ବାହାରୁ ଆସୁଥିବା ଲୋକଙ୍କ ଉପରେ BMCର କଡ଼ା ନଜର
News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ କମୁନି କୋଭିଡ ଚିନ୍ତା। ସାରା ଦେଶର ୨.୫% କୋଭିଡ ରୋଗୀ କେବଳ ଓଡ଼ିଶାରୁ। ଏହା ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ରହିଛି ଆଗରେ। ଯାହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଜଣାଇଛନ୍ତି। ଏପରିକି ରାଜ୍ୟରେ ଟେଷ୍ଟିଂ ହାର ମଧ୍ୟ କମିଥିବା ନେଇ ଉଦବେଗ୍ ପ୍ରକାଶ କରିଛନ୍ତି। ତେବେ ରାଜ୍ୟରେ କରୋନା ଓ ଓମିକ୍ରନ ଉପରେ ନଜର ରଖିଛି ବି.ଏମ.ସି. ବୋଲି ଅଧିକାରୀ କହିଛନ୍ତି। ଟେଷ୍ଟିଂ ସାଙ୍ଗକୁ ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ରହିଛି କଡ଼ା ନଜର।
ରାଜ୍ୟ ପାଇଁ ଚିନ୍ତା ରାଜଧାନୀ। ରାଜ୍ୟରେ ଡିସେମ୍ବର ୪ ସୁଦ୍ଧା ୭,୪୪୫ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ରବିବାର ସୁଦ୍ଧା ୧,୨୦୬ ରୋଗୀ ଚିହ୍ନଟ ହୋଇଥିଲେ । ଯାହା କେବଳ ଭୁବନେଶ୍ୱରରୁ। ଯାହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ।
ଏପରିକି ଭୁବନେଶ୍ୱରରେ ଟେଷ୍ଟିଂ ମଧ୍ୟ କମିଥିବା ଉଲ୍ଲେଖ କରିଛନ୍ତି। ଯଦି ରାଜ୍ୟକୁ ଓମିକ୍ରନ ପ୍ରବେଶ କରେ ତେବେ ଏହା ଖୁବ କ୍ଷିପ୍ର ଗତିରେ ବ୍ୟାପିବାର ସମ୍ଭାବନା ରହିଛି। ବର୍ତ୍ତମାନ ସମୟରେ ଗମନାଗମନର ସୁବିଧା ଯୋଗୁଁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହୁଛି। ଭୁବନେଶ୍ୱରରେ ଏୟାରପୋର୍ଟ ଥିବାରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି।
କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, "କୋଭିଡ଼ ରାଜଧାନୀରେ ଅଧିକ ହେବାର କାରଣ ହେଉଛି ଫ୍ଲୋଟିଂ ପପୁଲେସନ। ପ୍ରତିଦିନ ଲୋକ ଏଠାକୁ ଯିବା ଆସିବା କରୁଛନ୍ତି। ଷ୍ଟେସନ, ଏୟାରପୋର୍ଟ ସବୁଠୁ ଯାତ୍ରୀ ବାହାରୁ ଆସୁଛନ୍ତି। ତେବେ ବି ସରକାର ସବୁ ସ୍ଥିତି ପାଇଁ ପ୍ରସ୍ତୁତ ରହିଛନ୍ତି। ଲୋକେ ନିଜେ ସତର୍କ ରୁହନ୍ତୁ ନଚେତ ନିଜେ ହଇରାଣ ହେବେ ।’’
ଭୁବନେଶ୍ୱରରେ କୋଭିଡ ସଂକ୍ରମଣ ଓ ବିଶେଷ କରି ଓମିକ୍ରନ ଉପରେ ବି.ଏମ.ସି. କଡ଼ା ନଜର ରଖିଥିବା ବି.ଏମ.ସି. ଅଧିକାରୀ କହିଛନ୍ତି। ଏୟାରପୋର୍ଟରୁ ଆସୁଥିବା ଯାତ୍ରୀଙ୍କ ଉପରେ ଦିଆଯାଉଛି ବିଶେଷ ଧ୍ୟାନ। ସଂକ୍ରମିତ ଦେଶରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ ନେଗେଟିଭ ସାର୍ଟିଫିକେଟ ବାଧ୍ୟତାମୂଳକ। ନଚେତ ଏୟାରପୋର୍ଟରେ କୋଭିଡ଼ ଟେଷ୍ଟ ବ୍ୟବସ୍ଥା କରାଯାଇଛି। ବାହାରୁ ଆସୁଥିବା ଲୋକ ହୋମ କ୍ବାରେଣ୍ଟଇନ ବା ଇନଷ୍ଟିଚ୍ୟୁସନାଲ କ୍ବାରେଣ୍ଟଇନରେ ରହିବେ। ସେମାନଙ୍କ ଉପରେ ନଜର ରଖିବ ରାପିଡ଼ ଟିମ । ବର୍ତ୍ତମାନ ସୁଦ୍ଧା ୭୪ ଜଣ ଯାତ୍ରୀ ସସପେକ୍ଟେଡ ଦେଶରୁ ଆସିଥିବାବେଳେ ସମସ୍ତଙ୍କ ଉପରେ କଡ଼ା ନଜର ରଖିଛି ବି.ଏମ.ସି.। ପ୍ରତିଦିନ ପ୍ରାୟ ୬,୦୦୦ ଲୋକଙ୍କ କୋଭିଡ଼ ଟେଷ୍ଟ କରାଯାଉଛି। ଆବଶ୍ୟକ ଅନୁଯାୟୀ ସମସ୍ତ ପଦକ୍ଷେପ ବି.ଏମ.ସି. ନେଉଛି ବୋଲି ଡେପୁଟି କମିଶନର କହିଛନ୍ତି।
ବି.ଏମ.ସି. କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, "ଆମେ ଟିକାକରଣ ଓ ଟେଷ୍ଟିଂ ଉପରେ ସବୁବେଳେ ଫୋକସ କରୁଛୁ। ପ୍ରତିଦିନ ପ୍ରାୟ ୬,୦୦୦ ଟେଷ୍ଟିଂ ହେଉଛି। ଏଣୁ ଟେଷ୍ଟିଂରେ କେବେ କୌଣସି ଅସୁବିଧା ହୋଇନାହିଁ। ବାକି ରହିଲା ବାହାର ଦେଶରୁ ଆମ ରାଜ୍ୟକୁ ବା ଭୁବନେଶ୍ୱରକୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରହିଛି। ଏୟାରପୋର୍ଟରେ ବ୍ୟବସ୍ଥା ହୋଇଛି। ତାଙ୍କ ଦାୟିତ୍ୱ ନେବାକୁ ଆର.ଆର.ଟି. ମଧ୍ୟ ଆକ୍ଟିଭ ଅଛି ।’’
ସାରା ଦେଶରେ ବର୍ତ୍ତମାନ ଓମିକ୍ରନ କୁ ନେଇ ଭୟ ଦେଖିବାକୁ ମିଳିଛି। ଖୁବ ଶୀଘ୍ର ବ୍ୟାପୁଥିବା ବେଳେ ସତର୍କ ରହିବା ହିଁ ଏକମାତ୍ର ଉପାୟ ବୋଲି ବିଶେଷଜ୍ଞ କହୁଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।