ଖୁବ୍ ଶୀଘ୍ର ବଦଳିବ ରାଜ୍ୟ ମନ୍ତ୍ରୀମଣ୍ଡଳର ପରିପାଟି: କିଏ ହେବେ ଇନ୍ ଆଉ କିଏ ହେବେ ଆଉଟ୍?

ନୂଆ ଓ ପୁରୁଣା ମୁହଁ ସହ ପୂର୍ବ ପାଳିରେ ମନ୍ତ୍ରୀ ଥିବା କିଛି ନେତା କ୍ୟାବିନେଟରେ ସାମିଲ ହେବା ନେଇ ଆଶା ବାନ୍ଧିଛନ୍ତି । ହେଲେ ସର୍ବଦା ଚର୍ଚ୍ଚା ଓ ବାସ୍ତବତା ଭିତରେ ଫରକ ସାବ୍ୟସ୍ତ କରୁଥିବା ନବୀନ ଏଥର କାହାକୁ ନେବେ ତାହା ଉପରେ ସଭିଙ୍କ ନଜର ରହିଛି ।

ଖୁବ୍ ଶୀଘ୍ର ବଦଳିବ ରାଜ୍ୟ ମନ୍ତ୍ରୀମଣ୍ଡଳର ପରିପାଟି: କିଏ ହେବେ ଇନ୍ ଆଉ କିଏ ହେବେ ଆଉଟ୍?
ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ବଦଳିବ ରାଜ୍ୟ ମନ୍ତ୍ରୀମଣ୍ଡଳର ଚେହେରା । କ୍ୟାବିନେଟ ସମ୍ପ୍ରସାରଣ ହେବା ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିଏ ଯିବେ ଆଉ କିଏ ଆସିବେ ସେ ନେଇ ଶୀର୍ଷ ସ୍ତରରେ ଅଙ୍କକଷା ଆରମ୍ଭ ହୋଇଗଲାଣି ।

ବିଜେଡି ସରକାରର ପଞ୍ଚମ ପାଳିର ଦେଢ଼ ବର୍ଷ ପୂରିବାକୁ ବସିଥିବା ବେଳେ କ୍ୟାବିନେଟରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଅନୁମାନ ଲଗାଉଛନ୍ତି ରାଜନୈତିକ ପଣ୍ଡିତମାନେ । ତେବେ ମନ୍ତ୍ରୀମଣ୍ଡଳରେ କିଏ ଇନ୍‌ ହେବେ ଓ କିଏ ଆଉଟ୍‌ ହେବେ ଓ ନୂଆ ମନ୍ତ୍ରିମଣ୍ଡଳରେ ଚୟନର ଆଧାର କଣ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଆଧାର ଯାହା ବି ହେଉ ନା କାହିଁକି, ବର୍ଷକର ରିପୋର୍ଟ କାର୍ଡ଼ ହିଁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣର ମୁଖ୍ୟ ଆଧାର ହେବ ବୋଲି କୁହାଯାଉଛି । ତା’ ଛଡ଼ା କିଛି ବିବାଦୀୟ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରାଯାଇପାରେ ବୋଲି ବି କୁହାଯାଉଛି ।

ବର୍ଷ ତମାମର ଚିତ୍ରକୁ ଦେଖିଲେ କିଛି ମନ୍ତ୍ରୀ ବ୍ୟକ୍ତିଗତ କାରଣ ପାଇଁ ବିବାଦକୁ ଆସିଥିବା ଓ ଆଉ କିଛି ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିବା ଦେଖାଯିବ । ଏପରିକି ମାସିକିଆ ରିପୋର୍ଟ କାର୍ଡ଼ ସହ ବର୍ଷ ଶେଷ ସମୀକ୍ଷାରେ କିଛି ମନ୍ତ୍ରୀଙ୍କ ପ୍ରଦର୍ଶନ ସନ୍ତୋଷଜନକ ନ ଥିବା କୁହାଯାଉଛି । ଏସବୁ ଭିତ୍ତିକୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାରେ ଥିବା ନେତାଙ୍କୁ ବାଦ ଦେଇ କିଛି ସ୍ବଚ୍ଛ ଚେହେରାଙ୍କୁ ଦଳ ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇପାରନ୍ତି ସୁଯୋଗ । ଏପରିକି କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରାଯିବା ନେଇ ବି ଚର୍ଚ୍ଚା ହେଉଛି ।

କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ପାୱାର କରିଡରରେ ଲବି ଆରମ୍ଭ ହୋଇଛି ।


କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ପାୱାର କରିଡରରେ ଲବି ଆରମ୍ଭ ହୋଇଥିବା ବେଳେ ବିଶେଷ କରି ପୁରୁଖା ଓ ଦକ୍ଷ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ନବୀନ ସ୍ଥାନ ଦେଇପାରନ୍ତି ବୋଲି ଅନୁମାନ କରିଛନ୍ତି ରାଜନୈତିକ ସମୀକ୍ଷକମାନେ । ଦକ୍ଷତା ଥାଇ ବି ବଞ୍ଚିତ ହୋଇଥିବା କିଛି ପୁରୁଖା ନେତାଙ୍କ ସହ କାର୍ଯ୍ୟ ଦକ୍ଷତା ଥିବା ଯୁବ ନେତାଙ୍କୁ ନେଇ ଏକ ସନ୍ତୁଳିତ ଟିମ ଗଠନ କରିପାରନ୍ତି ନବୀନ । ଏପରିକି ପୂର୍ବ ପାଳିରେ ପ୍ରଦର୍ଶନ ଭଲ ଥାଇ  ବି ବଞ୍ଚିତ ହୋଇଥିବା କିଛି  ନେତାଙ୍କୁ ନବୀନ ତାଙ୍କ କ୍ୟାବିନେଟକୁ ଫେରାଇ ଆଣିପାରନ୍ତି ।

