ଚ଼ାଷୀଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ, ଫିଡ୍‌ବ୍ୟାକ୍‌ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବେ

ଥାନା, ଡ଼ାକ୍ତରଖାନା ଓ ଆର୍‌ଟିଓ ପରେ ଏବେ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହୋଇଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ‘ମୋ ସରକାର’ ମାଧ୍ୟମରେ କୃଷି ଓ କୃଷକର ବିକାଶ ସାଙ୍ଗକୁ ଚାଷୀର ଆୟ ବୃଦ୍ଧି ଉପରେ ସରକାର ଗୁରୁତ୍ବାରୋପ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Share this:
ଭୁବନେଶ୍ୱର: ରାଜ୍ୟର ଚ଼ାଷୀ ମାନଙ୍କ ସହ ଫୋନ୍‌ ମାଧ୍ୟମରେ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚ଼ାଷୀଙ୍କ ମତାମତ ନେବା ସହ ସେମାନଙ୍କ ସମସ୍ୟା ବୁଝିବେ । ଚାଷୀଙ୍କ ମତାମତ ଆଧାରରେ କର୍ମଚାରୀଙ୍କୁ ପ୍ରଶଂସା ପତ୍ର ସହ ପ୍ରୋତ୍ସାହନ ଦିଆଯିବ ଏବଂ ନକରାତ୍ମକ ମନ୍ତବ୍ୟ ଆସୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ।

ଚାଷୀଙ୍କ ସହିତ କଥା ହେବା ସହ ସେମାନଙ୍କ ସମସ୍ୟାର କିପରି ସମାଧାନ ହେବ ସେନେଇ ନିଷ୍ଠାର ସହ କାର୍ଯ୍ୟ କରିବାକୁ କର୍ମଚାରୀ ଓ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଥାନା, ଡ଼ାକ୍ତରଖାନା ଓ ଆର୍‌ଟିଓ ପରେ ଏବେ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହୋଇଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ‘ମୋ ସରକାର’ ମାଧ୍ୟମରେ କୃଷି ଓ କୃଷକର ବିକାଶ ସାଙ୍ଗକୁ ଚାଷୀର ଆୟ ବୃଦ୍ଧି ଉପରେ ସରକାର ଗୁରୁତ୍ବାରୋପ କରିଛନ୍ତି ।

ରାଜ୍ୟ  ସରକାରଙ୍କ ସ୍ବତନ୍ତ୍ର କୃଷି ବଜେଟ ଓ କୃଷି କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବା, କାଳିଆ ଯୋଜନାରେ କିପରି ଚାଷୀ ଅଧିକ ସୁବିଧା ପାଇବେ ଏବଂ ଚାଷୀଙ୍କର ସମସ୍ୟା କେଉଁଠି ରହୁଛି ତାହା ଜାଣିବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ।

କୃଷକକୁ ପ୍ରୋତ୍ସାହନ ରାଶି, ଜଳସେଚନ ସୁବିଧା, ସାର ଓ ବିହନ ଆଦି କିପରି କିପରି ଠିକ୍‌ ସମୟରେ ମିଳିବ ତାହାକୁ ମଧ୍ୟ ପ୍ରାଥମିକତା ଦେଇଛନ୍ତି ସରକାର ।

“କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ । ତେଣୁ ସେମାନଙ୍କ ଉନ୍ନତି ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ  ପଡ଼ିବ । ଚାଷୀ କୃଷି ବିଭାଗର କାର୍ଯ୍ୟରେ କେତେ ଦୂର ସନ୍ତୁଷ୍ଟ ହେଉଛନ୍ତି ଏବଂ ଆମେ କେତେ ସଫଳ ଭାବରେ ସେମାନଙ୍କୁ ସେବା ଯୋଗାଇ ଦେଉଛୁ, ତାହା ଜାଣିବା ଓ ସେବାକୁ ଆହୁରି ତୀବ୍ର କରିବା ହେଉଛି ‘ମୋ ସରକାର’ର ମୂଳ ଲକ୍ଷ,’’ ଲୋକସେବା ଭବନରେ କୃଷି ବିଭାଗକୁ ‘ମୋ ସରକାର’ରେ ସାମିଲ  କରିବା ଅବସରରେ କହିଥିଲେ ମୁଖ୍ୟମନ୍ତ୍ରୀ ।

‘ମୋ ସରକାର’ର ଉଦଘାଟନ ସମୟରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ କୃଷି ଅଧିକାରୀମାନେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ୧୯୯୯ ମହାବାତ୍ୟା ସମୟରେ ରିଲିଫ୍‌ ଯୋଗାଣ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ଆସିବା ସହ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଶସ୍ୟ ଯୋଗାଣରେ ସାରା ଦେଶରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରିଛି ।

