ପଞ୍ଚାୟତ ପରିକ୍ରମା: କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ପରାକ୍ରମ

  • Share this:
ଭୁବନେଶ୍ୱର: ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଜୋର୍‌ ଧରିଛି । ଶାସକ ବିଜେଡିକୁ କଡ଼ା ଟକ୍କର ଦେଉଛି ବିଜେପି । ଗତ ପଞ୍ଚାୟତ ନିର୍ବାଚନରେ ବେଶ୍‌ ଭଲ ଫଳାଫଳ କରିଥିବା ବିଜେପି ଏଥର ତାହାକୁ ଦୋହରାଇବାକୁ ପ୍ରୟାସ ଜାରି ରଖିଛି । ରାଜନୈତିକ ଦୃଷ୍ଟିକୋଣରୁ ମୟୁରଭଞ୍ଜ ଜିଲ୍ଲା ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା । ଏହି ଜିଲ୍ଲାରୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ପ୍ରତିନିଧିତ୍ୱ କରୁଛନ୍ତି । ରେ ଗତ ନିର୍ବାଚନରେ ବିଜେପି ବିଜେଡି ଠାରୁ ଅଧିକ ଜିଲ୍ଲା ପରିଷଦ ଆସନ ହାସଲ କରିଥିଲା ।

ଜିଲ୍ଳାର ୫୬ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ୪୯, ବିଜେଡି ୫, ଜେଏମଏମ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ହାସଲ କରିଥିଲେ । ତେଣୁ ଚଳିତ ଥର ବିଜେଡି ଏହି ଜିଲ୍ଲାର ଦାୟିତ୍ୱ ହେଭିୱେଟ୍‌ ନେତା ତଥା ଦଳର ନମ୍ବର ଟୁ ନେତା କୁହାଯାଉଥିବା ପ୍ରଣବ ପ୍ରକାଶ ଦାସଙ୍କ ହାତରେ ନ୍ୟସ୍ତ କରିଛି । ସେ ଜିଲ୍ଲାକୁ ଘନ ଘନ ଗସ୍ତ କରି ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଛନ୍ତି ।

ତେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଜିଲ୍ଲା ଯୋଗାଣ ବିଭାଗର ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ନେଇ ଅଭିଯୋଗ ହେବା ପରେ ପୁଲିସ କେନ୍ଦ୍ରମନ୍ତ୍ରୀଙ୍କ ନାମରେ ମାମଲା ରୁଜୁ କରିଛି । ତାଙ୍କର ଜିଲ୍ଲା କାର୍ଯ୍ୟାଳୟକୁ ଯାଇ ମଧ୍ୟ ଛାନ୍‌ଭିନ୍‌ କରିଛି । ଏହାକୁ ନେଇ ଶ୍ରୀ ଟୁଡୁ ବିଜେଡିକୁ ଆହ୍ୱାନ ଦେଇଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁଲିସ ତାଙ୍କୁ ଗିରଫ କରେ ତେବେ ଜିଲ୍ଲାର ସମସ୍ତ ୫୬ଟି ଯାକ ଜିଲ୍ଲା ପରିଷଦ ଆସନ ବିଜେପି ଖାତାକୁ ଯିବ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ବିଜେପିକୁ ଆଉ ପ୍ରଚାର କରିବାକୁ ପଡ଼ିବନି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ଏପରି ଆହ୍ୱାନ ରାଜ୍ୟରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି ।

ମାମଲା ରୁଜୁ ହେବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ହାଇକୋର୍ଟରେ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଛନ୍ତି । ରାଜ୍ୟରେ ବିଜେପିର ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ଅଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମଗ୍ର ରାଜ୍ୟର ପଞ୍ଚାୟତ ନିର୍ବାଚନ ତଦାରଖ କରୁଥିବା ବେଳେ ଶ୍ରୀ ଟୁଡୁ ମଧ୍ୟ ମୟୁରଭଞ୍ଜରେ ବିଜେପିର ଗଡ଼ରକ୍ଷା ପାଇଁ ଜାରଦାର୍‌ ପ୍ରୟାସ ଜାରି ରଖିଛନ୍ତି ।
First published: