News18 Odia Digital
ଭୁବନେଶ୍ବର: ସୋମବାର ଦିନ ସପ୍ତମ ବେତନ କମିଶନ ଦେୟର ଶେଷ ୨୦% ମୁକ୍ତ କରିବାକୁ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ୮୦ ପ୍ରତିଶତ ଦେୟ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରୁ ପ୍ରାୟ ୪ ଲକ୍ଷ କର୍ମଚାରୀ ଉପକୃତ ହେବେ। ଏହି ସୂଚନା CMO ଦ୍ବାରା ଜାରି କରାଯାଇଥିବା ଏକ ନୋଟରେ କୁହାଯାଇଛି।
କର୍ମଚାରୀଙ୍କ ପାଇଁ ଖୁସି ଖବରସୂଚନାନୁସାରେ, ସପ୍ତମ ବେତନ ଆୟୋଗ ଅନୁଯାୟୀ ୨୦ ପ୍ରତିଶତ ବକେୟା ଦରମା ମୁକ୍ତ କରିବାକୁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ରାଜ୍ୟ ସରକାରୀ କର୍ମଚାରୀମାନେ ସପ୍ତମ ବେତନ ଆୟୋଗ ଅଧୀନରେ ସମ୍ପୂର୍ଣ୍ଣ ବକେୟା ଅର୍ଥ ପାଇବେ। ପୂର୍ବରୁ ୮୦% ଦେୟ ମୁକ୍ତ ହୋଇଥିବାବେଳେ ଏହା ପ୍ରାୟ ୪ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଲାଭଦାୟକ ହେବ। ଏହି ଖର୍ଚ୍ଚ ପୂରଣ ପାଇଁ ୮୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପ୍ରସ୍ତାବ ଦିଆଯାଇଥିଲା।
DA ଓ DRରେ ୩% ବୃଦ୍ଧିକେନ୍ଦ୍ର ସରକାର ଏହାର କର୍ମଚାରୀଙ୍କ DAକୁ ୩୧% କରିସାରିଛନ୍ତି। ବର୍ତ୍ତମାନ ଏହି ଦିଗରେ ଓଡ଼ିଶା ରାଜ୍ୟ ସରକାର କର୍ମଚାରୀଙ୍କ DA ଓ DRକୁ ମଧ୍ୟ ବୃଦ୍ଧି କରିଛନ୍ତି। କେନ୍ଦ୍ରୀୟ କର୍ମଚାରୀଙ୍କ ପରି ଓଡ଼ିଶା କର୍ମଚାରୀମାନେ ମଧ୍ୟ ୩୧% DA ଓ DR ପାଇବେ। ଏହି ନିଷ୍ପତ୍ତିରେ ରାଜ୍ୟର ପ୍ରାୟ ୭.୫ ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ସପ୍ତମ ବେତନ କମିଶନ ର ସୁପାରିଶକୁ ଗ୍ରହଣ କରି ଏହାକୁ ୨୦୧୬ ଜାନୁଆରୀ ମାସ ଠାରୁ ଲାଗୁ କରିଥିଲେ ଏବଂ ୨୦୧୭ ସେପ୍ଟେମ୍ବର ମାସଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ। କର୍ମଚାରୀମାନେ ସପ୍ତମ ବେତନ କମିସନ ସୁପାରିଶ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ୨୦ ମାସର ବର୍ଦ୍ଧିତ ବକେୟା ଦରମା ବିଭିନ୍ନ କିସ୍ତିରେ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୭-୧୮ରେ ୪୦ ପ୍ରତିଶତ, ୨୦୧୯-୨୦ରେ ୧୦ ପ୍ରତିଶତ ଓ ୨୦୨୧-୨୨ରେ ୩୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।