ତୃଣମୂଳ ସ୍ତରରୁ ଖେଳାଳି ବାଛିବା ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ମାଷ୍ଟର ପ୍ଲାନ ବନେଇଛି

ଭଲ କ୍ରିକେଟ ଖେଳୁଥିବା ଖେଳାଳିଙ୍କୁ ମିଳିବ ନିଜ ଦକ୍ଷତା ପ୍ରଦର୍ଶନର ସୁଯୋଗ । ବଛା ଯିବାକୁ ଥିବା ୫୦ ସ୍କୁଲର ଖେଳାଳିଙ୍କୁ ନିଜ ଖର୍ଚ୍ଚରେ ପାଠପଢ଼ା ଓ ତାଲିମର ସୁଯୋଗ ଦେବ ଓସିଏ । ଖେଳାଳି ଚ଼ୟନ ପାଇଁ ଗୋଟିଏ ବର୍ଷ ମଧ୍ୟରେ ଖେଳାଯିବ ୧,୦୦୦ଟି ମ୍ୟାଚ଼। ଏକାଡେମୀରେ ରହି ଖେଳାଳିମାନେ ଖେଳିବା ସହ ପାଠ ମଧ୍ୟ ପଢ଼ିପାରିବେ ।

ନିକଟରେ ଏକ କ୍ରିକେଟ ମ୍ୟାଚ଼ ବେଳେ ଭାରତୀୟ କ୍ରିକେଟ ଦଳର ସଦସ୍ୟମାନେ ।

ନିକଟରେ ଏକ କ୍ରିକେଟ ମ୍ୟାଚ଼ ବେଳେ ଭାରତୀୟ କ୍ରିକେଟ ଦଳର ସଦସ୍ୟମାନେ ।

  • Share this:
News18 Odia Digital

କଟକ: ଓଡ଼ିଶା କ୍ରିକେଟର ପୁନରୁଦ୍ଧାର ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ଭଲ କ୍ରିକେଟ ଖେଳୁଥିବା ଖେଳାଳିଙ୍କୁ ମିଳିବ ନିଜ ଦକ୍ଷତା ପ୍ରଦର୍ଶନର ସୁଯୋଗ । ବଛା ଯିବାକୁ ଥିବା ୫୦ ସ୍କୁଲର ଖେଳାଳିଙ୍କୁ ନିଜ ଖର୍ଚ୍ଚରେ ପାଠପଢ଼ା ଓ ତାଲିମର ସୁଯୋଗ ଦେବ ଓସିଏ । ଖେଳାଳି ଚ଼ୟନ ପାଇଁ ଗୋଟିଏ ବର୍ଷ ମଧ୍ୟରେ ଖେଳାଯିବ ୧୦୦୦ଟି ମ୍ୟାଚ । ଓସିଏ ସାଧାରଣ ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି ।

ଭିଜନ ୨୦୨୪ ନାଁରେ ଓସିଏ ତିଆରି କରିଛି ଏହି ମାଷ୍ଟର ପ୍ଲାନ । ପୂର୍ବରୁ କେବଳ ଓସିଏ ସହିତ ଅନୁବନ୍ଧିତ କ୍ରୀଡା ସଂଘରୁ ଖେଳାଳିଙ୍କୁ ଚ଼ୟନ କରାଯାଉଥି ବେଳେ ଏଣିକି ଏଥିରେ ପରିବର୍ତ୍ତନ ଅଣାଯିବ । ଅନୁବନ୍ଧିତ କ୍ରୀଡ଼ା ସଙ୍ଘ ସହିତ ଜଡ଼ିତ ନ ଥିଲେ ମଧ୍ୟ ଏଣିକି ଜଣେ ଖେଳାଳି ଓସିଏ ସହିତ ଯୋଡ଼ି ହୋଇ ପାରିବେ ।

ଖେଳାଳିମାନେ ଓସିଏ ଦ୍ବାରା ପ୍ରକାଶ କରାଯାଇଥିବା ସ୍ବତନ୍ତ୍ର ମୋବାଇଲ ଆପ୍ରେ ନିଜ ନାମ ପଞ୍ଜୀକରଣ କରିବା ସହ ନିଜ ଜନ୍ମ ପ୍ରମାଣପତ୍ର ଏବଂ ଆନୁସଙ୍ଗିକ ଦସ୍ତାବିଜକୁ ଅପ୍ଲୋଡ୍ କରିବେ । ଏବଂ ଏହା ପରେ ଓସିଏର ଟେକ୍ନିକାଲ ଟିମ୍ ଖେଳାଳିଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ସେହି ତଥ୍ୟର ଡାଟାବେସ୍ ତିଆରି କରିବା ସହ ଜନ୍ମ ପ୍ରମାଣପତ୍ରର ବୈଧତା ମଧ୍ୟ ଯାଞ୍ଚ କରିବ । ସବୁ କିଛି ଠିକ ଥିଲେ ଖେଳାଳି ଜଣକ ପ୍ରଥମେ କ୍ଲବ ପରେ ଜିଲ୍ଲା ଏବଂ ଶେଷରେ ରାଜ୍ୟସ୍ତରୀୟ ମ୍ୟାଚ ଖେଳିବାକୁ ଯୋଗ୍ୟ ବିବେଚିତ ହେବେ ।

