ନବୀନ ପୁଣି ଥରେ, ମାନେ ଅଷ୍ଟମ ଥର, ବିଜେଡି ସଭାପତି ହେବେ; ଔପଚ଼ାରିକ ଘୋଷଣା ବାକି ରହିଛି

ଏକ ମାତ୍ର ପାର୍ଥୀ ଭାବେ ନବୀନ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ପୁଣି ଥରେ ବିଜେଡି ସଭାପତି ହେବା ନିଶ୍ଚିତ । ଆସନ୍ତା ୨୬ ତାରିଖ ଦିନ ସେ ଦଳର ମୁଖିଆ ଭାବେ ଅଷ୍ଟମ ଥର ପାଇଁ ଶିରିପା ପିନ୍ଧିବେ । ସେଥି ପାଇଁ ଦଳରେ ଆସିଛି ଉତ୍ସାହର ନୂଆ ସୁଅ ।

ନବୀନ ପୁଣି ଥରେ, ମାନେ ଅଷ୍ଟମ ଥର, ବିଜେଡି ସଭାପତି ହେବେ; ଔପଚ଼ାରିକ ଘୋଷଣା ବାକି ରହିଛି
ବିଜେଡିର ସଭାପତି ପଦ ପାଇଁ ନାମାଙ୍କନ କରୁଛନ୍ତି ନବୀନ ପଟ୍ଟନାୟକ ।
  • News18 Odia
  • Last Updated: February 24, 2020, 2:03 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୦ ବର୍ଷ ଧରି ଅପ୍ରତିଦ୍ୱନ୍ଦୀ ନେତା ଭାବେ ନିଜକୁ ପ୍ରତିପାଦିତ କରିଥିବା ନବୀନ ପଟ୍ଟନାୟକ ପୁଣି ଥରେ ଦଳର ମଙ୍ଗ ଧରିବାକୁ ଯାଉଛନ୍ତି । ଆସନ୍ତା ୨୬ ତାରିଖ ଦିନ ସେ ବିଜେଡ଼ିର ମୁଖିଆ ଭାବେ ଅଷ୍ଟମ ଥର ପାଇଁ ଶିରିପା ପିନ୍ଧିବେ ।

ବିଜେଡ଼ିର ସାଂଗଠନିକ ନିର୍ବାଚ଼ନ ପ୍ରକିୟାରେ ଦଳର ସଭାପତି ପଦ ପାଇଁ ରବିବାର ଦିନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବୀନ । ଦିନ ୧୦ଟାରେ ବିଜେଡିର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦଳର ସାଂଗଠନିକ ନିର୍ବାଚନ ଅଧିକାରୀଙ୍କ ନିକଟରେ ପାର୍ଥୀପତ୍ର ଦାଖଲ କରିଛନ୍ତି ସେ ।

ରାଜ୍ୟ ସଭାପତିଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ରାଜ୍ୟ କାର୍ଯ୍ୟାଳୟ ବେଶ ଚଳଚଞ୍ଚଳ ହୋଇଥିଲା । ଦଳର ବରିଷ୍ଠ ନେତାଙ୍କ ସହ ଛାମୁଆ ସଂଗଠନର କର୍ମକର୍ତାଙ୍କ ଭିଡ଼ ଜମିଥିଲା  ନବୀନ ଦୁଇ ସେଟର ନାମାଙ୍କନ ଭରିଥିବା ବେଳେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସ ବର୍ମା ଓ ପ୍ରଣବ ପ୍ରକାଶ ଦାସଙ୍କ ସହ ମୋଟ ୧୦ ଜଣ ପ୍ରସ୍ତାବକ ରହିଛନ୍ତି ।

ଏକ ମାତ୍ର ପାର୍ଥୀ ଭାବେ ନବୀନ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ସଭାପତି ହେବା ନିଶ୍ଚିତ । କେବଳ ଔପଚାରିକ ଘୋଷଣା ବାକି ରହିଛି ।

ବିଜେଡିର ବରିଷ୍ଠ ନେତାମାନେ ନବୀନଙ୍କ ନାମାଙ୍କନରେ ସହଯୋଗ କରୁଛନ୍ତି ।


ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ବିଧିବଦ୍ଧ ଭାବେ ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ନାମ ଘୋଷଣା କରିବେ ୨୬ ତାରିଖ ଦିନ । ଏହି ନିର୍ବାଚନ ପ୍ରକିୟା ଡ଼ିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ରବିବାର ଦିନ ଆରମ୍ଭ ହୋଇଛି ଚୂଡ଼ାନ୍ତ ଅର୍ଥାତ ପଞ୍ଚମ ପର୍ଯ୍ୟାୟର ନିର୍ବାଚନ ପ୍ରକିୟା । ଏହି ପ୍ରକିୟାରେ ରାଜ୍ୟ ସଭାପତି ନବୀନ ନାମାଙ୍କନ ଭରିଥିବା ବେଳେ ତାଙ୍କ ସହ ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସୋମବାର ଦିନ ପାର୍ଥୀପତ୍ର ଯାଞ୍ଚ ହେବ । ବିଜେଡ଼ିର ଏହି ଚୂଡ଼ାନ୍ତ ନିର୍ବାଚନ ଭୋଟିଂ ପ୍ରକିୟାରେ ସାମିଲ ହୋଇଛନ୍ତି ୩୫୫ ଜଣ ରାଜ୍ୟ ପରିଷଦ ସଦସ୍ୟ । ୨୬ ତାରିଖ ଦିନ ଦଳର ସଭାପତି ଭାବେ ନବୀନ ଦାୟିତ୍ୱ ଗ୍ରହଣ କରୁଥିବାରୁ ବିଜେଡ଼ି କାର୍ଯ୍ୟାଳୟରେ ବିରାଟ ଆୟୋଜନ କରାଯିବ ।

