‘ଖେଲୋ ଇଣ୍ଡିଆ’ର ଖେଳାଳିଙ୍କ ଭିଡରେ ବ୍ୟାଡମିଣ୍ଟନର ‘ଉଜ୍ବଳ ନକ୍ଷତ୍ର’ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା

ଋତୁପର୍ଣ୍ଣା ଜାତୀୟ ସ୍ତରର ଅନେକ ପ୍ରତିଯୋଗିତାରେ ନିଜ ଦକ୍ଷତା ପ୍ରଦର୍ଶିତ କରି ସାରିଛନ୍ତି । ଦଶଟି ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରି ଗୋଟିଏ ବର୍ଷରେ ସେ ତାଙ୍କ ବିଶ୍ବ ରାଙ୍କିଙ୍ଗ୍‌କୁ ୫୬ରେ ପହଞ୍ଚାଇଛନ୍ତି ।

‘ଖେଲୋ ଇଣ୍ଡିଆ’ର ଖେଳାଳିଙ୍କ ଭିଡରେ ବ୍ୟାଡମିଣ୍ଟନର ‘ଉଜ୍ବଳ ନକ୍ଷତ୍ର’ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା
ଋତୁପର୍ଣ୍ଣା ପଣ୍ଡା
  • News18 Odia
  • Last Updated: February 24, 2020, 6:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ସ୍ଥିତ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଜାରି ରହିଛି ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ମହୋତ୍ସବ ‘ଖେଲୋ ଇଣ୍ଡିଆ’ । ଏହି ଟୁର୍ଣ୍ଣାମେଣ୍ଟର ବ୍ୟାଡମିଣ୍ଟନ ପ୍ରତିଯୋଗିତା କଟକରେ ହିଁ ଆୟୋଜିତ ହେଉଛି ଓ ଏଥିରେ ଅଂଶ ଗ୍ରହଣ କରୁଛନ୍ତି ଦେଶର ବଛାବଛା ୨୪ଟି ବିଶ୍ବବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀ । ସେମାନଙ୍କ ମଧ୍ୟରେ ଅଛନ୍ତି ଉଦୀୟମାନ ବ୍ୟାଡମିଣ୍ଟନ ତାରକା ତଥା ଓଡିଶା ଝିଅ ଋତୁପର୍ଣ୍ଣା ପଣ୍ଡା ।

କଟକର ନୂଆବଜାର ବାସିନ୍ଦା ଏହି ଖେଳାଳି ଜଣକ ନିଜ ଅଧ୍ୟବସାୟ ବଳରେ ସଫଳତାର ଶିଢ଼ି ପରେ ଶିଢ଼ି ଚ଼ଢ଼ି ଚ଼ାଲିଛନ୍ତି । ମାତ୍ର ୨୦ ବର୍ଷ ବୟସରେ ସେ ଛଅଟି ଆନ୍ତର୍ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟ ଖେଳି ତିନିଟିରେ ଚ଼ାମ୍ପିୟନ୍ ଓ ଅନ୍ୟ ତିନିଟିରେ ରନର୍ସଅପ୍ ହେବାର ଗୌରବ ଲାଭ କରିଛନ୍ତି । ସେଥିରେ ରହିଛି ଚ଼ାରିଟି ମହିଳା ଡବଲ୍ସ ଓ ଦୁଇଟି ମିକ୍ସ ଡବଲ୍ସ ।

ଏହା ସହ ସେ ଜାତୀୟ ସ୍ତରର ଅନେକ ପ୍ରତିଯୋଗିତାରେ ନିଜର ଦକ୍ଷତା ମଧ୍ୟ ପ୍ରଦର୍ଶିତ କରି ସାରିଛନ୍ତି । ଦଶଟି ଜାତୀୟ ସ୍ତରର ପ୍ରତିଯୋଗିତାରେ ଋତୁପର୍ଣ୍ଣା ପଦକ ହାସଲ କରିବାରେ ବି ସଫଳ ହୋଇଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ସେ ତାଙ୍କ ବିଶ୍ବ ରାଙ୍କିଙ୍ଗ୍‌ ୫୬ରେ ପହଞ୍ଚିଛି ।

