ବାଲେଶ୍ୱର: ମଦ ପିଇବାକୁ ଟଙ୍କା ନଦେବାରୁ ନିଜ ମା'କୁ ଅତି ନୃଶଂସ ଭାବରେ ହତ୍ୟା କଲା ପୁଅ
ମଦ ପିଇବାକୁ ଟଙ୍କା ନଦେବାରୁ ନିଜ ମା'କୁ ଏକ ଧାରୁଆ କଟୁରିରେ ହାଣିଦେଲା ପୁଅ । ହାଣିବା ସମେତ ଏକ କାଠ ଖଣ୍ଡକୁ ମଧ୍ୟ ନିଜ ମା'ଙ୍କ ପିଠିରେ ପୂରାଇ ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ମା' ମଣି ଶିଅଳଙ୍କ ମୃତ୍ୟୁ ଘଟିଛି ।

ମଦ ପିଇବାକୁ ଟଙ୍କା ନଦେବାରୁ ନିଜ ମା'କୁ ନୃଶଂସ ଭାବରେ ହତ୍ୟା କଲା ପୁଅ
- News18 Odia
- Last Updated: February 18, 2021, 8:07 PM IST
ବାଲେଶ୍ୱର: ନିଶାଶକ୍ତ ମଣିଷ ନିଜ ହିତାହିତ ଜ୍ଞାନ ହରାଇ ବିଭିନ୍ନ କାରନାମା କରୁଥିବା ଆମେ ଦୈନନ୍ଦିନ ଜୀବନରେ ଦେଖିଥାଉ । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଶା ଖାଇ ଜଣେ ଯୁବକ ନିଜ ମା'କୁ ନୃଶଂସ ଭାବରେ ଧାରୁଆ କଟୁରୀରେ ହାଣି ମାରିଦେଇଛି । ଏହା ଯିଏବି ଶୁଣିବ ତା'ର ବିଶ୍ୱାସ ହେବନାହିଁ କିନ୍ତୁ ଘଟଣାଟି ସତ୍ୟ । ଏହି ଏହି ଘଟଣାରେ ସାମାନ୍ୟ କେଇ ଟଙ୍କା ପାଇଁ ମଦ୍ୟପ ପୁଅ ନିଜର ଜନ୍ମକଲା ମାଆକୁ ମାରିବାକୁ ପଛେଇ ନାହିଁ ।
ଆଜି ସକାଳେ ପରିବାର ଲୋକେ ଘରକୁ ଫେରି ଏହି ସମସ୍ତ ବିଷୟରେ ଜାଣି ଖଇରା ଥାନାକୁ ଖବର ଦେଇଥିଲେ । ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ହତ୍ୟାପରେ ଫେରାର ହେବାକୁ ଚେଷ୍ଟା କରୁଥିବା ହତ୍ୟାକାରୀ ପୁଅକୁ ଗ୍ରାମବାସୀଙ୍କ ସାହାଯ୍ୟରେ ଗିରଫ କରିବା ସଫଳ ହୋଇଛି ପୋଲିସ ।

ହତ୍ୟାକାରୀ ପୁଅକୁ ଗ୍ରାମବାସୀଙ୍କ ସାହାଯ୍ୟରେ ଗିରଫ କରିବାରେ ସଫଳ ହୋଇଛି ପୋଲିସ
" ଜଗବନ୍ଧୁ ନିୟମିତ ମଦ୍ୟପାନ କରେ । ଏଥି ସହିତ ପୂର୍ବରୁ ଅନେକ ଛୋଟ ଛୋଟ ଅପରାଧରେ ଲିପ୍ତ ରହିଛି । ଅନେକ ସମୟରେ ମଦ୍ୟପାନ କରି ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ କରିଥିବାର ତା' ନାମରେ ଅଭିଯୋଗ ମଧ୍ୟ ରହିଛି । ଏପରିକି କିଛିଦିନ ତଳେ ଏକ ଚୋରି ମାମଲାରେ କୋର୍ଟରୁ ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଥିଲା ଜଗବନ୍ଧୁ । ଏବେ ହତ୍ୟାର ଆରୋପ ନେଇ ତାକୁ କୋର୍ଟ ଚାଲାଣ କରାଯିବ," କହିଛନ୍ତି ଖଇରା ଥାନା ଅଧିକାରୀ ସୁବ୍ରତ ବେହେରା ।
"ଗତକାଲି ରାତିରେ ଭାଇ ବହୁତ ମଦ୍ୟପାନ କରି ଘରକୁ ଫେରିଥିଲେ । ଘରକୁ ଆସି ଟଙ୍କା ମାଗିବାରୁ ଆମେ ମନା କରିଥିଲୁ ଯାହାକୁ ନେଇ ଆମକୁ ମାଡ଼ ମାରି ଘରୁ ବାହାର କରିଦେଇ ମାଆକୁ ମାରି ଦେଇଛି । ଆମେ ବର୍ତ୍ତମାନ ଚାହୁଁଛୁ ତାକୁ ଉପଯୁକ୍ତ ଦଣ୍ଡ ମିଳୁ," କହିଛନ୍ତି ମୃତକ ମଣୀ ସିଅଳଙ୍କ ଭଉଣୀ ।
ମଦ୍ୟପ ପୁଅ ଶେଷରେ ମାଆକୁ ମଧ୍ୟ ଚିହ୍ନିପାରିଲାନି । ଏଭଳି ଅଭାବନୀୟ ଓ ହୃଦୟ ବିଦାରକ ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।