ଲଗାତାର ଅଷ୍ଟମ ଥର ପାଇଁ ସଭାପତି ପଦ ଅଳଙ୍କୃତ କରିବାକୁ ଯାଉଥିବାରୁ ନବୀନଙ୍କ ଆଗରେ ବହୁତ ଚ୍ୟାଲେଞ୍ଜ ରହିଛି । ବିଜେଡ଼ି ଲଗାତାର ଭାବେ ପଞ୍ଚମ ଥର ପାଇଁ ସରକାରକୁ ଆସିଥିବାରୁ ସାଧାରଣ ଲୋକଙ୍କ ସହ କର୍ମୀଙ୍କ ଆଶା ବି ଢ଼େର୍‌ ବଢ଼ିଛି । ଗଲା ଡ଼ିସେମ୍ବର ୨୬ ତାରିଖରେ ଦଳକୁ ମଧ୍ୟ ୨୩ ବର୍ଷ ପଦାର୍ପଣ କରି ସାରିଛି । ତେଣୁ ସରକାର ସହିତ ଦଳକୁ ଆଗକୁ ବଢ଼ାଇବା ନବୀନଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ।

ଏହା ସହ ଆଗକୁ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳକୁ ଅଧିକ ସଂଗଠିତ କରିବା ସହ ଲୋକଙ୍କ ନିକଟତର କରିବା ତାଙ୍କ ପାଇଁ  ପ୍ରମୁଖ ଲକ୍ଷ ହେବ । ତା’ଛଡ଼ା ନବୀନ ଆଉ ଥରେ ଦାୟିତ୍ୱ ନେବା ପରେ ଦଳର ଛାମୁଆ ସଂଗଠନ ସବୁ ଯଥା ଯୁବ, ମହିଳା ଓ ଛାତ୍ର ସଂଗଠନର ମଧ୍ୟ ନବକଳେବର ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ନବୀନ ନିଜକୁ ଅପ୍ରତିଦ୍ୱନ୍ଦୀ ନେତା ଭାବେ ପ୍ରତିପାଦିତ କରିଥିବାରୁ ତାଙ୍କ ଉପରେ ଦଳ ସଂପୂର୍ଣ ଆସ୍ଥା ରଖିଥିବା କହିଛନ୍ତି ଦଳର ଅନେକ ନେତା ।

‘‘ନବୀନଙ୍କ ନେତୃତ୍ୱରେ ଦଳ ବହୁତ ଆଗକୁ ଯାଇଛି । ଯେ ପର୍ଯ୍ୟନ୍ତ ନବୀନ ନେତୃତ୍ୱ ନେଇଛନ୍ତି, ଦଳ ଆଗକୁ ଚ଼ାଲିବ । ପଞ୍ଚମ ଥର ପାଇଁ ସେ ମୁଖ୍ୟ ମନ୍ତ୍ରୀ ହୋଇଛନ୍ତି, ତଥାପି ଲୋକଙ୍କ ଆସ୍ଥା ଅତୁଟ ରହିଛି । ସେ ଲୋକଙ୍କ ସହିତ ଅଛନ୍ତି, ତେଣୁ ଆଗକୁ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଥିବାରୁ ତାଙ୍କ ନେତୃତ୍ୱରେ ଦଳ ଭଲ କରିବ,’’ କହିଛନ୍ତି ଦଳର ବରିଷ୍ଠ ନେତା ତଥା ଉପସଭାପତି ଅନଙ୍ଗ ଉଦୟ ସିଂଦେଓ ।

ଅନ୍ୟତମ ବରିଷ୍ଠ ନେତା ତଥା କେନ୍ଦ୍ରପଡ଼ା ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି: ‘‘ଆଜିର ସ୍ଥିତିରେ ନବୀନ କେବଳ ବିଜେଡ଼ି ସଭାପତି ଭାବେ ଅପ୍ରତିଦ୍ୱନ୍ଦୀ ନୁହନ୍ତି, ସେ ରାଜ୍ୟର ନେତାଙ୍କ ମଧ୍ୟରେ ସେ ଅପ୍ରତିଦ୍ୱନ୍ଦୀ । ଦଳ ତାଙ୍କ ନିକଟରୁ ଅନେକ ଆଶା ରଖିଛି । ତାଙ୍କ ନେତୃତ୍ୱରେ ଦଳ ଆଗକୁ ବହୁତ ସଫଳ ହେବ ।’’
First published: February 24, 2020, 2:03 AM IST
corona virus btn
corona virus btn
Loading