ବିଜେଡି ଲୋକଙ୍କ ହୃଦୟ ଜିତିବାକୁ ନିର୍ବାଚ଼ନ ଲଢ଼େ: ଅଷ୍ଟମ ଥର ଦଳ ସଭାପତି ହେବା ପରେ କହିଲେ ନବୀନ

ପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ଗ୍ରହଣ କରିବା ପରେ ବିଜେଡିର ସଭାପତି ରୂପେ ଅଷ୍ଟମ ଇନିଂସ ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ । ଦଳର କର୍ମୀ ଓ ନେତାଙ୍କୁ ମନେ ପକେଇଦେଇଛନ୍ତି ନିଜ ବାପା ବିଜୁବାବୁଙ୍କ ଉକ୍ତି: ନିର୍ବାଚ଼ନରେ ସବୁବେଳେ ଜିତିବ ବୋଲି ଭାବ ନାହିଁ; ଲୋକଙ୍କ ପାଇଁ କାମ କର ।

ବିଜେଡି ଲୋକଙ୍କ ହୃଦୟ ଜିତିବାକୁ ନିର୍ବାଚ଼ନ ଲଢ଼େ: ଅଷ୍ଟମ ଥର ଦଳ ସଭାପତି ହେବା ପରେ କହିଲେ ନବୀନ
ପୁଣି ଥରେ ସଭାପତି ଦାୟିତ୍ୱ ନେବା ପରେ କର୍ମୀ ଓ ନେତାଙ୍କୁ ସମ୍ବୋଧିତ କରୁଛନ୍ତି ନବୀନ ପଟ୍ଟନାୟକ ।
  • News18 Odia
  • Last Updated: February 26, 2020, 8:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ ଗଲା କୋଡ଼ିଏ ବର୍ଷ ଧରି ଶାସନରେ ଥିବା ବିଜୁ ଜନତା ଦଳ (ବିଜେଡି) ନିର୍ବାଚ଼ନ ଜିତିବା ପାଇଁ ନିର୍ବାଚ଼ନ ଲଢ଼େ ନାହିଁ, ବରଂ ଲୋକଙ୍କ ହୃଦୟ ଜିତିବାକୁ ମୈଦାନକୁ ଓହ୍ଲାଇଥାଏ ଦଳ । ଲଗାତର ଅଷ୍ଟମ ଥର ଦଳର ସୁପ୍ରିମୋ ଘୋଷିତ ହେବା ପରେ ଏହା କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଜେଡିର ଶହ ଶହ ନେତା ଓ କର୍ମୀଙ୍କ ଗହଣରେ ଲଗାତର ଅଷ୍ଟମ ଥର ପାଇଁ ଦଳର ସଭାପତି ପଦ ସଭାଳିଛନ୍ତି ପଟ୍ଟନାୟକ। ବିଜେଡି ଜନ୍ମ ହେବା ଦିନଠାରୁ ତାଙ୍କ ନେତୃତ୍ବ ପରିଚ଼ାଳିତ ହୋଇଆସୁଛି । ଆଗକୁ ମଧ୍ୟ ଏହି ଜୟଯାତ୍ରା ଜାରି ରହିବ ବୋଲି କହିଛନ୍ତି ଦଳର ନେତା ଓ କର୍ମୀମାନେ ।

ପଟ୍ଟନାୟକ ପୁଣି ଥରେ ବିଜେଡିର ସଭାପତି ପଦ ଅଳଂକୃତ କରିବା ପରେ ଦଳର ରାଜ୍ୟ ମୁଖ୍ୟାଳୟରେ ବରିଷ୍ଠ ଓ କନିଷ୍ଠ ନେତା ତଥା କର୍ମୀମାନେ ଭାରି ଖୁସିଥିଲେ । ଅଷ୍ଟମ ଥର ଲାଗି ସଭାପତି ଭାବେ ଘୋଷିତ ହେବା ପରେ ପଟ୍ଟନାୟକଙ୍କ ପାଖକୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ମଞ୍ଚ ଉପରେ ଲାଗିଥିଲା ନେତା ଓ କର୍ମୀଙ୍କ ଭିଡ । ସାଂସଦ, ମନ୍ତ୍ରୀ, ବିଧାୟକ, ଛାତ୍ର, ଯୁବ ଓ ମହିଳା ଫୋରମ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ଜଗନ୍ନାଥଙ୍କ ମହାପ୍ରସାଦ ଗ୍ରହଣ କରିବା ପରେ ସେ ଆରମ୍ଭ କରିଥିଲେ ଅଷ୍ଟମ ଇନିଂସ ।

