ବଲାଙ୍ଗିର ବିଜେପି ସାଂସଦ ସଙ୍ଗୀତା ସିଂଦେଓଙ୍କୁ ସଂସଦ ଭିତରେ ବିରୋଧୀ ଦଳ ସାଂସଦଙ୍କ ଆକ୍ରମଣ

ସଙ୍ଗୀତା କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ ଏହି ଆକ୍ରମଣ ବେଳେ ଯଦି ଧରି ନ ଥାନ୍ତେ ତେବେ ସେ ହୁଏତ ସେ ତଳେ ପଡ଼ି ଯାଇଥାନ୍ତେ ।

ବଲାଙ୍ଗିର ବିଜେପି ସାଂସଦ ସଙ୍ଗୀତା ସିଂଦେଓଙ୍କୁ ସଂସଦ ଭିତରେ ବିରୋଧୀ ଦଳ ସାଂସଦଙ୍କ ଆକ୍ରମଣ
ସଙ୍ଗୀତା କୁମାରୀ ସିଂହଦେଓ ଆକ୍ରମଣ ବିଷୟରେ କହୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବଲାଙ୍ଗିରର ବିଜେପି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଲୋକସଭାରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗ ଖୋଦ୍‌ ସଙ୍ଗୀତା ହିଁ ଆଣିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ବିରୋଧୀ ଦଳର ଦୁଇ ଜଣ ମହିଳା ସାଂସଦ ପାର୍ଲିଆମେଣ୍ଟ୍‌ ଭିତରେ ଆକ୍ରମଣ କରିଥିଲେ ।

ଏହି ଘଟଣା ପରେ ସଂଗୀତା ସଂସଦ ହସପିଟାଲକୁ ଯାଇ ନିଜ ଚ଼ିକିତ୍ସା କରାଇଛନ୍ତି ବୋଲି କହିଛନ୍ତି । ମେଡିକାଲ ରିପୋର୍ଟ ସହ ଏ ସଂପର୍କରେ ସେ ବାଚ଼ସ୍ପତି ଓମ୍‌ ବିଡଲାଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଛନ୍ତି । ସଙ୍ଗୀତା କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ ଏହି ଆକ୍ରମଣ ବେଳେ ଯଦି ଧରି ନ ଥାନ୍ତେ ତେବେ ସେ ହୁଏତ ସେ ତଳେ ପଡ଼ି ଯାଇଥାନ୍ତେ ।

ଗତକାଲି ଦିଲ୍ଲୀରେ ନିକଟରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକୁ ନେଇ ଲୋକ ସଭାରେ ବିରୋଧୀ ଦଳର ସଦସ୍ୟମାନେ ହୋହଲ୍ଲା କରିଥିଲେ । ଏହି ହୋହଲ୍ଲା ବେଳେ ବିରୋଧୀ ଦଳର ଦୁଇ ମହିଳା ସାଂସଦ ସଂଗୀତାଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

‘‘ବିରୋଧୀ ଦଳର ଦୁଇ ଜଣ ସାଂସଦ – ଜଣେ ରାମିୟା ଓ ଅନ୍ୟ ଜଣେ ଜ୍ୟୋତିମଣି – ଏହି ଦୁଇ ଜଣ ମୋତେ ଆକ୍ରମଣ କଲେ । ସେମାନେ ମୋ’ ହାତକୁ ଧରି ଆମ୍ପୁଡ଼ିଦେଲେ ଓ ନିଜ କହୁଣିରେ ମୋ’ ଛାତିକୁ ଏମିତି ପିଟିଲେ,’’ ସମ୍ବାଦ ସରବରାହ ଏଜେନ୍ସି ଏ.ଏନ୍‌.ଆଇ.କୁ କହିଛନ୍ତି ସଙ୍ଗୀତା ।

ସେ ଆହୁରି କହିଛନ୍ତି: ‘‘ସ୍ମୃତିଜୀ ମୋତେ ଧରି ପକାଇ ନ ଥିଲେ ମୁଁ ତ ତଳେ ପଡ଼ିଯାଇଥାନ୍ତି । ଏବେ ବହୁତ କଷ୍ଟ ହେଉଛି । ମୁଁ ପାର୍ଲିଆମେଣ୍ଟରେ ଥିବା ସି.ଜି.ଏଚ୍‌.ଏସ୍‌. ଡିସ୍ପେନସାରୀକୁ ଯାଇ ଦେଖେଇଥିଲି. ସେଠୁ ପୂରା ରିପୋର୍ଟ ଆସିଛି । ମୁଁ ଏ ବିଷୟରେ ବାଚ଼ସ୍ପତିଙ୍କୁ ଏକ ଚ଼ିଠି ବି ଲେଖିଛି । ଏମିତି ବ୍ୟବହାର ସମ୍ପୂର୍ଣ୍ଣ ଅନୁଚ଼ିତ । ମହିଳା ସଂସଦମାନେ ଏମିତି ବ୍ୟବହାର କରନ୍ତି? କେତେ ଲଜ୍ଜାର କଥା!’’

ବିରୋଧୀ ଦଳର ଦୁଇ ଜଣ ମହିଳା ସାଂସଦ ଏମିତି ଆକ୍ରମଣ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା ଦେଶର ଯେଉଁ ଉଚ୍ଚ ନାମ ବିଦେଶରେ କରିଛନ୍ତି ତାକୁ ତଳକୁ ଖସାଇଛନ୍ତି ବୋଲି କହିଛନ୍ତି ସଙ୍ଗୀତା ।

ଏହି ଆକ୍ରମଣ ଅଭଯୋଗକୁ ବାଚ଼ସ୍ପତି ଆଗାମୀ ସମୟରେ ବିଚ଼ାର କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ବିଜେପି ସୂତ୍ରରୁ ପ୍ରକାଶ । ଏହି ଆକ୍ରମଣ ଘଟଣା ଉପରେ ବିରୋଧୀ ଦଳମାନଙ୍କର ଟିପ୍ପଣୀ ଏ ପର୍ଯ୍ୟନ୍ତ ଆସିନାହିଁ ।
First published: March 3, 2020, 9:44 PM IST
corona virus btn
corona virus btn
Loading