ଆଗକୁ ବଢ଼ିବା ପାଇଁ BJD କୌଣସି ନେତାଙ୍କ ଉପରେ, ଏପରିକି ମୋ’ ଉପରେ, ନିର୍ଭର କରେ ନାହିଁ: ନବୀନ ପଟ୍ଟନାୟକ

ନବୀନଙ୍କୁ ଦଳର ଏକ ମାତ୍ର ଚେହେରା ଭାବେ ଚିତ୍ରଣ କରି ୧୯ ବର୍ଷ ଧରି ଶାସନ ଗାଦିରେ ବସିଥିବା ବିଜେଡିର ୨୩ତମ ପ୍ରତିଷ୍ଠା ଦିବସରେ ଖୋଦ୍ ନବୀନ ଲୋକଙ୍କ ମନରୁ ସେଭଳି ଧାରଣା ଦୂରେଇ ଦେବାକୁ ଚ଼ାହୁଛନ୍ତି । ବିଜେଡିର ଭବିଷ୍ୟତ କୌଣସି ବ୍ୟକ୍ତି, ଚ଼େହେରା ବା ପରିବାରବାଦ ଉପରେ ନିର୍ଭର ନ କରି କେବଳ ଓଡିଶାବାସୀଙ୍କ ହାତରେ ରହିବ ବୋଲି ସେ ସଙ୍କେତ ଦେଇଛନ୍ତି ।

ଆଗକୁ ବଢ଼ିବା ପାଇଁ BJD କୌଣସି ନେତାଙ୍କ ଉପରେ, ଏପରିକି ମୋ’ ଉପରେ, ନିର୍ଭର କରେ ନାହିଁ: ନବୀନ ପଟ୍ଟନାୟକ
ବିଜେଡିର ୨୩ତମ ପ୍ରତିଷ୍ଠା ଦିବସରେ ନବୀନ ।
  • News18 Odia
  • Last Updated: December 26, 2019, 9:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ୱର: ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ (ବିଜେଡି)ର ପ୍ରତିଷ୍ଠା ଦିବସରେ କର୍ମୀମାନଙ୍କୁ ଅହିଂସା ଏବଂ ଶୃଙ୍ଖଳାର ପାଠ ପଢ଼ାଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । କର୍ମୀ ମାନଙ୍କୁ ବିକାଶର ମନ୍ତ୍ର ଦେବା ସହ ବିଜେଡିର ଭବିଷ୍ୟତ ସମ୍ପର୍କରେ ମଧ୍ୟ ସେ କରିଛନ୍ତି ସବୁ ଠାରୁ ବଡ ଇସାରା ।

‘‘ବିଜେଡି ଏକ ରାଜନୈତିକ ଦଳ ନୁହେଁ । ତିଷ୍ଠି ରହିବା ପାଇଁ ଓ ଆଗକୁ ବଢ଼ିବା ପାଇଁ ଏହା କିଛି ନେତାଙ୍କ ଉପରେ, ଏପରିକି ମୋ’ ଉପରେ, ନିର୍ଭର କରେ ନାହିଁ… ବିଜୁବାବୁ କହୁଥିଲେ ‘ମୋ’ ପ୍ରତି ବିଶ୍ୱସ୍ତ ହେବା ଦରକାର ନାହିଁ । ଓଡ଼ିଶାର ଭାଗ୍ୟ ଓ ଭବିଷ୍ୟତ ପ୍ରତି ବିଶ୍ୱସ୍ତ ରୁହ ।’ ତାଙ୍କରି କଥା ସତ ହୋଇ ବିଜେଡି ଆଜି ଗୋଟେ ଜନ ଆନ୍ଦୋଳନରେ ପରିଣତ ହୋଇଯାଇଛି,’’ କହିଛନ୍ତି ନବୀନ ।

ବାଇଶି ବର୍ଷ ପୂରଣ କରି ତେଇଶିରେ ପାଦ ଥାପିଥିବା ବିଜେଡିର ପ୍ରତିଷ୍ଠା ଦିବସ ଉତ୍ସବରେ ୭୩ ବର୍ଷୀୟ ମୁଖ୍ୟ ମନ୍ତ୍ରୀଙ୍କ ମୁହଁରୁ ଏସବୁ କଥା ଶୁଣି ଦଳର ଭବିଷ୍ୟତ ଓ ପରବର୍ତ୍ତୀ ଉତ୍ତରାଧିକାରୀ ବିଷୟରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବା ଆରମ୍ଭ କରିଛି ।

ଦଳର କର୍ମୀମାନଙ୍କୁ ତାଙ୍କ ଗୁରୁ ମନ୍ତ୍ର କଣ ରହିବ, ତାକୁ ଅପେକ୍ଷା କରାଯାଉଥିବା ବେଳେ ନବୀନ ଦଳର ଭବିଷ୍ୟତ ପାଇଁ କାର୍ଡ଼ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କିଛି ସମୀକ୍ଷକ ଅନୁମାନ କରୁଛନ୍ତି ।

