ରୋଜଗାର କରିବା ଆଶାରେ ବିଦେଶ ଯାଇ ସେଠାରେ ଭିକ୍ଷା ମାଗୁଛନ୍ତି ଓଡ଼ିଆ ଶ୍ରମିକ

ରୋଜଗାର କରିବା ଆଶାରେ ବିଦେଶ ଯାଇ ସେଠାରେ ଭିକ୍ଷା ମାଗୁଛନ୍ତି ଓଡ଼ିଆ ଶ୍ରମିକ। ବିଦେଶରୁ ଭିଟାମାଟିକୁ ଫେରାଇ ଆଣିବା ନିମନ୍ତେ ଭିଡ଼ିଓ ଜାରି କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନେହୁରା ହେଲେ ଯୁବକ।

ରୋଜଗାର କରିବା ଆଶାରେ ବିଦେଶ ଯାଇ ସେଠାରେ ଭିକ୍ଷା ମାଗୁଛନ୍ତି ଓଡ଼ିଆ ଶ୍ରମିକ

ରୋଜଗାର କରିବା ଆଶାରେ ବିଦେଶ ଯାଇ ସେଠାରେ ଭିକ୍ଷା ମାଗୁଛନ୍ତି ଓଡ଼ିଆ ଶ୍ରମିକ

  • Share this:
News18 Odia Digital

ବ୍ରହ୍ମପୁର: ଋଣ କରିଥିବା ଟଙ୍କାକୁ କିଭଳି ପରିଶୋଧ କରାଯିବ ସେ ନେଇ ଦାଦାନ ଖଟିବାକୁ ଯାଇଥିଲେ ବିଦେଶ। କିନ୍ତୁ ସେଠାରେ କାମ କରି ରୋଜଗାର କଣ କରିବେ ବରଂ ନିଜ ପେଟ ପୋଷିବା ପାଇଁ ଭିକ ମାଗୁଛନ୍ତି। କିଭଳି ନିଜର ଭିଟାମାଟିକୁ ଫେରି ଆସିବେ ସେ ନେଇ ନେହୁରା ମଧ୍ୟ ହୋଇଛନ୍ତି।

ରୋଜଗାର କରିବା ଆଶାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ ଶ୍ୟାମସୁନ୍ଦରପୁରର ବିଷ୍ଣ ପ୍ରସାଦ ଡ଼ାକୁଆ କତାରରେ ଫସି ରହିଛନ୍ତି। ନିଜର ପାସପୋର୍ଟ ଓ ଭିସା ହଜାଇବା ପରେ ଗାଁକୁ ଫେରି ଆସିପାରୁନଥିବା ବେଳେ ତାଙ୍କୁ ଆଣିବା ନିମନ୍ତେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ସେପଟେ ବିଷ୍ଣଙ୍କ ବାପା ଓ ମା' ମଧ୍ୟ ଜିଲ୍ଲା ପ୍ରଶାସନକୁ ଭେଟି ରୋଜଗାରିଆ ପୁଅକୁ ଫେରାଇ ଆଣିବାକୁ ଗୁହାରି କରିଛନ୍ତି।

ଘରର ଋଣ ବୋଝକୁ ହାଲୁକା କରିବା ପାଇଁ ଯାଇଥିଲେ ଦାଦାନ ଖଟିବାକୁ ବିଦେଶ। ବର୍ତ୍ତମାନ ନିଜର ପାସପୋର୍ଟ ଓ ଭିସାକୁ ହଜାଇଦେବା ପରେ ଏବେ କିଭଳି ନିଜର ଭିଟାମାଟିକୁ ଫେରିଆସିବେ ସେ ନେଇ ରାଜ୍ୟ ସରକାରଙ୍କୁ ନେହୁରା ହୋଇଛନ୍ତି। ଏଭଳି ଏକ ଦୁଃଖଦ ଖବର ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁରରୁ।

ବିଷ୍ଣଙ୍କ ବାପା ଓ ମା'


ଶ୍ୟାମସୁନ୍ଦରପୁରର ଗଙ୍ଗାଧର ଡ଼ାକୁଆଙ୍କ ସାନ ପୁଅ ବିଷ୍ଣ ପ୍ରସାଦ ଡ଼ାକୁଆ ଗତ ବର୍ଷେ ପୂର୍ବରୁ ଦାଦାନ ଖଟିବାକୁ ସୁଦୂର କତାର ଯାଇଥିଲେ। କତାରର ଏନେର୍ଜି ଟେକନିକାଲ ସର୍ଭିସରେ ଶ୍ରମିକମାନେ କିଛି ମାସ ଧରି କାମ କରିଲେ। ଏହାପରେ ସମ୍ପୃକ୍ତ କମ୍ପାନୀ ସଠିକ୍‌ ଭାବେ ମାସିକ ଦରମା ଦେଲା ନାହିଁ କି ନିଜ ଭିଟାମାଟିକୁ ଫେରିବା ନିମନ୍ତେ କୌଣସି ବ୍ୟବସ୍ଥା କରିଲାନାହିଁ।

