News18 Odia Digital
ଭୁବନେଶ୍ୱର: ରେଳବାଇ ପୋଲିସ ଦ୍ୱାରା ୨୪ ଦିନର ତଦନ୍ତ ଚାଲିବା ପରେ ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ କଥିତ ଆତ୍ମହତ୍ୟା ମାମଲା କ୍ରାଇମ ବ୍ରାଞ୍ଚ ହାତକୁ ଆସିଛି l ଗୁରୁବାର କ୍ରାଇମ ବ୍ରାଞ୍ଚର ଏକ ତିନିଜଣିଆ ଟିମ୍ ଭୁବନେଶ୍ଵର ରେଳବାଇ ଥାନାରେ ପହଞ୍ଚି ତଦନ୍ତ ସମ୍ପର୍କିତ ସମସ୍ତ ଫାଇଲ ଯାଞ୍ଚ କରିଛି l ଲିଙ୍ଗରାଜ ଷ୍ଟେଶନ ନିକଟରେ ରେଳ ଲାଇନ ଉପରେ ଯେଉଁ ସ୍ଥାନରେ ପଡ଼ିଥିଲା ଆଦିତ୍ୟଙ୍କ ମୃତ ଶରୀର ସେଠି ସରଜମିନ ତଦନ୍ତ କରିଛି କ୍ରାଇମ ବ୍ରାଞ୍ଚ l
ଆଦିତ୍ୟଙ୍କ ସନ୍ଦେହାସ୍ପଦ ମୃତ୍ୟୁକୁ ନେଇ ରେଳବାଇ ପୋଲିସ ଚଳାଇଥିଲା ଘଣ୍ଟାଚକଟା l ପ୍ରତି ଦିନ ଆସୁଥିଲା ନୂଆ ନୂଆ ରୋଚକ ତଥ୍ୟ l ହେଲେ କୌଣସି ନିଷ୍କର୍ସରେ ପହଞ୍ଚିପାରୁ ନ ଥିଲା ରେଳବାଇ ପୋଲିସ l
ଗୁରୁବାର ସକାଳ ୧୦ଟାରେ କ୍ରାଇମ ବ୍ରାଞ୍ଚର ଇନ୍ସପେକ୍ଟର ଦେବୀ ପ୍ରସାଦ ଦାସ ଓ ଦୁଇ ଜଣ ସବ୍-ଇନ୍ସପେକ୍ଟର ପ୍ରଥମେ ପହଞ୍ଚିଥିଲେ ରେଳବାଇ ଥାନାରେ l ଏହି ମାମଲାର ତଦନ୍ତକାରୀ ଅଫିସର ବିକାଶ ପଲେଇଙ୍କ ପାଖରୁ ତଦନ୍ତ ସମ୍ପର୍କିତ ସମସ୍ତ କାଗଜପତ୍ର ମଗାଇ ଯାଞ୍ଚ କରିଥିଲେ l ଆଦିତ୍ୟଙ୍କ କଲ ଡିଟେଲ ରିପୋର୍ଟ (ସିଡିଆର), ହ୍ୟାଣ୍ଡ ରାଇଟିଂ ବ୍ୟୁରୋର ରିପୋର୍ଟ, ସିସିଟିଭି ଫୁଟେଜ ଓ ପୋଷ୍ଟ ମର୍ଟମ ରିପୋର୍ଟ ଆଦିକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ କ୍ରାଇମ ବ୍ରାଞ୍ଚର ଏହି ତିନି ଅଧିକାରୀ ।

ରେଳ ଧାରଣାରେ କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ବେଶ୍ କିଛି ସମୟ ଅନୁଧ୍ୟାନ କରିଥିଲା ।
ଲିଙ୍ଗରାଜ ଷ୍ଟେଶନରେ ପହଞ୍ଚି ସ୍ପଟ ଭେରିଫିକେସନ କରିଛି ଏହି ଟିମ୍ l ଟ୍ରେନ ଟ୍ରାକର କେଉଁ ଦିଗରେ ଥିଲା ଆଦିତ୍ୟଙ୍କ ମୁଣ୍ଡ ଓ ଟ୍ରାକର ମଝିରେ ଆଦିତ୍ୟଙ୍କ ଶରୀର ପଡ଼ିଥିବା ସତ୍ତ୍ୱେ କେମିତି ଶରୀରର ଅନ୍ୟ ଅଂଶ କଟି ନ ଥିଲା, ଏମିତି ବିଭିନ୍ନ ଦିଗ ଉପରେ ତନ୍ନ ତନ୍ନ କରି ସୂଚନା ସଂଗ୍ରହ କରିଛି ଏହି ଟିମ୍ l ଆଦିତ୍ୟ ଯଦି ଟ୍ରେନ ଆଗକୁ ଡେଇଁଥିବେ, ତେବେ କେଉଁ ଦିଗରୁ ଡେଇଁ ଥିବେ ଓ କେତେ ଘଣ୍ଟା କାଳ ଟ୍ରେନ ଟ୍ରାକରେ ପଡି ରହିଲା ମୃତ ଶରୀର, ଏଭଳି ଅନେକ ଦିଗକୁ ଉପରେ ଯାଞ୍ଚ କରୁଛି କ୍ରାଇମ ବ୍ରାଞ୍ଚ l
