କ୍ୟାବିନେଟରେ ୮ ପ୍ରସ୍ତାବକୁ ମଞ୍ଜୁରୀ; ଏଣିକି ୨୦୦୦ ମାର୍କ ବିଶିଷ୍ଟ ହେବ ଓସିଏସ ପରୀକ୍ଷା

ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ଓସିଏସ୍ ପରୀକ୍ଷା ସାକ୍ଷାତକାର ଓଡ଼ିଆରେ ହେବ। ଯେଉଁମାନେ ଚାହିଁବେ ସେମାନେ ଇଂରାଜୀ ଓ ଓଡ଼ିଆରେ ସାକ୍ଷାତକାର ଦେଇପାରିବେ।

କ୍ୟାବିନେଟରେ ୮ ପ୍ରସ୍ତାବକୁ ମଞ୍ଜୁରୀ

କ୍ୟାବିନେଟରେ ୮ ପ୍ରସ୍ତାବକୁ ମଞ୍ଜୁରୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ବୈଠକରେ ୮ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ଓସିଏସ୍ ପରୀକ୍ଷା ସାକ୍ଷାତକାର ଓଡ଼ିଆରେ ହେବ। ଯେଉଁମାନେ ଚାହିଁବେ ଇଂରାଜୀ ଓ ଓଡ଼ିଆରେ ସାକ୍ଷାତକାର ଦେଇପାରିବେ। ପରୀକ୍ଷାର୍ଥୀ ସାକ୍ଷାତକାର ପରୀକ୍ଷା ଇଂରାଜୀ କିମ୍ବା ଓଡ଼ିଆ ଭାଷାରେ ଦେଇପାରିବେ ବୋଲି କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇ ଏହା କହିଛନ୍ତି।

ନିଷ୍ପତ୍ତି ଅନୁସାରେ, ୟୁପିଏସସି ପରୀକ୍ଷା ଭଳି ଏଣିକି ଓସିଏସ ପରୀକ୍ଷାରେ ଗୋଟିଏ ଇଚ୍ଛାଧିନ ବ୍ୟବସ୍ଥା ବିଷୟ ରହିବ। ପରୀକ୍ଷାର୍ଥୀମାନେ ଗୋଟିଏ ଇଚ୍ଛାଧିନ ବିଷୟ ବାଛିପାରିବେ।

ସେହିଭଳି ପୂର୍ବରୁ ୨୨୫୦ ମାର୍କର ପରୀକ୍ଷା ହେଉଥିଲା। ଏଣିକି ସାକ୍ଷାତକାରକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା ହେବ। ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରାଜୀ ପ୍ରବନ୍ଧ ଲିଖନରେ ବି ସଂଶୋଧନ କରାଯାଇଛି। ପରୀକ୍ଷାର୍ଥୀମାନେ ଇଂରାଜୀ କିମ୍ବା ଓଡ଼ିଆରେ ଗୋଟିଏ ପ୍ରବନ୍ଧ ଲେଖିପାରିବେ। ପୂର୍ବରୁ ଅଣସଂରକ୍ଷିତ ବର୍ଗ ୪ ଥର ପରୀକ୍ଷା ଦେଇପାରୁଥିଲେ। ଏବେ ୬ ଥର ଦେଇପାରିବେ। ଏସସି/ଏସଟି ବର୍ଗ ପୂର୍ବଭଳି ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ ଓ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ୯ ଥର ପରୀକ୍ଷା ଦେଇପାରିବେ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ୟୁପିଏସସି ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଓ ଓପିଏସସି ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାର ପାଠ୍ୟକ୍ରମ ଓ ଢାଞ୍ଚା ଭିନ୍ନ ଭିନ୍ନ ହୋଇଥିବାରୁ ଉଭୟ ପରୀକ୍ଷା ଲାଗି ଆଶାୟୀଙ୍କୁ ପୃଥକ ଭାବେ ପ୍ରସ୍ତୁତି କରିବାକୁ ପଡୁଛି। ଫଳରେ ତାଙ୍କ ଉପରେ ମାନସିକ ବୋଝ ବଢୁଛି। ସେମାନେ ଏକକାଳୀନ ପ୍ରସ୍ତୁତ ହୋଇପାରୁନାହାଁନ୍ତି।

ଏହାକୁ ଦୃଷ୍ଟିରେ ରଖି ସରକାର ଓଡ଼ିଶା ବେସାମରିକ ସେବା (ମିଳିତ ପ୍ରତିଯୋଗୀ ନିଯୁକ୍ତି ପରୀକ୍ଷା) ନିୟମାବଳୀ ୧୯୯୧ରେ ଥିବା ବ୍ୟବସ୍ଥାକୁ ୟୁପିଏସସି ଢାଞ୍ଚାରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେହିଭଳି ରାଜ୍ୟ କ୍ୟାବିନେଟର ଅନ୍ୟ ଏକ ନିଷ୍ପତ୍ତି କ୍ରମେ ରାଜ୍ୟ ଓ ଜିଲ୍ଲା କ୍ୟାଡରରର ବିଭିନ୍ନ ପଦବୀରେ ନିଯୁକ୍ତି ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଉଭୟ ଓଡ଼ିଆ ଓ ଇଂରାଜୀରେ କରାଯାଏ। ଉତ୍ତର ଦେବା ବେଳେ ପରୀକ୍ଷାର୍ଥୀ ଇଂରାଜୀରେ ଉତ୍ତର ଦେଇଥାନ୍ତି। ସେହିଭଳି ସାକ୍ଷାତକାରଗୁଡିକ ମଧ୍ୟ ଇଂରାଜୀରେ କରାଯାଇଥାଏ। ଏହି ନିୟମାବଳୀରେ ପରିବର୍ତ୍ତନ ଅଣି ସରକାର ଓଡ଼ିଶା ବେସାମରିକ ସେବା (ଓଡ଼ିଶା ଭାଷା ମାଧ୍ୟମରେ ପରୀକ୍ଷା ପଦ୍ଧତ୍ତି ନିୟମାବଳୀ, ୨୦୨୨ ପ୍ରଣୟନ କରିଛନ୍ତି। ଏହି ସମ୍ବନ୍ଧିତ ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି। ସଂଶୋଧିତ ନିୟମ ଅନୁସାରେ, ଏଣିକି ଏହି ପରୀକ୍ଷାଗୁଡିକରେ ପରୀକ୍ଷାର୍ଥୀ ଓଡିଆରେ ଉତ୍ତର ଦେଇପାରିବେ। ଯେଉଁମାନେ ଚାହିଁବେ, ସେମାନେ ଇଂରାଜୀରେ ଉତ୍ତର ଦେଇପାରିବେ। ଓଡ଼ିଆ ଭାଷାରେ ଉତ୍ତର ଲେଖିବା ଲାଗି ଏକ ସାଧାରଣ (ଓମ୍ନିବସ) ନିୟମାବଳୀ ପ୍ରଣୟନ କରାଯାଇଛି।

ସାକ୍ଷାତକାର ମଧ୍ୟ ଉଭୟ ଇଂରାଜୀ ଓ ଓଡ଼ିଆରେ ଦେଇପାରିବେ। ଯେଉଁ ପ୍ରାର୍ଥୀମାନେ ଇଂରାଜୀ ଭାଷାରେ ଉତ୍ତର ଲେଖିବା କିମ୍ବା ସାକ୍ଷାତକାରରେ ଭାଗ ନେବା ପାଇଁ ଇଚ୍ଛୁକ, ସେମାନେ ଆବେଦନ ପତ୍ରରେ ସେମାନଙ୍କର ଇଚ୍ଛାଧିକାର ଉଲ୍ଲେଖ କରିବେ।
Published by:Lipina Das
First published: