ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସାର୍ବଜନୀନ ହେଲା ମୁଖ୍ୟ ମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ମାନଙ୍କ ସମ୍ପତ୍ତି ତାଲିକା; ଜାଣନ୍ତୁ କାହା ପାଖରେ ରହିଛି କେତେ ସମ୍ପତ୍ତି

ସାର୍ବଜନୀନ ହେଲା ମୁଖ୍ୟ ମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ମାନଙ୍କ ସମ୍ପତ୍ତି ତାଲିକା; ଜାଣନ୍ତୁ କାହା ପାଖରେ ରହିଛି କେତେ ସମ୍ପତ୍ତି

ନିଜ ସମ୍ପତ୍ତି ତାଲିକାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ୨ ବର୍ଷରେ ୮୦ଟି ଗାଡ଼ି କିଣିଥିବା ଦର୍ଶାଇଛନ୍ତି । ଏହାସହ ତାଙ୍କ ପାଖେ ରହିଛି ଦୁଇଟି ରିଭଲଭର ଓ ଗୋଟିଏ ରାଇଫଲ । ସମ୍ପତ୍ତି ଅନୁସାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠାରୁ ଧନୀ ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହରା ସବୁଠାରୁ ଗରିବ ଅଟନ୍ତି ।

ସାର୍ବଜନୀନ ହେଲା ମୁଖ୍ୟ ମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ମାନଙ୍କ ସମ୍ପତ୍ତି ତାଲିକା; ଜାଣନ୍ତୁ କାହା ପାଖରେ ରହିଛି କେତେ ସମ୍ପତ୍ତି
ବିଜେଡି ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ (ଫାଇଲ୍ ଫଟୋ)
  • News18 Odia
  • Last Updated: January 11, 2021, 11:13 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ସମସ୍ତ ମନ୍ତ୍ରୀ ନିଜ ନିଜର ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି । ଏହି ତାଲିକା ଅନୁଯାୟୀ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୬୪ କୋଟି ୯୮ ଲକ୍ଷ ୧୯ ହଜାର ୭୬୪ ଟଙ୍କା ରହିଥିବା ଜଣାପଡିଛି ।

୨୦୨୦ ମାର୍ଚ୍ଚ ସୁଦ୍ଧା ନବୀନ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ରହିଛି ୬୪ କୋଟି ୯୮ ଲକ୍ଷ ଟଙ୍କା । ମୁଖ୍ୟ ମନ୍ତ୍ରୀଙ୍କ ୭ଟି ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟରୁ ନୂଆ ଦିଲ୍ଲୀ ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆ ରେ ୨ଟି ଆକାଉଣ୍ଟ ଥିବା ବେଳେ ସେଭିଙ୍ଗ୍‌ସ ଆକାଉଣ୍ଟରେ ୧୬.୭୬ ଲକ୍ଷ ଟଙ୍କା ଓ ଅନ୍ୟ ଏକ ଆକାଉଣ୍ଟରେ ୧.୦୩ କୋଟି ଟଙ୍କାର ଫିକ୍ସ ଡିପୋଜିଟ ରହିଛି । ଏହି ବ୍ୟାଙ୍କର ଟର୍ମ ଡିପୋଜିଟ ଅଛି ୧ କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା । ଦିଲ୍ଲୀର ପାର୍ଲିଆମେଣ୍ଟ ହାଉସ ଏସବିଆଇ ଶାଖାରେ ଅଛି ୧ ହଜାର ୮ଶହ ୧୮ ଟଙ୍କା । ଭୁବନେଶ୍ୱର ଏସବିଆଇ ଶାଖାରେ ଜମା ଅଛି ୧୦ ଲକ୍ଷ ୫୬ ହଜାର ୮ଶହ ୮୮ ଟଙ୍କା । ହିଞ୍ଜିଳିରେ ଷ୍ଟେଟବ୍ୟାଙ୍କ ଶାଖାରେ ଅଛି ୬ ହଜାର ୭୪୬ ଟଙ୍କା । ଏହି ଶାଖାରେ ହିଁ ଅନ୍ୟ ଏକ ଆକାଉଣ୍ଟରେ ୧୩ ହଜାର ୮୧୮ ଟଙ୍କା ଅଛି । ସେହିଭଳି ବରଗଡ଼ର ପଦ୍ମପୁର ଏସବିଆଇ ଶାଖାରେ ୩୭ ହଜାର ୨୨୩ ଟଙ୍କା ଅଛି ।

