News18 Odia Digital
ଭୁବନେଶ୍ୱର: ରବିବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ରାଜ୍ୟରେ ୩.୫କୋଟି ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ଼ ଯୋଗାଇ ଦେବେ। ସେ କହିଛନ୍ତି ଯେ ଏହି କାର୍ଡ଼ ଜାତୀୟ ତଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ନପୂର୍ଣ୍ଣା ହିତାଧିକାରୀଙ୍କୁ ଦିଆଯିବ, ଯେଉଁଥିରେ ମହିଳାମାନେ ବର୍ଷକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ପାଇପାରିବେ ଓ ପରିବାରର ଅନ୍ୟ ସଦସ୍ୟମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା କରିପାରିବେ।
୭୫ ତମ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ କୋଭିଡ ଗାଇଡ଼ ଲାଇନ ସହ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ ଏହି ପଦକ୍ଷେପ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂତନ ଯୁଗ ଆରମ୍ଭ କରିବ। ସେ କହିଛନ୍ତି, 'ଲୋକମାନେ ଚିକିତ୍ସା ପାଇଁ ସେମାନଙ୍କର ଜମି କିମ୍ବା ଅନ୍ୟାନ୍ୟ ସମ୍ପତ୍ତି ବିକ୍ରୟ କରୁଥିବା କିମ୍ବା ପିଲାମାନଙ୍କୁ ସ୍କୁଲରୁ ବାହାର କରିଦିଆଯିବା ଖବର ମୋତେ ବ୍ୟଥିତ କରିଥିଲା। ତେଣୁ ମୁଁ ଏହି ଅସୁବିଧାକୁ ଦୂର କରିବାକୁ ଓ ଲୋକଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ କରାଇବାକୁ ସ୍ଥିର କଲି।
ଏହି ପଦକ୍ଷେପ ଅନ୍ତର୍ଗତ ୯୬ ଲକ୍ଷ ପରିବାରର ୩.୫ କୋଟି ଲୋକଙ୍କୁ ପର୍ଯ୍ୟାୟକ୍ରମେ ଅନ୍ତର୍ଭୁକ୍ତ କରିବା ବିଷୟରେ ପଟ୍ଟନାୟକ ଦାବି କରିଛନ୍ତି ଯେ ଏଭଳି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ଅଟେ।
ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପଟ୍ଟନାୟକ କହିଛନ୍ତି ଯେ ହିତାଧିକାରୀମାନେ ଓଡ଼ିଶା ସମେତ ଦେଶର ୨୦୦ରୁ ଅଧିକ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ଓ ଏହା ରାଜ୍ୟରେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦିଗରେ ସାହାଯ୍ୟ କରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।