ଐତିହାସିକ କଟକ ସହରର ନବକଳେବର ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ ପ୍ରସ୍ତୁତ

ନିଜେ ମହାନଦୀ ପଠାକୁ ଆସି ଏସସିବି ମେଡିକାଲ, କଟକ ସହର ଓ ମହାନଦୀ ପଠାରେ ହେବାକୁ ଥିବା ଉନ୍ନୟନମୁଳକ କାର୍ଯ୍ୟର ମାଷ୍ଟର ପ୍ଲାନ ସମୀକ୍ଷା କରିଛନ୍ତି ମୁଖ୍ୟ ମନ୍ତ୍ରୀ । ଯୋଜନା ପ୍ରସ୍ତୁତି ବେଳେ ଲୋକଙ୍କ ମତାମତକୁ ଗୁରୁତ୍ବ ଦିଆଯିବ ଓ ସମଗ୍ର ଯୋଜନାରେ ଅଭିଜ୍ଞ ଟାଉନ୍ ପ୍ଲାନରମାନଙ୍କୁ ନିଯୁକ୍ତ କରାଯିବ ବୋଲି ସେ କହିଛନ୍ତି ।

ଐତିହାସିକ କଟକ ସହରର ନବକଳେବର ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ ପ୍ରସ୍ତୁତ
କଟକରେ ମହାନଦୀ ପଠାରେ ଭି.କେ. ପାଣ୍ଡିଆନ୍‌ଙ୍କ ସହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
  • News18 Odia
  • Last Updated: January 23, 2020, 9:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ପ୍ରଥମେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀମନ୍ଦିର ଓ ପୁରୀ ସହର, ତା’ପରେ ଲିଙ୍ଗରାଜ ମନ୍ଦିର ଓ କୋଣାର୍କ, ଆଉ ଏବେ କଟକର ପାଳି । ଐତିହାସିକ କଟକ ସହରର କାୟାକଳ୍ପରେ ଏକ ବିରାଟ ପରିବର୍ତ୍ତନ ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାର ଏହି ପ୍ରମୁଖ ସହରର ନବକଳେବର ଯୋଜନା ନେଇ ଏକ ବଡ ଘୋଷଣା ବି କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

କଟକର ହାଡିଆପଠା ଓ ସି-ସୋର୍ ପଠାରେ ନୂଆ କରି ସୃଷ୍ଟି ହୋଇଥିବା ୪୨୧ ଏକର ସ୍ଥାନରେ ପର୍ଯ୍ୟଟନ, କ୍ରୀଡା ଓ ଶିକ୍ଷା ଭଳି ଅନେକ ପ୍ରକଳ୍ପ ସ୍ଥାନ ପାଇବାକୁ ଯାଉଛି । ସହରର ଟ୍ରାଫିକ୍‌ ସମସ୍ୟାକୁ ଦୂର କରିବା ପାଇଁ ରିଙ୍ଗ୍‌ ରୋଡ଼କୁ ୬ ଲେନ୍‌ କରାଯିବ । ଏହା ସହ କ୍ରୀଡ଼ା ଓ ସାଂସ୍କୃତିକ କେନ୍ଦ୍ର ମଧ୍ୟ ନିର୍ମାଣ ହେବ ସହରରେ ।

ଗୁରୁବାର ଜାନୁଆରୀ ୨୩ ଦିନ ମହାନଦୀ ପଠାକୁ ଆସି ଏସସିବି ମେଡିକାଲ, କଟକ ସହର ଓ ମହାନଦୀ ପଠାରେ ହେବାକୁ ଥିବା ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ ମନ୍ତ୍ରୀ । ଯୋଜନା ପ୍ରସ୍ତୁତି ବେଳେ ଲୋକଙ୍କ ମତାମତକୁ ଗୁରୁତ୍ବ ଦିଆଯିବ ଓ ସମଗ୍ର ଯୋଜନାରେ ଅଭିଜ୍ଞ ଟାଉନ୍ ପ୍ଲାନରମାନଙ୍କୁ ନିଯୁକ୍ତ କରାଯିବ ବୋଲି ସେ କହିଛନ୍ତି । ଏ ଯୋଜନାରେ ସହରର ଐତିହ୍ୟକୁ ପ୍ରଦର୍ଶିତ କରିବାର ବ୍ୟବସ୍ଥା କରାଯିବା ସହ ସହରରେ ଏକ ସବୁଜ ବଳୟ ମଧ୍ୟ ସୃଷ୍ଟି କରାଯିବ ।