‘‘ନିର୍ବାଚ଼ନ ଜିତିବା ପାଇଁ ବିଜେଡି ନିର୍ବାଚ଼ନ ଲଢେ ନାହିଁ । ବିଜେଡି ନିର୍ବାଚ଼ନ ଲଢ଼େ ଲୋକଙ୍କ ହୃଦୟ ଜିତିବା ପାଇଁ ଓ ତାଙ୍କ ସେବା କରିବା ପାଇଁ । ଓଡିଶାବାସୀଙ୍କ ସେବା ହିଁ ଦଳର ଏକ ମାତ୍ର ଲକ୍ଷ୍ୟ,’’ ପୁରୁଣା ଦାୟିତ୍ୱ ନୂଆ କରି ଆଉ ଥରେ ନେବା ପରେ ଦଳର ନେତା ଓ କର୍ମୀମାନଙ୍କୁ ଇଂରାଜୀରେ ସମ୍ବୋଧିତ କରି କହିଛନ୍ତି ପଟ୍ଟନାୟକ । ଏହି ଅବସରରେ ସେ ନିଜ ବାପା ତଥା ପୂର୍ବତନ ମୁଖ୍ୟ ମନ୍ତ୍ରୀ ଓ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉକ୍ତିକୁ ମନେ ପକାଇ କହିଛନ୍ତି ଯେ ‘‘ନିର୍ବାଚ଼ନରେ ସବୁବେଳେ ଜିତିବ ବୋଲି ଭାବ ନାହିଁ ବରଂ ଲୋକଙ୍କ ପାଇଁ କାମ କର’’ ।

ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସେବନ କରିବା ପରେ ନୂଆ ଦାୟିତ୍ୱ ନେଇଛନ୍ତି ପଟ୍ଟନାୟକ ।


ବିଜେଡିର ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ନିର୍ଦ୍ୱନ୍ଦରେ ନିର୍ବାଚ଼ିତ ହୋଇଛନ୍ତି । ନବୀନ ନେତୃତ୍ୱ ନେବା ପରେ ଖୁବ ଶୀଘ୍ର ନୂଆ ଟିମ୍‌ ଗଠନ କରିବେ ବୋଲି ଜାଣିବାକୁ ମିଳିଛି। ମହିଳା, ଯୁବ ଓ ଛାତ୍ର ସଂଗଠନର ନବକଳେବର ହେବ ।

‘‘ଆଗାମୀ ଦିନରେ ବିକାଶର କାମକୁ କେମିତି ଆହୁରି ତ୍ୱରାନ୍ୱିତ କରାଯାଇପାରିବ, ବିଶେଷ କରି ଗ୍ରାମାଞ୍ଚଳର ଉନ୍ନତି ଓ ଶିଳ୍ପାୟନ ପାଇଁ ଯେଉଁ ପଦକ୍ଷେପ ନିଆଯାଉଛି, ସେସବୁ କେମିତି ଅଧିକ ଫଳପ୍ରଦ ହେବ ତାହା ସୁନିଶ୍ଚିତ କରିବା ହିଁ ଦଳର ଏକ ମାତ୍ର ଲକ୍ଷ,’’ କହିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହାତାବ ।

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ନବୀନ ପଟ୍ଟନାୟକ ପୁଣି ଆଉ ଥରେ ଦଳର ସଭାପତି ହେବାରୁ ଏହା ପ୍ରମାଣିତ ହେଉଛି ଯେ ଓଡ଼ିଶାର ଲୋକଙ୍କ ସେବା କରିବା ହିଁ ବିଜେଡିର ଏକ ମାତ୍ର ଧର୍ମ । ‘‘ଓଡ଼ିଶାର ସାଧାରଣ ମଣିଷର ସୁଖ ଦୁଖରେ ସାଥୀ ହେବାର ଯେଉଁ ମାନସିକତା, ଆମେ ତାହା ଉପରେ ବେଶୀ ଗୁରୁତ୍ୱ ଦେଉଛୁ,’’ କହିଛନ୍ତି ଆଚ଼ାର୍ଯ୍ଯ ।

୧୯୯୭ ମସିହାରେ ବିଜେଡି ଗଠନ ହେବା ଦିନ ଠୁ ଲଗାତାର ସଭାପତି ରହିଆସିଛନ୍ତି ନବୀନ ପଟ୍ଟନାୟକ । ସେ ଲଗାତର ପଞ୍ଚମ ଥର ପାଇଁ ମୁଖ୍ୟ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଅନେକ ରାଜନୈତିକ ସମୀକ୍ଷକ ତାଙ୍କୁ ଓଡ଼ିଶାର ଅପ୍ରତିଦ୍ୱନ୍ଦୀ ନେତା ଭାବେ ବର୍ଣ୍ଣନା କରିଛନ୍ତି ।
First published: February 26, 2020, 8:47 PM IST
corona virus btn
corona virus btn
Loading