ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ କିଏ ହେବେ: କେଭି ନା ପୃଥ୍ବୀରାଜ? ଚର୍ଚ୍ଚା ଗରମ

ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସାମନାରେ ଠିଆ ହୋଇଥିବା ସଙ୍କଟ ‘‘ଉପକୂଳ ଓଡ଼ିଶା ବନାମ ପଶ୍ଚିମ ଓଡ଼ିଶା’’ ଓ ‘‘ପୁରୁଖା ବନାମ ଯୁବ ନେତୃତ୍ୱ’’ ବୋଲି ଜଣାପଡ଼ିଛି । ପାର୍ଟି ପାଇଁ ରାଜ୍ୟ ସଭାପତି ଚ଼ୟନ କରିବା କାଠିକର ପାଠ ହୋଇପାରେ ।

ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ କିଏ ହେବେ: କେଭି ନା ପୃଥ୍ବୀରାଜ? ଚର୍ଚ୍ଚା ଗରମ
ରାଜ୍ୟ ବିଜେପି: କାହା ମୁଣ୍ଡରେ ପଗଡ଼ି?
  • News18 Odia
  • Last Updated: December 10, 2019, 8:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ୱର: ଜାନୁଆରୀ ପ୍ରଥମ ସପ୍ତାହରେ ବିଜେପି ନେତା ବସନ୍ତ ପଣ୍ଡାଙ୍କର ପାର୍ଟିର ରାଜ୍ୟ ସଭାପତି ରୂପେ କାର୍ଯ୍ୟକାଳ ସରୁଥିବାରୁ ପରବର୍ତ୍ତୀ ସଭାପତି କିଏ ହେବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି ।

ନୂଆ ବର୍ଷ ପୂର୍ବରୁ ନୂଆ ମଙ୍ଗୁଆଳ ବାଛିବା କାମ ସାରିବା ପାଇଁ ଦଳର କେନ୍ଦ୍ରୀୟ ନେତାଙ୍କ ଠାରୁ ଇସାରା ମିଳିବା ପରେ ଏବେ ବିଜେପି କ୍ୟାମ୍ପ୍‌ ଚଳଚଞ୍ଚଳ ହୋଇଉଠିଛି । ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଇ ମାସ ୧୮ ତାରିଖ ସୁଦ୍ଧା ୩୬ଟି ସାଂଗଠନିକ ଜିଲ୍ଲା କମିଟିର ନିର୍ବାଚନ ଶେଷ ହେବ । ଏହା ପରେ ରାଜ୍ୟ ସଭାପତି ନିର୍ବାଚନ ସମାପିତ ହେବ । ତେବେ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିଯିବ ବୋଲି ପାର୍ଟି ସୂତ୍ରରୁ ସୂଚ଼ନା ମିଳୁଛି ।

ରାଜ୍ୟ ୟୁନିଟ୍‌ର ସମ୍ଭାବ୍ୟ ନୂଆ ମଙ୍ଗୁଆଳଙ୍କୁ ନେଇ ବିଚାର ବିମର୍ଷ ଚାଲିଥିବା ବେଳେ ତାଲିକାର ଶୀର୍ଷରେ ଅଛି ଦୁଇ ପ୍ରମୁଖ ନେତାଙ୍କ ନାମ: ପୃଥ୍ବୀରାଜ ହରିଚନ୍ଦନ ଓ କନକ ବର୍ଦ୍ଧନ ସିଂଦେଓ ।

ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ


ପୃଥ୍ବୀରାଜ ହରିଚନ୍ଦନ ଉପକୂଳ ଓଡ଼ିଶାରେ ବିଜେପିର ଟାଣୁଆ ଯୁବ ନେତା । ସେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ । କନକ ବର୍ଦ୍ଧନ ସିଂଦେଓ ହେଉଛନ୍ତି ପଶ୍ଚିମ ଓଡ଼ିଶାରେ ବିଜେପିର ଜଣେ ପୁରୁଖା ନେତା ତଥା ପାର୍ଟି ରାଜ୍ୟ ୟୁନିଟ୍‌ର ପୂର୍ବତନ ସଭାପତି ।

ତେବେ ଦଳ ଯୁବ ଚେହେରା ଉପରେ ମୋହର ମାରିବ ନାଁ ପୁରୁଖାଙ୍କୁ ସୁଯୋଗ ଦେବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ପୃଥ୍ବୀରାଜଙ୍କର ସମସ୍ତ ନେତା ଓ କର୍ମୀଙ୍କ ସହିତ ଭଲ ସଂପର୍କ ଥିବା ବେଳେ ଦଳ ଚଳାଇବାର ଦକ୍ଷତା ବି ରହିଛି । ତାଙ୍କର ଭାବମୂର୍ତ୍ତୀ ଖୁବ୍‌ ଭଲ ରହିଥିବାରୁ ତାଙ୍କ ନାଁକୁ ଶୀର୍ଷ ନେତୃତ୍ବ ବିଚାରକୁ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ରାଜ୍ୟ ବିଜେପିର ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂଦେଓ


କନକ ବର୍ଦ୍ଧନ ସିଂଦେଓଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା କିଛି କମ୍‌ ନୁହେଁ । ଲଗାତାର ଚାରି ଥର ବିଧାୟକ ନିର୍ବାଚିତ ହେବା ସହିତ ରାଜ୍ୟର ମେଣ୍ଟ ସରକାରରେ ଦୁଇ ଥର କ୍ୟାବିନେଟ୍‌ ମନ୍ତ୍ରୀ ବି ରହିଛନ୍ତି ସେ । ଏହା ସହ ୨୦୧୩ ରୁ ୨୦୧୬ ଯାଏ ସଫଳତାର ସହ ରାଜ୍ୟ ବିଜେପିର ସଭାପତି ଦାୟିତ୍ବ ମଧ୍ୟ ସମ୍ଭାଳିଛନ୍ତି । ତେଣୁ ଅଭିଜ୍ଞତା ଦୃଷ୍ଟିରୁ ସିଂଦେଓଙ୍କ ନାମକୁ ମଧ୍ୟ ଦଳ ବିଚାରକୁ ନେଉଥିବାର ଜଣାପଡ଼ିଛି ।

ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ ପାର୍ଟି ରାଜ୍ୟ ୟୁନିଟ୍‌ର ସଭାପତି ନାମ ପରି ନିଷ୍ପତ୍ତି ହାଇକମାଣ୍ଡଙ୍କ ମୋହର ଉପରେ ନିର୍ଭର କରେ ।

‘‘ବିଜେପି ଏକ କ୍ୟାଡ଼ର ଭିତ୍ତିକ ଦଳ । ଦଳରେ କୌଣସି କଥାରେ ବାଦ ବିବାଦ ନ ଥାଏ । ଉପଯୁକ୍ତ ସମୟରେ ସଭାପତି ଚୟନ ହେବ । ଦଳରେ ସମସ୍ତ କାର୍ଯ୍ୟକର୍ତ୍ତା ଦକ୍ଷ ହୋଇଥିବାରୁ କେହି ବି ସଭାପତି ହୋଇ ପାରନ୍ତି । ବିଜେପିରେ ଜଣେ ସାଧାରଣ କର୍ମକର୍ତ୍ତା ବି ବହୁତ ଆଗକୁ ଯାଇପାରିଥାଏ,’’ କହିଛନ୍ତି ମହାପାତ୍ର ।

ଏ ନେଇ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଯିଏ ଦଳ ସମ୍ଭାଳି ପାରିବ ସେଭଳି ଜଣେ ନେତାଙ୍କୁ ଦଳ ବାଛିବ । ‘‘ବିଜେପିରେ ଲବି କାମ କରି ନ ଥାଏ । ମୋ’ ନାଁକୁ ନେଇ ଚାଲିଥିବା ଚର୍ଚ୍ଚା କେବଳ ଏକ କଳ୍ପନା ଜଳ୍ପନା ଉପରେ ଆଧାରିତ । ଦଳ ଯେଉଁ ନେତୃତ୍ୱକୁ ଉପଯୁକ୍ତ ବାଛିବ ତାଙ୍କୁ ହିଁ ସଭାପତି କରାଯିବ,’’ କହିଛନ୍ତି ହରିଚନ୍ଦନ ।

ଠିକ୍‌ ସେମିତି ନିଜ ନାଁକୁ ନେଇ ହେଉଥିବା ଚର୍ଚ୍ଚାକୁ ଏଡ଼ାଇ ଯାଇଛନ୍ତି ସିଂଦେଓ । କହିଛନ୍ତି ‘‘ଏ ସବୁ କେବଳ ଚର୍ଚ୍ଚା । ଦଳ ଚଳାଇବାର କ୍ଷମତା ଯାହା ପାଖରେ ଅଛି ବୋଲି ଦଳ ଅନୁଭବ କରିବ ତାକୁ ହିଁ ଦାୟିତ୍ବ ଦେବ,’’ ସେ କହିଛନ୍ତି ।

ବିଜେଡ଼ି କ୍ୟାମ୍ପ୍‌ ବି ଚଳଚଞ୍ଚଳ

ସାଙ୍ଗଠନିକ ନିର୍ବାଚନକୁ ନେଇ ଶାସକ ଦଳ ବିଜେଡ଼ିରେ ବି ଚଳଚଞ୍ଚଳତା ବଢ଼ିଯାଇଛି । ପ୍ରତାପ ଦେବଙ୍କୁ ନିର୍ବାଚନ ଅଧିକାରୀ ଚୟନ କରିବା ପରେ ନିର୍ବାଚନ ପ୍ରକିୟା ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ରିଟର୍ଣି  ଅଧିକାରୀ ନିଯୁକ୍ତି ହୋଇସାରିଥିବା ବେଳେ ତୃଣମୂଳ ସ୍ତରରେ ନିର୍ବାଚନ ପୋଇଁ ଆସିଷ୍ଟାଣ୍ଟ୍‌ ରିଟର୍ଣଂ ଅଧିକାରୀ ଶୀଘ୍ର ନିଯୁକ୍ତି କରାଯିବ ।

ତା‘ପରେ ପଞ୍ଚାୟତ ଓ ୱାର୍ଡ଼ ସ୍ତରରେ ଏବଂ ପରେ ବ୍ଳକ୍‌ ଓ ଜିଲ୍ଲା ସ୍ତରରେ ନିର୍ବାଚନ ଶେଷ ହେବ । ଡ଼ିସେମ୍ବର ଶେଷ ସୁଦ୍ଧା ଏହି ପ୍ରକିୟା ଶେଷ ହେବ । ତେବେ ତିନି ମାସ ଅର୍ଥାତ ଫେବୃଆରୀ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକିୟା ଶେଷ ହେବ ।

ତେବେ ବିଜେଡିର ସାଗଠନିକ ନିର୍ବଚନକୁ ନେଇ ରାଜ୍ୟ ରିଟର୍ଣଂ ଅଫିସର ପ୍ରତାପ ଦେବ କହିଛନ୍ତି: "ନିର୍ବାଚନ ପ୍ରକିୟା ଆରମ୍ଭ ହୋଇଛି । ଆଗାମୀ ତିନି ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହେବ । ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରକ୍ରିୟା ଚାଲିଛି । ଫେବୃଆରୀ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ,’’ କହିଛନ୍ତି ପ୍ରତାପ ଦେବ।
First published: December 10, 2019, 8:13 PM IST