ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ କ୍ଷୁଦ୍ର ଫିଲ୍ମ; ୪ଟି ପୁରସ୍କାରରେ ପୁରସ୍କୃତ ହେଲା ‘କଣ୍ଢେଇ ଯାତ୍ରା’

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ କ୍ଷୁଦ୍ର ଫିଲ୍ମ; ୪ଟି ପୁରସ୍କାରରେ ପୁରସ୍କୃତ ହେଲା ‘କଣ୍ଢେଇ ଯାତ୍ରା’

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ପୁରସ୍କାର ପାଇଲା କଣ୍ଢେଇ ଯାତ୍ରା । ଚାରୋଟି ବିଭାଗରେ ପୁରସ୍କୃତ ହେଲା ବ୍ରହ୍ମପୁରର ଏହି କ୍ଷୁଦ୍ର ଚଳଚ୍ଚିତ୍ର ।

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ କ୍ଷୁଦ୍ର ଫିଲ୍ମ; ୪ଟି ପୁରସ୍କାରରେ ପୁରସ୍କୃତ ହେଲା ‘କଣ୍ଢେଇ ଯାତ୍ରା’
ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ କ୍ଷୁଦ୍ର ଫିଲ୍ମ
  • News18 Odia
  • Last Updated: September 25, 2021, 4:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ସହରର କଣ୍ଢେଇ ଯାତ୍ରା ବିଶ୍ବ ଦରବାରରେ ପରିଚିତ ଲାଭ କରିଛି । କଣ୍ଢେଇ ଯାତ୍ରାକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ଡ଼କ୍ୟୁମେଣ୍ଟାରି କ୍ଷୁଦ୍ର ଚଳଚ୍ଚିତ୍ର ଅନ୍ତର୍ଜାତୀୟ ଟୁରିଜିମ ଫିଲ୍ମ ଫେଷ୍ଟିଭାଲରେ ସଫଳତା ହାସଲ କରିଛି । ବ୍ରହ୍ମପୁରର ସନ୍ୟାସୀ ମହାରଣା ଏହି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

ଚଳିତ ମାସ ୧୪ ତାରିଖ ଦିନ ଏହି ଚଳଚ୍ଚିତ୍ର ଫେଷ୍ଟିଭାଲରେ ବିଜେତା ଘୋଷଣା କରାଯାଇଥିବା ବେଳେ କଣ୍ଢେଇ ଯାତ୍ରା ଚାରୋଟି ବିଭାଗରେ ପୁରସ୍କୃତ ହୋଇଛି । ଅନ୍ତର୍ଜାତୀୟ ଟୁରିଜିମ୍‌ ଫିଲ୍ମ ଫେଷ୍ଟିଭାଲରେ ୨୫ ଦେଶର ୧,୫୦୦ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ଭାଗ ନେଇଥିବା ବେଳେ ଗଞ୍ଜାମରୁ ଏକମାତ୍ର ଚଳଚ୍ଚିତ୍ର ଭାବେ କଣ୍ଢେଇ ଯାତ୍ରା ଚାରୋଟି ବିଭାଗରେ ସଫଳତା ହାସଲ କରିପାରିଛି ।

ବ୍ରହ୍ମପୁରର ଏହି ପରମ୍ପରା ସହ ଜଡ଼ିତ କଣ୍ଢେଇ ଯାତ୍ରା କ୍ରମଶଃ ହଜିବାକୁ ଯାଉଥିବା ବେଳେ ସନ୍ୟାସୀ ମହାରଣାଙ୍କ ଏହି ଉଦ୍ୟମ ଦ୍ବାରା ଆଜି କଣ୍ଢେଇ ଯାତ୍ରା ବିଶ୍ବଦରବାରରେ ସୁନାମ ଅର୍ଜନ କରିଛି । ତେଣୁ ଆଗାମୀ ଦିନରେ ପୁଣି କଣ୍ଢେଇ ଯାତ୍ରା ନିଜର ପୂର୍ବ ଗାରିମା ଫେରି ପାଇବା ନେଇ ଆଶା କରାଯାଇଛି ।

