ଯୁକ୍ତ ୨ ପରୀକ୍ଷାରେ ବିଭ୍ରାଟ ବରଦାସ୍ତ ହେବନି; ମୁଖ୍ୟ ସଚ଼ିବ ବୈଠକ କରି ନିର୍ଦ୍ଦେଶ ଦେଲେ
ମାଟ୍ରିକ୍ ପରୀକ୍ଷା ପରେ ଯୁକ୍ତ ୨ ପରୀକ୍ଷାକୁ ନେଇ ଚ଼ିନ୍ତାରେ ପଡ଼ିଛନ୍ତି ସରକାର । ଆଲର୍ଟ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ସଚ଼ିବ ଅସିତ ତ୍ରିପାଠୀ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: February 25, 2020, 9:34 PM IST
ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହେବାର ଗୁଜବ ଉଡ଼ିବା ଓ କପି ହେବା ଯୋଗୁଁ ପରୀକ୍ଷା କେନ୍ଦ୍ର ବାହାରେ ୧୪୪ ଧାରା ଲାଗୁ ହେବା ପରେ ଯୁକ୍ତ ୨ ପରୀକ୍ଷା ପରିଚ଼ାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ।
ଯୁକ୍ତ ୨ ପରୀକ୍ଷାର ସୁପରିଚ଼ାଳନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚ଼ନା କରିବା ପାଇଁ ପରୀକ୍ଷା ଆରମ୍ଭ ହେବାର ସାତ ଦିନ ପୂର୍ବରୁ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି., ନୋଡାଲ କଲେଜମାନଙ୍କ ଅଧ୍ୟକ୍ଷ, ଡିଷ୍ଟ୍ରିକ୍ଟ ଲେବୁଲ କନସଲଟାଣ୍ଟ, କାଉନସିଲର ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକଙ୍କ ସହ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏକ ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚ଼ିବ ଅସିତ ତ୍ରିପାଠୀ ।
ସବୁ ଜିଲ୍ଲାରେ ଅଧିକାରୀମାନେ ପରସ୍ପର ଭିତରେ ସମନ୍ବୟ ରକ୍ଷା କରି ପରୀକ୍ଷା ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚ଼ିବ । ହବରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟରେ ପୋଲିସ୍ ପ୍ରୋଟେକସନ୍ ଯୋଗାଇଦେବା ସହ ହବରେ ପୋଲିସ୍ ଫୋର୍ସ ମୁତୟନ ହେବେ । ସେହି ଭଳି ପରୀକ୍ଷା କେନ୍ଦ୍ର ବାହାରେ ପରିସ୍ଥିତିକୁ ଦେଖି ଜିଲ୍ଲାପାଳ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।
ସ୍ବଚ୍ଛ ଓ ସଠିକ୍ ପରୀକ୍ଷା ପରିଚାଳନା ପାଇଁ ଚ଼ଳିତ ଥର ବହୁସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରିଛି କାଉନସିଲ୍ । ପ୍ରତି ବର୍ଷ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କାଉନସିଲ ତରଫରୁ ହେଉଥିବାବେଳେ ଚ଼ଳିତ ବର୍ଷ ସେଣ୍ଟ୍ରାଲ ସ୍କ୍ବାର୍ଡ, ଜୋନାଲ୍ ସ୍କାର୍ଡ, ଇଣ୍ଟରନାଲ ସ୍କ୍ବାର୍ଡ, ଡିଷ୍ଟ୍ରିକ୍ଟ ଲେଭଲ୍ କନସଲଟାଣ୍ଟ ସହ ଅବଜରଭର୍ ମଧ୍ୟ ରହିବେ । ସେହି ଭଳି ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ଆଉ କେହି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେଇ ପାରିବେ ନାହିଁ ।
‘‘ଏପରିକି ପରୀକ୍ଷା ପରିଚ଼ାଳନା ଦାୟିତ୍ବରେ ଥିବା ଅଧ୍ୟାପକ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ ପାଖରେ ଫୋନ୍ ରଖି ହଲରେ ପ୍ରବେଶ କରିବେ । ସେହି ଭଳି ସ୍କ୍ବାର୍ଡମାନେ ମଧ୍ୟ ମୋବାଇଲ ଫୋନ୍ ହଲକୁ ନେଇପାରିବେ ନାହିଁ,’’ କହିଛନ୍ତି ଉପପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାଶ ।
ହବରୁ କେନ୍ଦ୍ରକୁ ଯିବେ ଅବଜରଭର୍ ଓ ସମସ୍ତ ରିପୋର୍ଟ କାଉନସିଲ୍କୁ ଦେବେ । କପି ରୋକିବା, ପ୍ରଶ୍ନପତ୍ର ଭାଇରାଲ ହେବାକୁ ନ ଦେବା ଓ ବିଭ୍ରାଟ ରୋବିକା ପାଇଁ ପରିଷଦ ବ୍ୟାପକ ବ୍ୟବସ୍ଥା କରିଥିବା କହିଛନ୍ତି ଦାଶ।
ଛାତ୍ରଛାତ୍ରୀଙ୍କୁ ମଧ୍ୟ ତାଗିଦ୍ କରିଛି କାଉନସିଲ୍ । କୌଣସି ପ୍ରକାର ଷ୍ଟଡି ମ୍ୟାଟେରିଆଲ କି କାଗଜ ପରୀକ୍ଷା କେନ୍ଦ୍ରକୁ ନେଇ ପାରିବେ ନାହିଁ ସେମାନେ । ମୋବାଇଲ ଫୋନ୍, କାଲକୁଲେଟର ନେବା ତ ଦୂରର କଥା, ଏପରିକି ସେମାନେ ହାତଘଣ୍ଟା ପିନ୍ଧି ଯାଇପାରିବେନି ପରୀକ୍ଷାକୁ ।
ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ତାରିଖରେ ସରିବ । ଚ଼ଳିତ ବର୍ଷ ୩ ଲକ୍ଷ ୫୦ ହଜାର ୮ ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସାରା ରାଜ୍ୟରେ ମୋଟ୍ ୧,୧୪୩ ପରୀକ୍ଷା କେନ୍ଦ୍ର କରାଯାଇଛି । ସବୁ କେନ୍ଦ୍ରରେ ଲଗାଯାଇଛି ସିସିଟିଭି କ୍ୟାମେରା ।