‘‘ଏହି ସମୟରେ ଭିସା ସରିଜିବା ଯୋଗୁଁ ପୋଲିସ ତାଙ୍କୁ ଉଠାଇ ନେବା ସହିତ ଦୁଇ ମାସ ଧରି ଜେଲରେ ରହିଥିଲେ। ଜେଲରୁ ବାହାରିବା ପରେ ସେ ପୂର୍ବରୁ ରହୁଥିବା ସ୍ଥାନରୁ ତାଙ୍କର ଭିସା, ପାର୍ସପୋର୍ଟ, ମୋବାଇଲ ଭଳି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଚୋରି ହୋଇଯାଇଥିଲା। ଯାହାଫଳରେ ବର୍ତ୍ତମାନ ସେ ଭିକ୍ଷାବୃତ୍ତି କରି ଜୀବନ ବିତାଉଛନ୍ତି। ତେଣୁ ଖୁବ୍ ଶୀଘ୍ର ତାଙ୍କୁ ନିଜର ଭିଟାମାଟିକୁ ଆଣିବା ନିମନ୍ତେ ନେହୁରା ହୋଇ ଭିଡ଼ିଓ ଜାରି କରିଛନ୍ତି।

ରୋଜଗାରିଆ ପୁଅର ଏଭଳି ଅବସ୍ଥାକୁ ଦେଖି ପରିବାର ଲୋକେ ସମ୍ପୂର୍ଣ୍ଣ ଧରାସୟୀ ହୋଇ ପଡ଼ିଛି। ପୁଅ ରୋଜଗାର କରିବାକୁ ଯାଇଥିଲା ସତ କିନ୍ତୁ ସେଠାରେ ରୋଜଗାର କରିବା ପରିବର୍ତ୍ତେ ଭିକ୍ଷାବୃତ୍ତି କରିବା ଯୋଗୁଁ ପରିବାର ଲୋକେ ଏବେ ଚିନ୍ତାରେ। କାହାରି ଆଖିରେ ଲୁହ ଶୁଖୁଛି ନା କେହି ଭଲରେ ଦୁଇ ମୁଠା ଖାଇ ପାରୁଛନ୍ତି। ପରିବାର ଲୋକେ ନିଜ ପୁଅର ଫେରିବାକୁ ବାଟକୁ ଚାହିଁ ବସିଛନ୍ତି।

କିଭଳି ରୋଜଗାରିଆ ପୁଅକୁ ଫେରିପାଇବୁ ସେ ନେଇ ବିଷ୍ଣଙ୍କ ପରିବାର ଲୋକେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି। ନିଜର ଦୁଃଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇବା ସହିତ ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନର ସହାୟତା କ୍ରମେ କିଭଳି ବିଷ୍ଣ ନିଜ ଗାଁକୁ ଫେରିଆସିବେ ସେ ନେଇ ପଦକ୍ଷେପ ନେବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ବିଷ୍ଣଙ୍କ ବାପା ଓ ମା।

କତାରର ଦୋହା ସହରରେ ବିଷ୍ଣ ଫସି ରହିଥିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଶ୍ରମ ଅଧିକାରୀଙ୍କୁ ନିଜର ଦୁଃଖ ଜଣାଇଥିଲେ ବିଷ୍ଣଙ୍କ ପରିବାର ଲୋକେ। ବିଷ୍ଣଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ ଏନେଇ ପଦକ୍ଷେପ ନିଆଯିବ ବୋଲି ପରିବାର ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି। ଏହାସହିତ ବିଷ୍ଣଙ୍କୁ କିଭଳି ଖୁବ୍ ଶୀଘ୍ର ନିଜର ଭିଟାମାଟିକୁ ଫେରାଇ ଅଣାଯାଇପାରିବ ସେ ନେଇ ପ୍ରଚେଷ୍ଟା ଜାରି ରହିବ।

‘‘ଜିଲ୍ଲାପାଳଙ୍କ ଜରିଆରେ ଶ୍ରମ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ କିଭଳି ସୁରକ୍ଷିତ ଭାବେ ବିଷ୍ଣ ଫେରିବେ ସେ ନେଇ ପଦକ୍ଷପ ନିଆଯିବ। ଏହାଛଡ଼ା ଯେଉଁ ଦଲାଲମାନେ ବିଭିନ୍ନ ସଂସ୍ଥା ଖୋଲି ଏଭଳି ଓଡ଼ିଆ ଶ୍ରମିକମାନଙ୍କୁ ବିଦେଶକୁ ନେଇ ସେଠାରେ ସମସ୍ୟାରେ ପକାଉଛନ୍ତି ସେମାନଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି,’’ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାର ଖେସ୍‌।

ଜିଲ୍ଲାରେ କେବଳ ଏହା ଗୋଟିଏ ଘଟଣା ନୁହେଁ ବରଂ ଅନେକ ଏଭଳି ଓଡ଼ିଆ ଶ୍ରମିକମାନେ ରୋଜଗାର କରିବା ଆଶାରେ ବିଦେଶକୁ ଯାଇ ସେଠାରେ ନାହିଁ ନଥିବା ସମସ୍ୟାର ସମ୍ମଖୀନ ହେବାକୁ ପଡୁଛ । ତେଣୁ ଯେଉଁ ସଂସ୍ଥାମାନେ ଯୁବକକୁ ନେଉଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଲୋକଙ୍କୁ ସଚେତନ କରାଯିବା ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଏବେ ଜରୁରୀ ହୋଇପଡ଼ିଛି।
Published by:Lipina Das
First published: