ସ୍ମିତାରାଣୀ ମୃତ୍ୟୁ ମାମଲା: ଯାଜପୁରର ବିବାଦୀୟ କୋଠା ଭାଙ୍ଗିବା ପ୍ରସଙ୍ଗରେ ରାଜନୀତି ଗରମ

ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ଯେ ସ୍ମିତରାଣୀ ମୃତ୍ୟୁ ମାମଲାରେ ତଥ୍ୟ ଓ ପ୍ରମାଣ ନଷ୍ଟ କରିବା ପାଇଁ ବିବାଦିୟ କୋଠାଟିକୁ ଭାଙ୍ଗି ଦିଆଗଲା । ବିଜେଡି ଏହି ଆରୋପକୁ ଖାରଜ କରିଛି ।

ସ୍ମିତାରାଣୀ ମୃତ୍ୟୁ ମାମଲା: ଯାଜପୁରର ବିବାଦୀୟ କୋଠା ଭାଙ୍ଗିବା ପ୍ରସଙ୍ଗରେ ରାଜନୀତି ଗରମ
ସ୍ମିତାରାଣୀ ବିଶ୍ବାଳ ଗତ ଅକ୍‌ଟୋବର ୧୬ରେ ଆତ୍ମହତ୍ୟା କରିଥିଲେ ।
  • News18 Odia
  • Last Updated: February 8, 2020, 9:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଯାଜପୁରରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ତଥା ଭିଏଲଡବ୍ଲ୍ୟୁ (VLW) ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରାଙ୍କ ବିବାଦୀୟ ଅତିଥିଭବନ ଭାଙ୍ଗିବା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ପାଗ । ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ଯେ ସ୍ମିତରାଣୀ ମୃତ୍ୟୁ ମାମଲାରେ ତଦନ୍ତ ଚ଼ାଲିଥିବା ସମୟରେ ଘଟଣାର ସମସ୍ତ ତଥ୍ୟ ଓ ପ୍ରମାଣ ନଷ୍ଟ କରିବା ଲାଗି ଏହାକୁ ଭାଙ୍ଗି ଦିଆଗଲା ।

ବିବାଦୀୟ କୋଠା ଭାଙ୍ଗିବା ପଛରେ ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନର ମନ୍ଦ ଉଦ୍ଦେଶ୍ୟ ଅଛି ଏବଂ ତଦନ୍ତକୁ ଦିଶାହୀନ କରିବା ଲାଗି ଏଭଳି କରାଯାଇଥିବା ଉଭୟ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ।

‘‘୨୦୧୮ ମସିହାରେ ବିବାଦୀୟ ଅତିଥି ଭବନ ଭଙ୍ଗାଯାଇଥିବା ପୂର୍ବରୁ ଶାସକ ଦଳ କହୁଥିଲା । ବାସ୍ତବତା ହେଲା ଏହା ଯେ ଏ ଯାଏ ତାହା ଭଙ୍ଗା ଯାଇ ନ ଥିଲା, ଯାହା ପଛରେ ହୁଏତ କିଛି ବଡ କାରଣ ଅଛି । ଯଦି ଆଗରୁ ଏହି ବିବାଦୀୟ କୋଠା ଭଙ୍ଗା ଯାଇଥାନ୍ତା, ହୁଏତ ସ୍ମିତରାଣୀ ମରି ନ ଥାଆନ୍ତେ ବା ଏଭଳି କିଛି ଘଟଣା ଘଟି ନ ଥାନ୍ତା,’’ କହଛନ୍ତି ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ରାଜ୍ୟ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ ସ୍ମିତରାଣୀ ମୃତ୍ୟୁ ମାମଲାରେ ତଥ୍ୟ ଓ ପ୍ରମାଣ ନଷ୍ଟ କରିବା ଲାଗି ଏବେ ଏହାକୁ ଭାଙ୍ଗି ଦିଆଗଲା । ‘‘କୋଠା ଭାଙ୍ଗିବା ପଛରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ମନ୍ଦ ଉଦେଶ୍ୟ ଅଛି  । ଘଟଣାର ତଦନ୍ତକୁ ଦିଶାହୀନ କରିବା ଲାଗି ତଥା  ସ୍ମିତାରାଣୀ ମୃତ୍ୟୁ ମାମଲାର ଠୋସ୍‌ ପ୍ରମାଣ ନଷ୍ଟ କରିବା ଲାଗି ଶାସକ ଦଳର ଇଙ୍ଗିତରେ ଏଭଳି କରାଯାଇଛି । ସ୍ମିତାରାଣୀ ମୃତ୍ୟୁ ରହସ୍ୟକୁ ଲୁଚାଇବାକୁ ଏହା ଏକ ରୀତିମତ ଷଡଯନ୍ତ୍ର,’’ ସେ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ସାମନ୍ତସିଂହାର


