News18 Odia Digital
Ministry Reshuffle: ୨୨ ତାରିଖରେ ନୂଆ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ । ସକାଳ ୯ଟା ୩୦ ମିନିଟରେ ହେବ ଶପଥ ଗ୍ରହଣ । ଲୋକସେବା ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ନିକଟରେ ଇସ୍ତଫା ଦେଇଥିଲେ ବାଚସ୍ପତି ଓ ଦୁଇମନ୍ତ୍ରୀ । ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଦେଇଥିଲେ ଇସ୍ତଫା । ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ । ନୂଆମନ୍ତ୍ରିମଣ୍ଡଳରେ କିଛି ନୂଆ ଚେହେରାଙ୍କୁ ସାମିଲ କାରଯାଇପାରେ । ମନ୍ତ୍ରିମଣ୍ଡଳରେ ପଶ୍ଚିମଓଡ଼ିଶାର କିଛି ବିଧାୟକ ସାମିଲ ହୋଇପାରନ୍ତି । ନୂଆମନ୍ତ୍ରିମଣ୍ଡଳରେ କିଛି ମହିଳାଙ୍କୁ ମିଳିପାରେ ଗୁରୁତ୍ବ ।
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ନୂଆ ଚେହେରା ଆଉ କିଏ ?ନୂଆ ମନ୍ତ୍ରୀ ରେସ୍ରେ ଦୀପାଳିଙ୍କ ସମେତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ, ପଦ୍ମପୁର ବିଧାୟିକା ବର୍ଷା ବରିହା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, କଳ୍ପତରୁ ଦାଶଙ୍କ ପୁଅ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଭଳି ଆଶାୟୀ ପ୍ରଥମ ଥର ମନ୍ତ୍ରୀ ହୋଇପାରନ୍ତି । ତେବେ ଏସବୁ ଭିତରେ ସବୁଠୁ ଆଗରେ ଦୀପାଳି ଦାସ ଥିବାରୁ ଝାରସୁଗୁଡ଼ା ଜିଲ୍ଲାକୁ ବଡ଼ ଅଫର ମିଳିବ ପାୱାର କରିଡର୍ରେ ଚର୍ଚ୍ଚା ହେଉଛି ।
ମନ୍ତ୍ରିମଣ୍ଡଳକୁ ଫେରିବେ ପୁରୁଣା ନେତା ?ସେହିପରି ପୂର୍ବରୁ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ବିଧାୟକ ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ (Arun Sahu), ସୁଶାନ୍ତ ସିଂହ (Sushant Singh) ଙ୍କ ଭଳି ପୁରୁଖା ନେତା ମନ୍ତ୍ରିମଣ୍ଡଳକୁ କମ୍ବ୍ୟାକ କରିପାରନ୍ତି । ତେବେ କେବଳ ମନ୍ତ୍ରିମଣ୍ଡଳ ଅଦଳବଦଳ ନୁହଁ ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡ଼ିକ ମଧ୍ୟ ଅଦଳବଦଳର ଯଥେଷ୍ଟ ସମ୍ଭାବନା ରହିଛି । ସେହିକ୍ରମରେ ସ୍କୁଲ ଓ ଗଣଶିକ୍ଷା, ଶ୍ରମ, ପଞ୍ଚାୟତିରାଜ ନଗର ଉନ୍ନୟନ ଖାଦ୍ୟ ଯୋଗାଣ, ସ୍ବାସ୍ଥ୍ୟ ଭଳି ବିଭାଗରେ ଅଦଳବଦଳ ସମ୍ଭାବନା ଥିବା ବେଳେ ଗୃହରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଜଣେ ଯୁବ ବିଧାୟକ ହେବେ ବୋଲି ଚର୍ଚ୍ଚା ହେଉଛି ।
ଝାରସୁଗୁଡ଼ା ଉପନିର୍ବାଚନରେ ରେକର୍ଡ ବିଜୟ ପରେ ଦୀପାଳି ଦାସଙ୍କୁ ବଡ଼ ଉପହାର ଦେଇପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଝାରସୁଗୁଡ଼ାରେ ସବୁ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି । ଲକ୍ଷାଧିକ ଭୋଟ୍ ସହ ବାପା ନବ ଦାସଙ୍କ ଅପେକ୍ଷା ବଡ଼ ବ୍ୟବଧାନରେ ବିଜୟୀ ହୋଇଥିବା ଦୀପାଳିଙ୍କୁ ମିଳିପାରେ ବଡ଼ ଉପହାର । ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଡାର୍କ ହର୍ସ ଭାବେ ଉଭା ହୋଇପାରନ୍ତି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି । ସୂଚନା ଅନୁସାରେ ନୂଆ ମନ୍ତ୍ରିମଣ୍ଡଳରେ ଦୀପାଳିଙ୍କୁ ମନ୍ତ୍ରୀ କରିପାରନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।
ଦୀପାଳିଙ୍କୁ କେଉଁ ମନ୍ତ୍ରୀ ପଦ ମିଳିପାରେ ?ଦୀପାଳିଙ୍କୁ ମନ୍ତ୍ରୀ ପଦ ମିଳିବା ସମ୍ଭାବନା ପଛରେ ଯଥେଷ୍ଟ କାରଣ ରହିଛି ବୋଲି ରାଜନୈତିକ ବିଶେଷଜ୍ଞ କହୁଛନ୍ତି । ପଶ୍ଚିମ ଓଡ଼ିଶାକୁ ଗୁରୁତ୍ବ, ମହିଳା କାର୍ଡ, ଉଚ୍ଚଶିକ୍ଷିତା ଓ ନବ ଦାସଙ୍କ ପରିବାର ପ୍ରତି ଏକ ସମବେଦନା ସ୍ବରୁପ ଦୀପାଳିଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି । ଏବେ ବଡ଼ କଥା ହେଉଛି ଦୀପାଳି ମନ୍ତ୍ରୀ ହେଲେ କେଉଁ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ । ବିଜେଡିର ଏକ ଗୋଷ୍ଠୀ ଅନୁସାରେ ଦୀପାଳିଙ୍କ ବାପା ନବ ଦାସଙ୍କ ହାତରେ ସ୍ବାସ୍ଥ୍ୟ ବିଭାଗ ଥିବାରୁ ଦୀପାଳିଙ୍କୁ ମଧ୍ୟ ସେଇ ବିଭାଗର ଦାୟିତ୍ବ ଦେଇପାରନ୍ତି ନବୀନ । ରାଜନୀତି ବିଶାରଦଙ୍କ ଅନୁସାରେ ନବ ଦାସଙ୍କ ହତ୍ୟା ପରେ କଡ଼ା ସୁରକ୍ଷା ଭିତରେ ନବଙ୍କ ପରିବାର ରହିଥିବାରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଭଳି ପଦ ଦେଇ ଏକ ସର୍ପ୍ରାଇଜ ଦେଇପାରନ୍ତି ବିଜେଡି ସୁପ୍ରିମୋ । ଯଦି ଦୀପାଳିଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ ପଦ ମିଳେ ତେବେ ଏବେ ଗୃହରାଷ୍ଟ୍ର ମନ୍ତ୍ରୀ ଥିବା ତୁଷାରକାନ୍ତି ବେହେରାଙ୍କୁ ମିଳିପାରେ ପ୍ରମୋସନ । ପୁରୀ ଜିଲ୍ଲାରୁ ସମୀର ଦାଶଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିବାରୁ ତୁଷାରକାନ୍ତିଙ୍କୁ ହାଇପ୍ରୋଫାଇଲ ବିଭାଗ ଦେଇ କ୍ୟାବିନେଟ ପାହ୍ୟା ମନ୍ତ୍ରୀ କରିପାରନ୍ତି ମୁଖ୍ୟମନ୍ତ୍ରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।