‘‘ଏହି ୪୨୧ ଏକର ବିଶିଷ୍ଟ ଏକ ସ୍ଥାନର ପ୍ରତିଟି ଇଞ୍ଚକୁ କଟକ ବାସିନ୍ଦାଙ୍କ ପାଇଁ କ୍ରୀଡା, ବୈଷୟିକ ଶିକ୍ଷା, ପର୍ଯ୍ୟଟନ ଓ ପରିବେଶ ଅନୁକୁଳ କାର୍ଯ୍ୟରେ ବ୍ୟବହାର କରାଯିବ । ଏହା ବ୍ୟତୀତ ଏଠାରେ ସର୍ବସାଧାରଣ ସ୍ଥାନ, ପାର୍କ ଏବଂ ଅତ୍ୟାଧୁନିକ ପାର୍କିଂ ସହ ସବୁଜ ବଳୟ ସୃଷ୍ଟି କରାଯିବ,’’ କହିଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ରାଜ୍ୟର 5T ସଚ଼ିବ ଭି.କେ. ପାଣ୍ଡିଆନ ।

ମହାନଦୀ ପଠାରେ ଚ଼ାଲୁଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।


ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ଏମ୍ସ-ପ୍ଲସ୍‌ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଆରମ୍ଭ ହୋଇ ସାରିଥିବାରୁ ଏଥି ପାଇଁ ଆସନ୍ତା ଫ୍ରେବୃଆରି ମାସ ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ଅଧିକାରୀମାନେ । ଏହି ଅଧିଗ୍ରହଣରୁ ପ୍ରାୟ ୨୫ ଏକର ସ୍ଥାନ ରାଜ୍ୟ ସରକାରଙ୍କ ହାତକୁ ଆସିବ । ମାର୍ଚ୍ଚ ମାସରେ ଏସସିବିର ନବର୍ନିମାଣ କାର୍ଯ୍ୟ ଆରମ୍ଭ ହେବ ।

ଏସସିବିର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଦୁଇଟି ଖେଳ ପଡିଆକୁ ମହାନଦୀ ପଠାକୁ ସ୍ଥାନାନ୍ତରିତ କରାଯାଇ ସେଠାରେ ଦୁଇଟି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କରାଯିବ । ଏହା ବ୍ୟତିତ ରାଜ୍ୟ କ୍ରିଡା ବିଭାଗ ପକ୍ଷରୁ ମଧ୍ୟ ମହାନଦୀ ପଠାରେ ଆଉ ଏକ ସ୍ପେଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଲକ୍ଷ ରଖାଯାଇଛି ।

“ମହାନଦୀ ପଠାରେ ପାର୍କ, ସ୍ପୋଟ୍ସ କମ୍ପ୍ଲେକ୍ସ, ମଲ୍, ରେଷ୍ଟୋରାଣ୍ଟ୍ ଓ ଏକ ବଡ଼ ହୋଟେଲ ଇତ୍ୟାଦି କରାଯିବାକୁ ଲକ୍ଷ ରଖା ଯାଇଛି । ଏହା ସହ ଏହି ଅଞ୍ଚଳର କିଛି ସ୍ଥାନକୁ ବାସ ଉପଯୋଗୀ ମଧ୍ୟ କରାଯାଇ ଏକ ନୁଆ ସହର ଗଠନ କରିବାକୁ ଲକ୍ଷ ରଖାଯାଇଛି । ଏଥି ପାଇଁ ପ୍ଲାନ୍ ଡିଜାଇନ୍ କରାଯାଉଛି ଏବଂ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ’’ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚ଼ୟନୀ କହିଛନ୍ତି: ‘‘କେତେଗୁଡିଏ ନିୟମ ମାନିବା ପାଇଁ ଏନଜିଟି ବା ଜାତୀୟ ସବୁଜ ପ୍ରାଧିକରଣଙ୍କ ନିର୍ଦ୍ଦେଶ ରହିଛି । ମହାନଦୀ ପଠାରେ ଯାହା ବି ନିର୍ମାଣ କରାଯିବ ତାହା ଏନଜିଟିଙ୍କ ନିର୍ଦ୍ଦେଶନାମା ଓ ପରିବେଶକୁ ଦୃଷ୍ଟିରେ ରଖି କରାଯିବ’’ ।
First published: January 23, 2020, 9:30 PM IST
corona virus btn
corona virus btn
Loading