‘ମୟୂରୀ ଗୋ ତୁମ ଆକାଶେ ମୁଁ…’: ଚିର ନିଦ୍ରାରେ ଶୋଇଲେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର
ପ୍ରଥମ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଭାବେ ବଲିଉଡ୍ ଗାୟକ ମହମ୍ମଦ ରଫି ଓ ଲତା ମଙ୍ଗେସକରଙ୍କୁ ଓଡ଼ିଆ ଫିଲ୍ମରେ କଣ୍ଠଦାନ କରାଇଥିବା ଶାନ୍ତନୁ ମହାପାତ୍ର ଆଉ ନାହାନ୍ତି । ତାଙ୍କ ନିର୍ଦ୍ଦେଶନାରେ ରଫି ଗାଇଥିଲେ ‘ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସାଜିଲି…’ ।

ଶାନ୍ତନୁ ମହାପାତ୍ର; (ଡାହାଣ) ତାଙ୍କ ମର ଶରୀରକୁ ଗାର୍ଡ ଅଫ୍ ଅନର୍ ଦିଆଯାଉଛି ।
- News18 Odia
- Last Updated: December 30, 2020, 5:56 PM IST
ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କର ଦେହାନ୍ତ ହୋଇଯାଇଛି । ନିମୋନିଆରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ୮୪ ବର୍ଷ ବୟସରେ ମଙ୍ଗଳବାର ମଧ୍ୟରାତ୍ରିରେ ପ୍ରାୟ ୧୨.୪୫ ମିନିଟରେ ତାଙ୍କର ପରଲୋକ ହୋଇଛି ।
ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ଶାନ୍ତନୁ ମହାପାତ୍ରଙ୍କର ବହୁ ଲୋକପ୍ରିୟ ଗୀତ ତାଙ୍କୁ ଜନମାନସରେ ପରିଚୟ ଦେଇଥିଲା । ତାଙ୍କ ଦେହନ୍ତରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତ୍ୟ ନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ଏହା ବି ପଢ଼ନ୍ତୁ | ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ୱ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ

ସତ୍ୟ ନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାପାତ୍ରଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।
ଓଡ଼ିଶା ତଥା ଓଡ଼ିଶା ବାହାରେ ମହାପାତ୍ର ତାଙ୍କ ଚିର ସବୁଜ ଗୀତ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ । ସେ ପ୍ରଥମ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଭାବେ ବଲିଉଡ୍ ଗାୟକ ମହମ୍ମଦ ରଫି ଓ ଲତା ମଙ୍ଗେସକରଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରାଇଥିଲେ । ତାଙ୍କ ନିର୍ଦ୍ଦେଶନାରେ ମହମ୍ମଦ ରଫି ଗାଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ଗୀତ ‘ମୟୂରୀଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସାଜିଲି…’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।
ଏହା ବି ପଢ଼ନ୍ତୁ | ଟାଇଗର୍ ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ ନିଜ ପ୍ରେମିକ ସହ ସମ୍ପର୍କ ଭାଙ୍ଗିଲେ; ଏବେ ନିଜ ମୁହଁ ଖୋଲିଲେ
ଅନେକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରରେ ମହାପାତ୍ର ନିଜ ଛାପ ଛାଡ଼ି ଯାଇଛନ୍ତି । ସେଥିରୁ ‘ଅରୁନ୍ଧତୀ’, ‘ଡୋରା’, ‘ଜଗାବଳିଆ’, ‘ଗୋଲାମଗିରି’, ‘ରଣଭୂମି’ ଓ ‘ପଥର ଖସୁଛି ବଡ଼ ଦେଉଳୁ’ ଥିଲା ଅନ୍ୟତମ । ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ କେତେକ ଆଞ୍ଚଳିକ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ।
‘ଚିଲିକା ତୀରେ’, ‘ପ୍ରିୟତମା’, ‘ଅଗ୍ନି ପରୀକ୍ଷା’, ‘ମେଘମୁକ୍ତି’, ଶୀତରାତି (କଳାତ୍ମକ ଚଳଚ୍ଚିତ୍ର) ଓ ‘ଜୀବନ ସଂଗ୍ରାମ’ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ବଙ୍ଗଳା କଳାତ୍ମକ ଚଳଚ୍ଚିତ୍ର ହେଉଛି ‘ମହାପୃଥିବୀ’। କଳାତ୍ମକ ହିନ୍ଦୀ ଚଳଚ୍ଚିତ୍ର ‘ସୋଧ’ରେ ମଧ୍ୟ ସେ ସ୍ୱର ସଂଯୋଜନା କରିଥିଲେ । ୧୯୭୯ରେ ଏହି ଚଳଚ୍ଚିତ୍ର ‘ସ୍ୱର୍ଣ୍ଣ କମଳ ପୁରସ୍କାର’ ପାଇଥିଲା । ଏହାଥିଲା ଓଡ଼ିଶାରୁ ପ୍ରଯୋଜିତ ପ୍ରଥମ ରଙ୍ଗୀନ ହିନ୍ଦୀ ଚଳଚ୍ଚିତ୍ର ।
ଏହା ବି ପଢ଼ନ୍ତୁ | ବିବାହର ସପ୍ତମ ଦିନରେ ସ୍ୱାମୀର ଗଳା କାଟି ହତ୍ୟା କଲା ପତ୍ନୀ, ଶବ ସହ ରାତି ସାରା ଶୋଇରହିଲା
ସଙ୍ଗୀତ ପ୍ରତି ତାଙ୍କ ଅବଦାନ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା । ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶୋକ ସନ୍ତପ୍ତ ପରିବାର ଙ୍କୁ ଭେଟି ଦୁଃଖ ସମବେଦନା ଜଣାଇଛନ୍ତି । ‘‘ଶାନ୍ତନୁ ମହାପାତ୍ର ସଙ୍ଗୀତ ଜଗତର ଜଣେ ସୁଖ୍ୟାତ ନିର୍ଦ୍ଦେଶକ ଥିଲେ । ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି,’’ କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା।
ଶାନ୍ତନୁ ମହାପାତ୍ର ୧୯୩୬ ମସିହା ନଭେମ୍ବର ମାସରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମ ଗ୍ରାହଣ କରିଥିଲେ। ୧୯୫୭ରେ ଖଡ଼ଗପୁରସ୍ଥିତ ଆଇଆଇଟିରୁ ‘ଆପ୍ଲାଏଡ୍ ଜିଓଲୋଜି ଆଣ୍ଡ୍ ଜିଓଫିଜିକ୍ସ୍’ରେ ସ୍ନାତକ ହାସଲ କରିଥିଲେ। ଜଣେ ଭୂତତ୍ତ୍ୱବିତ୍ ଭାବେ ସେ ୧୯୫୭ ଜୁନ୍ ମାସରେ ଓଡ଼ିଶା ରାଜ୍ୟ ସରକାରଙ୍କ ଡାଇରେକ୍ଟୋରେଟ୍ ଅଫ୍ ମାଇନ୍ସ ଆଣ୍ଡ୍ ଜିଓଲୋଜିରେ ଯୋଗ ଦେଇ ୧୯୯୪ରେ ଏହାର ନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ ।
ଏହା ବି ପଢ଼ନ୍ତୁ | ‘‘ମା’ ଦେଖ୍, ମୁଁ ଶିକାର କରିଛି!’’ ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା
ଶାନ୍ତନୁ ମହାପାତ୍ରଙ୍କ ପାଇଁ ସଙ୍ଗୀତ ଥିଲା ପ୍ରିୟ ସାଥି । ପାଞ୍ଚ ବର୍ଷ ବୟସରୁ ସେ ସଙ୍ଗୀତ ନାରାୟଣ ବାଞ୍ଛାନିଧି ପଣ୍ଡାଙ୍କ ଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରି ନଅ ବର୍ଷ ବୟସରେ ସର୍ବସାଧାରଣରେ ଗୀତ ଗାଇଥିଲେ । ଦୀର୍ଘ ୩୦ ବର୍ଷରୁ ଅଧିକ କାଳ ଧରି ଆକାଶବାଣୀ ଓ ଦୂରଦର୍ଶନରେ ଜଣେ ଶୀର୍ଷ ସ୍ତରୀୟ ସ୍ୱର ସଂଯୋଜକ ଭାବେ ଶତାଧିକ ଆଧୁନିକ ଓଡ଼ିଆ ଗୀତ ସୃଷ୍ଟି କରିଥିଲେ ।
ସଙ୍ଗୀତ ପାଇଁ ତାଙ୍କୁ ୨୦୦୪ରେ ‘ଲଳିତ କଳା ଏକାଡେମି ପୁରସ୍କାର’ ଓ ୧୯୯୫ରେ ‘ଓଡ଼ିଶା ଫିଲ୍ମ୍ କ୍ରିଟିକ୍ ଆୱାର୍ଡ’ ସମେତ ଅନେକ ପୁରସ୍କାର ଓ ସମ୍ମାନ ମିଳିଥିଲା । ସଙ୍ଗୀତ ପ୍ରତି ତାଙ୍କ ଅବଦାନ ଯୋଗୁଁ ସେ ଚିର ଦିନ ମନେ ରହିବେ ।