ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା; ୯ଟା୩୦ ସୁଦ୍ଧା ଅଫିସ ପହଞ୍ଚିବେ ସରକାରୀ କର୍ମଚାରୀ

ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

  • Share this:
News 18 Odia Digital

ଭୁବନେଶ୍ୱର ; ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ପାଇଁ ସବୁଠି କୃଷକ ସଂଗଠନ ଓ ଛାତ୍ର ସଂଗଠନ ପ୍ରସ୍ତୁତ । ଏହି ସମୟରେ ସେମାନେ ଗାଡ଼ିମୋଟର ଓ ଟ୍ରେନ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ସହ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍ ଓ ବ୍ୟାଙ୍କ ଆଦି ସମ୍ମୁଖରେ ପିକେଟିଂ କରିପାରନ୍ତି । ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରର ଅନେକ ଘରୋଇ ସ୍କୁଲ ମଧ୍ୟ ନିଜଆଡ଼ୁ ଛୁଟି ଘୋଷଣା କରିଛନ୍ତି ।

ଓଡ଼ିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ପ୍ରସ୍ତୁତ ଅଛନ୍ତି । ସୋମବାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ସଜାଗ କରାଇଛନ୍ତି ରାଜ୍ୟ ସରକାର । ସକାଳ ୯ଟା ୩୦ ସୁଦ୍ଧା ଅଫିସ ଆସିବାକୁ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି । ଦିନ ୧୦ଟା ୧୫ରେ ବନ୍ଦ ହେବ ଲୋକସେବା ଭବନ ଗେଟ୍ । ଲୋକସେବା ଭବନକୁ ପ୍ରବେଶ ବେଳେ ଯାଞ୍ଚ କଡ଼ାକଡ଼ି ହେବ । ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଛି । ଲୋକସେବା ଭବନ, ଖାରବେଳ ନଗର, ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକସେବା ଭବନର ମୁଖ୍ୟ ଗେଟ୍ ସକାଳ ୧୦ଟା ୧୫ମିନିଟରେ ବନ୍ଦ ହୋଇଯିବ ଓ ସମସ୍ତେ ପଛ ଗେଟ୍ ଦେଇ ଯାତାୟତ କରିବେ । ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ସୋମବାର ସମସ୍ତ ବିଭାଗର ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ।

କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କାର ପାସ୍ ଥିବା ଗାଡ଼ି ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବ ନାହିଁ । ଆଜି ପାଇଁ ଏସବୁ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । ଯଦି କୌଣସି ଜରୁରୀ କାର୍ଯ୍ୟ ଥାଏ ତେବେ ସମ୍ପୃକ୍ତ ବିଭାଗର ସୁପାରିଶରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସଙ୍ଗେସଙ୍ଗେ ପାସ୍ ଯୋଗାଇ ଦେବେ ।
Published by:Soubhagya Mishra
First published: