ଭୁବନେଶ୍ବର ନାବାଳିକା ଦୁଷ୍କର୍ମ: କ୍ରାଇମ ବ୍ରାଞ୍ଚ କହିଲା ବାୟୋଲୋଜିକାଲ ପ୍ରମାଣ ମିଳୁନି; ତଦନ୍ତ ଚାଲିଛି
ନାବାଳିକା ସହ କଥିତ ଦୁଷ୍କର୍ମ ଘଟଣା ଓ ପୋଲିସ ପାଖରେ ମାମଲା ରୁଜୁ ହେବାରେ ପାଖାପାଖି ୪ ମାସ ବିତି ଯାଇଥିବାରୁ ବାୟୋଲୋଜିକାଲ ପ୍ରମାଣ ପାଇବାରେ ସମସ୍ୟା ହେଉଛି ବୋଲି ହାଇ କୋର୍ଟଙ୍କୁ କହିଛି କ୍ରାଇମ୍ ବ୍ରାଞ୍ଚ୍ ।

ପ୍ରତୀକାତ୍ମକ ଛବି
- News18 Odia
- Last Updated: October 13, 2020, 8:10 PM IST
ହାଇ କୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତର ସ୍ଥିତି ଉପରେ ଏହି ମାମଲାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ନିଜ ସତ୍ୟପାଠ କୋର୍ଟରେ ଦାଖଲ କରିଛି । ସତ୍ୟପାଠରେ ଉଲ୍ଲେଖ ଅଛି, “ଏପ୍ରିଲ ମାସରେ ପୀଡ଼ିତାଙ୍କ ପ୍ରତି ଦୁଷ୍କର୍ମ ହେବା ଅଭିଯୋଗ ହୋଇଥିଲା, ଓ ଅଗଷ୍ଟ ୩୦ ତାରିଖରେ ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମଧ୍ୟରେ ଘଟଣାକୁ ପ୍ରାୟ ଚାରି ମାସ ବିତି ଯାଇଛି । ତେଣୁ ଏହି ମାମାଲାରେ ବାୟୋଲୋଜିକାଲ ପ୍ରମାଣ ପାଇବାରେ ସମସ୍ୟା ହେଉଛି ।’’
ସୋମବାର ଦିନ ଶୁଣାଣି ବେଳେ ଦାଖଲ ହୋଇଥିବା ଏହି ସତ୍ୟପାଠରେ କ୍ରାଇମ ବ୍ରାଞ୍ଚ କହିଛି ଯେ ଅକ୍ଟୋବର ୬ ତାରିଖ ଦିନ ତଦନ୍ତ ଭାର ନେବା ପରେ କ୍ରାଇମ ବ୍ରାଞ୍ଚ ଏସପିଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇଛି । ସେହି ଟିମରେ ଚାରି ଜଣ ମହିଳା ଇନ୍ସପେକ୍ଟର ଓ ସାଇବର ଥାନାର ଜଣେ ଇନ୍ସପେକ୍ଟର ମଧ୍ୟ ସାମିଲ ଅଛନ୍ତି । ତଦନ୍ତ ଦାୟିତ୍ବ ନେବା ପରେ କ୍ରାଇମ ବ୍ରାଞ୍ଚ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ଅଭିଯୁକ୍ତମାନଙ୍କ ପଲିଗ୍ରାଫ ଟେଷ୍ଟ (ଲାଇ ଡିଟେକ୍ଟର ଟେଷ୍ଟ୍) ମଧ୍ୟ କରାଯାଇଛି ଓ ଏହାର ରିପୋର୍ଟ ହସ୍ତଗତ ହୋଇନାହିଁ ବୋଲି କହିଛି କ୍ରାଇମ୍ ବ୍ରାଞ୍ଚ୍ ।

ଓଡ଼ିଶା ହାଇ କୋର୍ଟ୍
କ୍ରାଇମ ବ୍ରାଞ୍ଚର ଜଣେ ଉଚ୍ଚ-ପଦସ୍ଥ ଅଧିକାରୀ କହିଛନ୍ତି, “ଏହା ଠିକ କଥା ଯେ ଘଟଣା ଘଟିବାର ଚାରି ମାସ ପରେ ଥାନାରେ ମାମଲା ରୁଜୁ ହେଲା । ଆମେ ମାତ୍ର ଅଳ୍ପ କିଛି ଦିନ ହେଲା ତଦନ୍ତ ଭାର ନେଇଛୁ । ଅନେକ ଗୁଡ଼ାଏ ତଥ୍ୟ ପ୍ରମାଣକୁ ଯାଞ୍ଚ କରୁଛୁ । ଆହୁରି କିଛି ପ୍ରମାଣ ମଧ୍ୟ ପାଇବା ପାଇଁ ଉଦ୍ୟମ କରୁଛୁ । ବାୟୋଲେଜିକାଲ ପ୍ରମାଣର ଆବଶ୍ୟକତା ନିହାତି ରହିଛି । କିନ୍ତୁ ବିନା ବାୟୋଲୋଜିକାଲ ପ୍ରମାଣରେ ବି ଅଭିଯୁକ୍ତଙ୍କ ଦୋଷ ସାବ୍ୟସ୍ତ କରାଯାଇ ପାରିବ ।’’
ଏ ନେଇ ହାଇ କୋର୍ଟରେ ମାମଲା ଦାୟର କରିଥିବା ଆଇନଜୀବୀ ଗୌତମ ସିଦ୍ଦିକି କହିଛନ୍ତି, “ବାୟୋଲୋଜିକାଲ ପ୍ରମାଣ ନ ଥିଲେ ମଧ୍ୟ ସର୍କମଷ୍ଟାନସିଆଲ୍ ଏଭିଡେନ୍ସକୁ ଆଧାର କରି ଜଣେ ଅଭିଯୁକ୍ତର ଦୋଷ ପ୍ରମାଣ କାରାଯାଇପାରିବ । ଦୁଷ୍କର୍ମ ଭଳି ଅପରାଧ କ୍ଷେତ୍ରରେ ସର୍କମଷ୍ଟାନସିଆଲ୍ ଏଭିଡେନ୍ସକୁ ପ୍ରମାଣ ଭାବେ ଗ୍ରହଣ କରି ଅନେକ ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯିବାର ନଜିର ରହିଛି ।’’
ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେ; କଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା
ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ
ଆଇନ ବିଷାରଦମାନେ କହିଛନ୍ତି ଯେ ଦୁଷ୍କର୍ମର ସଂଜ୍ଞାକୁ ଆଇପିସିର ଦଫା ୩୭୫ରେ ସ୍ପଷ୍ଟ ଭାବେ ବର୍ଣ୍ଣନା କରାଯାଇଛି । ଏହାର କୌଣସି ଉପଦଫାରେ ଉଲେଖ ନାହିଁ ଯେ ଦୁଷ୍କର୍ମ ପାଇଁ ଡାକ୍ତରୀ ମାଇନା ଜରୁରୀ । ପୀଡ଼ିତାଙ୍କ ଜମାନବନ୍ଦୀ ଦୁଷ୍କର୍ମ ମାମଲାରେ ସର୍ବୋଚ୍ଚ ବୋଲି ଏଥିରେ ଉଲ୍ଲେଖ ରହିଛି । ଡାକ୍ତରୀ ମାଇନା ଓ ତଦନ୍ତକାରୀ ଅଧିକାରୀଙ୍କ ମତାମତକୁ କେବଳ ଏକ ମତାମତ ଭାବେ ଗ୍ରହଣ କରାଯିବ ବୋଲି ସେମାନେ କହିଛନ୍ତି ।
‘‘ପୀଡ଼ିତା ନାବାଳିକା ହୋଇଥିବାରୁ ଓ ବିଭିନ୍ନ ପାରିପାର୍ଶ୍ୱିକ ଅବସ୍ଥା ଆଧାରରେ ବିଳମ୍ବିତ ଏତାଲା ତାଙ୍କ ଅଭିଯୋଗକୁ ଗୌଣ କରି ପାରିବ ନାହିଁ । ଅଭିଯୁକ୍ତଙ୍କ ନାମରେ ପୋକ୍ସୋ ଆଇନ ଲାଗିଥିବାରୁ ସିଆରପିସିର ଦଫା ୧୬୧ ଓ ୧୬୪ରେ ପୀଡ଼ିତାଙ୍କ ନିଆଯାଇଥିବା ଜମାନବନ୍ଦୀ ଏତାଲାର ଅଭିଯୋଗକୁ ଅଧିକ ମଜବୁତ କରୁଛି,’’ କହିଛନ୍ତି ଜଣେ ଆଇନ ବିଷାରଦ । ଉଚ୍ଚ ନ୍ୟାୟାଳୟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ ତାରିଖକୁ ଧାର୍ଯ୍ୟ ହୋଇଛି ।