ବିଜେପି ସହିତ କଂଗ୍ରେସ ମଧ୍ୟ ସ୍ବର ମିଳାଇଛି ଏହି ପ୍ରସଙ୍ଗରେ । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି: ‘‘କୌଣସି ଘଟଣା ତଦନ୍ତ ଅଧୀନରେ ଥିବା ବେଳେ ତା’ ସମ୍ପର୍କିତ ପ୍ରମାଣ ନଷ୍ଟ କରାଯିବା ଆଇନ ବିରୋଧୀ । ଯାଜପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ଏଭଳି ପ୍ରମାଣ ନଷ୍ଟ କରାଯାଇଛି । ଏହା ଶାସକ ଦଳର ଇଙ୍ଗିତରେ ହୋଇଛି । ଏହା ପ୍ରମାଣିତ କରୁଛି ଯେ ଘଟଣା ପଛରେ ଅଛି ବଡ଼ ଷଡଯନ୍ତ୍ର  । ’’

ତେବେ ଶାସକ ଦଳ ବିଜେଡିର ମୁଖପାତ୍ର ସୁବାସ ସିଂ କହିଛନ୍ତି: ‘‘ଏଭଳି ସ୍ପର୍ଶକାତର ଘଟଣାର ରାଜନୀତିକରଣ ନ ହେବା ଦରକାର । ଶାସକ ଓ ବିରୋଧୀ କେହି ଆଇନ ଠାରୁ ଉର୍ଦ୍ଧ୍ବରେ ନୁହନ୍ତି । ଆଇନକୁ ଓ ଜିଲ୍ଲା ପ୍ରଶାସନକୁ ତାଙ୍କ କାମ କରିବାକୁ ଦିଆଯିବା ଦରକାର । ଏହାକୁ ନେଇ ବିରୋଧୀ ପ୍ରଶ୍ନ କରିବା ଅନୁଚିତ ।’’

ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ଆଇନ ତା’ ବାଟରେ ଯାଉଛି । ‘‘ରାଜ୍ୟରେ ମହିଳାଙ୍କ ସ୍ବାର୍ଥ ପାଇଁ ସରକାର ଅଙ୍ଗୀକାରବଦ୍ଧ । ତେଣୁ ଏଭଳି ଅଭିଯୋଗର ବାସ୍ତବତା ନାହିଁ,’’ ସେ କହିଛନ୍ତି ।

ତେବେ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ଥମୁନି ରାଜନୀତି । ଗୋଟିଏ ପଟେ ଏହି ଘଟଣାରୁ ସବୁ ରାଜେନୖତିକ ଦଳ ଫାଇଦା ପାଇଁ ଆଗ୍ରହୀ ଥିବା ବେଳେ ଅନ୍ୟ ପଟେ ମୃତ ସ୍ମିତାରାଣୀଙ୍କ ପରିବାର ଲମ୍ବା ସମୟ ଧରି ଅପେକ୍ଷା କରିଛନ୍ତି ନ୍ୟାୟ ପାଇବା ପାଇଁ ।
First published: February 8, 2020, 9:12 PM IST