ୍ରାଇଭରମାନେ ଧର୍ମଘଟ ବେଳେ ଯଦି ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଉ ଲୋକମାନେ କୌଣସି ସ୍ଥାନରେ ସମସ୍ୟାରେ ପଡ଼ିଲେ, ୧୧୨କୁ କଲ୍ କରି ସହୟତା ନେବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର। ପରୀକ୍ଷାର୍ଥୀ, ବିମାନ ଓ ରେଳଯାତ୍ରୀଙ୍କ ସୁବିଧା ପାଇଁ ପୋଲିସ ସଜାଗ ରହିଛି। ଧର୍ମଘଟକୁ ଆଖିରେ ରଖି ଭୁବନେଶ୍ବରରେ ଅତିରିକ୍ତ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ପୋଲିସ କମିଶନର କହିଛନ୍ତି।
ତେବେ ସୂଚନା ମିଳିଛି ଡ୍ରାଇଭର ମହାସଙ୍ଘର ଧର୍ମଘଟରେ ସାମିଲ ହେବ ନାହିଁ ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ। ଏ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା ଘରୋଇ ବସ୍ ମାଲିକ ସଙ୍ଘ।
ସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଥିଲେ, ‘‘୧୫ ତାରିଖରେ ରାଜ୍ୟର ସବୁ ରୁଟ୍ରେ ଘରୋଇ ବସ୍ ଚଳାଚଳ କରିବ। ଏହି ଧର୍ମଘଟ ବେଳେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଆଶଙ୍କା ଥିବାରୁ ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜିଙ୍କୁ ଭେଟି ନିବେଦନ କରିଛି ଘରୋଇ ବସ୍ ମାଲିକ ସଙ୍ଘ।’’
ପଢ଼ନ୍ତୁ ଏହି ଖବର: ଓଡ଼ିଶାରେ ଡ୍ରାଇଭରଙ୍କ ଧର୍ମଘଟ; ୧୦ ଦଫା ଦାବିକୁ ନେଇ ଡ୍ରାଇଭର ସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନପ୍ରକାଶ ଥାଉକି ଗତବର୍ଷ ଯେତେବେଳେ ଗାଡ଼ି ଚାଳକମାନେ ରାଜଧାନୀକୁ ଆସି ଆନ୍ଦୋଳନ କରିଥିଲେ ସେତେବେଳେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜଧାନୀର ବିଭିନ୍ନ ପ୍ରବେଶ ପଥ ଦେଇ ସହର ଭିତରକୁ ମାଡ଼ି ଆସିଥିଲେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର। ପୂରା ଭୁବନେଶ୍ୱରକୁ କବ୍ଜା କରି ନେଇଥିବା ପରି ଲାଗୁଥିଲା। ଫଳରେ ରାଜଧାନୀରେ ସୃଷ୍ଟି ହୋଇଥିଲା ଗୁରୁତର ଟ୍ରାଫିକ ସମସ୍ୟା। ଭିଡ଼ ଭିତରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଫସିରହିବା ସହ ଖୁବ୍ ହନ୍ତସନ୍ତ ମଧ୍ୟ ହୋଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।