News18 Odia Digital
ଭୁବନେଶ୍ୱର: ୨୦୧୪ ମସିହାରୁ କେନ୍ଦ୍ରର ଶାସନ ଦାୟିତ୍ୱ ବିଜେପି ହାତକୁ ଯିବା ପର ଠାରୁ ଓଡ଼ିଶାରେ ‘ନମୋ’ ଅର୍ଥାତ୍ ନବୀନ-ମୋଦିଙ୍କ ‘‘ଅଘୋଷିତ ମେଣ୍ଟ ସରକାର’’ ରାଜ୍ୟ ରାଜକୋଷକୁ ୭୨ ହଜାର କୋଟି ଟଙ୍କାର କ୍ଷତି ପହଞ୍ଚାଇଥିବା ଅଭିଯୋଗ କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଏ ସମ୍ପର୍କରେ ‘‘ତଥ୍ୟ’’ ପ୍ରଦାନ କରି କହିଛନ୍ତି ଯେ ଗତ ଛଅ ବର୍ଷ ଭିତରେ କେନ୍ଦ୍ରର ବିଜେପି ଓ ରାଜ୍ୟ ବିଜେଡି ସରକାର ସମୟରେ ଓଡ଼ିଶା ତା’ର ନ୍ୟାର୍ଯ୍ୟ ଦାବି ଓ ପ୍ରାପ୍ୟ ବାବଦରେ ୭୨ ହଜାର କୋଟି ଟଙ୍କା ହରାଇଛି ।
ଓଡ଼ିଶାର ସାମ୍ବିଧାନିକ ହକ୍ ଜି.ଏସ୍.ଟି. ବାବଦରେ ୨୦୧୯-୨୦ ମସିହା ପାଇଁ ଏ ପର୍ଯ୍ୟନ୍ତ ୮୦୦ କୋଟି ଟଙ୍କା କେନ୍ଦ୍ର ଦେଇନାହିଁ ଓ ୨୦୨୦-୨୧ ମସିହା ପାଇଁ ଏପ୍ରିଲରୁ ଜୁଲାଇ ମଧ୍ୟରେ ଓଡ଼ିଶା ଜି.ଏସ୍.ଟି. ବାବଦକୁ ୩,୬୪୭ କୋଟି ଟଙ୍କା କେନ୍ଦ୍ର ଠାରୁ ପାଇବାର ଅଛି ବୋଲି କହିଛନ୍ତି କାନୁନଗୋ । ‘‘କିନ୍ତୁ ନବୀନ ବାବୁ ଏ ବିଷୟରେ କେନ୍ଦ୍ର ସମ୍ମୁଖରେ କୌଣସି ଦାବି ନ ଜଣାଇ ପୁନର୍ବାର ଋଣ କରିବା ପାଇଁ ନିଜର ସମ୍ମତି ପ୍ରଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ରର ସମଗ୍ର ଦେଶ ପାଇଁ ୩୬,୪୦୦ କୋଟି ଟଙ୍କା ମଧ୍ୟରୁ ଓଡ଼ିଶାକୁ କେତେ ମିଳିଲା ସେ ବିଷୟରେ ମୁଖ୍ୟ ମନ୍ତ୍ରୀ ରାଜ୍ୟବାସୀଙ୍କ ସାମନାରେ ତଥ୍ୟ ରଖିବା ଉଚିତ,’’ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସୋମବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କାନୁନଗୋ ।
ଏହା ବି ପଢ଼ନ୍ତୁ | ଏହି ନେତାଙ୍କୁ ଗୁରୁ ମାନୁଥିଲେ ନରେନ୍ଦ୍ର ମୋଦୀ, ନିର୍ବାଚନ ଜିତିବା ପରେ ତାଙ୍କ ଆଶିର୍ବାଦ ନେଉଥିଲେ, ମିଠା ଖୁଆଉଥିଲେ‘‘ବିଗତ କିଛି ବର୍ଷ ଭିତରେ ମୋଦିଙ୍କର ପ୍ରତ୍ୟେକ ନିଷ୍ପତ୍ତିକୁ, ତାହା ଯେତେ କ୍ଷତିକାରକ ଓ ଲୋକବିରୋଧୀ ହେଉ ନା କାହିଁକି, ନବୀନ ବାବୁ ଓ ତାଙ୍କ ଦଳ ତାକୁ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି । ସେ ବିମୁଦ୍ରାୟନ ହେଉ ବା ଜି.ଏସ୍.ଟି., ଚାଷୀ ଓ ଚାଷ ସମ୍ପର୍କିତ ଆଇନ୍ ବା କୋଇଲା ନିଲାମ ଓ ସିଏଏ ସମ୍ପର୍କିତ ଆଇନ୍ ହେଉ, ସବୁଥିରେ ନବୀନ ଓ ମୋଦିଙ୍କ ଡବଲ ଇଞ୍ଜିନ୍ର ସରକାର ଏକାଠି କାର୍ଯ୍ୟ କରୁଛନ୍ତି । ବିଜେପି ନେତାଙ୍କୁ ଓଡ଼ିଶାରୁ ରାଜ୍ୟ ସଭାକୁ ପଠାଇବାରେ ନବୀନବାବୁଙ୍କ ଅକୁଣ୍ଠ ସାହାଯ୍ୟ ସାରା ଓଡ଼ିଶା ଦେଖିଛି,’’ କହିଛନ୍ତି କାନୁନଗୋ । ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସହ ବରିଷ୍ଠ ନେତା ଜ୍ଞାନଦେବ ବେଉରା ଓ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ ।