ବ୍ରହ୍ମପୁରର କଣ୍ଢେଇ ଯାତ୍ରା ୩୦୦ ବର୍ଷ ପୁରୁଣା । ହେଲେ କ୍ରମଶଃ କଣ୍ଢେଇ ଯାତ୍ରା ହଜିବାକୁ ବସିଲାଣି । କାରଣ ଆଧୁନିକ ସମାଜରେ ଲୋକେ କଣ୍ଡେଇ ଯାତ୍ରାରେ ବୁଲିବା ସହିତ ମାଟି କଣ୍ଢେଇ କିଣିବା ନେଇ ପସନ୍ଦ କରୁନାହାଁନ୍ତି । ତେଣୁ ଏହି କଣ୍ଢେଇ ଯାତ୍ରାକୁ କିଭଳି ଭାବେ ପୂର୍ବ ପରିଚୟ ଫେରିପାଇବ ସେ ନେଇ ଉଦ୍ୟମ କରିଛନ୍ତି ବ୍ରହ୍ମପୁର ସନ୍ୟାସୀ ମହାରଣା । ସନ୍ୟାସୀ କଣ୍ଢେଇ ଯାତ୍ରାକୁ ନେଇ ନିର୍ମାଣ କରିଛନ୍ତି ଏକ କ୍ଷୁଦ୍ର ଚଳଚ୍ଚିତ୍ର । ଚଳଚ୍ଚିତ୍ର କଣ୍ଢେଇ ଯାତ୍ରା କଣ, କିଭଳି ଏହାକୁ ପାଳନ କରାଯାଏ, ଏହାର ଇତିହାସ ସମ୍ପର୍କରେ ସବିଶେଷ କଥାବସ୍ତୁକୁ ନେଇ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର ।

‘‘କଣ୍ଡେଇ ଯାତ୍ରା ପ୍ରଥମେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହେବା ସାମିଲ ହୋଇଥିଲା । ଏହି ଫିଲ୍ମ ଫେଷ୍ଟିଭାଲରେ ୨୫ଟି ଦେଶର ପ୍ରାୟ ୧,୫୦୦ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ଭାଗ ନେଇଥିଲେ । ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର କଣ୍ଢେଇ ଯାତ୍ରା ସର୍ବଶେଷ୍ଠ ବିବେଚିତ ହୋଇଛି । କଣ୍ଢେଇ ଯାତ୍ରାକୁ ମୋଟ ଚାରୋଟି ବିଭାଗରେ ପୁରସ୍କାର ମିଳିଥିବା,’’ କହିଛନ୍ତି କଣ୍ଢେଇ ଯାତ୍ରା କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ମାତା ସନ୍ୟାସୀ ମହାରଣା।

ଫିଲ୍ମରେ କାମ କରିଥିବା ସଦସ୍ୟ ଟିକିରି ବେହେରା କହିଛନ୍ତି, ‘‘କଣ୍ଢେଇ ଯାତ୍ରା କ୍ଷୁଦ୍ର ଚଳଚ୍ଚିତ୍ରକୁ ଶ୍ରେଷ୍ଠ ଫିଲ୍ମ ନିର୍ଦ୍ଦେଶନା, ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ପୋଷ୍ଟର ଶ୍ରେଷ୍ଠ ସିନେମାଟୋଗ୍ରାଫି ପୁରସ୍କାର ମିଳିଛି । କଣ୍ଢେଇ ଯାତ୍ରା କ୍ଷୁଦ୍ର ଚଳଚ୍ଚିତ୍ର ସହରର ପୁରୁଣା ଯାତ୍ରାକୁ କିଭଳ ଭାବେ ବିଶ୍ବଦରବାରର ପରିଚିତ କରିବା ଲକ୍ଷ୍ୟରେ କରାଯାଇଥିଲା । କେବଳ ଯେ ବିଶ୍ବ ଦରବାରରେ ପରିଚିତ ହୋଇଛି ତାହା ନୁହେଁ ବରଂ ଚଳଚ୍ଚିତ୍ରକୁ ଚାରୋଟି ବିଭାଗରେ ପୁରସ୍କାର ମଧ୍ୟ ମିଳିଛି । କଣ୍ଢେଇ ଯାତ୍ରା ଏଭଳି ବିଶ୍ବ ଦରବାରରେ ପରିଚିତ ହେବା ପରେ ନିଶ୍ଚିତ ଭାବେ ପୂର୍ବ ପରିଚୟ ଫେରି ପାଇବ ବୋଲି ଆଶା ରହିଛି।’’

