ବନ୍ୟା ସ୍ଥିତି ସହ ଯୁଝୁଛି ରାଜ୍ୟ; କେତେକ ନଦୀର ଜଳ ସ୍ତର ବିପଦ ସଙ୍କେତରୁ ତଳକୁ ଖସୁଛି

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ବନ୍ୟାରୁ ଉଦ୍ଧାର ଓ ଥଇଥାନ ପାଇଁ ODRAF ଓ NDRF ଟିମମାନଙ୍କୁ ମୁତୟନ କରାଯାଇଛି । ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି ।

ଅନୁଗୁଳରେ ବନ୍ୟାର ଏକ ଦୃଶ୍ୟ

ଅନୁଗୁଳରେ ବନ୍ୟାର ଏକ ଦୃଶ୍ୟ

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ଆଦି ନଦୀରେ ବନ୍ୟା ସ୍ଥିତି ଉପୁଜିଛି । ବିଭିନ୍ନ ନଦୀରେ ଜଳସ୍ତର ଧୀରେ ଧୀରେ ଖସୁଥିଲେ ବି ଆଖପାଖ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଛି । ବନ୍ୟା ସ୍ଥିତି ଅନେକ ଜୀବନ ନେଇଛି, ଘର ଭାଙ୍ଗିଛି ଓ ଚାଷ ଜମି ବି ନଷ୍ଟ କରିଛି ।

ବିଶେଷ କରି ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, କଟକ, ଅନୁଗୁଳ, ଯାଜପୁର, ଢେଙ୍କାନାଳ, ନୂଆପଡ଼ା ଓ ଦେଓଗଡ଼ ଭଳି ୧୦ଟି ଜିଲ୍ଲାର ୫୪ଟି ବ୍ଲକର ୧,୨୭୬ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । ମୋଟ ୪ ଲକ୍ଷ ୧୫ ହଜାର ୮୧୭ ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫୫୨ଟି ଗାଁରେ ପ୍ରାୟ ୩ ଲକ୍ଷ ୮୪ ହଜାର ଲୋକ ପାଣି ଘେରରେ ରହିଛନ୍ତି । ପ୍ରାରମ୍ଭିକ ଆକଳନ ଅନୁସାରେ ୨,୭୫୭ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୭୮ଟି ଘର ମାତ୍ରାଧିକ ପ୍ରଭାବିତ ହୋଇଛି ।

୧୮,୫୩୪ ଲୋକଙ୍କୁ ସ୍ଥାନନ୍ତରଣ କରାଯାଇ ୧୦୬ଟି ଆଶ୍ରୟ ସ୍ଥଳୀରେ ରଖାଯାଇଛି । ୧ ଲକ୍ଷ ୫ ହଜାର ୫୮୧ ପ୍ରାଣୀସମ୍ପଦ ବି କ୍ଷତିଗସ୍ତ ହୋଇଛନ୍ତି । ଏହି ବନ୍ୟାରେ ୫ଟି ସହର ବି ପ୍ରଭାବିତ ହୋଇଛି । ଶୁକ୍ରବାର ଦିନ ଭଦ୍ରକ, ବାଲେଶ୍ୱର, ଯାଜପୁର, ବରଗଡ଼ ଓ ନୂଆପଡାର ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି।

ସ୍ୱତନ୍ତ୍ର ରିଲିଫ କମିଶନର (SRC) ପ୍ରଦୀପ ଜେନା


ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ବନ୍ୟାରୁ ଉଦ୍ଧାର ଓ ଥଇଥାନ ପାଇଁ ODRAF ଓ NDRF ଟିମମାନଙ୍କୁ ମୁତୟନ କରାଯାଇଛି । ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି । ମଧ୍ୟମରୁ ବଡ଼ ଧରଣର ବନ୍ୟା ଆଶଙ୍କା କରାଯାଉଛି । ମୁଣ୍ଡଳୀରେ ୭ ଲକ୍ଷ ୧୧ ହଜାର କ୍ୟୁଶେକ ଜଳ ନିଷ୍କାସନ ହେଉଥିବା ବେଳେ ଆଗାମୀ ସମୟରେ ପ୍ରାୟ ସାଢ଼େ ୧୦ ଲକ୍ଷ କ୍ୟୁଶେକ ଜଳ ନିଷ୍କାସନ ହେବ।

ହୀରାକୁଦର ଉପର ମୁଣ୍ଡରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବାରୁ ୮ ଲକ୍ଷ  କ୍ୟୁଶେକ ଜଳ ପ୍ରବେଶ କରିବାର ସମ୍ଭାବନା ରହିଛି । ଆଗାମୀ ସମୟରେ ୪୨ଟି ଗେଟ ଖୋଲାଯାଇପାରେ । ହୀରାକୁଦରୁ ୬ ଲକ୍ଷ କ୍ୟୁଶେକ ଜଳ ସହ ତେଲ, ଜିରା, ସୁରୁବାଲି ଓ ଲାଞ୍ଜୋ ପରି ଛୋଟ ଛୋଟ ରିଜର୍ଭରରୁ ପ୍ରାୟ ସାଢ଼େ ୪ ଲକ୍ଷ ଜଳ ନିଷ୍କାସନ ହେବ। ଏହି ସ୍ଥିତିକୁ ଦେଖିଲେ ମହାନଦୀରେ ମଧ୍ୟମ ରୁ ବଡ ଧରଣର ବନ୍ୟା ସମ୍ଭାବନା ଦେଖାଦେଇଛି।

