NEWS 18 ODIA
ଭୁବନେଶ୍ୱର: ଦୁଇ ଦିନ ଧରି ହେବ ମାନସ ମନ୍ଥନ । ଖୋଜାଯିବ ଦଳୀୟ ସଫଳତା ଓ ବିଫଳତାର କାହାଣୀ । କାହିଁକି ନିର୍ବାଚନ ଓ ପୋୖର ନିର୍ବାଚନରେ ବାଜିମାତ କରି ପାରିଲାନି ବିଜେପି ? କଣ ପାଇଁ ବ୍ରଜରାଜନଗର ଉପ ନିର୍ବାଚନରେ ରାଜ୍ୟ ବିଜେପିକୁ ତିନି ନମ୍ବର ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଲା ? ଏ ସମସ୍ତ ପ୍ରସଙ୍ଗରେ ଦଳୀୟ ନେତାଙ୍କ ସହ କଥା ହେବେ ତୃଣମୂଳ ସ୍ତରର ନେତା । ଆସନ୍ତା ୨୯ ତାରିଖରେ ହେବାକୁ ଥିବା ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଉପରେ ସମସ୍ତଙ୍କ ନଜର ।
ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ତଥା ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ରଙ୍କ ସୂଚନା ଅନୁସାରେ, ଆସନ୍ତା ୨୮ ତାରିଖରେ ରାଜ୍ୟ ବିଜେପି ମୁଖ୍ୟାଳୟରେ ଆୟୋଜନ ହେବ ପଦାଧିକାରୀ ବୈଠକ । ଏଥିରେ ରାଜ୍ୟର ଦଳୀୟ ପଦାଧିକାରୀ ଓ ଜିଲ୍ଳା ସଭାପତି ଯୋଗଦେବେ । ପରେ ବିଭିନ୍ନ ଜିଲ୍ଲା ପ୍ରଭାରୀମାନଙ୍କ ବୈଠକ ଆୟୋଜନ ହେବ । ଏଥିରେ ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକ୍ରମ କେତେ ଲୋକାଭମୁଖୀ ହୋଇପାରୁଛି , ତୃଣମୂଳ ସ୍ତରରେ କେନ୍ଦ୍ରୀୟ ଯୋଜନା ପହଞ୍ଚି ପାରୁଛି କି ନାହିଁ ଏ ସମସ୍ତ ଦାୟିତ୍ବର ହିସାବ ତଲବ କରାଯିବ । ଏହା ସହିତ ପୂର୍ବରୁ ଦିଆଯାଇଥିବା ଟାସ୍କର ହିସାବ ମଧ୍ୟ ମଗାଯିବ ।
ପ୍ରଥମ ପର୍ଯ୍ୟାୟରେ ୨୮ ତାରିଖ ଦିନ ତମାମ ପଦାଧିକାରୀ ବୈଠକ ପରେ ୨୯ ତାରିଖରେ ଫୁଲ ନଖରା ନିକଟସ୍ଥ କୁରାଙ୍ଗ ଶାସନରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ବିଜେପିର ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ବିଜେପି ଓଡ଼ିଶାର ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକାରିଣୀରେ ବିଭିନ୍ନ ଦଳୀୟ ରାଜନୈତିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହେବ । ଏହା ସହିତ ସାଂପ୍ରତିକ ରାଜନୈତିକ ଦୃଶ୍ୟ ପଟରେ ସମସ୍ତ ରାଜନୈତିକ, ସାଂଗଠନିକ ଓ ସାମାଜିକ ଵିଷୟ ବସ୍ତୁ ଉପରେ ବିସ୍ତୁତ ଆଲୋଚନା ହେବ । ବିଶେଷ କରି ଆଗାମୀ ଦିନରେ ଦଳର କଣ ରଣନୀତି ନୀତି ନିର୍ଦ୍ଧାରଣ ହେବ ସେ ନେଇ ମାନସ ମନ୍ଥନ କରିବ ଦଳ ।
ଦଳୀୟ ନେତାଙ୍କ ସୂଚନା ଅନୁସାରେ, ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ତରଫରୁ ଅନେକ ଖସଡ଼ା ପ୍ରସ୍ତୁତ ହେବାର କାର୍ଯ୍ୟକ୍ରମ ଥିବାରୁ ନୀତି ନିର୍ଦ୍ଧାରଣ ପାଇଁ ଏହି କାର୍ଯ୍ୟକାରିଣୀ ଅନେକ ଗୁରୁତ୍ୱ ବହନ କରେ । ଏହା ସହିତ ବୁଥ୍ ସ୍ତରରୁ ଦଳକୁ ସଶକ୍ତ କରିବା ଦଳର ପ୍ରାଥମିକତା ଥିବାରୁ ଏହି କାର୍ଯ୍ୟକାରୀଣି ଉପରେ ସମସ୍ତଙ୍କ ନଜର ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।