ଏ ଭିତରେ ଓଡିଶାର ଋଣ ପରିମାଣ ୧ ଲକ୍ଷ ୨୫ ହଜାର କୋଟିରେ ପହଞ୍ଚିଲାଣି ଆଉ ଆଳୁ, ପିଆଜି ଓ ପେଟ୍ରୋଲ ଭଳି ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଅତ୍ୟଧିକ ଦରଦାମ୍ ବୃଦ୍ଧି ସାଧାରଣ ଜନତାକୁ ହନ୍ତସନ୍ତ କରୁଛି ଓ ଲୋକଙ୍କ ଉପରେ ଆର୍ଥିକ ଚାପ ବଢ଼ାଇ ଦେଇଛି ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀଙ୍କୁ ରାସ୍ତାରେ ଗୁଳି କରି ହତ୍ୟା କଲା ଯୁବକ, ଗିରଫ ହେଲା - ଦେଖନ୍ତୁ VIDEO‘‘ଓଡ଼ିଶାର କେବିକେ ଯୋଜନାକୁ ମୋଦି ସରକାର ବନ୍ଦ କଲେ । ରାଜ୍ୟର କିରୋସିନି କୋଟାକୁ କେନ୍ଦ୍ର କମାଇ ଦେଲା, କିନ୍ତୁ ନବୀନ ବାବୁ ଚୁପ୍ । ଓଡ଼ିଶାରେ ବେକାରୀ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇ ଜାତୀୟ ହାର ଠାରୁ ଉପରେ ରହିଛି । ବେକାରୀ ସ୍ଥିତି ଏତେ ସଙ୍ଗୀନ ହେଲାଣି ଯେ ଶିକ୍ଷିତ ଯୁବକ ଯୁବତୀମାନେ ବ୍ୟାଙ୍କରୁ ଆଣିଥିବା ଋଣ ସୁଝିବାକୁ ଅକ୍ଷମ । ରାଜ୍ୟରେ ବ୍ୟାଙ୍କ ଋଣର ୧୪ ପ୍ରତିଶତ ହେଉଛି କେବଳ ଶିକ୍ଷା ଋଣ । କୃଷକମାନେ ବି ଦାରିଦ୍ର ହେତୁ ବ୍ୟାଙ୍କରୁ ନେଇଥିବା ଋଣ ସୁଝିପାରୁ ନାହାନ୍ତି । ଏହି ଋଣର ପରିମାଣ ମୋଟ୍ ଏନ୍.ପି.ଏ.ର ପାଖାପାଖି ୧୪ ପ୍ରତିଶତ ହେଲାଣି । ଏହା ରାଜ୍ୟର ସାଧାରଣ ଜନତାଙ୍କର ଅତ୍ୟନ୍ତ ଶୋଚନୀୟ ଆର୍ଥିକ ସ୍ଥିତିକୁ ସୂଚାଉଛି,’’ କହିଛନ୍ତି କାନୁନଗୋ ।
ଗତ ଛଅ ବର୍ଷ ଧରି ଲୁହାପଥର ରୟାଲିଟିର ଦର ବୃଦ୍ଧି କରାଗଲା ନାହିଁ ଓ ଏ ବାବଦରେ ରାଜ୍ୟ ପାଖାପାଖି ୪ ହଜାର କୋଟି ଟଙ୍କା ହରାଇଲା ବୋଲି ସେ କହିଛନ୍ତି । ଗତ ୬ ବର୍ଷ ଧରି କୋଇଲା ରୟାଲିଟିର ଦରର ପୁନଃସମୀକ୍ଷା କରାଯାଇ ନ ଥିବାରୁ ଓଡ଼ିଶା ପାଖାପାଖି ୧୨ ହଜାର କୋଟି ଟଙ୍କାର କ୍ଷତି ସହିଛି ବୋଲି କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଛନ୍ତି।
ନ୍ୟାସନାଲ୍ କ୍ଲିନ୍ ଏନର୍ଜି ଫଣ୍ଡ ବାବଦକୁ ଯେଉଁ ସେସ୍ ଆଦାୟ ହେଉଛି ସେଥିରୁ ଓଡ଼ିଶାର ଅଂଶ ବାବଦକୁ ରାଜ୍ୟ ବର୍ଷକୁ ପାଖାପାଖି ୮ ହଜାର କୋଟି ଟଙ୍କା ହରାଉଛି ବୋଲି ସେ କହିଛନ୍ତି । ‘‘ଦୁଃଖର ସହିତ କହିବାକୁ ପଡୁଛି ଯେ ଜି.ଏସ୍.ଟି.ର କ୍ଷତିପୂରଣ ସେସ୍ ଓ ଅର୍ଥ କମିଶନଙ୍କ ଆବଣ୍ଟନ ପ୍ରକ୍ରିୟାରେ ରାଜ୍ୟର ଅଂଶ ବାବଦକୁ ଓଡ଼ିଶା ହଜାର ହଜାର କୋଟି ଟଙ୍କାର ନିଜସ୍ୱ ହକ୍ ବିଗତ ଛଅ ବର୍ଷ ଭିତରେ ହରାଇଛି । ଏଥିରୁ ଏକଥା ସ୍ପଷ୍ଟ ଯେ ସମଦୂରତାର କଥା କହୁଥିବା ନବୀନ ବାବୁ ନିଜର ଦଳୀୟ ସ୍ୱାର୍ଥ ପାଇଁ କେନ୍ଦ୍ରର ବିଜେପି ସରକାର ସମ୍ମୁଖରେ ଓଡିଶାର ନ୍ୟାର୍ଯ୍ୟ ଦାବି ଓ ହକକୁ ଉତ୍ଥାପନ କରିବାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି,’’ କହିଛନ୍ତି ଶତପଥୀ । କଂଗ୍ରେସର ଏହି ଆରୋପ ଉପରେ ବିଜେଡି କିଛି କହିବାକୁ ମନା କରିଦେଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।