‘‘କଣ୍ଢେଇ ଯାତ୍ରାର ଇତିହାସ ବହୁ ପୁରୁଣା । ଶ୍ରୀଜଗନ୍ନାଥ ଘୋଷ ଯାତ୍ରାରୁ ଫେରିବା ପରେ ବ୍ୟାସ ପୂର୍ଣ୍ଣମା ଦିନ କଣ୍ଢେଇ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମହୁରୀ ରାଜାଙ୍କ ଅନୁମତି କ୍ରମେ ଏହି ଯାତ୍ରା ବ୍ରହ୍ମପୁର ଖାସ୍ପା ସାହିରେ ଏହା ପ୍ରତି ବର୍ଷ ଆୟୋଜନ ହୋଇଥାଏ । ଏହି ଯାତ୍ରାରେ କେବଳ କଣ୍ଢେଇ ଓ ମିଠେଇ ବିକ୍ରି କରାଯାଇଥାଏ । କେବଳ ବ୍ରହ୍ମପୁର ନୁହେଁ ବରଂ ଆଖପାଖ ଅଞ୍ଚଳରେ ଲୋକେ କଣ୍ଢେଇ ଯାତ୍ରାକୁ ଆସି ଭଳିକି ଭଳି କଣ୍ଢେଇ ସହ ମିଠେଇ ମଧ୍ୟ କିଣିଥାନ୍ତି । କିଛି କଣ୍ଢେଇକୁ ମଧ୍ୟ ନିଜର ସମ୍ପର୍କୀୟଙ୍କୁ ଦେବା ନେବା କରି ସମ୍ପର୍କକୁ ନିବିଡ଼ କରିଥାନ୍ତି ସହରବାସୀ । ବ୍ରହ୍ମପୁର ଆଇନବନ୍ଧ ସାହିରେ କିଛି ଲୋକେ ମାଟି ଓ ଗୋବରରେ ନିର୍ମିତ ହୋଇଥିବା କଣ୍ଢେଇ ନିର୍ମାଣ କରି ଯାତ୍ରାକୁ ଆସି ବିକ୍ରିବଟା କରୁଥିଲେ । କିନ୍ତୁ ବର୍ତ୍ତମାନ ଆଉ ମାଟି କଣ୍ଢେଇର ଚାହିଦା କମି କମି ଆସୁଥିବା ଯୋଗୁଁ କଣ୍ଢେଇ ଯାତ୍ରା ମଧ୍ୟ ହଜିବାକୁ ବସିଲାଣି । ଏଭଳି ସ୍ଥଳରେ ସନ୍ୟାସୀ ମହାରଣାଙ୍କ ଏହି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବା ଓ ତାହା ବିଶ୍ବ ଦରବାରରେ ପରିଚିତ ହେବା ନିଶ୍ଚିତ ଭାବେ ଗର୍ବର କଥା,’’ କହିଛନ୍ତି ନାଟ୍ୟକର ତ୍ରିପତୀ ନାୟକ ।

ବ୍ରହ୍ମପୁର ବାସିନ୍ଦା କୃଷ୍ଣଚନ୍ଦ୍ର ବେହେରା, ‘‘କଣ୍ଢେଇ ଯାତ୍ରା ଧିରେ ଧିରେ ହଜିଯାଉଥିବା ଯୋଗୁଁ ଏହି ଯାତ୍ରା ଯୋଗୁଁ ବଞ୍ଚିଥିବା ଲୋକଙ୍କ ଅବସ୍ଥା ମଧ୍ୟ ଦୁର୍ବିସାହ ହୋଇପଡ଼ିଛି । ତେଣୁ କଣ୍ଢେଇ ଯାତ୍ରା କିଭଳି ଭାବେ ନିଜର ପୂର୍ବ ଗାରିମା ଫେରିପାଇବ ସେ ନେଇ ସନ୍ୟାସୀ ମହାରଣାଙ୍କ ଉଦ୍ୟମ ପ୍ରଶଂସନୀୟ । ତଥାପି ମଧ୍ୟ ଜିଲ୍ଲା ପ୍ରଶାସନ ଏହି କଣ୍ଢେଇ ଯାତ୍ରାକୁ ବଞ୍ଚାଇ ରଖିବା ନିମନ୍ତେ ପଦକ୍ଷେ ନେବା ଆବଶ୍ୟକ ।’’

୩୦୦ ବର୍ଷର ପୁରାତନ ପରମ୍ପରା କଣ୍ଢେଇ ଯାତ୍ରାକୁ ବଞ୍ଚାଇ ରଖିବା ପାଇଁ ସନ୍ୟାସୀ ମହାରଣାଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଥିବା ବେଳେ କିଭଳି ଭାବେ କଣ୍ଢେଇ ଯାତ୍ରା ଆହୁରି ଆଗକୁ ବଢ଼ିବ ଓ ଅଧିକରୁ ଅଧିକ ଲୋକେ ଏଥିରେ ସାମିଲ ହେଲେ ଏହି ଯାତ୍ରା ଉପରେ ନିର୍ଭର କରୁଥିବା ଲୋକେ ବଞ୍ଚିବା ସହିତ ଯାତ୍ରା ମଧ୍ୟ ବଞ୍ଚ ରହିବ ବୋଲି ମତ ପ୍ରକାଶ ପାଇଛି ।
Published by: Lipina Das
First published: September 25, 2021, 4:41 PM IST