ସେହିପରି ନବୀନଙ୍କ ପାଖରେ ରହିଛି ପ୍ରାୟ ୨ଲକ୍ଷ ୮୯ହଜାର ୫୮୭ ଟଙ୍କାର ସୁନାଗହଣା । ୧୯୮୦ ମଡେଲର ଏକ ଆମ୍ବାସାଡର କାର ରହିଛି ଯାହାର ଆନୁମାନିକ ମୂଲ୍ୟ ମୂଲ୍ୟ ୮ହଜାର ୯୦୫ ଟଙ୍କା ହେବ । ମୁଖ୍ୟମନ୍ତ୍ରୀ ସ୍ଥାବର ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱର, ଦିଲ୍ଲୀ ଓ ହରିଆଣାରେ ରହିଛି ଜମି ଓ କୋଠା । ଦିଲ୍ଲୀ ଫରିଦାବାଦରେ ୧୦.୭୫ କୋଟି ଟଙ୍କା ମୂଲ୍ୟର ୨୨.୭ ଏକର ଜମି ଓ କୋଠା ରହିଛି । ଫରିଦାବାଦରେ ଥିବା ଜମି ଓ କୋଠାର ମୂଲ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା । ଭୁବନେଶ୍ୱର ନବୀନ ନିବାସରେ ନବୀନଙ୍କର ଦୁଇ-ତୃତୀୟାଂଶ ଭାଗ ରହିଛି । ଏହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା । ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ଥିବା ସମ୍ପତିରେ ନବୀନଙ୍କ ୫୦ ପ୍ରତିଶତ ଭାଗ ରହିଛି । ଏହାର ମୂଲ୍ୟ ପ୍ରାୟ ୪୩ କୋଟି, ୩୬ ଲକ୍ଷ, ୧୮ ହଜାର ଟଙ୍କା ହେବ ବୋଲି କୁହାଯାଇଛି ।

ନିଜ ସମ୍ପତ୍ତି ତାଲିକାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ୨ ବର୍ଷରେ ୮୦ ଟି ଗାଡ଼ି କିଣିଥିବା ଦର୍ଶାଇଛନ୍ତି । ଏହା ଭିତରେ ରହିିଛି ପ୍ରାୟ ୨ କୋଟି ଟଙ୍କାର ଗୋଟିଏ ସୌଖୀନ ମର୍ସିଡିଜ କାର୍ ଓ ଅନ୍ୟଗୁଡିକ ଟ୍ରକ୍ ଓ ବାଣିଜ୍ୟିକ ଗାଡ଼ି । ତାଙ୍କ ପାଖରେ ଦୁଇଟି ରିଭଲଭର ଓ ଗୋଟିଏ ରାଇଫଲ ମଧ୍ୟ ରହିଛି ।

