ତିର୍ତ୍ତୋଲ: ‘‘BJP ପକ୍ଷରୁ ଥରେ ବି କେହି ପଚାରିଲେ ନାହିଁ କାହିଁକି ଇସ୍ତଫା ଦେଲି,’’ କହିଲେ ଭୋଇ

ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ବିଧାନ ସଭା ଉପନିର୍ବାଚନ ପାଇଁ ସବୁ ଦଳ କହୁଛନ୍ତି ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇସାରିଛି, ହେଲେ ଦଳମାନଙ୍କରେ ବ୍ୟାପ୍ତ ଗୋଷ୍ଠୀ କନ୍ଦଳ ଯୋଗୁଁ ଏବେ ବି ଅଙ୍କ ଛିଡ଼ିପାରୁନି ।

ତିର୍ତ୍ତୋଲ: ‘‘BJP ପକ୍ଷରୁ ଥରେ ବି କେହି ପଚାରିଲେ ନାହିଁ କାହିଁକି ଇସ୍ତଫା ଦେଲି,’’ କହିଲେ ଭୋଇ
ରମାକାନ୍ତ ଭୋଇ କେଉଁ ଦଳକୁ ଯିବେ ତାହା ଏବେ ସ୍ଥିର ହୋଇନାହିଁ ।
  • News18 Odia
  • Last Updated: October 9, 2020, 8:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ତିର୍ତ୍ତୋଲରେ ବିଜେପି ପାଇଁ ଅଡୁଆ ସୃଷ୍ଟି କରିପାରନ୍ତି ଦଳ ଛାଡ଼ିଥିବା ନେତା ରମାକାନ୍ତ ଭୋଇ । ୨୦୧୯ ବିଧାନ ସଭା ନିର୍ବାଚନରେ ସେ ୫୪,୦୦୦ ଭୋଟ ପାଇଥିଲେ । ବିଜେପିର ଜିଲ୍ଲା ପ୍ରଭାରୀଙ୍କ ଠାରୁ ରାଜ୍ୟ ନେତୃତ୍ବ ତାଙ୍କୁ ଅଣଦେଖା କରୁଆସୁଛନ୍ତି ବୋଲି କହି ତିନି ଦିନ ତଳେ ସେ ଦଳ ଛାଡ଼ିଥିଲେ । ଏ ପର୍ଯ୍ୟନ୍ତ ସେ ଅନ୍ୟ କୌଣସି ଦଳରେ ସାମିଲ ହୋଇ ନ ଥିବାରୁ ତିର୍ତ୍ତୋଲରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଉପନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି ।

‘‘ପ୍ରଫେସର ଚାକିରି ଛାଡ଼ି ରାଜନୀତିକୁ ଆସିଥିଲି ଲୋକଙ୍କ ସେବା କରିବା ପାଇଁ । ହେଲେ ଇସ୍ତଫା ଦେବା ପରେ ଦଳ (BJP) ପକ୍ଷରୁ ଥରୁଟିଏ ବି କେହି ପଚାରିନାହାନ୍ତି କାହିଁକି ଇସ୍ତଫା ଦେଲି ବୋଲି । ଜିଲ୍ଲା ପର୍ଯ୍ୟବେକ୍ଷକ ଶାରଦା ପ୍ରଧାନ ନିର୍ବାଚନ ମଣ୍ଡଳୀରେ ମୋତେ ନ ଜଣାଇ କାର୍ଯ୍ୟକ୍ରମ କରିଚାଲିଛନ୍ତି । କୌଣସି କାର୍ଯ୍ୟକ୍ରମରେ ମୋତେ ଡକାଯାଇ ନାହିଁ । ଏ ନେଇ ରାଜ୍ୟ ନେତୃତ୍ୱଙ୍କୁ ବି ମୁଁ ଜଣାଇଛି । ହେଲେ କେହି ଏ ବିଷୟରେ ମୋ’ ସହ ଆଲୋଚନା କରିନାହାଁନ୍ତି । ଏବେ ଅନ୍ୟ କୌଣସି ଦଳରେ ଯୋଗ ଦେବାକଥା ଚିନ୍ତା କରିନି,’’ କହିଛନ୍ତି ରମାକାନ୍ତ ଭୋଇ ।

ରାଜ୍ୟରେ ଦୁଇଟି ବିଧାନ ସଭା ଆସନ – ତିର୍ତ୍ତୋଲ ଓ ବାଲେଶ୍ୱର ସଦର – ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ପ୍ରଥମ ଦିନ ବିତିଯାଇଥିବା ବେଳେ ରାଜନୈତିକ ଦଳଗୁଡିକ ଏ ଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି । ବିଭିନ୍ନ ଦଳ ଭିତରେ ବ୍ୟାପିଥିବା ଗୋଷ୍ଠୀ କନ୍ଦଳ ଯୋଗୁଁ ଅଙ୍କ ଛିଣ୍ଡିପାରୁନି, ଆଉ ସେଇଥି ପାଇଁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଛି ବୋଲି ଜଣାପ଼ଡିଛି ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ


ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ବିଜୟ ସମ୍ଭାବନା ଦେଖି ଦିନେ ଦୁଇ ଦିନ ଭିତରେ ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ଦଳ ଘୋଷଣା କରିବ ପ୍ରାର୍ଥୀ । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ଏହି ଉପନିର୍ବାଚନରେ କିଏ ପ୍ରାର୍ଥୀ ହେବ ଦଳର ସଭାପତି ସହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ ଶୀଘ୍ର ଜଣାଇବେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି ଯେ ତାଙ୍କ ଦଳର ପ୍ରାର୍ଥୀ ଚୁଡ଼ାନ୍ତ ହୋଇସାରିଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟି ଦୁଇ ଦିନ ଭିତରେ ଘୋଷଣା କରିବ ।

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଅକ୍ଟୋବର ୯ ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଚାଲିବ । ୧୭ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ଓ ୧୯ ତାରିଖ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଅଯାଇଛି । ନଭେମ୍ବର ୩ରେ ଉପନିର୍ବାଚନ ହେବ ଓ ନଭେମ୍ବର ୧୦ରେ ଭୋଟ ଗଣତି ହେବ ।

ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍.କେ. ଲୋହାନୀ


କୋଭିଡ୍-ସେଫ୍ ଇଲେକସନ କରିବା ପାଇଁ ପ୍ରୟାସ କରାଯାଉଛି । ନୋମିନେସନ ଫାଇଲ ପାଇଁ ମାତ୍ର ଦୁଇଟି ଦୁଇଟି ଗାଡ଼ି ବ୍ୟବହାର କରିହେବ ଓ ବଡ଼ ହଲରେ ନୋମିନେସନ ହେବ । ମାସ୍କ ଓ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ପୋଷ୍ଟାଲ ବ୍ୟାଲଟରେ ବି ନୂଆ ବ୍ୟବସ୍ଥା ହୋଇଛି । ଶାରୀରିକ ଅକ୍ଷମ, ବୟସ୍କ ଓ କୋଭିଡ୍ ସସପେକ୍ଟ ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ । ସେମାନେ ଏଥି ପାଇଁ ୧୨ ଦିନ ମଧ୍ୟରେ ଆପ୍ଲିକେସନ ଦେଇପାରିବେ । ତା’ ପରେ ତାଲିକା ତିଆରି କରାଯିବ । ଅକ୍ଟୋବର ୨୦ରୁ ୩୦ ତାରିଖ ମଧ୍ୟରେ ଏମାନଙ୍କ ଭୋଟ ଗ୍ରହଣ ହେବ ।

ଏହା ବି ପଢ଼ନ୍ତୁ | ‘‘ରିପବ୍ଲିକ୍ ଟିଭି ଟଙ୍କା ଦେଇ TRP କିଣୁଥିଲା; ଅନ୍ୟ ୨ ନ୍ୟୁଜ୍ ଚ୍ୟାନେଲର ନାମ ବି ଆସିଛି’’: ମୁମ୍ବାଇ ପୋଲିସ୍

ଏହା ବି ପଢ଼ନ୍ତୁ | କରୋନା ସଂକ୍ରମିତଙ୍କ ମୃତ୍ୟୁ ହେବା ପରେ ହସପିଟାଲରୁ ଶବ ନେଇ ଫେରାର୍ ହେଲା ତାଙ୍କ ପୁଅ

ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର ପାଇଁ ପାଞ୍ଚ ଜଣରୁ ଅଦଧିକ ଲୋକଙ୍କୁ ଏକ ସମୟରେ ଅନୁମତି ମିଳିବ ନାହିଁ । ବଡ଼ ରାଲି ପାଇଁ ଜିଲ୍ଲା ଇଲେକସନ ଅଫିସରମାନେ ଯେଉଁ ସ୍ଥାନ ଚୟନ କରିବେ ସେଠାରେ ସବୁ ରାଜନୈତିକ ଦଳ ପ୍ରଚାର କରିବେ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି । ବଡ଼ ରାଲିରେ କେବଳ ୧୦୦ ଜଣ ଲୋକ ଭାଗ ନେଇପାରିବେ । କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ କୁହାଯାଇଛି ।



ବୁଥ୍ ସଂଖ୍ୟା ବି ୫୦ ପ୍ରତିଶତ ବଢ଼ାଯାଇଛି ଓ ଭୋଟିଂ ସମୟ ସୀମା ବି ବଢ଼ାଯାଇଛି । ମତଦାନ କେନ୍ଦ୍ରରେ ଭୋଟରମାନଙ୍କ ଦେହର ତାପମାତ୍ରା ମପାଯିବ । ସେମାନଙ୍କ ପାଇଁ ମାସ୍କ ଓ ଗ୍ଲୋଭସର ବ୍ୟବସ୍ଥା କରାଯାଇଛି । କୋଭିଡ୍-ସେଫ୍ ଇଲେକସନ ପାଇଁ ସବୁ ପ୍ରସ୍ତୁତି ହୋଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍‌.କେ. ଲୋହାନୀ l
Published by: Anand Shankar Thankur Das
First published: October 9, 2020, 8:23 PM IST
corona virus btn
corona virus btn
Loading