‘‘ତଦନ୍ତ ଆରମ୍ଭ ହୋଇଛି l ଗୋଟି ଗୋଟି କରି ଏ ଯାବତ୍ ମିଳିଥିବା ସମସ୍ତ ତଥ୍ୟ ଓ ପ୍ରମାଣର ଯାଞ୍ଚ ଚାଲିଛି l ଖୁବ୍ ଶୀଘ୍ର ସତ୍ୟ ସାମନାକୁ ଆସିବ ବୋଲି,’’ କହିଛନ୍ତି କ୍ରାଇମ୍ ବ୍ରାଞ୍ଚ ଇନ୍ସପେକ୍ଟର ଦେବୀ ପ୍ରସାଦ ଦାସ ।
ରେଳବାଇ ପୋଲିସ ଠାରୁ ଏହି ମାମଲାର ସମସ୍ତ କାଗଜପତ୍ର ନେବା ପରେ ପୁଣି ଥରେ ମୂଳରୁ ତଦନ୍ତ ଆରମ୍ଭ କରିଛି କ୍ରାଇମ ବ୍ରାଞ୍ଚ ଟିମ l ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ତଦନ୍ତ ବେଳେ ମୁଖ୍ୟତଃ ଚାରିଟି ଦିଗ ଉପରେ କ୍ରାଇମ ବ୍ରାଞ୍ଚର ଫୋକସ ରହିଛି l (୧) କେମିତି ହେଲା ଆଦିତ୍ୟଙ୍କର ମୃତ୍ୟୁ? (୨) ଯଦି ଏହା ଆତ୍ମହତ୍ୟା ତେବେ କାହିଁକି ସେ ଏହା କଲେ ଓ ଏଥି ପାଇଁ ଦାୟୀ କିଏ? (୩) ଯଦି ଏହା ଏକ ହତ୍ୟା, ତେବେ ହତ୍ୟାକାରୀ କିଏ? (୪) ଆଦିତ୍ୟଙ୍କ ମୃତ୍ୟୁ ଟ୍ରେନ୍ ଧକ୍କାରେ ହୋଇଥିଲା ନା ଆଉ କିଛି ଥିଲା ଏହା ପଛରେ?
କ୍ରାଇମ୍ ବ୍ରାଞ୍ଚ ଟିମ୍ ହ୍ୟାଣ୍ଡରାଇଟିଂ ବ୍ୟୁରୋର ରିପୋର୍ଟକୁ ଓ ପୋଷ୍ଟ ମର୍ଟମ ରିପୋର୍ଟକୁ ପୁଣି ଥରେ ଅନୁଧ୍ୟାନ କରିବ ବୋଲି ଜଣା ପଡ଼ିଛି l ଆଦିତ୍ୟଙ୍କ ବିଧବା ବିଦ୍ୟାଶ୍ରୀ, ତାଙ୍କ ସହଯୋଗୀ ପପୁ, ବିକାଶ ଓ ପ୍ରିତମଙ୍କର ପୁଣି ଥରେ ଜେରା ହେବା ନିଶ୍ଚିତ ଲାଗୁଛି l
ଏହା ବି ପଢ଼ନ୍ତୁ: Happy Birthday Babushan! ‘ଚକୋଲେଟ୍ ହିରୋ’ ବାବୁସାନଙ୍କ ପାଇଁ ଛୁଟିଛି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅଏହା ବି ପଢ଼ନ୍ତୁ: ଅନଲକ୍ ୩ ଗାଇଡଲାଇନ୍ ଜାରି: ଅଗଷ୍ଟ ୧ରୁ ହଟିବ ନାଇଟ୍ କର୍ଫ୍ୟୁ, ୫ରୁ ଖୋଲିବ ଜିମ୍ ଓ ଯୋଗ ଅନୁଷ୍ଠାନଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେକ୍ରାଇମ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିବାରୁ ଖୁସି ଅଛନ୍ତି ବିଦ୍ୟାଶ୍ରୀ l ‘‘ପୂର୍ବରୁ ମୁଁ ନିଜେ କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବି କରୁଥିଲି l ଏ ଥର ସତ ସାମନାକୁ ଆସିବ l କ୍ରାଇମ ବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରିବି,’’ ସେ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।