ସେହିପରି ଅନ୍ୟ ମନ୍ତ୍ରୀଙ୍କ ସମ୍ପତ୍ତି ମଧ୍ୟରେ ପ୍ରତାପ ଜେନା ପାଖରେ ୧୦ କୋଟି ୩୫ ଲକ୍ଷ ୨୯ ହଜାର ୯୧୧ ଟଙ୍କା, ଅଶୋକ ପଣ୍ଡା ପାଖରେ ୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା, ସୁଶାନ୍ତ ସିଂହ ପାଖରେ ୪ କୋଟି ୯୩ ଲକ୍ଷ ୯୪ ହଜାର ୬୪୪ ଟଙ୍କା, ବିକ୍ରମ ଆରୁଖ ପାଖରେ ୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ଟଙ୍କା, ସୁଦାମ ମାରାଣ୍ଡିଙ୍କ ପାଖରେ ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା, ଦିବ୍ୟଶଙ୍କର ମିଶ୍ରଙ୍କ ପାଖରେ ୭ କୋଟି ୩୧ ଲକ୍ଷ ୭୬ ହଜାର ୪୦୮ ଟଙ୍କା, ନିରଞ୍ଜନ ପୂଜାରୀଙ୍କ ପାଖରେ ୪ କୋଟି ୩୪ ଲକ୍ଷ ୬୫ ହଜାର ୩୦୮ଟଙ୍କା, ତୁଷାରକାନ୍ତି ବେହେରା ପାଖରେ ୩୨ ଲକ୍ଷ ୩୩ ହଜାର ୪୭୧ ଟଙ୍କା, ସମୀର ଦାଶଙ୍କ ପାଖରେ ୨ କୋଟି ୨୩ ଲକ୍ଷ ୭୫, ୭୬୧ ଟଙ୍କା ଓ ପ୍ରଫୁଲ୍ଲ ମଲ୍ଲିକଙ୍କ ପଖରେ ୩୯ ଲକ୍ଷ ୨୮, ୮୩୧ ଟଙ୍କାର ସମ୍ପତ୍ତି ରହିଛି ।

ତେବେ ସରକାରଙ୍କ ଏହି ଉଦ୍ୟମକୁ ସାଧୁବାଦ ଜଣାଇବା ସହ ଲୋକ ମାନେ ଲୋକ ପ୍ରତିନିଧିଙ୍କ ସମ୍ପତ୍ତି ଜାଣିବାରେ ସହାୟକ ହେବ ବୋଲି କହିଛିନ୍ତି ଇଲେକ୍ସନ ୱାଚ ।

"ନିହାତି ଭାବେ ରାଜ୍ୟ ସରକାରଙ୍କର ଏହା ଏକ ଅଭିନବ ଉଦ୍ୟମ । କେବଳ ସରକାରୀ ଚାକିରୀରେ ଥିବା ଲୋକେ ନୁହନ୍ତି । ନିର୍ବାଚିତ ଲୋକ ପ୍ରତିନିଧି ମାନେ ମଧ୍ୟ ସମ୍ପତ୍ତି ତାଲିକା ଦାଖଲ କରିବା ନେଇ ମୁଖ୍ୟ ମନ୍ତ୍ରୀଙ୍କ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ । ଏହାଦ୍ୱାରା ଲୋକ ପ୍ରତିନିଧିମାନଙ୍କ ସମ୍ପତ୍ତି କେତେ ଓ ବର୍ଷକ ଭିତରେ କେତେ ବଢ଼ିଛି ସମ୍ପତ୍ତି ତାହା ସାଧାରଣ ଲୋକଟିଏ ଜାଣି ପାରିବ । କାରଣ ଏବେ ଠାରୁ ସର୍ବ ସାଧାରଣରେ ପ୍ରଦର୍ଶିତ ହେବ ଲୋକ ପ୍ରତିନିଧିଙ୍କ ସମ୍ପତ୍ତି ତାଲିକା । କିନ୍ତୁ ଏହି ତାଲିକା ଆଧାରରେ କୌଣସି ଅଭିଯୋଗ ହୋଇପାରିବ ନାହିଁ," କହିଛନ୍ତି ଅନୁଷ୍ଠାନର ରାଜ୍ୟ ମୁଖ୍ୟ ସହଦେବ ସାହୁ ।

ପୂର୍ବ ଘୋଷଣା ଆଧାରରେ ନବୀନ ଟିମ ନିଜର ସମ୍ପତ୍ତି ତାଲିକା ସାର୍ବଜନୀନ କରିଛନ୍ତି । ବିରୋଧୀ କିନ୍ତୁ ଏହାକୁ ସହଜେ ହଜମ କରିପାରି ନାହାନ୍ତି । କଂଗ୍ରେସ କହିଛି ଏହା କେବଳ ପ୍ରହସନ ।