ନବୀନ ପଟ୍ଟନାୟକଙ୍କ ସହ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ


ଓଡ଼ିଶାକୁ ପାଞ୍ଚ ଥର କୃଷି କର୍ମଣ ପୁରସ୍କାର ମଧ୍ୟ ମିଳିଛି । ଏହାର ଶ୍ରେୟ ଚାଷୀ ଭାଇଙ୍କର ଏବଂ ଚାଷୀ ଭାଇଙ୍କ କାର୍ଯ୍ୟ ସବୁବେଳେ ଆମକୁ ଗର୍ବିତ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ସହ କଥା ହୋଇ  ଚାଷ ସମ୍ପର୍କିତ ସମସ୍ୟା କେଉଁଠି ରହୁଛି ସେ ନେଇ ଆଲୋଚନା କରି ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ କହିଛନ୍ତି ସେ ।

କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ତାଙ୍କ ବିଭାଗରେ ‘ମୋ ସରକାର’ ଲାଗୁ ହେବା ପରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀମାନେ ଚାଷୀମାନଙ୍କ ସହିତ ସିଧାସଳଖ କଥା ହୋଇ ମତାମତ ନେବେ ।

‘‘ଏହା ଦ୍ବାରା ଅଧିକାରୀ ମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ଏବଂ ଆଭିମୁଖ୍ୟରେ ସକାରାତ୍ମକ ଦିଗ ଯୋଡ଼ିବ । କୃଷି  ଓ କୃଷକ ସଶକ୍ତିକରଣ ବିଭାଗରେ ୯୦ଟି ସ୍କିମ୍‌ କାମ କରୁଛି । ‘ମୋ ସରକାର’ ମାଧ୍ୟମରେ ଲାଇଭ୍‌ କଲ୍‌ ସେଣ୍ଟର୍‌ରେ ଚାଷୀଙ୍କ ଠୁ ମତାମତ ସଂଗ୍ରହ କରି ସମାଧାନ କରିବା , ଅନଲାଇନ ପେପରଲେସ ଏମପିଆର୍‌ ମଧ୍ୟମରେ କର୍ମଚାରୀଙ୍କ ଦକ୍ଷତା ମାପିବା, ୟୁନିଭରସାଲ ଫାର୍ମ ଫଣ୍ଡ୍‌ ଜରିଆାରେ ୫ ବର୍ଷରେ ୫ଲକ୍ଷ ପୋଖରୀ ଖନନ ଏବଂ ଏଥିରେ ସ୍ବୟଂ ସହାୟକ ମହିଳାଙ୍କୁ ଅଗ୍ରାଧିକାର ଦେବା, ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ବିଭିନ୍ନ ସ୍କିମ୍‌କୁ ବିଭିନ୍ନ ବର୍ଗରେ ବିଭକ୍ତ କରି କାର୍ଯ୍ୟ କରିବା ଏବଂ କାଳିଆ ରିଡ଼୍ରେସାଲ ଗ୍ରୀଭାନ୍ସ ସେଲ ମାଧ୍ୟମରେ ଚାଷୀଙ୍କ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ବ ଦିଆଯିବ,’’ କହିଛନ୍ତି କୃଷି ମନ୍ତ୍ରୀ ।

କୃଷି ବିଭାଗ ‘ମୋ ସରକାର’ରେ ସାମିଲ ହେବା ପରେ ସମାଲୋଚନା  ଆରମ୍ଭ କରିଛନ୍ତି ବିରୋଧୀ ଦଳମାନେ। ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି: “ଏବେ ବି ଚାଷୀଙ୍କୁ କମ୍‌ ଦାମରେ ଧାନ ବିକ୍ରି କରିବାକୁ ପଡ଼ୁଛି । ଶୀତଳ ଭଣ୍ଡାର ନାହିଁ । ତେଣୁ ‘ମୋ ସରକାର’ ଲାଗୁ କରିବା କେବଳ ଲୋକଦେଖାଣିଆ ।  ବିଜେଡ଼ି ସରକାର କେବଳ ରାଜ୍ୟ ବାସୀଙ୍କୁ ନୂଆ ନୂଆ ଚିତ୍ର ଦେଖାଉଛନ୍ତି’’ ।

ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି ରାଜ୍ୟ ସରକାର ସବୁଥିରେ ଫେଲ୍‌ ମାରିଛନ୍ତି, ତେଣୁ ଏଭଳି ନାଟକ କରୁଛନ୍ତି । ‘‘ମୋ ସରକାର’ ପୂର୍ବରୁ କାହା ସରକାର ଥିଲା ବୋଲି ପ୍ରଶ୍ନ କରିଛନ୍ତି ସେ।

ଲୋକସେବା ଭବନରେ ‘ମୋ ସରକାର’ ଉଦ୍‌ଘାଟନ ସମୟରେ କୃଷି ମନ୍ତ୍ରୀ, କୃଷି ସଚିବ, 5T ସଚିବ, ମୁଖ୍ୟ ଶାସନ ସଚିବ ଓ କୃଷି ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହ ଭିଡ଼ିଓ କନ୍ଫେରେନ୍ସିଂରେ ୩୦ ଜିଲ୍ଲାର ଜିଲ୍ଲାପାଳ ଓ କୃଷି ଅଧିକାରୀ ଉପସ୍ଥିତ ଥିଲେ ।
First published: