News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ଜଣେ ଟେଲି ଅଭିନେତାଙ୍କୁ ଗିରଫ କରିଛି ପାହାଳ ଥାନା ପୋଲିସ। ଗିରଫ ହୋଇଥିବା ଅଭିନେତା ହେଲେ ୨୬ ବର୍ଷୀୟ ଏମ ସୁମନ କୁମାର। ଵିଵାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ଠାରୁ ଅର୍ଥ ଆଦାୟ କରିବା ଓ ଧୋକା ଦେବା ଅଭିଯୋଗରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ରିଲ୍ ଲାଇଫ୍ରୁ ଆରମ୍ଭ ହୋଇଥିଲା ପ୍ରେମ। ବିବାହ କରିବାକୁ ପରସ୍ପର ନିଷ୍ପତ୍ତି ନେଇଥିଲେ। ତେଣୁ ମଝିରେ ଚାଲିଲା ଲିଭ୍ ଇନ୍ ରିଲେସନସିପ୍। ଏହି ସମୟ ମଧ୍ୟରେ ପ୍ରେମିକାଠାରୁ ଅର୍ଥ ଆଦାୟ କରିବାରେ ଲାଗି ପଡ଼ିଲେ ସୁମନ। ହେଲେ କିଛିଦିନ ପରେ କୌଣସି କାରଣରୁ ପ୍ରେମରେ ପଡ଼ିଗଲା ଭଟ୍ଟା। ଧୋକ୍କା ଦେଲେ ପ୍ରେମିକ ସୁମନ କୁମାର। ପ୍ରତାରଣାର ଶିକାର ହୋଇ ପ୍ରେମିକା ପୋଲିସର ଦ୍ବାରସ୍ଥ ହେଲେ। ଏଭଳି ଅଭିଯୋଗରେ ପାହାଳ ଥାନା ପୋଲିସ ରବିବାର ଗିରଫ କରିଛି ଅଭିନେତାକୁ।
ଯାଜପୁର ବ୍ୟାସନଗର ଅଞ୍ଚଳର ସୁମନ ଏକ ଟେଲି ଧାରାବାହିକରେ ଅଭିନୟ କଲାବେଳେ ଜଣେ ଅଭିନେତ୍ରୀଙ୍କୁ ଭଲ ପାଇ ବସିଥିଲେ। ସୁଟିଂ ସେଟ୍ରୁ ସେମାନଙ୍କ ପ୍ରେମ ଆରମ୍ଭ ହୋଇ ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା। ପରେ ଉଭୟଙ୍କ ପରିବାର ଲୋକେ ମଧ୍ୟ ଏକଥା ଜାଣିଥିଲେ। ବିବାହ ପାଇଁ ଦୁଇ ପରିବାର ବି ରାଜି ହୋଇଯାଇଥିଲେ। ଉଭୟଙ୍କ ପରିବାର ଲୋକଙ୍କ ସ୍ୱୀକୃତି ମିଳିବା ପରେ ହଂସପାଳ ନିକଟରେ ଏକ ଘର ଭଡ଼ା ନେଇ ଉଭୟ ରହୁଥିଲେ। ଯୁବତୀଙ୍କ ଅଭିଯୋଗ ଅନୁସାରେ ବିଭିନ୍ନ ସମୟରେ ନିଜ ସମସ୍ୟା କଥା କହି ସୁମନ୍ ତାଙ୍କ ଠାରୁ ପାଖାପାଖି ୫ ଲକ୍ଷ ଟଙ୍କା ନେଇଥିଲେ। କାର୍ କିଣିବା ପାଇଁ ୨ ଲକ୍ଷ, ବୁଲେଟ୍ କିଣିବା ପାଇଁ ଏକ ଲକ୍ଷ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧ ଲକ୍ଷ ୬୦ ହଜାର ଟଙ୍କା ନେଇଥିଲେ।
କାର୍, ବୁଲେଟ୍ ହାତେଇବା ପରେ ସୁମନ୍ ଆଉ ଧରାଛୁଆ ଦେଇନଥିଲେ। ଧୀରେ ଧୀରେ ସେ ତାଙ୍କ ଠାରୁ ଦୂରେଇ ଯିବା ପାଇଁ ଚେଷ୍ଟା କରିଥିଲେ। ତେଣୁ ସେ ତୁରନ୍ତ ବିବାହ କରିବାକୁ କହିଲେ। ଗତ ମାର୍ଚ୍ଚ ୨୩ ତାରିଖ ଦିନ ସୁମନଙ୍କୁ ବିବାହ କଥା କହିବାରୁ ସେ ରାଗିଯାଇ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏମିତିକି ବିବାହ କଥା ଉଠାଇଲେ ମାରିଦେବାକୁ ଧମକ ଦେଇଥିଲେ। ପ୍ରତାରଣାର ଶିକାର ହେବା ଜାଣିବା ପରେ ପାହାଳ ଥାନାରେ ଅଭିଯୋଗ କରିଥିଲେ ବୋଲି କହିଛନ୍ତି ଅଭିଯୋଗକାରିଣୀ ଅଭିନେତ୍ରୀ।
ଗତ ୨୩ ତାରିଖରେ ଅଭିଯୋଗକାରିଣୀଙ୍କର ଲିଖ ଅଭିଯୋଗ କ୍ରମେ ପାହାଳ ଥାନାରେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ତଦନ୍ତ କରି ପାହାଳ ଥାନା ପୋଲିସ ଟିମ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ପୀଡ଼ିତା ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଏହି ବିଷୟରେ ଜଣାଇଥିଲେ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ପାହାଳ ପୋଲିସ ପକ୍ଷରୁ କୁହାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।