ଦଳ ଓ ସରକାରଙ୍କ ପାଇଁ ବିଭିନ୍ନ ସମୟରେ କ୍ରାଇସିସ ମ୍ୟାନେଜର ସାବ୍ୟସ୍ତ ହୋଇଥିବା ନେତାଙ୍କୁ ସୁଯୋଗ ଦେବା ସହ କରୋନା ମହାମାରୀ ସମୟରେ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିବା ନେତାଙ୍କୁ ମଧ୍ୟ ସ୍ଥାନ ମିଳିପାରେ । ତେବେ ନୂଆ ମନ୍ତ୍ରୀମଣ୍ଡଳରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଆଳି ବିଧାୟକ ପ୍ରତାପ ଦେବ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, କବିସୂର୍ଯ୍ୟନଗର ବିଧାୟିକ ଲତିକା ପ୍ରଧାନ ଓ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଏପରିକି ଏକାଧିକ ବିଭାଗ ଥିବା ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର ଓ ଅରୁଣ ସାହୁଙ୍କ ପରି ମନ୍ତ୍ରୀଙ୍କ ହାତରୁ କିଛି ଦାୟିତ୍ୱ କାଢ଼ି ନିଆଯିବା ସହ ବିଭାଗ ପରିବର୍ତ୍ତନର ବି ସୂଚନା ମିଳୁଛି।

‘‘ପୂର୍ବ ଇତିହାସକୁ ଦେଖିଲେ ନବୀନ ଦେଢ଼ ବର୍ଷ ଓ ଦୁଇ ବର୍ଷରେ ମନ୍ତ୍ରୀମଣ୍ଡଳକୁ ନୂଆ ରୂପ ଦେଇଥାନ୍ତି । ଏବେ ସମୟ ଆସି ନ ଥିଲେ ବି ବିଭିନ୍ନ ଦିଗକୁ ଦେଖି ମୁଖ୍ୟ ମନ୍ତ୍ରୀ କ୍ୟାବିନେଟ ସମ୍ପ୍ରସାରଣ କରିପାରନ୍ତି । ପୂର୍ବାପେକ୍ଷା ଚଳିତ ଥର ନବୀନଙ୍କ ଆଗରେ ବହୁ ଚ୍ୟାଲେଞ୍ଜ ରହିବ। ଏକ ସନ୍ତୁଳିତ ଟିମ ଗଠନ କରିବା ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ। ବିବାଦକୁ ଆସିଥିବା କିଛି ନେତାଙ୍କୁ ବାଦ ଦେବା ସହ ରିପୋର୍ଟ କାର୍ଡ଼କୁ ଆଧାର କରି ଏ ଥର ନବୀନ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବେ । କିନ୍ତୁ ପ୍ରତି ଥର ପରି ଦକ୍ଷତା, ଆନୁଗତ୍ୟ ଓ ଅଭିଜ୍ଞତାକୁ ଅଗ୍ରାଧିକାର ଦେବେ ନବୀନ,’’ କହିଛନ୍ତି ରାଜନୈତିକ ସମୀକ୍ଷକ ରବି ଦାସ ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘Dil Bechara’ର ଟ୍ରେଲର୍ ଆସିଗଲା, ଦେଖନ୍ତୁ

ରାଜନୈତିକ ସମୀକ୍ଷକ ଶୀତଳ ତରଙ୍ଗ ବେଉରିଆ କହିଛନ୍ତି ଯେ ନବୀନଙ୍କ ପାଇଁ ଚଳିତ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଆହ୍ୱାନରେ ଭରପୁର ହେବ। ‘‘ଏଥର କୌଣସି ମହିଳା କୋଟା କି ଯୁବ କୋଟା କାମ ଦେବନି । କେବଳ କାର୍ଯ୍ୟଦକ୍ଷତାକୁ ଗୁରୁତ୍ୱ ଦେଇ ନବୀନ ବାଛିବେ ତାଙ୍କ ଟିମ୍‌,‘‘ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ: ଯାଜପୁରରେ ଶିକ୍ଷୟତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣି ହତ୍ୟା କଲେ ଦୁର୍ବୃତ୍ତ; ସ୍ବାମୀ ଓ ଝିଅକୁ ବି ହାଣିଲେ

ନୂଆ ଓ ପୁରୁଣା ସହ ପୂର୍ବ ପାଳିରେ ମନ୍ତ୍ରୀ ହୋଇଥିବା କିଛି ନେତା କ୍ୟାବିନେଟରେ ସାମିଲ ହେବା ନେଇ ଆଶା ବାନ୍ଧିଥିବା ବେଳେ ସଦା ବେଳେ ଚର୍ଚ୍ଚା ଓ ବାସ୍ତବତା ଭିତରେ ଫରକ ସାବ୍ୟସ୍ତ କରୁଥିବା ନବୀନ ଏଥର କାହାକୁ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
Published by: Anand Shankar Thankur Das
First published: July 6, 2020, 11:05 PM IST
corona virus btn
corona virus btn
Loading