“ଏହା ଦ୍ବାରା ଉପଯୁକ୍ତ ଖେଳାଳି ତ ଚୟନ ହେବେ, ଏହାସହ ଜନ୍ମ ପ୍ରମାଣ ପତ୍ରର ବୈଧତା ଯାଞ୍ଚ ପାଇଁ ଆମେ ପ୍ରମାଣପତ୍ର ଦେଇଥିବା ପୌରପାଳିକା ବା ବ୍ଲକ୍କୁ ମଧ୍ୟ ପତ୍ର ଲେଖିବୁ । ଫଳ ସ୍ବରୂପ ବୟସ ଜାଲିଆତିକୁ ଆରମ୍ଭରୁ ହିଁ ରୋକାଯାଇ ପାରିବ” ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ ସ୍କୁଲ୍ କ୍ରିକେଟକୁ ପ୍ରୋତ୍ସାହିତ କରିବା ପାଇଁ ସ୍କୁଲ ସ୍ତରରେ ବର୍ଷକୁ ୧୦୦୦ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ଓସିଏ । ଏବଂ ଉତ୍ତକୃଷ୍ଟ ପ୍ରଦର୍ଶନ କରିଥିବା ୫୦ ଜଣ ଖେଳାଳିଙ୍କୁ ନିଜ ଖର୍ଚ୍ଚରେ ଶିକ୍ଷା, ରହିବା, ଖାଇବା ଓ ତାଲିମର ବ୍ୟବସ୍ଥା କରିବ ଓସିଏ ।

“କଟକରେ ଏକ ରେସିଡେନ୍ସିଆଲ ଏକାଡେମୀ ପ୍ରତିଷ୍ଠା କରାଯାଇ ସେଠାରେ ଏହି ଖେଳାଳିଙ୍କୁ ରଖାଯିବ । ଏକାଡୋମୀରେ ଉଭୟ ଇଂରାଜୀ ମାଧ୍ୟମିକ ଓ ଓଡ଼ିଆ ମାଧ୍ୟମିକ ପାଠ୍ୟକ୍ରମ ମଧ୍ୟ ରଖାଯିବ । ଫଳରେ ଖେଳାଳିମାନେ ପ୍ରଶିକ୍ଷଣ ପାଇବା ସହ ସହ ଶିକ୍ଷା ଗ୍ରହଣ କରିପାରିବେ” ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ସେପଟେ ଓସିଏର ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି କ୍ରିକେଟ ଖେଳୁଥିବା ଖେଳାଳିଙ୍କ ଅବିଭାବକ । “ମୋ ପୁଅ ସ୍ବାଗତ ର ଦୀର୍ଘ ବର୍ଷ ହେଲା ଭଲ କ୍ରିକେଟ ମଧ୍ୟ ଖେଳି ଆସୁଛି, କିନ୍ତୁ ଖେଳାଳି ଚୟନ ପାଇଁ ଥିବା ବ୍ୟବସ୍ଥା ବାବଦରେ ଅଜ୍ଞ ଥିବାରୁ ସେ ଆଗକୁ ବଢ଼ି ପାରୁ ନାହିଁ । ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ କ୍ରିକେଟରେ ତାର କ୍ୟାରିୟର ଉଜ୍ଜ୍ବଳ ହୋଇପାରିବ” ବୋଲି କୁହନ୍ତି ଅନୁଗୁଳ କୁକୁଡ଼ାଙ୍ଗ ବାସିନ୍ଦା ଅମିୟ ତ୍ରୀପାଠୀ ।

“ମୋ ପୁଅ ୧୬ ବର୍ଷରୁ କମ୍ ସ୍କୁଲ୍ କ୍ରିକେଟରେ ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟ ଖେଳିବାକୁ ମନୋନିତ ହୋଇଛି । କିନ୍ତୁ ଭିତ୍ତିଭୂମିର ଅଭାବ ଯୋଗୁଁ ତାର ଖେଳରେ ଉନ୍ନତି ଆସୁ ପାରୁ ନାହିଁ । ଏହି ଯୋଜନା ପରେ ସେ ଉପଯୁକ୍ତ ତାଲିମ ପାଇ ପାରିବ” ବୋଲି କହିଛନ୍ତି କେନ୍ଦ୍ରପାଡା ବ୍ଲକ ପୁରୁଷୋତମପୁରର କ୍ରିକେଟ ଖେଳାଳି କିରଣ ମହାନ୍ତିଙ୍କ ବାପା ଗଗନ ମହାନ୍ତି ।
Published by:Anand Shankar Thankur Das
First published: