ରାଜ୍ୟ ବଜେଟ୍ ୧.୭୨ ଲକ୍ଷ କୋଟି ଟଙ୍କା ଛୁଇଁପାରେ; ଖୋଲା ବଜାରରୁ ଋଣ ଉଠାଇ ପାରନ୍ତି ସରକାର
ଏକ ପ୍ରାକ୍-ବଜେଟ ବୈଠକରେ ନୂଆ ନିର୍ମାଣ କାର୍ଯ୍ୟ ନ କରିବା ଓ ବିଭିନ୍ନ ବିଭାଗ ପାଇଁ ନୂଆ ଗାଡ଼ି ନ କିଣିବା ସହ VIPମାନଙ୍କ ସୁରକ୍ଷା ଖର୍ଚ୍ଚ କମ୍ କରିବା, ପେନସନଧାରୀଙ୍କୁ ବିଭିନ୍ନ ପଦବୀରେ ଥଇଥାନ କରିବା ଓ କାଳିଆ ପରି ସ୍କିମଗୁଡ଼ିକୁ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ପ୍ରାକ୍-ବଜେଟ୍ ବୈଠକରେ ଭାଗ ନେଇଥିବା ବିଶେଷଜ୍ଞମାନଙ୍କ ମଧ୍ୟରୁ କେତେକ
- News18 Odia
- Last Updated: January 8, 2021, 11:46 PM IST
ଭୁବନେଶ୍ୱର: କରୋନା ଭାଇରସ୍ ସମୟରେ ରାଜ୍ୟର ରୁଗ୍ଣ ଅର୍ଥନୀତିକୁ ସୁଧାରିବା ପାଇଁ ସରକାର ଜୋରଦାର ଉଦ୍ଯମ ଆରମ୍ଭ କରିଛନ୍ତି । ଏହି ସ୍ଥିତିରେ ଆଗାମୀ ବଜେଟର ରୂପରେଖ କ’ଣ ହେବ ଓ କିଭଳି ଏକ ସନ୍ତୁଳିତ ଓ ଲାଭପ୍ରଦ ବଜେଟ ପ୍ରସ୍ତୁତ ହେବ ଏବଂ ଆୟ ବଢ଼ିବ ତାକୁ ନେଇ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଛି।
ଅର୍ଥ ମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ୨୦୨୧-୨୨ ବାର୍ଷିକ ବଜେଟ ପାଇଁ ଅନୁଷ୍ଠିତ ଏକ ପ୍ରାକ୍-ବଜେଟ ବୈଠକରେ ଗୁରୁତ୍ବ ଦିଆଯାଇଥିବା ପ୍ରସଙ୍ଗମାନଙ୍କ ମଧ୍ୟରେ ରହିଛି ବର୍ତ୍ତମାନ ସ୍ଥିତିରେ ବକେୟା ଟିକସ ଓ ଅଣ-ଟିକସ ସମ୍ପର୍କୀତ ଆୟ ବଢ଼ାଇବା ସହ ଆବଶ୍ଯକତାକୁ ଦେଖି ଅର୍ଥ ବ୍ୟୟ କରିବାର ସମ୍ଭାବ୍ୟ ଉପାୟ । ବୈଠକରେ ଉପସ୍ଥିତ ଅର୍ଥ ବିଶେଷଜ୍ଞ ଓ ପୂର୍ବତନ ଅର୍ଥ ମନ୍ତ୍ରୀମାନେ ଏହା ଉପରେ ନିଜ ମତ ଦେଇଛନ୍ତି । ଆବଶ୍ଯକତାକୁ ଦେଖି ଖୋଲା ବଜାରରୁ ଋଣ ଉଠାଇବାକୁ ମଧ୍ଯ ପ୍ରସ୍ତାବ ଦିଆଯାଇଛି । ତେଣୁ କରୋନା ସ୍ଥିତିରେ ମଧ୍ଯ ଏଥର ଭଲ ବଜେଟ ଆସିବ ବୋଲି ଆଶା କରାଯାଉଛି ।
ଏହା ବି ପଢ଼ନ୍ତୁ | ନୂଆ ବର୍ଷ ଠାରୁ UPI, ଚେକ୍ ପେମେଣ୍ଟ, GST ଓ ବୀମା ସମ୍ବନ୍ଧୀୟ ଅନେକ ନିୟମ ବଦଳିଛି; ଜାଣନ୍ତୁ

ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ
ଏହି ପ୍ରାକ୍-ବଜେଟ ବୈଠକରେ ଅର୍ଥ ବିଶେଷଜ୍ଞ ଓ ପୂର୍ବତନ ଅର୍ଥ ମନ୍ତ୍ରୀମାନେ କରୋନା ସ୍ଥିତିରେ ଦୁର୍ବଳ ହୋଇପଡ଼ିଥିବା ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ବହୁ ଗୁରୁତ୍ବପୂର୍ଣ ପ୍ରସ୍ତାବ ଦେଇଛନ୍ତି । ସେଥିରୁ ପ୍ରମୁଖ ପ୍ରସ୍ତାବ ମଧ୍ଯରେ ଅଛି ଅତି କମରେ ରାଜ୍ଯର ୧୦୦ଟି ବ୍ଲକକୁ ସମ୍ପୂର୍ଣ ଜଳଯୋଗାଣ ପାଇଁ ବ୍ଯବସ୍ଥା କରିବା, ସମୁଦ୍ରକୁ ବହି ଯାଉଥିବା ବର୍ଷା ଜଳର ୫୦ ପ୍ରତିଶତକୁ ସଂରକ୍ଷଣ କରିବା, ଚାଷରେ ବ୍ଯବହୃତ ବିଜୁଳିରେ ୫୦ ପ୍ରତିଶତ ସବସିଡି ରଖିବା ଆଦି ।
ଏହା ବି ପଢ଼ନ୍ତୁ | ଦୀପିକା ପାଦୁକୋନଙ୍କୁ ଜନ୍ମ ଦିନରେ ଫଟୋଗ୍ରାଫରମାନେ ସରପ୍ରାଇଜ୍ ଦେଲେ; କେକ୍ ଖୁଆଇଲେ
ଏଥି ସହିତ କୋଭିଡ ସମୟରେ ରାଜସ୍ବ ବୃଦ୍ଧି ପାଇଁ ବାଲି ଓ ମୋରମ ଆଦି ସାମଗ୍ରୀର ସଠିକ ଆକଳନ କରି ଏଥିରୁ ଆବଶ୍ଯକ ରାଜସ୍ବ ସଂଗ୍ରହ କରିବା ପ୍ରସ୍ତାବ ମଧ୍ୟ ରହିଛି । ଏହା ଦ୍ୱାରା ରାଜସ୍ବରେ ୩ ପ୍ରତିଶତ ବୃଦ୍ଧି ଘଟିବ, ଯାହା ଦ୍ବାରା ରାଜ୍ଯ ଅଧିକ ୪,୦୦୦ କୋଟି ଟଙ୍କା ପାଇବ ବୋଲି କୁହାଯାଇଛି।
ବର୍ତ୍ତମାନ ରାଜ୍ଯରେ ଚାଲିଥିବା ବିକାଶମୂଳକ କାର୍ଯ୍ଯକୁ ଆଗେଇ ନିଆଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲେ ବି ଆଉ କୌଣସି ନୂଆ ଅନାବଶ୍ଯକ ନିର୍ମାଣ କାର୍ଯ୍ୟ କରା ନ ଯାଉ ଓ ବିଭିନ୍ନ ବିଭାଗର ନୂଆ ଗାଡ଼ି କିଣା ନ ଯାଉ ବୋଲି ପ୍ରସ୍ତାବ ଦିଆଯାଇଛି । ଏଥି ସହିତ ଭିଆଇପିମାନଙ୍କୁ ସୁରକ୍ଷା ଖର୍ଚ୍ଚକୁ କମ୍ କରିବା ସହ ପେନସନଧାରୀଙ୍କୁ ଆଉ ଥରେ ବିଭିନ୍ନ ପଦବୀରେ ଥଇଥାନ କରିବା ଓ କାଳିଆ ଏବଂ ହାଉସିଙ୍ଗ ସ୍କିମଗୁଡ଼ିକୁ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି।
ଏହା ବି ପଢ଼ନ୍ତୁ | ସିଗାରେଟ୍ ଟାଣିବାର ଆଇନଗତ ବୟସ ବଢ଼ି ୨୧ ହେବ; ଖୋଲା ସିଗାରେଟ୍ ବିକ୍ରି ବ୍ୟାନ୍ ହେବ; ଫାଇନ୍ ବଢ଼ିବ
କୋଭିଡ ସ୍ଥିତିରେ ବଜେଟରେ ସ୍ବାସ୍ଥ୍ଯ ଓ କୃଷି ପାଇଁ ଅଧିକ ବ୍ଯୟ ବରାଦ କରିବା ସପକ୍ଷରେ ମତ ପ୍ରକାଶ ପାଇଛି । କୋଭିଡ ସ୍ଥିତିରେ ଖଣି ନିଲାମ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ଖଣି ଖନନ କାର୍ଯ୍ୟ ବ୍ଯାପକ କରି ନିଯୁକ୍ତି ସୃଷ୍ଟି କରିବାକୁ ପ୍ରସ୍ତାବ ଦିଆଯାଇଛି । ରାଜ୍ଯର ପର୍ଯ୍ୟଟନକୁ ଅଧିକ ଗୁରୁତ୍ବ ଦେଇ ରାଜସ୍ବ ବୃଦ୍ଧି କରିବାକୁ କୁହାଯାଇଛି।
‘‘ରାଜ୍ଯର ଅଧିକ ଋଣ କଲେ କିଛି ଅସୁବିଧା ନାହିଁ, ତେଣୁ ବର୍ତ୍ତମାନର କୋଭିଡ୍ ସ୍ଥିତିରେ ଖୋଲା ବଜାରରୁ ସରକାର ଋଣ ଉଠାଇ ଆବଶ୍ଯକ ଖର୍ଚ୍ଚ ଭରଣା କରିବା ଉଚିତ,’’ କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ।
ଏହା ବି ପଢ଼ନ୍ତୁ | ‘ମୋତେ ଗୁପ୍ତଚରମାନେ ବିଷ ଦେଇ ମାରିଦେବାକୁ ଚେଷ୍ଟା କରିଥିଲେ,’ କହିଲେ ISROର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ
ପୂର୍ବ ବର୍ଷ ବଜେଟରେ ଅର୍ଥବରାଦ କରାଯାଇଥିଲେ ମଧ୍ଯ କୋଭିଡ ସ୍ଥିତିଜନିତ ଲକଡାଉନ ଓ ସଟଡାଉନ ଯୋଗୁଁ ବହୁ ଅର୍ଥ ବ୍ୟୟ ହୋଇ ପାରି ନାହିଁ । ଏ ଭଳି ସ୍ଥିତିରେ ବର୍ତ୍ତମାନ କୋଭିଡଜନିତ ଅର୍ଥନୈତିକ ସ୍ଥିତିରେ ସୁଧାର ହୋଇ ରାଜ୍ଯର ଅର୍ଥନୀତି କେମିତି ଗତିଶୀଳ ହେବ ତା’ ଉପରେ ଗୁରୁତ୍ବ ଦିଆଯାଇଛି।
ଏହି ପ୍ରାକ୍-ବଜେଟ ବୈଠକରେ ପୂର୍ବତନ ଅର୍ଥ ମନ୍ତ୍ରୀମାନଙ୍କ ସମେତ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ତଥା ବହୁ ଅର୍ଥ ବିଶେଷଜ୍ଞ ନିଜର ମତାମତ ରଖିଛନ୍ତି । ପୂର୍ବରୁ ଅର୍ଥ ବିଭାଗ ଆଗାମୀ ବଜେଟ୍ ବିଷୟରେ ସାଧାରଣ ଲୋକଙ୍କ ମତାମତ ବି ଆହ୍ବାନ କରିଥିଲା ।