News18 Odia Digital
ଭୁବନେଶ୍ୱର: ଜାତୀୟ ସ୍ତରରେ କଂଗ୍ରେସର ନବ କଳେବର ପ୍ରୟାସ ପରେ ଓଡ଼ିଶାରେ ବଡ ଧରଣର ପରିବର୍ତ୍ତନକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଆଧାରରେ ପ୍ରଥମେ ଜିତେନ୍ଦ୍ର ସିଂଙ୍କୁ ହଟାଇ ତାଙ୍କ ସ୍ଥାନରେ ଡକ୍ଟର ଏ. ଚେଲ୍ଲାକୁମାରଙ୍କୁ ରାଜ୍ୟ ପ୍ରଭାରୀର ଦାୟିତ୍ବ ଦିଆଯାଇଛି । ଓଡ଼ିଶା କଂଗ୍ରେସର ବରିଷ୍ଠ ନେତାମାନେ ତାଙ୍କ ନିଯୁକ୍ତିକୁ ସ୍ବାଗତ କରିବା ସହ ଖୁବ ଶୀଘ୍ର ଓଡିଶାରେ ପିସିସି, ଜିଲ୍ଲା ଓ ବ୍ଲକ ସ୍ତରରେ ବ୍ଯାପକ ପରିବର୍ତ୍ତନ ନେଇ ଆଶା ରଖିଛନ୍ତି।
ଏଆଇସିସିର ସ୍ଥାୟୀ ନିମନ୍ତ୍ରିତ ସଦସ୍ଯ ତଥା ମିଜୋରାମ ଓ ମଣିପୁରର ପ୍ରଭାରୀ ଦାୟିତ୍ବ ମିଳିବା ପରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ କଂଗ୍ରେସ ଭବନରେ ସ୍ବାଗତ କରାଯାଇଛି। ଖୁବ ଶୀଘ୍ର ଓଡ଼ିଶା ପ୍ରଦେଶ କଂଗ୍ରେସରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ନେତାମାନେ କହିଛନ୍ତି ।
ଓଡ଼ିଶା କଂଗ୍ରେସ ଶୀଘ୍ର ନୁଆ ମୁଖିଆ ଦେଖିବ ବୋଲି ଅନେକ କହିବା ଆରମ୍ଭ କରିଛନ୍ତି । ନୂଆ ପ୍ରଭାରୀଙ୍କ ନିଯୁକ୍ତି ସହ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ରାଜ୍ଯ କଂଗ୍ରେସର ବରିଷ୍ଠ ନେତାମାନେ । ରାଜ୍ଯ କଂଗ୍ରେସ ସଂପୂର୍ଣ ସ୍ଥାଣୁ ହୋଇପଡ଼ିଥିବା ବେଳେ ଚେଲ୍ଲାକୁମାରଙ୍କ ନିଯୁକ୍ତି ଦଳକୁ ନୂଆ ଦିଶା ଦେଖାଇବ ବୋଲି ସେମାନେ କହିଛନ୍ତି । ନୂଆ ପ୍ରଭାରୀ ଜଣେ ସୁସଂଗଠକ ଓ ତାଙ୍କ ନେତୃତ୍ବରେ ଓଡିଶା କଂଗ୍ରେସ ବେଶ ସୁଦୃଢ ହେବ ବୋଲି ସେମାନେ କହିଛନ୍ତି । ରାଜ୍ଯରେ ପିସିସି ସଭାପତିଙ୍କ ସମେତ କାର୍ଯ୍ୟକର୍ତ୍ତା ଏବଂ ଜିଲ୍ଲା ଓ ବ୍ଲକ କମିଟି ଆଦି ତୁରନ୍ତ ନିର୍ମାଣ କରିବାକୁ ଦାବି କରିଛନ୍ତି ବରିଷ୍ଠ ନେତାମାନେ ।

ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ
‘‘ବର୍ତ୍ତମାନ ଓଡିଶାର ପ୍ରାୟ ୧୭ ଜଣ ବରିଷ୍ଠ ନେତା ପିସିସି ସଭାପତି ପଦ ପାଇଁ ଲବିରେ ଅଛନ୍ତି,’’ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ‘‘ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ଓ ହେମାନନ୍ଦ ବିଶ୍ବାଳ ପ୍ରମୁଖ ଏହି ରେସରେ ଥିବା ବେଳେ ତୁରନ୍ତ ଜଣଙ୍କୁ ଦାୟିତ୍ବ ଦେଇ ଓଡିଶା କଂଗ୍ରେସକୁ ଚଳଚଞ୍ଚଳ କରିବା ଉଚିତ,’’ କହିଛନ୍ତି ସୁର।
‘‘ନୂଆ ପ୍ରଭାରୀଙ୍କ ନିଯୁକ୍ତି ସହ ରାଜ୍ଯ କଂଗ୍ରେସରେ ପରିବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇ ତିନି ମାସ ମଧ୍ଯରେ ଓଡ଼ିଶା କଂଗ୍ରେସ ନେତୃତ୍ବର ଏକ ନୂଆ ଦିଗ ଦେଖିବ,’’ କହିଛନ୍ତି ଏଆଇସିସି ସଂପାଦକ ଶରତ ରାଉତ।

ତାରାପ୍ରସାଦ ବାହିନୀପତି
ଏଆଇସିସିର ବହୁ ପଦପଦବୀରେ ରହି ଆସିଥିବା ଭକ୍ତ ଚରଣ ଦାସଙ୍କୁ ଏଆଇସିସିର ସ୍ଥାୟୀ ନିମନ୍ତ୍ରିତ ସଦସ୍ଯ ଏବଂ ମଣିପୁର ଓ ମିଜୋରାମର ପ୍ରଭାରୀ ଭାବେ ଦାୟିତ୍ବ ମିଳିବା ପରେ ତାଙ୍କୁ କଂଗ୍ରେସ ଭବନରେ ସମ୍ବର୍ଦ୍ଧିତ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଯେଉଁମାନେ ଦଳ ପାଇଁ କାମ କରିବେ ସେମାନଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ଭକ୍ତ ଦାସ କହିଛନ୍ତି । ବର୍ତ୍ତମାନ ଓଡ଼ିଶାର ନୂଆ ପ୍ରଭାରୀ ଦାୟିତ୍ୱ ନେଇଥିବା ଚେଲ୍ଲାକୁମାର ଓଡିଶା ବିଷୟରେ ବେଶ୍ କିଛି ଜାଣିଛନ୍ତି ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | Sushant Case: ରିୟା ଓ ତାଙ୍କ ଭାଇ ଶୌଭିକଙ୍କୁ ଜାମିନ ମିଳିଲା ନାହିଁ; ଜାଣନ୍ତୁ ୧୦ଟି ମୁଖ୍ୟ କଥା
ଏହା ବି ପଢ଼ନ୍ତୁ | ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି
‘‘ଚେଲ୍ଲାକୁମାର ଓଡ଼ିଶା ଆସିବା ପରେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରି ହାଇକମାଣ୍ଡଙ୍କୁ ଯାହା ରିପୋର୍ଟ ଦେବେ ସେହି ଅନୁଯାୟୀ ଓଡ଼ିଶାରେ ନେତୃତ୍ବ ପରିବର୍ତ୍ତନ ହେବ,’’ କହିଛନ୍ତି ଭକ୍ତ ଦାସ ।
ସୂତ୍ରଙ୍କ ଅନୁସାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଦରୁ ହଟାଇବା ପାଇଁ ବହୁ ଗୋଷ୍ଠୀ ପ୍ରୟାସ ଜାରି ରଖିଛନ୍ତି। ଏଥିରେ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ଗୋଟିଏ ଗୋଷ୍ଠୀ ବହୁ ପୂର୍ବରୁ ଉଦ୍ଯମ ଜାରି ରଖିଥିବା ବେଳେ କିଛି ଦିନ ତଳେ ତାରାପ୍ରସାଦ ବାହିନିପତି ଆଉ ଜଣେ ଦାବିଦାର ଭାବେ ଉଭା ହୋଇଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ଅନେକ ବରିଷ୍ଠ ନେତା ମଧ୍ଯ ପିସିସି ସଭାପତି ପଦ ପାଇଁ ଆଶାୟୀ ଅଛନ୍ତି । ହେଲେ ହାଇକମାଣ୍ଡ କିଭଳି ନିଷ୍ପତ୍ତି ନେଉଛନ୍ତି ଓ ନୂଆ ପ୍ରଭାରୀଙ୍କ ଗୁଡ ବୁକରେ କେଉଁ ନେତା ରହୁଛନ୍ତି ତାକୁ ଦେଖିବାକୁ କଂଗ୍ରେସ ନେତା, କର୍ମୀ ଓ ସମର୍ଥକମାନେ ଅପେକ୍ଷା କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।