"ପ୍ରତିଷ୍ଠା ଦିବସ ପାଇଁ ବିଧାୟକଙ୍କୁ ୩ ଲକ୍ଷ ଲେଖାଏ ଦେଇଛନ୍ତି । କୋଉଠୁ ଆଣିଲେ । ଯାହା ସମ୍ପତ୍ତି ଅଛି କଣିଚାଏ ଦେଇନାହଁନ୍ତି । ଲୋକ ଜାଣିଜିବେ ବୋଲି ଦେଉନାହାନ୍ତି । ଏସବୁ ପ୍ରହସନ । ଦୁର୍ନୀତି ଯେପରି ବ୍ୟାପିଛି ବନ୍ଦ ହେବାର ପ୍ରଶ୍ନ ଉଠୁନି," କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

"ଗତ ୧୦ ବର୍ଷରେ ସମ୍ପତ୍ତି କେତେ ବୃଦ୍ଧି ହୋଇଛି ତାହାର ଏକ ତୁଳନାତ୍ମକ ଷ୍ଟେଟମେଣ୍ଟ ଦେବା ଆବଶ୍ୟକ । ଯେଉଁ ବୃଦ୍ଧି ହୋଇଛି ଆୟର ଉତ୍ସ କଣ ତାହା ଦେବା ଆବଶ୍ୟକ । ଇନକମ ଟ୍ୟାକ୍ସ ନିୟମ ଅନୁଯାୟୀ ଆୟର ଉତ୍ସ କଣ । ସେ ସଂକ୍ରାନ୍ତରେ ତଥ୍ୟ ଦେବାର ଆବଶ୍ୟକ ରହିଛି । ସମ୍ପୂର୍ଣ୍ଣ ଭାବେ ଦୁର୍ନୀତିକୁ ଘଣ୍ଟ ଘୋଡାଇ ରଖିଛନ୍ତି । ବଡ ଅଧିକାରୀ ଓ ନେତାଙ୍କର ତଥ୍ୟ ରଖିବା ଉଚିତ । ଭୁଆଁ ବୁଲାଇବା ନୀତି ଛାଡି ସ୍ପଷ୍ଟ ଚିତ୍ର ରଖନ୍ତୁ । ଯଦି ଭ୍ରଷ୍ଟାଚାର ବିରୋଧରେ ଲଢ଼ିବାକୁ ଚାହୁଛନ୍ତି ତେବେ ଉପଯୁକ୍ତ ତଥ୍ୟ ରଖନ୍ତୁ । ଲୋକ ଦେଖାଣିଆ ଭାବେ କାଗଜ ଖଣ୍ଡିଏ ରଖିଛନ୍ତି," କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀବିରାଜ ହରିଚନ୍ଦନ ।

"ଆଜି ନୁହେଁ ବହୁତ ଦିନରୁ ପାଳନ କରୁଛୁ । ମୁଖ୍ୟ ମନ୍ତ୍ରୀ କହିବା ପରେ ଯାହା ସମ୍ପତ୍ତି ତାଲିକା ଅଛି ଦାଖଲ କରିଛୁ । ସମ୍ପତ୍ତି ତାଲିକା ଦେଲେ ସ୍ୱଚ୍ଛତା ଆସିବ । ଲୋକ ଜାଣିବେ । ବିରୋଧିଙ୍କ କଥା ଠିକ ନୁହେଁ । ଯାହା ସମ୍ପତ୍ତି ଅଛି ସମସ୍ତେ ଦେବେ ଲୁଚେଇବାର ପ୍ରଶ୍ନ ଉଠୁନାହିଁ । ବିରୋଧୀ କହିବା ଛଳରେ କହୁଛନ୍ତି," କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।
Published by: Jagdish Barik
First published: January 11, 2021, 11:13 AM IST