News18 Odia Digital
ଭୁବନେଶ୍ବର: ରାଜ୍ୟରେ ୩୩ ପ୍ରତିଶତ ଜଙ୍ଗଲ ରହିଛି। ଏହାଛଡ଼ା ବାତ୍ୟାର ପ୍ରଭାବକୁ ପ୍ରାକୃତିକ ଢ଼ଙ୍ଗରେ କମ କରିବା ପାଇଁ ସରକାରଙ୍କ ପକ୍ଷରୁ ହେନ୍ତାଳ ଗଛ ବୃକ୍ଷରୋପଣ କରାଯାଉଛି। ରବିବାର ବିଶ୍ୱ ପରିବେଶ ଦିବସରେ ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା। ୨୦୦ରୁ ଉର୍ଦ୍ଧ୍ବ ପ୍ରକୃତି ମିତ୍ରଙ୍କୁ ବିଭାଗ ପକ୍ଷରୁ ପୁରସ୍କୃତ କାରାଯାଇଛି।
ବିଗତ ୨୦ ବର୍ଷ ହେବ ଲଗାତାର ଭାବେ ଜଙ୍ଗଲ ପରିଧିକୁ ବୃଦ୍ଧି କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଉଦ୍ୟମ କାରାଯାଉଛି। ରାଜ୍ୟରେ ୩୩ ପ୍ରତିଶତ ଜଙ୍ଗଲକୁ ବଜାୟ ରଖିବା ପାଇଁ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଥିବା ଜଙ୍ଗଲ ଓ ପରିବେଶ ବିଭାଗ ସଚିବ କହିଛନ୍ତି।
ଏହା ଛଡ଼ା ବାତ୍ୟାରୁ ପ୍ରାକୃତିକ ଭାବେ ସୁରକ୍ଷିତ ରହିବ ପାଇଁ ହେନ୍ତାଳ ବୃକ୍ଷରୋପଣ କାରାଯାଉଛି। ଚଳିତ ବର୍ଷ ଫରେଷ୍ଟ ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟରେ ହେନ୍ତାଳ ଗଛ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ମୋନା ଶର୍ମା।
ସରକାରଙ୍କ ପକ୍ଷରୁ ବନ ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପ୍ରୟାସ କାରାଯାଉଛି। ଏହି ପ୍ରୟାସରେ ସରକାରଙ୍କ ପକ୍ଷରୁ ଇକୋ କ୍ଲବ ଗଠନ କରାଯାଇଛି।
ରାଜ୍ୟରେ ପାଖାପାଖି ୧୪,୨୫୦ ଇକୋ କ୍ଲବ ରହିଛି। ଏହି କ୍ଲବରେ ସ୍କୁଲ ପିଲାମାନେ ଯୋଗ ଦେଇ ପରିବେଶକୁ କିପରି ସୁରକ୍ଷିତ ରଖାଯାଇ ପାରିବେ ସେ ନେଇ ବିଭିନ୍ନ ମଡେଲ ତିଆରି କରିଛନ୍ତି। ରାଜ୍ୟସ୍ତରୀୟ ପରିବେଶ ଦିବସ ଅବସରରେ ୩୦ଟି ଜିଲ୍ଲାର ଇକୋ କ୍ଲବର ପକ୍ଷରୁ ୩୦୦ ଶ୍ରେଷ୍ଠ ମଡେଲ ଚୟନ କାରାଯାଇ ପ୍ରଦର୍ଶିତ କରାଯାଇଛି। ଏହି ମଡେଲ ମଧ୍ୟରୁ ୩ଟି ଶ୍ରେଷ୍ଠ ମଡେଲକୁ ଅର୍ଥ ରାଶି ଦେଇ ପୁରସ୍କୃତ କାରାଯାଇଛି। ଏହା ବ୍ୟତୀତ ୩୦ଟି ଯାକ ଜିଲ୍ଲାରେ ପ୍ରକୃତି ପାଇଁ କାର୍ଯ୍ୟ କରୁଥିବା ସଙ୍ଗଠନ ଓ ବ୍ୟକ୍ତିଙ୍କୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ୨୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ପୁରସ୍କୃତ କାରାଯାଇଛି।
ପ୍ରତିବର୍ଷ ବିଭାଗ ପକ୍ଷରୁ ୭ ରୁ ୮ କୋଟି ଚାରା ରୋପଣ କରାଯାଉଥିବା ବିଭାଗୀୟ ସଚିବ କହିଛନ୍ତି। ପରିବେଶର ସୁରକ୍ଷା ଓ ଜଳବାୟୁର ପରିବର୍ତ୍ତନ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ କହିଛନ୍ତି। ଆସନ୍ତା ୨୦୩୦ ସୁଦ୍ଧା ଗ୍ରୀନହଉସ ଇଫେକ୍ଟ କମ କରିବା ପାଇଁ ସରକାରଙ୍କ ଟାର୍ଗେଟ ରହିଛି।
କେବଳ ସରକାରଙ୍କ ପକ୍ଷରୁ ପରିବେଶ ଦିବସ ପାଳନ ହୋଇଛି ତାହା ନୁହେଁ ବରଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ଗଛ ଲଗାଇବାର ବାର୍ତ୍ତା ଦେଇ ଏହି ଦିବସ ପାଳନ କରାଯାଇଛି। ପ୍ରେରଣା ପକ୍ଷରୁ ବିଶେଷ କରି ଜାଗା ପାଇଁ ଗଛଟିଏ ଲଗାଇବାର ବାର୍ତ୍ତା ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହାସହ ବିଧାୟକ ସୁରେଶ ରାଉତରାୟଙ୍କ ସମେତ ଅନେକ ବିଶିଷ୍ଟ ଵ୍ୟକ୍ତି ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ଜାତୀୟସ୍ତରୀୟ ବୃକ୍ଷପ୍ରେମୀ ଓ ସ୍ତମ୍ଭକାର ଭଗବାନ ପ୍ରକାଶଙ୍କ ଗ୍ରୀନ ମ୍ୟାନ ସମ୍ମାନ ସହ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ତେବେ ଜଗା ପାଇଁ ଗଛଟିଏ ଲଗା ଅଭିଯାନ ମାଧ୍ୟମରେ ଏଥିରେ ଲିମ୍ବ ଗଛ ସହ ଦାରୁ ଓ ରଥ ନିର୍ମାଣ ପାଇଁ ଆବଶ୍ୟକ ଗଛଗୁଡ଼ିକ ଲଗାଇବା ପାଇଁ ଆହ୍ଵାନ ଦିଆଯାଇଥିଲା। କାରଣ ରାଜ୍ୟରେ ଥିବା ୨୬୫ଟି ଶ୍ରୀ ଜଗନାଥ ବନ ନଷ୍ଟ ହୋଇଯାଇଛି। ତେଣୁ ଏହି ଅଭିଯାନ ମାଧ୍ୟମରେ ଜଗା ପାଇଁ ଗଛଟିଏ ଲଗାଇବା ପାଇଁ ଆହ୍ଵାନ ଦେଇଛନ୍ତି ପରିବେଶବିତ ଦିଲ୍ଲୀପ ଶ୍ରୀଚନ୍ଦନ।
ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ମଧ୍ୟ ଏହି ଦିବସ ପାଲନ କରାଯାଇଛି। ମଞ୍ଜି ଗୋଲା କରି ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣର ଅଭିନବ ପ୍ରୟାସ କାରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।