ମହିଳା ସହକର୍ମୀଙ୍କ ସହ ରଙ୍ଗୀନ କଥାବାର୍ତ୍ତା ହୋଇ ଅଡୁଆରେ ପଡ଼ିଲେ ରାଜ୍ୟ ଆୟୁଷ ନିର୍ଦ୍ଦେଶକ
ବରିଷ୍ଠ ଓଏଏସ ଅଧିକାରୀ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କ ବିରୋଧରେ ତାଙ୍କର ଜଣେ ଅଧୀନସ୍ଥ ମହିଳା କର୍ମଚାରୀ ପୋଲିସ୍ ନିକଟରେ ଅଭିଯୋଗ କରିବାର କିଛି ସମୟ ପରେ ଷଡ଼ଙ୍ଗୀ ଅଫିସରୁ କେଉଁ ଆଡ଼େ ଚାଲିଯାଇଥିବା କୁହାଯାଉଛି ।

ବିଭୁ ପ୍ରସାଦ ଷଡ଼ଙ୍ଗୀ ମହିଳାଙ୍କ ସହ ହୋଇଥିବା ହ୍ୱାଟ୍ସଆପ୍ ଚାଟରୁ କିଛି ଅଂଶ
- News18 Odia
- Last Updated: July 6, 2020, 8:46 PM IST
ଭୁବନେଶ୍ୱର: ନିଜ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କ ସହ ମୋବାଇଲ୍ ଫୋନରେ ଅଶ୍ଳୀଳ କଥାବାର୍ତ୍ତା କରି ଓ ତାଙ୍କୁ ହ୍ୱାଟ୍ସଆପରେ ଅଶ୍ଳୀଳ ମେସେଜ ପଠାଇ ଅଡୁଆରେ ପଡ଼ିଛନ୍ତି ରାଜ୍ୟର ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ l ମାମଲା ପହଞ୍ଚିଛି ଭୁବନେଶ୍ଵର ମହିଳା ଥାନାରେ l ଷଡ଼ଙ୍ଗୀଙ୍କ ବିରୋଧରେ ମହିଳା କର୍ମଚାରୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି ଓ ପୋଲିସ ସାମନାରେ ରଖିଛନ୍ତି ସମସ୍ତ ତଥ୍ୟ ଓ ପ୍ରମାଣ l
‘‘ନିର୍ଦ୍ଦେଶକ ମୋ’ ସହ ଅଶ୍ଳୀଳ କଥାବାର୍ତ୍ତା ହୁଅନ୍ତି l ହ୍ଵlଟସଆପରେ ଅଶ୍ଳୀଳ ଚାଟିଂ କରନ୍ତି l ଅଶ୍ଳୀଳ ଭିଡିଓ ବି ପଠାନ୍ତି l ମୋବାଇଲରେ କଥାବାର୍ତ୍ତା ବେଳେ ସମ୍ପର୍କ ଘନିଷ୍ଠ କରିବାକୁ ବାଧ୍ୟ କରନ୍ତି,’’ ଗଣମାଧ୍ୟମ ଆଗରେ କହିଛନ୍ତି ଅଭିଯୋଗକାରୀଣୀ ମହିଳା । ସେ ଆୟୁଷ ନିର୍ଦ୍ଦେଶାଳୟର ଆକାଉଣ୍ଟ ସେକସନର ଜଣେ ଠିକା ମହିଳା କର୍ମଚାରୀ ଭାବେ କାର୍ଯ୍ୟରତ l
ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କ ଏ ଭଳି ଆଚରଣରେ ମହିଳା କର୍ମଚାରୀ ଜଣକ ଅତିଷ୍ଠ ହୋଇ ପଡ଼ିଥିଲେ l ମାନସିକ ଓ ଶାରିରୀକ ଭାବେ ସେ ନିର୍ଯ୍ୟାତନାର ଶିକାର ହୋଇ ଚାଲିଥିଲେ ବି କାହାକୁ କିଛି କହିପାରୁ ନ ଥିଲେ ବୋଲି ସେ କହିଛନ୍ତି l ମୁହଁ ଖୋଲିଲେ ଚାକିରି ଯିବାର ସମ୍ଭାବନା ଥିଲା l ନିର୍ଯ୍ୟାତନା ଅଧିକ ହେବାରୁ ସେ ସୋମବାର ସାହାସ ଜୁଟାଇ ମହିଳା ଥାନାର ଦ୍ଵାରସ୍ଥ ହୋଇଥିଲେ l

ଷଡ଼ଙ୍ଗୀ ମହିଳାଙ୍କ ସହ ହୋଇଥିବା ହ୍ୱାଟ୍ସଆପ୍ ଚାଟରୁ ଆଉ କିଛି ଅଂଶ
‘‘ଜଣେ ବରିଷ୍ଠ ଓଏଏସ ଅଧିକାରୀ ହୋଇ ଜଣେ ଅଧୀନସ୍ଥ ମହିଳା କର୍ମଚାରୀଙ୍କ ସହ ତାଙ୍କର ଏ ଭଳି ବ୍ୟବହାର ଆଦୌ ଶୋଭନୀୟ ନୁହେଁ l ଏହି ମାମଲାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି,’’ କହିଛନ୍ତି ସମାଜସେବୀ ପ୍ରିତିଛନ୍ଦା ଧଳ ।
ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିବାର କିଛି ସମୟ ପରେ ବିଭୁ ପ୍ରସାଦ ଷଡ଼ଙ୍ଗି ହଠାତ ତାଙ୍କ ଅଫିସରୁ କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିବା ଜଣାପଡ଼ିଛି । ତାଙ୍କ ପିଏ ପ୍ରଭାବତୀ ଦେବୀ କହିଛନ୍ତି: ‘‘ସୋମବାର ଥିବାରୁ ନିର୍ଦ୍ଦେଶକ ଆଜି ଅଫିସ ଆସିଥିଲେ l ଫାଇଲ କାମ ବି ଚାଲିଥିଲା l କିନ୍ତୁ ହଠାତ ଅଫିସ୍ ଛାଡ଼ି କୁଆଡେ ଚାଲିଗଲେ ।’’

ଅଭିଯୁକ୍ତ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ
ଏହା ବି ପଢ଼ନ୍ତୁ: ୪ ବର୍ଷର ପ୍ରେମ ପରେ ବିବାହ ହେଲା, ହେଲେ ବିବାହର ୪ ଦିନ ପରେ ପତି ଓ ପତ୍ନୀ ଆତ୍ମହତ୍ୟା କଲେ
ଏହା ବି ପଢ଼ନ୍ତୁ: ବଲିଉଡରେ କାମ ମାଗିଲେ ପ୍ରଡ୍ୟୁସରମାନେ କହୁଥିଲେ ରାତିରେ ଆସି ଦେଖା କର: ଶେର୍ଲିନ୍ ଚୋପ୍ରା
ଥାନାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି l ତାଙ୍କ ମୋବାଇଲରେ ଥିବା ସମସ୍ତ ହାର୍ଟସ ଆପ ମେସେଜ ଓ ଚାଟିଂଗୁଡ଼ିକୁ ପୋଲିସ ତର୍ଜମା କରୁଛି l ଜୋନ ୧ ଏସିପି ମାନସ ଗଡ଼ନାୟକଙ୍କୁ ତଦନ୍ତ ଭାର ଦିଆଯାଇଛି l ପୁରୁଣା ଭୁବନେଶ୍ଵରରେ ଥିବା ଷଡ଼ଙ୍ଗୀଙ୍କ ଘର ଉପରେ ଚଢ଼ାଉ କରାଯାଇଛି l କିନ୍ତୁ ଚଢ଼ାଉ ବେଳେ ସେ ସେଠାରେ ନ ଥିବା ପୋଲିସ କହିଛି l