ଲିଭ୍‌-ଇନ୍‌ ପ୍ରେମିକା ଓ ତାଙ୍କ ଝିଅକୁ ଲୁହା ରଡ଼ରେ ହତ୍ୟା କରି ତାଙ୍କ ଉପରେ ବୋଲେରୋ ଚ଼ଢେଇଥିଲେ ଅନୁପ ସାଏ

୨୦୧୧ରୁ ୨୦୧୬ ଯାଏ କଳ୍ପନା ଦାସଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିଲେ ଅନୁପ ସାଏ । ତାଙ୍କୁ ବିବାହ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ହେଉଥିଲା ଝଗଡ଼ା । ଶେଷରେ କଳ୍ପନା ଓ ତାଙ୍କ ୧୪ ବର୍ଷର ଝିଅକୁ ଅନୁପ ହତ୍ୟା କରିଥିଲେ ବୋଲି କହିଛି ଛତିଶଗଡ଼ ପୋଲିସ ।

ଲିଭ୍‌-ଇନ୍‌ ପ୍ରେମିକା ଓ ତାଙ୍କ ଝିଅକୁ ଲୁହା ରଡ଼ରେ ହତ୍ୟା କରି ତାଙ୍କ ଉପରେ ବୋଲେରୋ ଚ଼ଢେଇଥିଲେ ଅନୁପ ସାଏ
କଳ୍ପନା ଦାସ ଓ ତାଙ୍କ ଝିଅଙ୍କ ଫାଇଲ୍‌ ଫଟୋ; (ଡାହାଣ) ଅନୁପ ସାଏ
  • News18 Odia
  • Last Updated: February 14, 2020, 3:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବ୍ରଜରାଜନଗରରୁ ତିନି ତିନି ଥର କଂଗ୍ରେସ ବିଧାୟକ ରହିଥିବା ଅନୁପ କୁମାର ସାଏ ନିଜ ଲିଭ୍‌-ଇନ୍‌ ପ୍ରେମିକା ଓ ତାଙ୍କ ଝିଅକୁ ଅତି ନିଷ୍ଠୁରଭାବେ ଲୁହା ରଡ଼ରେ ପିଟି ହତ୍ୟା କରିବା ପରେ ଦୁହିଁଙ୍କ ଉପରେ ରାସ୍ତାରେ ବୋଲେରୋ ଗାଡ଼ି ଚ଼ଢ଼େଇ ଦେଇଥିଲେ । ଛତିଶଗଡ଼ ପୋଲିସ ଦ୍ୱାରା ଗିରଫ ହେବା ପରେ ସେ ଶେଷରେ ନିଜ ଦୋଷ ସ୍ୱୀକାର କରିଛନ୍ତି ।

ଛତିଶଗଡ଼ର ରାୟଗଡ଼ ପୋଲିସ ଓ ସେଠାକାର କ୍ରାଇମ୍‌ ବ୍ରାଞ୍ଚ୍‌ ଦ୍ୱାରା ଚ଼ାରି ବର୍ଷର ସଘନ ତଦନ୍ତ ପରେ ୨୦୧୬ରେ ହୋଇଥିବା ବ୍ରଜରାଜନଗର ଡବଲ ମର୍ଡର ରହସ୍ୟରୁ ପରଦା ହଟିଛି । ଅନୁପ ସାଏଙ୍କୁ ବୁଧବାର (ଫେବୃଆରୀ ୧୨) ରାତିରେ ଝାରସୁଗୁଡ଼ାରୁ ଉଠାଇନେଇଥିଲା ରାୟଗଡ଼ ପୋଲିସ । ତାଙ୍କୁ ଗୁରୁବାର (ଫେବୃଆରୀ ୧୩) ବିଧିବଦ୍ଧ ରୂପେ ଗିରଫ କରାଯାଇଥିଲା । ଆଜି ରାୟଗଡ଼ ଏସ୍‌.ପି. ଛତିଶଗଡ଼ର ଚକ୍ରଧରନଗର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆନୁପ ସାଏଙ୍କ ଜଘନ୍ୟ ଅପରାଧର କଳା କାଣ୍ଡ ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି ।

‘‘୩୫ ବର୍ଷୀୟା କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷର ଝିଅ ପ୍ରଣତି ଦାସଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ଅନୁପ ସାଏ । ତାଙ୍କୁ ଗିରଫ କରାଯାଇଛି । ୨୦୧୬ ମସିହା ମେ ମାସ ୭ ତାରିଖରେ କଳ୍ପନା ଓ ତାଙ୍କ ଝିଅର ମୃତ ଦେହ ମିଳିଥିଲା (ଛତିଶଗଡ଼ର) ଚକ୍ରଧରପୁର ଅଞ୍ଚଳରୁ । ଦୁହିଁଙ୍କ ହତ୍ୟା ପଛରେ ଅନୁପ ସାଏଙ୍କ ସଂପୃକ୍ତି ଥିବା ଅଭିଯୋଗ ସହ ଏକ ମାମଲା ରୁଜୁ ହୋଇଥିଲା,’’ କହିଛନ୍ତି ରାଇଗଡ଼ ଏସ୍‌ପି ସନ୍ତୋଷ ସିଂ ।