ନବୀନ ଏହା ପୂର୍ବରୁ ମଧ୍ୟ ଉତ୍ତରାଧିକାରୀ ସଂକ୍ରାନ୍ତରେ ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲିଥିଲେ । ଦଳର ହିଁ ନେତା ବିଜୁ ଜନତା ଦଳକୁ ଆଗକୁ ବଢାଇବେ ବୋଲି ଆଗରୁ କହିଥିବା ନବୀନ ଆଜି ଏହାକୁ ଆଉ ଗୋଟିଏ ପାଦ ଆଗକୁ ବଢାଇଛନ୍ତି ।

ପ୍ରତିଷ୍ଠା ଦିବସ ସମାରୋହରେ ନବୀନଙ୍କର ଜଣେ ପ୍ରଶଂସକ ।


ପଞ୍ଚମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେଡିର ଅଧିକାଂଶ ନେତା କହିଥାନ୍ତି ଯେ ନବୀନଙ୍କ ସ୍ୱଚ୍ଛ ଶାସନ ଆଉ ତାଙ୍କ ବ୍ୟକ୍ତିତ୍ୱ ପାଇଁ ଦଳ ଲଗାତର ଭାବେ ଜିତିଆସୁଛି । ହେଲେ ପଞ୍ଚମ ଥର ଜିତିବା ପରେ ନବୀନ ଆଉ ଦଳକୁ ନିଜ ଛତ୍ରଛାୟା ବା ନିଜ ଆଭିମୁଖ୍ୟ ତଳେ ବଢାଇବାକୁ ଚାହୁଁ ନ ଥିବାର ବଡ଼ ସଂକେତ ଦେଇଛନ୍ତି । ସେଇଥି ପାଇଁ ତ ବିଜେଡି ସାଢେ଼ ଚ଼ାରି କୋଟି ଲୋକଙ୍କ ଦଳ ଓ ଏକ ଜନ ଆନ୍ଦୋଳନ ବୋଲି କହି ଆଗାମୀ ଦିନରେ ଏହା କିଭଳି ଆଗକୁ ବଢି଼ବ ଓ ଅଧିକ ସଙ୍ଗଠିତ ହେବ ତା’ ରୋଡ୍‌ମ୍ୟାପର ଏକ ଟ୍ରେଲର ଦେଖାଇଛନ୍ତି ସେ ।

‘‘ଓଡ଼ିଶାର ସାଢ଼େ ଚ଼ାରି କୋଟି ଭାଇ ଭଉଣୀ ହେଉଛନ୍ତି ଆମ ପରିବାର । ଭୋଟ୍‌ ଜରିଆରେ ସେମାନେ ଆମକୁ ଦେଇଥିବା ଦାୟିତ୍ଵ କ୍ଷମତା ନୁହେଁ, ଆମ ପରିବାରର ସେବା ପାଇଁ ଏହା ଏକ ମହାନ ସୁଯୋଗ । ଏହି ଭାବନା ନେଇ ଆମେ ସମସ୍ତେ କାମ କରିବା ଉଚି଼ତ। ନିର୍ବାଚନ ଜିତିବା ପାଇଁ ଆମେ କାମ କରୁନୁ, ଲୋକଙ୍କ ହୃଦୟ ଜିତିବା ଆମ ଲକ୍ଷ,’’ ପ୍ରତିଷ୍ଠା ଦିବସ ରେ କହିଛନ୍ତି ନବୀନ ।

ନବୀନଙ୍କୁ ଦଳର ଏକ ମାତ୍ର ଚେହେରା ବା ବ୍ରାଣ୍ଡ ଭାବେ ଚିତ୍ରଣ କରି ଦୀର୍ଘ ୧୯ ବର୍ଷ ଧରି ଶାସନ ଗାଦିରେ ବସିଛି ବିଜେଡି । କିନ୍ତୁ ପ୍ରତିଷ୍ଠା ଦିବସରେ ନବୀନଙ୍କ ବକ୍ତବ୍ୟରୁ ପ୍ରତୀତ ହେଉଛି ଯେ ଲୋକଙ୍କ ମନରୁ ଏଭଳି ଧାରଣା ସେ ନିଜେ ଦୂରେଇ ଦେବାକୁ ଚ଼ାହାନ୍ତି । ବିଜେଡିର ଭବିଷ୍ୟତ ଯେ କେବଳ ଓଡିଶାବାସୀଙ୍କ ହାତରେ, ନା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା କୌଣସି ଚ଼େହେରା ବା ପରିବାରବାଦକୁ ନେଇ ଯେ ବିଜେଡି ଆଗକୁ ବଢିବ ନାହିଁ, ସେହି ସଙ୍କେତ ଦେଇଛନ୍ତି ନବୀନ ।

ଏମିତି ସଙ୍କେତ ପୂର୍ବରୁ ମଧ୍ୟ ଦେଇ ସାରିଛନ୍ତି ମୁଖ୍ୟ ମନ୍ତ୍ରୀ । ଗତ ସାଧାରଣ ନିର୍ବାଚ଼ନର ସଫଳତା ପରେ ବିଜେଡିର ଉତ୍ତରାଧିକାରୀ ଓଡିଶାବାସୀ ବାଛିବେ ବୋଲି କହି ଅନେକ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ନବୀନ ।
Published by: Anand Shankar Thankur Das
First published: December 26, 2019, 9:36 PM IST
corona virus btn
corona virus btn
Loading