ବନ୍ୟା ପ୍ରଭାବରେ  କଟକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦେଖି ନଦୀ ଅବବହିକାରେ ଥିବା ଜିଲ୍ଲା ପ୍ରଶାସନକୁ ସତର୍କ କରାଇବା ସହ ମୁକାବିଲା ନେଇ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଜଳସମ୍ପଦ ବିଭାଗ ଅଧିକାରୀ ମାନେ ସଜାଗ ରହିଥିବା ବେଳେ ଅଧିକ ଓଡ୍ରାଫ,ଏନଡିଆରଏଫ ଓ ଅଗ୍ନିଶମ ବହିନୀକୁ ମଧ୍ୟ ଫିଲ୍ଡକୁ ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

କେତେକ ନଦୀରେ ଜଳ ସ୍ତର ହ୍ରାସ ପାଉଛି । ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀରେ ନିୟମିତ ଭାବେ ଜଳ ସ୍ତର ଭାବେ କମୁଛି । କିଛି ନଦୀରେ ଜଳ ସ୍ତର ବିପଦ ସଙ୍କେତ ଉପରେ ଥିବା ବେଳେ କେତେକ ସ୍ଥାନରେ ସ୍ଥିର ରହିଛି । ଆଗକୁ ଜଳ ସ୍ତର ବଢ଼ିବାର ଆଶଙ୍କା ନାହିଁ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି।

ସୁବର୍ଣ୍ଣରେଖା ନଦୀ ରାଜଘଟରେ ବିପଦ ସଙ୍କେତ ଉପରେ ଥିଲେ ବି ଦୀର୍ଘ ସମୟ ଧରି ଏହାର ଜଳ ସ୍ତର ସ୍ଥିର ରହିଛି। ଉପର ମୁଣ୍ଡରୁ ଜଳ ଆସୁ ନ ଥିବାରୁ ସ୍ଥିତି ସୁଧୁରିବା ସହ ମୟୁରଭଞ୍ଜ ଉପରୁ ବିପଦ ଟଳିଛି । ବାଲେଶ୍ଵରରେ  ଜଳ ସ୍ତର ଅଧିକ ଥିଲେ ବି ଅଧିକ ଗୁରୁତର ସମସ୍ୟା ନଥିବା କୁହାଯାଇଛି ।

ଏହା ବି ପଢ଼ନ୍ତୁ | ଗଧ ଘାସ ଖାଉଥିବା ବେଳେ ତା’ ପାଟିରେ ସାପ ପଶିଗଲା; ତା’ ପରେ କଣ ହେଲା ଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ | NEET ଓ JEE ପରୀକ୍ଷା ଉପରେ ଆଦେଶକୁ ୬ଟି ରାଜ୍ୟର ଶିକ୍ଷା ମନ୍ତ୍ରୀ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲେ

ବୁଢ଼ାବଳଙ୍ଗ ନଦୀର ଜଳ ସ୍ତର ୫ ନମ୍ବର ଜାତୀୟ ରାଜପଥରେ ବିପଦ ସଙ୍କେତ ତଳକୁ ଖସିଛି । ଘଣ୍ଟାକୁ ୪ରୁ ୫ ସେଣ୍ଟିମିଟର କମୁଥିବାରୁ ସ୍ଥିତି ସୁଧୁରୁଛି। ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ଥିଲେ ବି ଜଳସ୍ତର ହ୍ରାସ ପାଉଛି । ପାଣି ବଢ଼ିବା ଯୋଗୁଁ ଭଣ୍ଡାରିପୋଖରୀ ଓ ଧାମନଗର  ଆଦି ଜଳମଗ୍ନ ହୋଇଥିବା ବେଳେ ଲୋକେ ନଦୀବନ୍ଧ ଓ ସ୍କୁଲରେ ଆଶ୍ରୟ ନେଇଛନ୍ତି । ଓଡ୍ରାଫ ଓ ଏନଡିଆରଏଫ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା  ବେଳେ ଜଳ ସ୍ତର କମୁଥିବାରୁ ସ୍ଥିତି ଖୁବ ଶୀଘ୍ର ସୁଧୁରିବ ବୋଲି କୁହାଯାଇଛି । ବନ୍ୟା ଯୋଗୁଁ ଯାଜପୁର ଦଶରଥପୁର ବ୍ଲକରେ ୨ ଟି ଘାଇ ସୃଷ୍ଟି ହୋଇଥିବା ବେଳେ ପାଣି ଛାଡ଼ିବା କ୍ଷଣି ମରାମତି ନେଇ ନିର୍ଦେଶ ଦିଆଯାଇଛି ।



ବ୍ରାହ୍ମଣୀ ନଦୀରେ ଜଳ ସ୍ତର ସ୍ଥିର ଥିବା ବେଳେ ରେଙ୍ଗାଲିରେ ବନ୍ୟା ଯୋଗୁଁ ୧୪ଟି ଛୋଟ ଘାଇ ସୃଷ୍ଟି ହୋଇଛି । ମହାନଦୀରେ ପୂର୍ବରୁ ୧୬ ଲକ୍ଷ କ୍ୟୁଶେକ ଜଳ ଆସି ସାରିଥିବାରୁ ଏବେ ମଧ୍ୟମ ଧରଣର ବନ୍ୟା ଆସୁଛି । ନଦୀକୂଳିଆ ଲୋକେ ସତର୍କ ରହିବା ସହିତ କୌଣସି ସ୍ଥାନରେ ଘଳିଆ ସୃଷ୍ଟି ହେଲେ ପ୍ରଶାସନକୁ ଅବଗତ କରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।
Published by:Anand Shankar Thankur Das
First published: