News18 Odia Digital
ସୁନ୍ଦରଗଡ: ଅତିରିକ୍ତ ସମ୍ପତ୍ତି ଜମା ଅଭିଯୋଗରେ ଆଜି ସକାଳେ ଏଡିଏମଙ୍କୁ ଗିରଫ କରାଯାଇଛି। ଆଜି ଭୁବନେଶ୍ୱରର ମାନ୍ୟବର ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ କୋର୍ଟକୁ ପଠାଯିବ।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ବିଶ୍ୱଜିତଙ୍କ ଘର, ଅଫିସ, ସରକାରୀ ବାସଗୃହ ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା । ପ୍ରଥମ ଦିନର ଚଢ଼ଉ ବେଳେ ତାଙ୍କର କୋଟି କୋଟି ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର ବିଲ୍ଡିଂ ସହ ରସୁଲଗଡ ସମେତ ଅନ୍ୟାନ୍ୟ ସ୍ଥାନରେ ସମ୍ପତ୍ତି ଠାବ ହୋଇଥିଲା । ଭୁବନେଶ୍ୱର ନହରକଣ୍ଟା ଓ ଖୋର୍ଦ୍ଧା ଜଟଣୀ, ଜଗତସିଂହପୁରରେ ମୋଟ ୧୦ଟି ପ୍ଲଟ ବିଶ୍ୱଜିତଙ୍କ ନାଁରେ ଥିବା ଜଣାପଡ଼ିଥିଲା । ତା ସହିତ ୨ କୋଟି ଟଙ୍କାର ଫିକ୍ସ ଡିପୋଜିଟ, ସେଭିଂ ଆକାଉଣ୍ଟ ଓ ଇନସ୍ୟୁରାନ୍ସ ଦସ୍ତାବିଜ୍ ଓ ୩୫୦ ଗ୍ରାମର ସୁନା ଗହଣା ମଧ୍ୟ ମିଳିଥିଲା ।
ସେହିପରି ଦ୍ୱିତୀୟ ଦିନରେ ଗତକାଲି ତାଙ୍କର ସୁନ୍ଦରଗଡ଼ ସରକାରୀ ବାସଭବନରେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉ ବେଳେ ଆଉ ୧୨୦ ଗ୍ରାମ ସୁନା ଜବତ ହୋଇଥିଲା । ସେହିପରି ତାଙ୍କ ଭୁବନେଶ୍ୱର ନହରକଣ୍ଟାରେ ସ୍ତ୍ରୀଙ୍କ ନାଁରେ ସିମେଣ୍ଟ ବିଜିନେସ୍ ଥିବା ଜଣାପଡ଼ିଥିଲା ।
ପାନପୋଷ PA ITDAର ଅତିରିକ୍ତ ଦାୟିତ୍ୱରେ ଥିବାବେଳେ ବି ଦୁର୍ନୀତି ଅଭିଯୋଗ ଉଠିଥିଲା । ଏହାରି ଭିତରେ ପୁଣି ପଦୋନ୍ନତି ପାଇ ୨୦୨୦ ସେପ୍ଟେମ୍ବର ୯ରେ ବିଶ୍ୱଜିତ ହୋଇଥିଲେ ସୁନ୍ଦରଗଡ଼ ଏଡିଏମ୍ । ଏମସିଏଲ୍ କୋଇଲା ଖଣିରେ ବିସ୍ଥାପିତଙ୍କୁ କ୍ଷତିପୂରଣ ପାଇଁ ଲାଞ୍ଚ କାରବାରରେ ପୁଣି ଚର୍ଚ୍ଚାକୁ ଆସିଥିଲା ତାଙ୍କ ନାଁ । ଭାସ୍କର ବଢ଼େଇ ନାମକ ଜଣେ କ୍ଷତିଗ୍ରସ୍ତଙ୍କୁ ତତ୍କାଳୀନ ଆରଆଇ ଏଡିଏମ୍ ବିଶ୍ୱଜିତଙ୍କ ନାଁ ଧରି ଲାଞ୍ଚ ମାଗିଥିବାର ଅଡ଼ିଓ ଭାଇରାଲ୍ ହୋଇଥିଲା । ଏହାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।ଏଭଳି ଦୁର୍ନୀତିର ଲମ୍ବା ତାଲିକା ଭିତରେ ବିଶ୍ୱଜିତ ଚାକିରିରୁ ଅବସର ନେବା ପାଇଁ ଥିଲା ଆଉ ମାତ୍ର ୧୬ ଦିନ । ତାପୂର୍ବରୁ କିନ୍ତୁ ଖେଳ ଖତମ କରିଦେଲା ଭିଜିଲାନ୍ସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।