“ମୋତେ ବହୁତ ଖୁସି ଲାଗୁଛି । ମୁଁ ବହୁତ ଦିନ ପରେ ମୋ’ ହୋମ୍ ଟାଉନ୍ ଓ କଟକର ଇଣ୍ଡୋର ଷ୍ଟାଡିୟମରେ ଖେଳିବାକୁ ସୁଯୋଗ ପାଉଛି । ମୋ’ କାନ୍ଧରେ କିଛି ସମସ୍ୟା ରହିଥିବାରୁ ମୁଁ ଏବେ ତା’ର ଉପଚ଼ାର କରୁଛି । ଦଶରୁ ୧୫ ଦିନ ମଧ୍ୟରେ ମୁଁ ନିଜକୁ ଫିଟ୍ କରି ପୁଣି ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟର ଅଭ୍ୟାସ ପାଇଁ ପ୍ରସ୍ତୁତି ଆରମ୍ଭ କରିବି,” କହିଛନ୍ତି ଋତୁପର୍ଣ୍ଣା ପଣ୍ଡା ।

ଏକ ବ୍ୟାଡମିଣ୍ଟନ୍‌ ମ୍ୟାଚ୍‌ରେ ଋତୁପର୍ଣ୍ଣା ପଣ୍ଡା


ହାଇଦ୍ରାବାଦ ସ୍ଥିତ ପୁଲେଲା ଗୋପିଚ଼ାନ୍ଦ ବ୍ୟାଡମିଣ୍ଟନ ଏକାଡେମୀରେ ତିନି ବର୍ଷ ହେଲା ତାଲିମ ନେଉଥିବା ଋତୁପର୍ଣ୍ଣାଙ୍କ ଲକ୍ଷ୍ୟ ୨୦୨୪ ଅଲମ୍ପିକ୍ । ପ୍ୟାରିସରେ ହେବାକୁ ଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ବ କରିବା ଲକ୍ଷ୍ୟରେ ଅଛନ୍ତି ସେ । ସେଥିପାଇଁ ଏବେ ଠାରୁ ହିଁ ପ୍ରସ୍ତୁତି ଚାଲାଇଛନ୍ତି ।

ଋତୁପର୍ଣ୍ଣାଙ୍କ ବାପା ରାମଚନ୍ଦ୍ର ପଣ୍ଡା ତାଙ୍କ ଘର ପାଖରେ ଥିବା ସାଙ୍ଗମାନଙ୍କ ସହ କେବେ କେମିତି ବ୍ୟାଡମିଣ୍ଟନ ଖେଳନ୍ତି । ‘‘ସାତ ବର୍ଷର ବୟସରୁ ସେ (ଋତୁପର୍ଣ୍ଣା) ମୋ’ ସହିତ ବ୍ୟାଡମିଣ୍ଟନ ଖେଳ ଦେଖିବାକୁ ଯାଉଥିଲା । ତା’ର ଏହି ଖେଳ ପ୍ରତି ରୁଚି ଥିବା ଦେଖି ମୁଁ ଘର ଛାତ ଉପରେ ତା ପାଇଁ ବ୍ୟବସ୍ଥା କରିଥିଲି । ତା’ ପରେ ଋୁତୁପର୍ଣ୍ଣା ଆଉ ପଛକୁ ଚାହିଁ ଦେଖି ନାହିଁ,’’ କହିଛନ୍ତି ରାମଚ଼ନ୍ଦ୍ର । ସେ ଜଣେ ବ୍ୟବସାୟୀ ।

ବାପା ରାମଚ଼ନ୍ଦ୍ର ପଣ୍ଡାଙ୍କ ସହ ଋତୁପର୍ଣ୍ଣା


ଦୁଇ ବର୍ଷ ହେଲା କିଟ୍‌ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିବା ସହ ଋୁତୁପର୍ଣ୍ଣା ବିଭିନ୍ନ ପ୍ରତିଯୋଗିତାରେ ନିଜ ବିଶ୍ବବିଦ୍ୟାଳୟକୁ ମଧ୍ୟ ପ୍ରତିନିଧିତ୍ବ କରୁଛନ୍ତି । ସେ ଏବେ ବ୍ୟକ୍ତିଗତ ଫିଜିଓର ଆବଶ୍ୟକ କରୁଥିବା ବେଳେ ତାଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗର ସହଯୋଗ ବି ମିଳୁଛି।

ତେବେ ବ୍ୟାଡମିଣ୍ଟନ ପ୍ରତି ତାଙ୍କର ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ଦିନେ ବିଶ୍ବର ଶ୍ରେଷ୍ଠତମ ବ୍ୟାଡମିଣ୍ଟନ ତାରକାରେ ପରିଣତ କରାଇପାରେ । ତାଙ୍କ ପାଇଁ ଆମ ଦେଶ ଓ ରାଜ୍ୟ ଯେ ଦିନେ ଗର୍ବିତ ହେବ ଏହି ବିଶ୍ବାସ ଅନେକଙ୍କ ମନରେ ରହିଛି ।
First published: February 24, 2020, 6:36 PM IST