ଅନୁପ ସାଏ କଂଗ୍ରେରେ ଥିବା ବେଳେ ତିନି ଥର ବ୍ରଜରାଜନଗରରୁ ବିଧାୟକ ନିର୍ବାଚ଼ିତ ହୋଇଥିଲେ । ସେ ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ଗିରଫ ହେବା ସମୟରେ ସେ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଥିଲେ । ତାଙ୍କ ଗିରଫ ହେବା ଖବର ପ୍ରସାରିତ ହେବା ପରେ ନବୀନ ପଟ୍ଟନାୟକ ସରକାର ତାଙ୍କୁ ଗୁରୁବାର ସେ ପଦରୁ ହଟେଇଥିଲେ । ତାଙ୍କୁ ବିଜେଡିରୁ ମଧ୍ୟ ବହିଷ୍କାର କରାଯାଇଥିଲା ।

‘‘ମାଆ ଓ ଝିଅଙ୍କ ହତ୍ୟା ପଛରେ ଅନୁପ ସାଏଙ୍କ ସଂପୃକ୍ତିର ଠୋସ୍ ପ୍ରମାଣ ଆମ ପାଖରେ ଅଛି । ଗିରଫ ହେବା ପରେ ହତ୍ୟାକାଣ୍ଡରେ ସଂପୃକ୍ତିକୁ ସ୍ବୀକାର ମଧ୍ୟ କରିଛନ୍ତି ସେ। ପ୍ରଥମେ ମାଆ ଓ ଝିଅଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା କରିବା ପରେ ସେମାନଙ୍କ ଉପରେ ବୋଲୋରେ ଚଢ଼ାଇ ଦେଇଥିଲେ ସେ,’’ କହିଛନ୍ତି ଏସ୍.ପି. ସନ୍ତୋଷ ସିଂ ।

୨୦୧୬ ମେ ୭ ରେ କଳ୍ପନା ଓ ଝିଅ ପ୍ରଣତିର ମୃତ ଦେହ ଏମିତି ମିଳିଥିଲା ଛତିଶଗଡ଼ର ଏକ ରାସ୍ତା ଉପରେ ।


ଅନୁପଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୨୦୧ ଓ ୧୦୨ (ବି) ରେ ଏକ ମାମଲା ରୁଜୁ କରିଛି ଛତିଶଗଡ଼ ପୋଲିସ । ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ରହିଛି ତାହା ଜାଣିବା ପାଇଁ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ କରାଯିବ ବୋଲି କହିଛନ୍ତି ସିଂ।

୨୦୧୬ ମେ ୭ ରେ କଳ୍ପନା ଓ ଝିଅ ପ୍ରଣତିର ମୃତ ଦେହ ମିଳିଥିଲା ଛତିଶଗଡ଼ର ଚକ୍ରଧରନଗର ଅଞ୍ଚଳରୁ । ପୋଲିସ ତଦନ୍ତ ଜାରି ରଖିଥିଲା, ଦୀର୍ଘ ଆଠ ମାସ ପରେ ମୃତ ମାଆ ଓ ଝିଅଙ୍କୁ ଚିହ୍ନଟ କରାଯାଇ ପାରିଥିଲା ।

‘‘୨୦୧୧ରୁ ୨୦୧୬ ଯାଏ କଳ୍ପନା ଦାସଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ ଅନୁପ ସାଏ । ତାଙ୍କୁ ବିବାହ କରିବେ ବୋଲି ପ୍ରତିଶୃତି ଦେଇଥିଲେ ସେ। ହେଲେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ହେଉଥିଲା ଝଗଡ଼ା । ତାଙ୍କ ନାର୍କୋ ଟେଷ୍ଟ ହେବା ପରେ ଆହୁରି ଅନେକ ରହସ୍ୟରୁ ପରଦା ହଟିପାରେ,’’ କହିଛନ୍ତି ସିଂ ।

ଏହି ମାମଲାରେ ଅନେକ ଥର ଅନୁପଙ୍କୁ ଛତିଶଗଡ଼ ପୋଲିସ ପକ୍ଷରୁ ନୋଟିସ୍‌ ହୋଇଥିଲା, କିନ୍ତୁ ସେ ପୋଲିସକୁ ସହଯୋଗ କରି ନ ଥିଲେ । ଗୁରୁବାର ଦିନ ସବୁ ପ୍ରମାଣ ସହିତ ପୋଲିସ ଲମ୍ବା ପଚରାଉଚରା କରିବା ପରେ ସେ ହତ୍ୟା କରିଥିବା ସ୍ବୀକାର କରିଥିଲେ ।
First published: February 14, 2020, 3:31 PM IST